ଭୁବନେଶ୍ବର: ଦିନ ଅଧା ଯାଏ ରାଜଧାନୀକୁ ଘୋଟି ରହିଥିଲା ଘନକୁହୁଡ଼ି। ରାସ୍ତାଘାଟରେ ଦୃଶ୍ୟମାନ ଦୂରତା ବହୁ ପରିମାଣରେ ହ୍ରାସ ପାଇଥିଲା। ସ୍ଥାନେ ସ୍ଥାନେ ସକାଳ ୯ଟା ଯାଏ ଦୃଶ୍ୟମାନ ଦୂରତା ୫୦ ମିଟର ମଧ୍ୟରେ ସୀମିତ ରହିଥିଲା। ଗୋଟିଏ ପଟେ ଘନ କୁହୁଡ଼ି ସହରବାସୀଙ୍କୁ କଲବଲ କରୁଥିବା ବେଳେ ଅନ୍ୟପଟେ ବାୟୁ ପ୍ରଦୂଷଣ ବି କିଛି କମ୍ ଯନ୍ତ୍ରଣା ଦେଇ ନଥିଲା। କିଛି ଦିନ ବ୍ୟବଧାନ ପରେ ସହରର ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଳମ୍ବିତ ରାତି ଓ ସକାଳ ସମୟରେ ଭୁବନେଶ୍ବରର ବାୟୁ ପ୍ରଦୂଷଣର ମାତ୍ରା(ଏକ୍ୟୁଆଇ) ପର୍ଟିକୁଲେଟ୍ ମ୍ୟାଟର(ପିଏମ୍)୨.୫ ଅତ୍ୟନ୍ତ ଖରାପ ସ୍ଥିତିରେ ରହୁଛି। ସନ୍ଧ୍ୟା ସମୟରେ ସାରା ସହରରେ ବିଷାକ୍ତ ବାୟୁ ଖେଳି ବୁଲୁଛି। ପୁରୁଣା ଭୁବନେଶ୍ବରଠାରୁ ଆରମ୍ଭ କରି ରସୁଲଗଡ଼, ଜୟଦେବବିହାର, ପଟିଆ, ହଂସପାଳ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ପଳାଶୁଣୀ, ଖଣ୍ଡଗିରି, ଏୟାରପୋର୍ଟ ଅଞ୍ଚଳରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଆଜି ଦିନ ସମୟରେ ବି ଏକ୍ୟୁଆଇ(ପିଏମ୍୨.୫) ମାତ୍ରା ସର୍ବାଧିକ ସ୍ତର ଦେଇ ଗତି କରିଥିଲା। ରାଜଧାନୀ ଆକାଶରେ ଏହା କୁହୁଡ଼ି ନା ଧୂଆଁ ତାହାକୁ ନେଇ ଭ୍ରମ ସୃଷ୍ଟି ହୋଇଥିଲା।
Bombing of businessman's house: ବଟି ପାଇଁ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼: ଘରକାନ୍ଥ ଫାଟିଲା, ଆସବାବପତ୍ର ନଷ୍ଟ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଲିଙ୍ଗରାଜ ମନ୍ଦିରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲଗାଯାଇଥିବା ଏକ୍ୟୁଆଇ ମେସିନ୍ ତଥ୍ୟ ଅନୁଯାୟୀ ଏଠାରେ ଏକ୍ୟୁଆଇ ମାତ୍ରା ୧୨୫ ଦିନ ହେଲା ଖରାପ ଓ ଅତ୍ୟନ୍ତ ଖରାପ ସ୍ତରରେ ରହିଛି। ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୨୭ ତାରିଖ ଅପରାହ୍ଣ ୨ଟାରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବାୟୁ ମଧ୍ୟମ ପ୍ରଦୂଷଣ ସ୍ତରକୁ ଖସିଥିଲା। ଏହାପରଠାରୁ ଆଉ ତଳକୁ ଖସିନି। ୧୧୬ ଘଣ୍ଟା ଅତ୍ୟନ୍ତ ଖରାପ ସ୍ତରରେ ରହିଥିଲା। କୁହାଯାଉଛି ଯେ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ତଥା ପୁରୁଣା ଭୁବନେଶ୍ବରରେ ଏଭଳି ବାୟୁ ପ୍ରଦୂଷଣ କେବେ ହୋଇ ନଥିଲା। ଲଗାତାର ଭାବେ ୧୨୫ ଘଣ୍ଟା ଧରି ବାୟୁ ପ୍ରଦୂଷଣ ଖରାପ କିମ୍ବା ଅତ୍ୟନ୍ତ ଖରାପ ସ୍ତରରେ ରହିବା ବିରଳ ଘଟଣା ହୋଇଛି। ଆଜି ଅପରାହ୍ଣ ୩ଟା ବେଳକୁ ପିଏମ୍୨.୫ ମାତ୍ରା ୪୧୦ ଛୁଇଁବା ସହ ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ସ୍ତରରେ ରହିଥିଲା। ଆଜି ରାତି ୮ଟା ବେଳକୁ ପିଏମ୍୧୦ ମାତ୍ରା ଏକ୍ୟୁଆଇ ୪୦୯ ରହିଥିଲା।
ପଟିଆ ଅଞ୍ଚଳ ସ୍ଥିତି ମଧ୍ୟ ସମାନ। ଗତକାଲି ରାତି ୮ଟାରେ ଏକ୍ୟୁଆଇ ୩୨୨ ଛୁଇଁଥିଲା। ଏହାପରେ ବାୟୁ ପ୍ରଦୂଷଣର ମାତ୍ରା ଆହୁରି ବୃଦ୍ଧି ପାଇଁ ରାତି ୧୦ଟାରେ ୪୦୪ ଓ ୧୧ଟାରେ ୪୪୪ରେ ପହଞ୍ଚିଥିଲା। ପ୍ରଦୂଷଣ ମାତ୍ରା କମିବାକୁ ପାଖାପାଖି ୧୨ ଘଣ୍ଟା ଲାଗିଯାଇଥିଲା ଏବଂ ଆଜି ଦିନ ୧୦ଟା ବେଳକୁ ସନ୍ତୋଷଜନକ ସ୍ତରକୁ ଫେରିଥିଲା। ପାଖାପାଖି ୩ ଘଣ୍ଟା ଧରି ସନ୍ତୋଷଜନକ ସ୍ତରରେ ରହିବା ପରେ ପୁଣି ବଢ଼ିଥିଲା ବାୟୁ ପ୍ରଦୂଷଣ। ରାତି ୯ଟା ବେଳକୁ ଏକ୍ୟୁଆଇ ୪୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ପିଏମ୍୨.୫ ସର୍ବାଧିକ ୪୪୪ ଓ ପିଏମ୍୧୦ ସର୍ବାଧିକ ୪୨୩ରେ ପହଞ୍ଚି ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୂଆବର୍ଷ ପାଳନ ସହ ବାଣ ଫୁଟା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି।
Follow Us