ମେଣ୍ଢାଶାଳ: ଚନ୍ଦକା ଥାନା ଅଧୀନ କଣ୍ଟାବାଡ଼ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଭଗବତୀପୁର ଗାଁରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ଓ ପୁଲିସକୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା ପରେ ଗିରଫ ଭୟରେ ଅନେକ ପୁରୁଷ ଗାଁ ବାହାରେ। ବୟସ୍କ, ମହିଳା ଓ ଶିଶୁ ଘରେ। ପିଲା ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର ଯାଉନାହାନ୍ତି। ପୁରୁଷ ଲୋକ ନଥିବାରୁ ମହିଳାମାନେ କାମକୁ ଯାଉନାହାନ୍ତି, ଚୁଲି ଜଳୁନି। ଏପଟେ ଚାପା ଉତ୍ତେଜନା ଲାଗିଥିବାରୁ ବିଏନ୍ଏସ୍ର ଧାରା ୧୬୩ ଆଜି ବି ବଳବତ୍ତର ରହିଛି। ଏବେ ଖାଁଖାଁ ଲାଗୁଛି, ଗାଁ ମୁଣ୍ଡରେ ପୁଲିସ ଛାଉଣି। ପୁରୁଷଲୋକ ନଥିବାରୁ ମହିଳା ଘରେ କବାଟ କିଳି ରହିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ହୋଲିରେ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ଥିଲା। ଝୁମୁକା ଡ୍ୟାମ୍ ନିକଟରେ ଗ୍ରାମର କିଛି ବ୍ୟକ୍ତି ଗାଧୋଉଥିବା ବେଳେ କିଛି ବାହାର ଲୋକ ସେଠାରେ ପହଞ୍ଚି ମଦ୍ୟପାନ କରି ହୋହଲ୍ଲା କରୁଥିଲେ। ସେଠାରେ ଆଇନଶୃଂଖଳା ଦାୟିତ୍ବରେ ନିୟୋଜିତ ପୁଲିସ କର୍ମଚାରୀ ଲୋକଙ୍କୁ ଆକଟ କରିବା ସହିତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କିଛି ଅମାନିଆ ଯୁକ୍ତିତର୍କ କରିବା ସହିତ ଜଣେ ପୁଲିସ କର୍ମଚାରୀଙ୍କୁ ଗାଁ ଭିତରକୁ ନେଇଯାଇ ଅଟକ ରଖିଥିଲେ। ଖବର ପାଇ ଚନ୍ଦକା ଥାନା ଅଧିକାରୀ ଅଧିକ ପୁଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ବ୍ରେଥ୍ ଆନାଲାଇଜର୍ ଲଗାଇ ସମସ୍ତଙ୍କୁ ଯାଞ୍ଚ କରିବା ସହିତ ସେଠାରେ ଥିବା ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ଏହି ଘଟଣାକୁ ନେଇ ଭଗବତୀପୁର ଗ୍ରାମବାସୀ ଓ ଚନ୍ଦକା ଥାନା ପୁଲିସ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ କାଚବୋତଲ, ଟେକାପଥର ମାଡ଼ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁଲିସ ମଧ୍ୟ ଲାଠିଚାର୍ଜ କରଥିଲା। ଜନତାଙ୍କ ଆକ୍ରମଣରେ ୪ଜଣ ପୁଲିସ କର୍ମଚାରୀ ଓ ପୁଲିସ ଲାଠିିମାଡ଼ରେ ୧୦ ଗ୍ରାମବାସୀ ଆହତ ହୋଇଥିଲେ। ଏହା ପରଠାରୁ ଭଗବତୀପୁରରେ ୧୬୩ ଧାରା ଜାରି ହେବା ସହିତ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଗାଁ ମୁଣ୍ଡରେ ପୁଲିସ ଜଗିରହିଥିବା ବେଳେ ଗିରଫ ହେବା ଭୟରେ ଗ୍ରାମର ପୁରୁଷମାନେ ବାହାରକୁ ଚାଲିଯାଇଛନ୍ତି।
ପୁରୁଣା ସଜାଡ଼ିଲେନି, ନୂଆ ବି ଅଚଳ: ଖରାରେ ପାଣି ପାଇ ଦହଗଞ୍ଜ ହେବେ, ଗ୍ରିନ୍ ସିଟି ଯୋଜନା ବାଟବଣା
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ ଓ ନିରକ୍ଷର। ହୋଲିଦିନ ପୁଲିସ କିଛି ପଚରାଉଚରା ନକରି ଗାଡ଼ିଗୁଡ଼ିକୁ ଜବତ କରିନେବାରୁ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ। ଏଣୁ ପୁଲିସ କୌଣସି ଯାଞ୍ଚ ନକରି ନିରୀହ ଆଦିବାସୀଙ୍କୁ ଅନ୍ୟାୟ ଉପାୟରେ ଆକ୍ରମଣ କରିଥିଲା। ହୋଲି ପାଇଁ ଗାଁରେ ଉତ୍ସବର ମାହୋଲ୍ ଥିଲା ଓ ପୂଜାପାଠ ଓ ଭୋଜିଭାତ ଚାଲିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜା ବନ୍ଦହେବା ସହିତ ରନ୍ଧା ହୋଇଥିବା ଭୋଜିଭାତ ନଷ୍ଟ ହୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଚନ୍ଦକା ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଆଜି ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ଭଗବତୀପୁର ଓ ମନେଇସାହିରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-6-2026-03-07-04-58-25.jpg)