Even after all this: ଏତେ ଛାରଖାର ପରେ ବି ଚେତୁନାହାନ୍ତି

Advertisment

ଦୁଇଶହ ମିଟର ଦୂରରେ ବିଧାନସୌଧ, ସଚିବାଳୟ। ଏହି ବାଟ ଦେଇ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନେ ଯା’ଆସ କରୁଛନ୍ତି, ଯେଉଁମାନେ........

ଦୁଇଶହ ମିଟର ଦୂରରେ ବିଧାନସୌଧ, ସଚିବାଳୟ। ଏହି ବାଟ ଦେଇ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନେ ଯା’ଆସ କରୁଛନ୍ତି, ଯେଉଁମାନେ........

Untitled-10

ଭୁବନେଶ୍ବର: ଦୁଇଶହ ମିଟର ଦୂରରେ ବିଧାନସୌଧ, ସଚିବାଳୟ। ଏହି ବାଟ ଦେଇ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରଶାସନିକ ଅଧିକାରୀମାନେ ଯା’ଆସ କରୁଛନ୍ତି, ଯେଉଁମାନେ ରାଜ୍ୟର ସୁଖଦୁଃଖ ବୁଝୁଛନ୍ତି। କିନ୍ତୁ ରାଜ୍ୟ ରାଜଧାନୀର ଛାତି ଉପରେ ଓ ଅତି ନିକଟରେ ଥିବା ସବୁଠୁ ବଡ଼ ଓ ଜନଗହଳିପୂର୍ଣ୍ଣ ୧ ନମ୍ବର ହାଟ ଉପରେ ଏମାନଙ୍କ ନଜର ପଡ଼ୁନି। ଯେଉଁଥିପାଇଁ ସର୍ବପୁରାତନ ଏହି ହାଟର ଭାଗ୍ୟ ଆଜି ପର୍ଯ୍ୟନ୍ତ ବଦଳି ପାରିନି। ସେହି ଭଙ୍ଗାଦଦରା ଦୋକାନ ଭିତରେ ଦୋକାନୀମାନେ ନିଜ ଭାଗ୍ୟକୁ ଆଦରି ଅବ୍ୟବସ୍ଥିତ ଓ ଅସୁରକ୍ଷିତ ପରିବେଶରେ ବେପାର କରୁଛନ୍ତି। ଫଳସ୍ବରୂପ ୧ ନମ୍ବର ହାଟରେ ପ୍ରତିବର୍ଷ ଏକାଧିକ ଥର ଅଗ୍ନିକାଣ୍ଡ ଘଟୁଛି।  ଇତିମଧ୍ୟରେ ଏଭଳି ଆକସ୍ମିକ ଅଗ୍ନିକାଣ୍ଡରେ ଶହ ଶହ ଦୋକାନୀ ସର୍ବସ୍ବାନ୍ତ ହୋଇ ସାରିଲେଣି। ଆଖି ଆଗରେ ନିଆଁର ଆଁରେ କଷ୍ଟଅର୍ଜିତ ଧନ ଜଳିପୋଡ଼ି ପାଉଁଶ ହୋଇଯାଉଛି। ତଥାପି ସରକାର କିମ୍ବା ବିଏମ୍‌ସିର ନିଦ ଭାଙ୍ଗୁନି। ବିଏମ୍‌ସିର ହୁଗୁଳୁା ନୀତି ଓ ଅପାରଗତା କାରଣରୁ ଏଭଳି ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଆଉ କେତେ ଦୋକାନୀ ଛାରଖାର ହେଲେ ସରକାର ତଥା ବିଏମ୍‌ସିର ନିଦ ଭାଙ୍ଗିବ ବୋଲି ପ୍ରଶ୍ନ କରିଛନ୍ତି।

Benefits of reducing sugar in tea: ଚା’ରେ ଚିନି କମାଇବାର ଲାଭ


ଗତକାଲି ବିଳମ୍ବିତ ରାତିରେ ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯିବା ପ୍ରଥମ ଘଟଣା ନୁହେଁ। ୩ ମାସ ତଳେ ବି ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଗତବର୍ଷ ଅକ୍ଟୋବର ୨୨ ତାରିଖରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୦ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରତିବର୍ଷ ଏଭଳି ୩ରୁ ଅଧିକ ଛୋଟବଡ଼ ଅଗ୍ନିକାଣ୍ଡ ଘଟୁଛି। ୨୦୨୪ ମସିହାରେ ମଧ୍ୟ ଏକାଧିକ ଥର ଅଗ୍ନିକାଣ୍ଡ ଘଟିଛି। ୨୦୨୪ ନଭେମ୍ବର ୧ ଦୀପାବଳି ରାତିରେ ମାର୍କେଟ ବିଲ୍ଡିଂରୁ ୧ ନମ୍ବର ମାର୍କେଟକୁ ସଂଯୋଗ କରୁଥିବା ଅଣ୍ଡରଗ୍ରାଉଣ୍ଡରେ ନିଆଁ ଲାଗିଥିଲା। ଏଥିରେ ୨୬ରୁ ଅଧିକ ଲୁଗାଦୋକାନ ଜଳିଯାଇଥିଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ୨୦୨୪ ଡିସେମ୍ବର ୧୫ ତାରିଖ ରାତିରେ ଅଗ୍ନିକାଣ୍ଡ ଘଟି ୧ ନମ୍ବର ହାଟର ଏକାଧିକ ଦୋକାନ ଜଳି ଯାଇଥିଲା। କଏଭଳି ଅନେକ ଅଗ୍ନିକାଣ୍ଡ ଘଟିଛି ଓ ବ୍ୟବସାୟୀଙ୍କୁ ଶ୍ରୀହୀନ କରିଦେଇଛି। ଯେବେ ବି ଏଭଳି ଅଗ୍ନିକାଣ୍ଡ ଘଟିଛି, ରା‌ଜନେତା ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବିପନ୍ନ ଦୋକାନୀଙ୍କ ମନ ବୁଝାଇବାକୁ ଯାଇ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି। କିନ୍ତୁ ଏହା କେବଳ ମିଛ ପ୍ରହେଳିକା ପାଲଟିଛି। ଆଗକୁ ଆଉ କିଛି ବଡ଼ ଅଘଟଣ ପୂର୍ବରୁ ଦୋକାନୀ ଓ ସେମାନଙ୍କ ଦୋକାନର ସୁରକ୍ଷା ବ୍ୟବସ୍ଥା କରିବାକୁ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ଦାବି କରିଛି। ଆଜିର ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ବିଏମ୍‌ସିର ଆନ୍ତରିକତା ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଛି ମହାସଂଘ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି।

Doctor Advice:ପ୍ରସବ ପରେ ମା’ର ମାନସିକ ସ୍ୱାସ୍ଥ୍ୟକୁ କେତେ ଗୁରୁତ୍ବ ଦିଆଯିବା ଉଚିତ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର...

ଜଳିଗଲା ମା’ଙ୍କ ମୂର୍ତ୍ତି, ପୂଜା ସାମଗ୍ରୀ

ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନୀଙ୍କ ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ସହ ସ୍କୁଟି, ବାଇକ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତଥାପି ଏହି ପାଉଁଶ ଭିତରୁ ଦୋକାନୀମାନେ ଅର୍ଦ୍ଧଦଗ୍ଧ ସାମଗ୍ରୀକୁ ସାଉଁଟିଛନ୍ତି। ଆଖିରୁ ଲୁହ ଧାର ବହି ଚାଲିଥିବାବେଳେ ପାଗଳ ଭଳି ପାଉଁଶ ଆଡ଼େଇ ଅର୍ଦ୍ଧଦଗ୍ଧ ସାମଗ୍ରୀକୁ ଖୋଜି ବାହାର କରି ଅଲଗା କରି ରଖିବା ଦୃଶ୍ୟ ଦେଖଣାହାରୀଙ୍କ ଆଖିରେ ବି ଲୁହ ଆଣିଦେଇଛି। ସେପଟେ ଆଗକୁ ସରସ୍ବତୀ ପୂଜା ଥିବାବେଳେ ଏକାଧିକ ଦୋକାନୀ ବେପାର ଆଶାରେ ମୂର୍ତ୍ତି ବିକ୍ରି ପାଇଁ ରଖିଥିଲେ। କିଏ ୨ଲକ୍ଷ ତ କିଏ ୩ ଲକ୍ଷର ମୂର୍ତ୍ତି କିଣି ରଖିଥିଲେ। କିନ୍ତୁ ଗତକାଲିର ଅଗ୍ନିକାଣ୍ଡରେ ଏହି ମୂର୍ତ୍ତି ସବୁ ପୋଡ଼ିଯାଇଛି। ସେପଟେ ପୂଜା ପାଇଁ ଦୋକାନରେ ଭର୍ତ୍ତି କରିଥିବା ନୂଆ ପୂଜାସାମଗ୍ରୀ ବି ପୋଡ଼ିଯାଇଛି। ଫଳଦୋକାନୀଙ୍କ ଭଳିକି ଭଳି ଫଳ ବି ନିଆଁରେ ପୋଡ଼ିଯାଇଛି। ଏହା ଦେଖି ଦୋକାନୀମାନେ ଭୋ ଭୋ ହୋଇ କାନ୍ଦିଛନ୍ତି। 

ଶୁଣୁନାହାନ୍ତି ଦୋକାନୀ: ମେୟର

୧ ନମ୍ବର ହାଟ ସର୍ବଦା ଆମ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି, ଏଠାରେ ଦୋକାନୀଙ୍କ ସଂଖ୍ୟା ଅନୁସାରେ ଜାଗା ନାହିଁ। ସମସ୍ତେ ଅବାଧ ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି। ସବୁଦିନ ଦୋକାନ ସଂଖ୍ୟା ବଢ଼ିଚାଲିଛି। ଯିଏ ଦୋକାନ ନେଇଛନ୍ତି, ସେମାନେ ଟ୍ରଲି ଆଣି ପକାଉଛନ୍ତି। ଯେତେବେଳେ ବି ହଟାଇବାକୁ ଚେଷ୍ଟା କରୁଛୁ, ବିରୋଧର ଶିକାର ହେଉଛୁ। ବିଜୁଳି ସଂଯୋଗ ବି ବିପଦଜ୍ଜନକ ଭାବେ ନିଆଯାଇଛି। ବିଦ୍ୟୁତ୍‌ ତାର ଏଣେତେଣେ ଝୁଲି ରହିଛି। କେଉଁଠୁ କେଉଁମାନେ ଏଭଳି ସଂଯୋଗ ଦେଉଛନ୍ତି, ତାକୁ କେହି ଦେଖୁନାହାନ୍ତି। ଦୋକାନରେ ଦହନଶୀଳ ସାମଗ୍ରୀ ରହିଛି। ଯେତେବେଳେ ବି ଅଗ୍ନିକାଣ୍ଡ ଘଟୁଛି, ଆମକୁ ଦାୟୀ କରାଯାଉଛି ସତ, କିନ୍ତୁ ଏଥିରେ ଆମର କିଛି ସଂପୃକ୍ତି ନାହିଁ। ଯେତେ ସଚେତନତା, କଟକଣା ଲଗାଇଲେ ବି ୧ ନମ୍ବର ହାଟର ଦୋକାନୀମାନେ ମାନୁନାହାନ୍ତି। ମେୟର କହିଛନ୍ତି, ଏହି ଅଗ୍ନିକାଣ୍ଡ ପାଇଁ ବିଏମ୍‌ସି କିଛି କ୍ଷତିପୂରଣ ଦେଇପାରିବନି। ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ। କାରଣ ଦୋକାନୀମାନେ ଅଦ୍ୟାବଧି ପଞ୍ଜୀକୃତ ହୋଇନାହାନ୍ତି। ଆମେ ଗ୍ରୁପ୍‌ ବୀମା କରିବାକୁ ଯୋଜନା କରିଛୁ। କିନ୍ତୁ ଦୋକାନୀମାନେ ଏଥିରେ ରାଜି ହେଉନାହାନ୍ତି। ଭଗବାନପୁରରେ ଆମେ ଜାଗା ନେଇଥିଲୁ, ପାଇକାରୀ ଦୋକାନୀଙ୍କୁ ସ୍ଥାନାନ୍ତର କରିବା ପାଇଁ। ଚେଷ୍ଟା କରୁଛୁ। ଯଥାଶୀଘ୍ର ଏହି ବ୍ୟବସ୍ଥା କରିବୁ।

ଦୋକାନୀମାନେ ଦାୟୀ: ହାଟ ସଂଘ

ବ୍ୟବସାୟୀମାନେ ଯେଉଁଠି ପାରୁଛନ୍ତି ଦୋକାନ କରୁଛନ୍ତି। ରାସ୍ତାଘାଟ ମାଡ଼ି ବସୁଛନ୍ତି। ୧୦ଟା ଦୋକାନର ସାମଗ୍ରୀ ଗୋଟିଏ ଦୋକାନରେ ରହୁଛି। ଏଣୁ ଅଗ୍ନିକାଣ୍ଡ ଭଳି ଅଘଟଣ ପାଇଁ ଦୋକାନୀମାନେ ଦାୟୀ ବୋଲି ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି। ଶ୍ରୀ ସ୍ବାଇଁ କହିଛନ୍ତି, ଆଗ ୧ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ କରାଯାଉ। ୨୦ ଫୁଟିଆ ରାସ୍ତା କରାଯାଉ। ହାଟ ଆଗରେ ଭେଣ୍ଡିଂ ଜୋନ୍‌ ହେବା ଠିକ୍‌ ନୁହେଁ। ତୁରନ୍ତ ଏହି ଭେଣ୍ଡିଂ ଜୋନ୍‌ ହଟାଯାଉ ଓ ଏହି ଜାଗାରେ ପୂର୍ବଭଳି ପାର୍କିଂ ବ୍ୟବସ୍ଥା କରାଯାଉ। ଯେଉଁ ଦୋକାନୀମାନେ ଭେଣ୍ଡିଂରେ ଜୋନ୍‌ରେ ଅଛନ୍ତି, ସେମାନଙ୍କୁ ଥଇଥାନ କରାଯାଉ। ଭଗବାନପୁରରେ ଜାଗାରେ ପାଇକାରୀ ବେପାରୀଙ୍କ ପାଇଁ ବ୍ୟବସ୍ଥା କରାଯାଉ।

ଅଗ୍ନି ବିପନ୍ନଙ୍କୁ ଭେଟିଲେ ନେତା

ଅଗ୍ନି ବିପନ୍ନ ଦୋକାନୀଙ୍କୁ ଆଜି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂହ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସିପିଆଇର ସୁର ଜେନା, ସ୍ଥାନୀୟ କର୍ପୋରେଟର୍‌ ପ୍ରମୁଖ ଭେଟି ସମବେଦନା ଜଣାଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଦୋକାନୀଙ୍କୁ କ୍ଷୟକ୍ଷତି ପ୍ରଦାନ କରିବାକୁ ଦାବି କରିଛନ୍ତି। ଏକାମ୍ର ବିଧାୟକ ଶ୍ରୀ ସିଂହ କହିଛନ୍ତି, ୧ ନମ୍ବର ହାଟ ଉନ୍ନତୀକରଣ ସଂପର୍କରେ ସରକାରଙ୍କ ସହ ଗତକାଲି ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନା ପରେ ପରେ ଗତକାଲି ରାତିରେ ଏଭଳି ଅଗ୍ନିକାଣ୍ଡ ଦୁଃଖ ଦେଇଛି। ୧ ନମ୍ବର ହାଟର ଉନ୍ନତୀକରଣ ଦିଗରେ ସରକାରଙ୍କ ସହ ତୁରନ୍ତ ଆଲୋଚନା କରିବୁ। ଏ ନେଇ ଏକ ୧୦ଜଣିଆ କମିଟି ଗଠନ ହେବ। ଏହି କମିଟି ରାଜ୍ୟ ସରକାରଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ବିଧାୟକ ଶ୍ରୀ ଜେନା କହିଛନ୍ତି, ପାଇକାରୀ ବ୍ୟବସାୟୀଙ୍କ ପାଇଁ ଭଗବାନପୁରଠାରେ  ୧୦ ଏକର ଜାଗା ଯୋଗାଇ ଦିଆଯାଇଛି। କିନ୍ତୁ ଅଦ୍ୟାବଧି ଖୁଚୁରା ଦୋକାନୀ ଓ ପାଇକାରୀ ଦୋକାନୀଙ୍କୁ ଅଲଗା କରାଯାଉନି। ଯାହା ୧ ନମ୍ବର ହାଟରେ ସମସ୍ୟା ସୃଷ୍ଟି କରୁଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି। ବିଜେପି ନେତା ଶ୍ରୀ ପ୍ରଧାନ କହିଛନ୍ତି, ହାଟର ତତ୍କାଳ ଉନ୍ନତି ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅପରପକ୍ଷେ ହାଟ ସମସ୍ୟା ସଂପର୍କରେ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe