ଭୁବନେଶ୍ବର: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ବହୁ ଓଡ଼ିଆ ଭାଷାଭାଷୀ ଓଡ଼ିଶା ସୀମାରେଖା ବାହାରେ ରହିଯାଇଥିଲେ। ସେମାନଙ୍କ ପରପିଢ଼ି ମଧ୍ୟରେ ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ତଥା ରାଜ୍ୟ ବାହାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଆରମ୍ଭ ହୋଇଥିଲା ‘ଲିପିଶିକ୍ଷା’। କିନ୍ତୁ ଏବେ ସରକାରୀ ଅବହେଳା କାରଣରୁ ଏହି ଲିପିଶିକ୍ଷା ବନ୍ଦ ହେବାକୁ ବସିଛି। ଫଳରେ ପ୍ରବାସରେ ରହିଯାଇଥିବା ଓଡ଼ିଆମାନେ ଆଗାମୀ ଦିନରେ ଓଡ଼ିଆ ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏପରିକି ଆନ୍ଧ୍ରପ୍ରଦେଶର କିଛି କିଛି ଅଞ୍ଚଳରେ ଏବେ ବି ଓଡ଼ିଆ ପରମ୍ପରା ବଜାୟ ରହିଛି। ତ୍ରିନାଥ ମେଳାଠାରୁ ଆରମ୍ଭ କରି ମାଣବସା ଗୁରୁବାର, ଖୁଦୁରୁକୁଣୀ, ବିଭିନ୍ନ ଓଡ଼ିଆ ଘରର ଓଷାପର୍ବ ଆଦି ଆମ ପଡ଼ୋଶୀ ରାଜ୍ୟରେ ଏବେ ବି ହେଉଛି। ପୁରାଣ ବହି ପଢ଼ିବା ପାଇଁ ଓଡ଼ିଆ ଲିପି ଶିକ୍ଷାର ଆବଶ୍ୟକତା ପଡ଼ିଥିଲା। ପୁରୁଣା ପରମ୍ପରାରେ ଛତିଶଗଡ଼ର ଲୋକମାନେ ଖାଇସାରିବା ପରେ ଗଛ ଛାଇରେ ବସି ଓଡ଼ିଆ ଶିଖିଥିବା ପୁରୁଖା ଲୋକଙ୍କଠାରୁ ଓଡ଼ିଆ ଲିପି ଓ ଭାଷା ଶିଖୁଥିଲେ। ଏହାକୁ ‘ଗୁହାଲ୍ ପଢ଼ା’ ବୋଲି କୁହାଯାଉଥିଲା। ପୁରାଣ ବହି ପଢ଼ିପାରିବା, ଏହି ଶିକ୍ଷାର ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Cyber ​​fraud: ରାଜଧାନୀରେ ମାତିଛନ୍ତି ସାଇବର୍ ଠକ
ଏହି ପରମ୍ପରାକୁ ଆଧାର କରି ୨୦୦୩-୦୪ ମସିହାରୁ ଓଡ଼ିଶାର ପଡ଼ୋଶୀ ୪ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଥିଲା ଲିପି ଶିକ୍ଷା। ଏଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାର୍ଷିକ ୩ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରୁଥିଲା। ଉତ୍କଳ ସମ୍ମିଳନୀ ପକ୍ଷରୁ ଏହି ଲିପିିଶିକ୍ଷା ପ୍ରଦାନ କରାଯାଉଥିଲା। ଏଥି ପାଇଁ ଚାରିଟି ରାଜ୍ୟରେ ପ୍ରାୟ ୬୦୦ଟି କେନ୍ଦ୍ର ରହିଛି। ଗୋଟିଏ ସିଟିଂରେ ୩୦ ପିଲା ହିସାବରେ ପ୍ରତିବର୍ଷ ପଡ଼ୋଶୀ ରାଜ୍ୟମାନଙ୍କର ୧୮ ହଜାର ପିଲା ଓଡ଼ିଆ ଲିପି-ଶିକ୍ଷା କରୁଥିଲେ। ସେମାନେ ଓଡ଼ିଆ ଅକ୍ଷର ଚିହ୍ନିବା ଓ ପଢ଼ିବାରେ ସିଦ୍ଧହସ୍ତ ହେଉଥିଲେ। ହେଲେ ୨୦୨୪-୨୫ରୁ ରାଜ୍ୟ ସରକାର ଆଉ ଏହି ଅନୁଦାନ ପ୍ରଦାନ କରୁନାହାନ୍ତି। ଫଳରେ ଓଡ଼ିଶା ବାହାରେ ଓଡ଼ିଆ ଲିପି ଶିକ୍ଷା ଏକ ପ୍ରକାଶବିପନ୍ନ ସ୍ଥିତିକୁ ଚାଲିଯାଇଛି। ଏବେ ସେହି କେନ୍ଦ୍ରଗୁଡ଼ିକ ଚାଲୁଛି ସତ। କିନ୍ତୁ କାମଚଳା ଢଙ୍ଗରେ। ସେଠାରେ ଶିକ୍ଷା ଦେଉଥିବା ପ୍ରଶିକ୍ଷକମାନଙ୍କୁ ଦରମା ମିଳୁନି।
The fields: ଫଳିବ କ୍ଷେତ, ହସିବ ଚାଷୀ
ଏନେଇ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଦିଲୀପ ଦାଶଶର୍ମା କହିଛନ୍ତି, ରାଜ୍ୟ ଗଠନ ସମୟରେ ବହୁ ଓଡ଼ିଆ, ରାଜ୍ୟର ସୀମାରେଖା ବାହାରେ ରହିଯାଇଛନ୍ତି। ମୁଖ୍ୟତଃ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଙ୍କ ସଂଖ୍ୟା ଅଧିକ। ଓଡ଼ିଆ ଲିପି ଶିଖାଇବା ପାଇଁ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳରେ ଲିପିଶିକ୍ଷା କେନ୍ଦ୍ର ଚଲାଉଥିଲେ। ସେହିଭଳି ଝାଡ଼ଖଣ୍ଡ ସରକାର ୨୦୧୧ମସିହାରୁ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବେ ଗ୍ରହଣ କରିଛନ୍ତି। ସୁବିଧା ସୁଯୋଗ ନଥିବାରୁ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟମାନଙ୍କରେ ଲିପିଶିକ୍ଷା ପରେ ଛାତ୍ରଛାତ୍ରୀମାନେ ଇଂରାଜୀ ଓ ହିନ୍ଦୀ ଶିକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ହେଲେ ୨ ବର୍ଷ ହେଲା ଲିପିଶିକ୍ଷା ପାଇଁ ସରକାର ଅନୁଦାନ ଦେଇନାହାନ୍ତି। ଯଦି ସେହି ଅନୁଦାନ ବନ୍ଦ ହେଉଛି, ତେବେ ଜାତୀୟ ଶିକ୍ଷା ନୀତିକୁ ସମ୍ମାନ ଦେଇ ବିଚ୍ଛିନ୍ନାଞ୍ଚଳରେ ‘ଲିପିଶିକ୍ଷା’ ବଦଳରେ ‘ଗଣଶିକ୍ଷା’ ହେବା ଆବଶ୍ୟକ। ଝାଡ଼ଖଣ୍ଡ ରାଜ୍ୟ ଭଳି ଛତିଶଗଡ଼ରେ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବେ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏହା ସହିତ ପଡ଼ୋଶୀ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପର୍ଯ୍ୟନ୍ତ ଓଡ଼ିଆକୁ ବାଧ୍ୟତାମୂଳକ କଲେ ସେମାନଙ୍କ ମାତୃଭାଷା ଅତ୍ୟନ୍ତ ପକ୍ଷେ ବଞ୍ଚି ରୁହନ୍ତା ବୋଲି ଶ୍ରୀ ଦାଶଶର୍ମା କହିଛନ୍ତି।
Follow Us