ବାଲିପାଟଣା: ଦିନ ଥିଲା ଯେତେବେଳେ ବାଉଁଶତାଟି ଛପର ଥିବା ମାଲବାହୀ ରିକ୍ସା(ଟ୍ରଲି) ମାଇକ୍ ବାନ୍ଧି ଗାଁକୁ ପଶିଆସୁଥିଲା ଏବଂ ଫିଲ୍ମ ନାଁ ପ୍ରଚାର କରୁଥିଲା, ପିଲାମାନେ ତା’ ପଛେପଛେ ଖୁସିରେ କୋଳାହଳ କରି ଧାଉଁଥିଲେ। ବାଉଁଶତାଟିରେ ଲାଗିଥିବା ହିରୋ, ହିରୋଇନ ଓ ଭିଲେନ୍ଙ୍କ ପୋଷ୍ଟର୍କୁ ଦେଖି ପିଲାମାନେ କୁରୁଳି ଉଠୁଥିଲେ। ଲୁଗାକାନିକୁ ମୁଣ୍ଡ ଉପରକୁ ଟାଣିଆଣି ଗାଁର ମହିଳାମାନେ ଦାଣ୍ଡପିଣ୍ଡାରେ ଠିଆହୋଇ ପ୍ରଚାର ଟ୍ରଲିକୁ କେଡ଼େ ଖୁସିରେ ନ ଦେଖୁଥିଲେ! ଅପରାହ୍ଣରେ ଦେଖାଯାଉଥିଲା ଗହୀର ହିଡ଼ରେ ଧାଡ଼ିଧାଡ଼ି ହୋଇ ମହିଳାମାନେ ସିନେମା ଦେଖିବାକୁ ଚାଲୁଥିଲେ। ଗାଡ଼ିଘୋଡ଼ା ନଥିଲା, ତେଣୁ ବହୁ ଲୋକ ଚାଲିଚାଲି ଯାଉଥିଲେ ଏବଂ କିଛି ସାଇକେଲ୍ରେ। ହାତଗଣତି କିଛି ମଟରସାଇକେଲ ଲାଗୁଥିଲା ସିନେମା ହଲ୍ ଆଗରେ। ଓଡ଼ିଆ ଫିଲ୍ମଟିଏ ପଡ଼ିଲେ, ମହିଳାମାନଙ୍କ ବେଶି ଭିଡ଼ ହେଉଥିଲା। ହିନ୍ଦୀ ଫିଲ୍ମ ଭିଡ଼ ବି କିଛି କମ୍ ନଥିଲା। ଟୋକାମାନଙ୍କ ଗହଳି ଓ ଗଣ୍ଡଗୋଳ ଦେଖିବାକୁ ମିଳୁଥିଲା। କିନ୍ତୁ ମାତ୍ର ଦୁଇଟି ଦଶନ୍ଧି ପରେ ଏହି ଚିତ୍ର ବଦଳିଗଲା। ଘରେଘରେ ତୁଣ୍ଡରେ ତୁଣ୍ଡରେ ବସାବାନ୍ଧି ରହିଥିବା ‘ଜଗନ୍ନାଥ’ ଓ ‘ଅହଲ୍ୟା’ ଟକିଜ୍ଦ୍ବୟ ଭଗ୍ନସ୍ତୂପରେ ପରିଣତ ହୋଇଗଲା। ବାଲିପାଟଣାର ‘ଜଗନ୍ନାଥ’ ଓ ବନମାଳୀପୁରର ‘ଅହଲ୍ୟା’ ସିନେମା ହଲ୍ ଆଜି କେବଳ ଇତିହାସର ମୁକସାକ୍ଷୀ ହୋଇ ରହିଛି।
Canara Bank: ପୁରୀରେ କାନାରା ବ୍ୟାଙ୍କର ଜାତୀୟସ୍ତରୀୟ ବୈଠକ
ଆଜି ବି ଲୋକ ମନେ ପକାଉଛନ୍ତି ଏହି ସିନେମା ହଲ୍ଦ୍ବୟର କଥା। ‘ସୋଲେ’ ଓ ‘ଅନ୍ଧାକାନୁନ’ ଫିଲ୍ମ ପାଇଁ ହୋଇଥିବା ସେଦିନର ଭିଡ଼ କଥା ଲୋକେ ମନେପକାଉଛନ୍ତି। ସେହିଭଳି ଓଡ଼ିଆ ଫିଲ୍ମ ଫୁଲଚନ୍ଦନ, ଦଣ୍ଡାବାଳୁଙ୍ଗା, ଜଗାବଳିଆ, ଭାଇ ହେଲା ଭଗାରି, ସୁନା ପଞ୍ଜୁରୀ, ସୁନା ଚଢ଼େଇ ଓ ଯାହାକୁ ରଖିବେ ଅନନ୍ତ ଦେଖିଥିବା ମହିଳାମାନେ ଆଜି ବି ପୁରୁଣା କଥା ମନେପକାଇ ଝୁରି ହେଉଛନ୍ତି। କିନ୍ତୁ ଆଜି ସେ ସୁଯୋଗ ନାହିଁ। ୧୯୯୯ ମସିହାର ମହାବାତ୍ୟାରେ ହଜିଯାଇଛି ସେଦିନର ଖୁସି ଓ ଭଗ୍ନସ୍ତୂପ ପାଲଟିଯାଇଛି ଟକିଜ୍ଦ୍ବୟ। ପ୍ରଥମେ ବାଲିପାଟଣା ଛକରେ ଜଗନ୍ନାଥ ଟକିଜ୍ ଗଢ଼ି ଉଠିଥିଲା। ପମ୍ପାଲୋ କୁଳନ୍ତିରାଶାସନ ଗାଁର ବାସିନ୍ଦା ଡାକ୍ତର ଜଗନ୍ନାଥ ମହାନ୍ତିଙ୍କ ନାମରେ ଏହି ସିନେମା ହଲ୍ ନିର୍ମାଣ ହୋଇଥିଲା। ୧୯୮୩ ମସିହାରେ ସ୍ବର୍ଗତ ମହାନ୍ତିଙ୍କ ପୁଅ ପ୍ରଭାତ ଓ ପ୍ରଶାନ୍ତ ବାପାଙ୍କ ସ୍ମୃତିରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ୩ଶହ ସିଟ୍ବିଶିଷ୍ଟ ଏହି ହଲ୍ର ଟିକଟ ଦାମ୍ ଥିଲା ୩.୫୦ଟଙ୍କା, ୨.୫୦ ଟଙ୍କା ଓ ୧.୮୦ଟଙ୍କା। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ନୁନ୍ ସୋ, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ମ୍ୟାଟିନ୍ ସୋ ଏବଂ ସନ୍ଧ୍ୟା ୬ରୁ ରାତି ୯ଟା ଇଭିନିଂ ସୋ’ରେ ଫିଲ୍ମ ପ୍ରଦର୍ଶିତ ହେଉଥିଲା। ଭଲ ହିନ୍ଦୀ ଚଳଚ୍ଚିତ୍ର ପଡ଼ିଲେ ରାତି ୯ଟାରୁ ୧୨ଟା ନାଇଟ୍ ସୋ ହେଉଥିଲା। ସେହିଭଳି ଭଲ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ବି ଲୋକଙ୍କ ଦାବି ଅନୁସାରେ ନାଇଟ୍ ସୋ କରାଯାଉଥିଲା। ଗୋପ, ନିମାପଡ଼ା, ନିଆଳୀ, ଅସ୍ତରଙ୍ଗଠାରୁ ଆରମ୍ଭ କରି ବଳଙ୍ଗା, ପିପିଲି ଓ ପାହାଳର ଅଞ୍ଚଳର ଦର୍ଶକଙ୍କ ଭିଡ଼ ହେଉଥିଲା। ହଲ୍ର ଚାହିଦା ଦେଖି ବନମାଳୀପୁରରେ ଗଢ଼ିଉଠିଲା ଅହଲ୍ୟା ଟକିଜ୍। ବନମାଳୀପୁର ଦିୱାନପାଟଣା ଗ୍ରାମର ବିଶିଷ୍ଟ ଶିଳ୍ପପତି ରମେଶଚନ୍ଦ୍ର ସାହୁ ଏହି ହଲ୍ କରିଥିଲେ। ୧୯୯୨ ମସିହା ପହିଲି ରଜ ଦିନ ଅହଲ୍ୟା ଟକିଜ୍ର ଶୁଭାରମ୍ଭ ହେଲା।
Father: ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟଙ୍କ ପିତୃ ବିୟୋଗ
ନୂଆବର୍ଷ, ରଜ, ପଣା ସଂକ୍ରାନ୍ତି, ଗଣେଶ ପୂଜା, ସରସ୍ବତୀ ପୂଜା, ଦଶହରା, କାଳୀପୂଜା, ହୋଲି ଭଳି ପର୍ବପର୍ବାଣୀରେ ଏହି ହଲ୍ ଦ୍ବୟରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଥିଲା। ଟିକଟ କଳାବଜାରୀ ବି ହେଉଥିଲା। ଏମିତିକି ଟିକଟ କଳାବଜାରୀକୁ ନେଇ ମାର୍ପିଟ ହୋଇଯାଉଥିଲା। ଏହି ହଲ୍ଦ୍ବୟ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକଙ୍କ ଭାତହାଣ୍ଡି ସଦୃଶ ଥିଲା। ଦୁଇ ହଲ୍ରେ ବିଭିନ୍ନ କାମ କରୁଥିବା କର୍ମଚାରୀମାନେ ଏଥିରୁ ରୋଜଗାର କରି ପରିବାର ପୋଷୁଥିଲେ। କେବଳ ସେତିକି ନୁହେଁ ଫିଲ୍ମ ଦର୍ଶକଙ୍କ ପାଇଁ ହଲ୍ ନିକଟରେ ଖୋଲିଥିବା ଜଳଖିଆ, ପାନବିଡ଼ି ଦୋକାନୀ ବି ଭଲ ରୋଜଗାର କରୁଥିଲେ। ବୁଲା ବିକାଳିମାନେ ପାମ୍ପଡ଼, ଆଇସ୍କ୍ରିମ୍, ବାରମଜା, ବୁଟ, ମଟର ଓ ବାଦାମ ଭଜା ଆଦି ବିକି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ୩.୫୦ଟଙ୍କା ଥିବା ଟିକଟ ବଢ଼ିବଢ଼ି ୩୦ଟଙ୍କାରେ ପହଞ୍ଚିଗଲା। କିନ୍ତୁ ସବୁ ବିଗାଡ଼ିଦେଲା ମହାବାତ୍ୟା। ମହାବାତ୍ୟାରେ ଫିଲ୍ମ ହଲ୍ଦ୍ବୟ ଭାଙ୍ଗିରୁଜି ଗଲା। ଅବଶ୍ୟ ମହାବାତ୍ୟା ପରେ କିଛିଦିନ ପର୍ଯ୍ୟନ୍ତ ହଲ୍ଦ୍ବୟ କୁନ୍ଥେଇମୁନ୍ଥେଇ ଚାଲିଲା। କିନ୍ତୁ ଆଗଭଳି ବେପାର ହେଲା ନାହିଁ। ମାଲିକମାନେ ଋଣଗ୍ରସ୍ତ ହୋଇପଡ଼ିଲେ। ଏହା ଭିତରେ ଲୋକଙ୍କ ହାତକୁ ମୋବାଇଲ ଆସିଗଲା। ଏମିତିରେ ଧୀରେଧୀରେ ହଲ୍ ବନ୍ଦ ହୋଇଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/untitled-6-2025-12-15-07-30-21.jpg)