ଭୁବନେଶ୍ୱର: ବସନ୍ତର ମୃଦୁମନ୍ଦ ମଳୟର ପରଶରେ ଆସିବେ ବିଦ୍ୟାଦାତ୍ରୀ ମା’ ବାଗ୍ଦେବୀ। ବିଦ୍ୟା, ସଙ୍ଗୀତ ଓ କଳାରେ ନିପୂଣ ହେବାର ଆଶୀର୍ବାଦ ଅଜାଡ଼ି ଦେବେ ମାନବ ସମାଜ ଉପରେ। ପବିତ୍ର ଶ୍ରୀପଞ୍ଚମୀରେ ମା’ଙ୍କୁ ପାଛୋଟି ଆଣିବାକୁ ଛାତ୍ରଛାତ୍ରୀ ଓ ସଙ୍ଗୀତ ସାଧକମାନେ ପ୍ରସ୍ତୁତ ହେଲେଣି। ମା’ଙ୍କ ଆଗମନ ପାଇଁ ମୂର୍ତ୍ତିକାରଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଫୁଲ, ଫଳ ଓ ମିଠା ବେପାରୀଙ୍କ ପର୍ଯ୍ୟନ୍ତ କାହାକୁ ଫୁରସତ ନାହିଁ। ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ମୂର୍ତ୍ତିକାରମାନେ ଦିନରାତି ଏକ କରି ମା’ଙ୍କ ମୂର୍ତ୍ତି ଗଢ଼ିଛନ୍ତି। ହଂସ ଉପରେ ବିରାଜମାନ, ପଦ୍ମଫୁଲ, ଓଁ ଓ ଗଛ ଭିତରେ ମା’ ବିରାଜମାନ କରିଥିବା ମୂର୍ତ୍ତି ସବୁଥର ଭଳି ଏଥର ବି ଚାହିଦାରେ ରହିଛି। ସହରର ସବୁ ହାଟ ବଜାରରେ ମା’ଙ୍କ ମୂର୍ତ୍ତି ଶୋଭା ପାଉଛି।
Selling of nuts : ଅସାଧୁ ଉପାୟରେ ପିଣ୍ଡି ବିକ୍ରି
ୟୁନିଟ୍-୨ରେ ବ୍ୟବସାୟ କରୁଥିବା କୈଳାସ ବେହେରା କହିଛନ୍ତି, ଏଥର ଭଲ ଶୀତ ସହ ପାଗ ଭଲ ଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଙ୍ଗୀତାଳୟରେ ଭୋଜିଭାତ ହେଉଛି। ଫଳରେ ଏଥର ବଡ଼ମୂର୍ତ୍ତି ପାଇଁ ଅଧିକ ବରାଦ ଆସିଛି। ତାଙ୍କ ପାଖରେ ୧ ଫୁଟ୍ରୁ ଆରମ୍ଭ କରି ୧୦ଫୁଟ୍ ଉଚ୍ଚତାର ମା’ଙ୍କ ମୂର୍ତ୍ତି ୧୦୦ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କାରେ ମିଳୁଛି। କୋଲ୍କାତାରୁ କାରିଗର ଆସି ମୂର୍ତ୍ତି ଗଢ଼ୁଥିବା ବେଳେ ବାଘୁଆ, ପିପିଲି ଓ ଉତ୍ତରା ଆଦି ଅଞ୍ଚଳରୁ ମାଟି ଆଣି ମୂର୍ତ୍ତି ଗଢ଼ା ଯାଉଥିବା ସେ ସୂଚନା ଦେଇଛନ୍ତି।
The abandoned Nanda: ଚିନ୍ତା ବଢ଼ାଉଛି ପରିତ୍ୟକ୍ତ ନନ୍ଦକିଶୋରର ପୁଷ୍କରିଣୀ
ଶ୍ରୀପଞ୍ଚମୀରେ ଶିକ୍ଷା ଓ ସଙ୍ଗୀତର ଶୁଭାରମ୍ଭ
ଛାତ୍ରଛାତ୍ରୀ ଓ କଳା ସାଧକଙ୍କ ପାଇଁ ବସନ୍ତ ପଞ୍ଚମୀର ଗୁରୁତ୍ବ ଅଧିକ। ଏହି ଦିନ ହିଁ କୁନିକୁନି ପିଲାମାନଙ୍କ ସିଲଟରେ ‘ଓଁ ଶ୍ରୀ’ କିମ୍ବା ତିନି ମୁଣ୍ଡୁଳି କାଟି ଆଚାର୍ଯ୍ୟମାନେ ଏବଂ ସଙ୍ଗୀତ ଶିଖୁଥିବା ପିଲାମାନଙ୍କ ସିଲଟରେ ସା ରେ ଗା ମା... ଲେଖି ସଙ୍ଗୀତଗୁରୁମାନେ ସେମାନଙ୍କ ବିଦ୍ୟା ଓ ସଙ୍ଗୀତ ଶୁଭାରମ୍ଭ କରିଥା’ନ୍ତି। ବ୍ରହ୍ମପୁତ୍ରୀ ସରସ୍ବତୀ ହେଉଛନ୍ତି ସଙ୍ଗୀତର ଦେବୀ, ବିଦ୍ୟାଦାତ୍ରୀ। ହିନ୍ଦୁ ଧର୍ମରେ ପ୍ରତିଟି ସଙ୍ଗୀତଜ୍ଞ ଏହି ଦିନ ମା’ଙ୍କୁ ଆରାଧନା କରିଥା’ନ୍ତି। କୁନି କୁନି ପିଲାମାନଙ୍କୁ ସିଲଟରେ ଏହି ଦିନ ସଙ୍ଗୀତ ଗୁରୁମାନେ ‘ସା ରେ ଗା ମା... ଲେଖାଇ ମା’ଙ୍କ ଚରଣରେ ଅର୍ପଣ କରିବା ସହ ସଙ୍ଗୀତର ସାତ ସୁର ଶିଖାଇ ଥାଆନ୍ତି। ଏହି ଦିନ କିଛି କଳାକାର ଗୀତ ଗାଇ ମଧ୍ୟ ମା’ଙ୍କୁ ଆରଧନା କରିଥା’ନ୍ତି। କଳା ପ୍ରତି ସମର୍ପଣ ଭାବ ହିଁ ମା’ଙ୍କ ପାଇଁ ମହାର୍ଘ୍ୟ।
ଧଳା ଫୁଲରେ ଛାଇଗଲାଣି ରାଜଧାନୀ
ଧଳା ରଙ୍ଗ ମା’ ସରସ୍ବତୀଙ୍କ ଖୁବ୍ ପସନ୍ଦ। ଖାସ୍ ଏଥିପାଇଁ ରାଜଧାନୀର ବିଭିନ୍ନ ଫୁଲଦୋକାନରେ ଧଳା ସେବତୀ, ଧଳା ଗୋଲାପ, ଶ୍ବେତପଦ୍ମ ଓ ରଜନୀଗନ୍ଧା ଆଦି ଫୁଲରେ ଭର୍ତ୍ତି ହେଲାଣି। ବିଭିନ୍ନ ସ୍କୁଲ, କଲେଜ ପକ୍ଷରୁ ମଧ୍ୟ ପୂଜା ଦିନ ଧଳା ଫୁଲ ପାଇଁ ଆଗୁଆ ବରାଦ ଦିଆସରିଛି। ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ ସପ୍ର ବ୍ୟବସାୟୀ ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି, ସରସ୍ବତୀ ପୂଜା ପାଇଁ ବେଙ୍ଗାଲୁରୁରୁ ଧଳା ଫୁଲ ଆଗୁଆ ମଗାଯାଇଛି। ରଜନୀଗନ୍ଧା ଗଜରା ମାଳ ଛୋଟ ୧୫୦ଟଙ୍କା ରହିଥିବା ବେଳେ ବଡ଼ ମାଳ ୨୫୦ଟଙ୍କା ରହିଛି। ସେହିପରି ଧଳାସେବତୀ ଗୋଟା ୨୦ ଟଙ୍କା, ଧଳା ଗୋଲାପ ୩୦ଟଙ୍କା ଓ ଶ୍ବେତପଦ୍ମ ଗୋଟା ୪୦ ଟଙ୍କା ରହିଛି। ଏବେ ଚାହିଦା ଥିବାରୁ ଫୁଲ ଦର ମଧ୍ୟ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ସେ କହିଛନ୍ତି।
Follow Us