ବାରଙ୍ଗ: ନନ୍ଦନକାନନ ବୁଲି ଦେଖିବା ସମୟରେ ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ଦାନ୍ତୁଣିଦା ଗ୍ରାମର ଅନନ୍ତ ସାମଲ (୫୮)। ଗତ ୨୧ ତାରିଖ ରବିବାର ଦିନ ସେ ତାଙ୍କ ପତ୍ନୀ, ପୁତ୍ରବଧୂ ଓ ନାତିନାତୁଣୀଙ୍କ ସହ ନନ୍ଦନକାନନ ବୁଲି ଦେଖିଥିଲେ। ଭାଲୁ ଘର, ବାଘ, ସିଂହ ଦେଖିବା ପରେ ରାତ୍ରିଚର ଜୀବ ଘର ବାଟ ଦେଇ ଆସିଥିଲେ। ହେଲେ ସରୀସୃପ ଉଦ୍ୟାନ ପାଖରେ ପରିବାରଠାରୁ ଅଲଗା ହୋଇଯାଇଥିଲେ। ସାଙ୍ଗରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ଅନନ୍ତଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ। ଶେଷରେ ନିରାଶ ହୋଇ ପ୍ରଥମେ ନନ୍ଦନକାନନର ସୁରକ୍ଷା ବିଭାଗକୁ ଜଣାଇ ଥିଲେ ଓ ପରେ ପର୍ଯ୍ୟଟକ ସୁରକ୍ଷା ଦାୟିତ୍ୱରେ ଥିବା ପର୍ଯ୍ୟଟନ ବିଭାଗ ପୁଲିସର ସହାୟତା ନେଇଥିଲେ। ହେଲେ ତାଙ୍କର କୌଣସି ଖୋଜଖବର ନମିଳିବାରୁ ବାଧ୍ୟ ହୋଇ ଘରକୁ ଫେରି ଯାଇଥିଲେ। ପରେ ନିଖୋଜ ବ୍ୟକ୍ତିଙ୍କ ଶଢ଼ୁ ଅରୁଣ ଦେ ଆସି ନନ୍ଦନକାନନ ପର୍ଯ୍ୟଟକ ସୁରକ୍ଷା ବିଭାଗ ରେଞ୍ଜର ମନୋରଞ୍ଜନ ପଟ୍ଟନାୟକ ଓ ନନ୍ଦନକାନନ ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦନକାନନ ସିସିଟିଭି ଯାଞ୍ଚ କରାଯିବାରୁ ବ୍ୟକ୍ତି ଜଣକ ଭିତରକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି। ହେଲେ ବାହାରକୁ ବାହାରିବାର ଦୃଶ୍ୟ ମିଳୁନାହିଁ। ନନ୍ଦନକାକାନନ ଥାନା ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ କରିବାର ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଅନନ୍ତଙ୍କର ଏଯାଏଁ ପତ୍ତା ମିଳିନି। ଅନ୍ୟପକ୍ଷରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଜଣେ ପର୍ଯ୍ୟଟକ ଏଭଳି ଭାବେ ଗାଏବ ହୋଇଯିବା ଯେତିକି ଆଶ୍ଚର୍ଯ୍ୟଜନକ ଲାଗୁଛି ତା’ଠାରୁ ବେଶୀ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp