ଖଣ୍ଡଗିରି: ଖଣ୍ଡଗିରି ମେଳା ମହାକୁମ୍ଭ‌ରେ ଆରମ୍ଭ ହୋଇଯାଇଛି ପାର୍କିଂ ଲୁଟ୍‌। ବାଇକ୍‌ ପାଇଁ ଯେଉଁଠି ବିଏମ୍‌ସି ୧୦ ଟଙ୍କା ଧାର୍ଯ୍ୟ କରିଛି ସେଠାରେ ଲିଜ୍‌ଧାରୀ ନେଉଛି ୫୦। ବିଏମ୍‌ସି ଦ୍ବାରା ଚିହ୍ନିତ ୫ଟି ଜାଗାରେ ଦିନକୁ ଅତି କମ୍‌ରେ ୩ ହଜାର ବାଇକ୍‌ ପାର୍କିଂ ହେଉଛି। ଅର୍ଥାତ୍‌ ଦିନକୁ ଗାଡ଼ି ପିଛା ୪୦ ଟଙ୍କା ହିସାବରେ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନିଆଯାଉଛି। କାର୍‌ ପିଛା ୨୦ ଟଙ୍କା ଥିବା ବେ‌ଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି। ଏହି ଲୁଟ୍‌ ଅର୍ଥ କାହା ପକେଟ୍‌କୁ ଯାଉଛି? ଲିଜ୍‌ଧାରୀ ନିଜେ ସବୁ ନେଇଯାଉଛନ୍ତି ନା ଏଥିରେ ବିଏମ୍‌ସି ଅଧିକାରୀଙ୍କ ଭାଗ ଅଛି? ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ଲୁଟ ଚାଲିଛି । ପୂର୍ବ ବର୍ଷରୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଏମ୍‌ସି ଅସହାୟ ବୋଲି ଜାଣିବା ପରେ ଚଳିତ ବର୍ଷ ଶୋଷଣ ସୀମା ଲଂଘିଛି।

Advertisment

Babamaya: ବାବାମୟ ପାହାଡ଼

 
ଖଣ୍ଡଗିରିରେ ପାର୍କିଂ ପାଇଁ ବିଏମ୍‌ସି ଖଣ୍ଡଗିରି ଥାନା ସାମନା, ଖାରବେଳ ପାର୍କ, ଜାଗମରା ହାଉସିଂ ବୋର୍ଡ ସାମନା, ଖଣ୍ଡଗିରି ବାରି ଓ ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ, ଏଭଳି ୫ଟି ଜାଗା ପାର୍କିଂ ପାଇଁ ଚିହ୍ନଟ କରି ଲିଜ୍‌ ଦେଇଛି। ହେଲେ ଲିଜ୍‌ ନେଇଥିବା ସଂସ୍ଥା ଓ ବ୍ୟକ୍ତିମାନେ ପ୍ରଥମରୁ ହିଁ ଲୁଟ୍‌ତରାଜ ଆରମ୍ଭ କରି ଦେଇଛନ୍ତି। ଧାର୍ଯ୍ୟ ଦେୟରୁ ୧୦ରୁ ୨୦ ଗୁଣା ନେଉଛନ୍ତି। ବିଏମ୍‌ସି ଧାର୍ଯ୍ୟ ଦେୟର ଫଳକକୁ ଠିକାଦାର ଫିଙ୍ଗି ଦେଇ ମନଇଚ୍ଛା ପାର୍କିଂ ଫି ‌ନେଉଛନ୍ତି। ଦୁଇଚକିଆକୁ ୩୦ ଟଙ୍କା ତ କିଏ ୫୦ ଟଙ୍କା ନେଉଛି। ଚାରିଚକିଆ ପାଇଁ ପାର୍କିଂ ଦେୟ ଯାହା ପାଟିରୁ ବାହାରୁଛି। ଏଭଳି ଗୋଟିଏ ଦିନରେ ପ୍ରାୟ ୫ଲକ୍ଷ ଟଙ୍କାରୁ ଅଧିକ ବେଆଇନ ଭାବରେ ଆଦାୟ ହେଉଛି। ଆଜିଠାରୁ ଯାତ୍ରା ଆରମ୍ଭ ହେଉଥିବାରୁ ଏହି ଶୋଷଣ ଆହୁରି ବଢ଼ି ଯାଇଛି। ଗୋଟିଏ ପାର୍କିଂ ସ୍ଥଳ ପାଇଁ ବିଏମ୍‌ସିକୁ ଲିଜ୍‌ଧାରୀ ୫ରୁ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବାରୁ ପଇସା ଉଠେଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି।

Insurance companies: ବୀମା କମ୍ପାନିଙ୍କୁ ସରକାରଙ୍କ ଆହ୍ବାନ: ଗ୍ରାହକଙ୍କ ବିଶ୍ବାସ ସଙ୍କଟ ଦୂର କର


ପୂର୍ବ ବର୍ଷ ଏଭଳି ଲୁଟ୍‌ ହେଉଥିବା ଜାଣି ମଧ୍ୟ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବିଏମ୍‌ସି ୨ ଘଣ୍ଟାକୁ ଦୁଇ ଚକିଆ ଓ ତିନି ଚକିଆ ପାଇଁ ୧୦ଟଙ୍କା, ଚାରି ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରୀଯାନ ପାଇଁ ୨୫ ଟଙ୍କା ଦର ଧାର୍ଯ୍ୟ  କରିଥିଲା। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଏହା ଯଥାକ୍ରମେ ୨୦, ୩୦, ୪୦, ୬୦ ହେବାକୁ ସର୍ତ୍ତ ଥିଲା। ଯେଉଁମାନେ ଧାର୍ଯ୍ୟ ଟଙ୍କାଠାରୁ ଅଧିକ ନେବେ, ଟିକେଟ୍‌ରେ ସମସ୍ତ ବିବରଣୀ ନରଖିବେ, ସେମାନଙ୍କୁ ୧ହଜାର ଟଙ୍କା ଜରିମାନା ହେବ ବୋଲି ମଧ୍ୟ ତାଗିଦ କରାଯାଇଥିଲା। ହେଲେ ନିୟମ ଗୋଟିଏ ପଟେ ଥିବାବେଳେ ବେପାର ଗୋଟିଏ ପଟେ ଚାଲିଛି।

‘ବିଶେଷ ସୂଚନା’ ବ୍ୟାନର୍‌ ଭେଳିକି

ଆପଣଙ୍କ ନିରାପତ୍ତା ଆମ ପ୍ରାଥମିକତା…, ସଂଧ୍ୟା ୫ପରେ ଖଣ୍ଡଗିରି ପାହାଡ଼ ଉପରକୁ ପ୍ରବେଶ ନିଷେଧ। ଯଦି ପାହାଡ଼ ଉପରକୁ ଯିବା ପାଇଁ ଅତି ଆବଶ୍ୟକ ପଡ଼େ ତେବେ ପୁଲିସ୍‌ ଅନୁମତି ପତ୍ର ବାଧ୍ୟତାମୂଳକ। କମିସନରେଟ ପୁଲିସ ପକ୍ଷରୁ ଏଭଳି ‘ବିଶେଷ ସୂଚନା’ ବ୍ୟାନର୍‌ ଲଗାଯାଇଛି। ବ୍ୟାନର ପଢ଼ି ଯେ କେହି ବିଶ୍ବାସ କରିବ ଯେ ପୁଲିସ୍‌ ପ୍ରଶାସନ ଲୋକଙ୍କ ସୁରକ୍ଷାକୁ କେତେ ଗୁରୁତ୍ବ ଦେଉଛି। ହେଲେ ହାତୀ ଦାନ୍ତ ଖାଇବା ପାଇଁ ଓ ଦେଖେଇବା ପାଇଁ ଅଲଗା ‌ହେବା ଭଳି ଖଣ୍ଡଗିରିରେ ମଧ୍ୟ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଖଣ୍ଡଗିରି ପାହାଚରେ ଏଭଳି ୨ଟି ବ୍ୟାନର ଲଗାଯାଇଛି । କିନ୍ତୁ ବ୍ୟାନରର ପଛ ପଟେ ଥିବା ପାହାଡ଼ରେ ସଂଧ୍ୟା ୫ପରେ ଶହ ଶହ ପର୍ଯ୍ୟଟକଙ୍କ ଗହଳି ଲାଗୁଛି। ‌କିଏ ପାହାଡ଼ରେ ସେଲ୍ଫି ନେଉଛି ତ ଆଉ କିଏ ପାହାଡ଼କୁ ଅବାଟରେ ଚଢ଼ିବାକୁ ଉଦ୍ୟମ। ଆଉ କିଏ ଶାନ୍ତିରେ ପାହାଡ଼ ଶିଖ‌ରରେ ବସି ଚିଲ୍ଲମ ଫୁଙ୍କୁଛି। ଏଭଳି କରୁଥିବାରୁ ଦେଖି କେହି ସେମାନଙ୍କୁ ବାରଣ କରୁନାହାନ୍ତି କି ତାଗିଦ୍‌ କରୁ ନାହାନ୍ତି। ଏଭଳି ବ୍ୟାନର ପ୍ରଶାସନକୁ ଥଟ୍ଟା କରିବା ଭଳି ହୋଇଛି।

ମୋବାଇଲ୍‌ ଚୋର ମାଳମାଳ

ମେଳାରେ ମୋବାଇଲ୍‌ ଚୋରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ପ୍ରତିଦିନ ପୁଳା ପୁଳା ମୋବାଇଲ୍‌ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହି ମୋବାଇଲ୍‌ ଲୁଟେରାମାନଙ୍କ ଗ୍ୟାଙ୍ଗ୍‌ ରହିଛି। ଗ୍ୟାଙ୍ଗ୍‌ରେ ପ୍ରାୟ ସବୁ ଅଣଓଡ଼ିଆ ନାବାଳକ ଓ ମହିଳା ଅଛନ୍ତି। ଜଣେ ମୋବାଇଲ୍‌ ଝାମ୍ପି ନେବା ମାତ୍ରେ ତାହା ଚଟାପଟ୍‌ ଗହଳି ଭିତରେ ହାତକୁ ହାତକୁ ଡେଇଁ ଶେଷରେ ଉଭାନ୍‌ ହୋଇଯାଉଛି। ତେଣୁ ଲୋକେ ଜଣଙ୍କୁ ଧରି ପୁଲିସ ଜିମା ଦେଲେ, କିଛି ଫାଇଦା ହେଉନି। ଅସ୍ଥାୟୀ ପୁଲିସ ଫାଣ୍ଡି ପୁଲିସ ସିସିଟିଭି ଆଧାରରେ ବହେ ଖୋଜୁଛି ସିନା ଏତେ ଗହଳି ଭିତରେ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗକୁ ଧରିବା ସମ୍ଭବ ହେଉନାହିଁ। ଅବଶ୍ୟ କିଛି ନାବାଳକ ଲୁଟେରା ଧରାପଡ଼ୁଛନ୍ତି ଓ ସେମାନଙ୍କଠାରୁ ଚୋରି ମୋବାଇଲ୍‌ ଜବତ ହେଉଛି।