ବାଲିପାଟଣା: ମରାମତି ଅଭାବରୁ ରାସ୍ତାସାରା ଖାଲଖମା ହୋଇଯାଇଥିଲା ଏବଂ ମରଣଯନ୍ତା ପାଲଟିଥିଲା। ଲୋକଙ୍କ ଦାବି ଯୋଗୁ ନବୀକରଣ କରାଗଲା। ପାଖାପାଖି ୧୦କୋଟି ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ବିଡ଼ମ୍ବନାର କଥା ମାତ୍ର ମାସକ ଭିତରେ ରାସ୍ତା ପୁଣି ମରଣଯନ୍ତା ପାଲଟିଛି। ରାସ୍ତାରେ ପଡ଼ିଥିବା ପେଭର୍ ବ୍ଲକ୍ ଉଠିଯିବାରୁ ରାତିରେ ଲୋକେ ପଡ଼ିଉଠି ଖଣ୍ଡିଆଖାବରା ହେଉଛନ୍ତି। ହଂସପାଳ-ନିମାପଡ଼ା ରାସ୍ତାରେ ଏମିତି ଦୁରାବସ୍ଥା ସୃଷ୍ଟି ହୋଇଛି। ନିମ୍ନମାନର କାମ ଯୋଗୁ ନବୀକରଣ ରାସ୍ତାଟି ମାତ୍ର ମାସଟିଏରେ ପଥଚାରୀଙ୍କ ପାଇଁ ବିପଦସଂକୁଳ ଅବସ୍ଥାକୁ ଆସିଯାଇଛି।
BJP's strategy: ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ଆରମ୍ଭ
ନିମାପଡ଼ା ବ୍ରାଞ୍ଚ୍ କେନାଲ ବନ୍ଧ ହଂସପାଳ-ନିମାପଡ଼ା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ବନମାଳୀପୁର, ଅଭୟମୁଖୀ, ଦେଉଳିଧରପୁର, ନରିଶୋ, ଆମଣାକୁଦ, ନୂଆଗାଁ, ନିଆଳି, ନିମାପଡ଼ା, ଗୋପ, ଚାରିଛକ ଦେଇ କାକଟପୁର, କୋଣାର୍କ ଓ ପୁରୀକୁ ଏହି ରାସ୍ତା ସଂଯୋଗ କରିଛି। ତେଣୁ ଜୟଦେବ ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳ ପାଇଁ ଏହି ରାସ୍ତାଟି ଏକପ୍ରକାର ଜୀବନରେଖା। କାକଟପୁର, ପୁରୀ ଓ କୋଣାର୍କ ଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ରାସ୍ତାରେ ବହୁ ସ୍ଥାନୀୟ ଲୋକେ ଛୋଟମୋଟ ବେପାର କରି କିଛି ରୋଜଗାର କରନ୍ତି। ବହୁ ବେପାରୀ, କର୍ମଜୀବୀ ଓ ଶ୍ରମଜୀବୀ ରାଜଧାନୀକୁ ଯାଇ ରୋଜଗାର କରନ୍ତି।
Economic rights: ‘ଅର୍ଥନୈତିକ ଅଧିକାର ମଧ୍ୟ ମୌଳିକ ଅଧିକାର’
ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ରାସ୍ତା ନିହାତି ଆବଶ୍ୟକ। ଗତ ବର୍ଷ ନଭେମ୍ବର ମାସରେ ପୂର୍ତ୍ତ ବିଭାଗ ତରଫରୁ ୯ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟ କରାଯାଇ ରାସ୍ତାର ଉନ୍ନତୀକରଣ କରାଯାଇଛି। ହଂସପାଳଠାରୁ ଭାକରସାହି ପର୍ଯ୍ୟନ୍ତ ନବୀକରଣ କରାଯାଉଛି। ଭାକରସାହି ନିକଟ ଆଦର୍ଶ ବିଦ୍ୟାଳୟ ପାଖରେ ରାସ୍ତାରେ ପେଭର ବ୍ଲକ୍ ପଡ଼ିଥିଲ। ପ୍ରାୟ ୩୦ମିଟର ଲମ୍ବରେ ପେଭର୍ ବ୍ଲକ୍ ବିଛାଇ ଦିଆଯାଇଥିଲା। କିନ୍ତୁ ଏବେ ତାହା ଉଠିଯାଇଛି। ପେଭର୍ ବ୍ଲକ୍ଗୁଡ଼ିକ ରାସ୍ତା ଉପରେ ଆବର୍ଜନା ଗଦା ଭଳି ପଡ଼ିରହିଛି ଏବଂ ବାଲି ଉଠି ଖାଲ ହୋଇଯାଇଛି। ରାତିରେ ଜଣାପଡ଼ୁନଥିବାରୁ ବାଇକ୍ ଆରୋହୀମାନେ ଖାଲରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ବିଶେଷକରି ନିକଟରେ ଥିବା ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ କହିବା କଥା ଭାରୀଯାନ ଯା’ଆସ କରିବା କାରଣରୁ ପେଭର୍ ବ୍ଲକ୍ ଉଠିଗଲା। ତେଣୁ ଏବେ ସେହି ଅଂଶକୁ କଂକ୍ରିଟ୍ କରାଯିବ। ଲୋକଙ୍କ କହିବା କଥା ଏହି ରାସ୍ତାରେ ଭାରୀଯାନ ଯାତାୟାତ କରିବା ପୁରୁଣା କଥା। ବିଭାଗୀୟ ଯନ୍ତ୍ରୀ ଏହା ଜାଣି ବି ପ୍ରଥମରୁ କଂକ୍ରିଟ୍ ନ କରି ପେଭର୍ ବ୍ଲକ୍ ବିଛାଇବାକୁ କ’ଣ ପାଇଁ ଅନୁମତି ଦେଇଥିଲେ, ତାହା ତଦନ୍ତ ସାପେକ୍ଷ।
Follow Us