ଜଟଣୀ: ଜଟଣୀ ସହରରେ ବୁଲାକୁକୁରଙ୍କ ସଂଖ୍ୟା ଦିନକୁ ଦିନ ଯେମିତି ବୃଦ୍ଧି ପାଇବାରେ ଲାଗିଛି, ସେମିତି ସେମାନଙ୍କ ଦୌରାତ୍ମ୍ୟ ବି ବଢ଼ିଚାଲିଛି। ସହରର ୨୩ଟିଯାକ ୱାର୍ଡର ସବୁ ଗଳିକନ୍ଦିରେ ମାଳମାଳ କୁକୁର ବୁଲୁଛନ୍ତି। ଦଳଦଳ ହୋଇ ବୁଲୁଥିବା ବୁଲାକୁକୁରମାନେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। କେତେବେଳେ ପୁଣି ବୁଲାକୁକୁରମାନେ ସଡ଼କ ଦୁର୍ଘଟଣାର କାରଣ ହେଉଛନ୍ତି। ସ୍ଥିତି ଏମିତି ହେଲାଣି ଯେ ଏବେ ଲୋକେ ରାତି କ’ଣ, ଦିନରେ ମଧ୍ୟ ଏକାକୀ ଯା’ଆସ କରିବାକୁ ଡରିଲେଣି। ପ୍ରତିଦିନ କେଉଁଠି ନା କେଉଁଠି ଜଣେ ଦି’ଜଣ କୁକୁର କାମୁଡ଼ାରେ ଆହତ ହେଉଛନ୍ତି ଏବଂ ଗାଡ଼ିରୁ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଲୋକେ ଏନେଇ ପୌରପାଳିକାକୁ ଦାୟୀ କରୁଥିଲେ ହେଁ ବୁଲାକୁକୁର ବନ୍ଧ୍ୟାକରଣ ପାଇଁ କ୍ଷମତା ନଥିବାରୁ କର୍ତ୍ତୃପକ୍ଷ ଚୁପ୍ ବସିଛନ୍ତି। ମହାନଗର ନିଗମ ଭଳି ପୌରପାଳିକାକୁ ବି କୁକୁର ବନ୍ଧ୍ୟାକରଣ କ୍ଷମତା ମିଳିବା ଜରୁରି ବୋଲି ଜଟଣୀବାସୀ ଦାବି କରିଛନ୍ତି।
Bird Flu: ବାର୍ଡ ଫ୍ଲୁ ଫେରିଲା! କିପରି ସତର୍କ ରହିବେ?
ଗତ ୪ ମାସ ଭିତରେ ବୁଲାକୁକୁରଙ୍କ ପାଇଁ ୫ରୁ ଅଧିକ ଦୁର୍ଘଟଣା ଓ ୧୦/୧୨ କୁକୁର କାମୁଡ଼ା ଘଟଣା ଘଟିଲାଣି। ନଭେମ୍ବର ୮ତାରିଖ ରାତିରେ ୧୨ନମ୍ବର ୱାର୍ଡର ବାସିନ୍ଦା ରମାକାନ୍ତ ସାହୁ ବାଇକ୍ରେ ଫେରୁଥିବା ସମୟରେ ବୁଲାକୁକୁରମାନେ ଗୋଡ଼ାଇବାରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ବୁଲାକୁକୁର କାମୁଡ଼ାକୁ ଡରି ସେ ବାଇକ୍ରୁ ପଡ଼ି ଖଣ୍ଡିଆଖାବରା ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଡିସେମ୍ବର ୨୦ତାରିଖ ଦିନ ପୌରପାଳିକା ଛକ ନିକଟରେ ସମାନ କାରଣରୁ ସୁବାସ ନାୟକ ସ୍କୁଟିରୁ ପଡ଼ି ଗୁରୁତର ହୋଇଥିଲେ। ଦଳେ ବୁଲାକୁକୁର ତାଙ୍କୁ ଗୋଡ଼ାଇଆସିବାରୁ ସେ ଡ୍ରେନ୍ରେ ଗଳିପଡ଼ିଥିଲେ। ୮ ନମ୍ବର ୱାର୍ଡର ସୁଭାସିନୀ ଦାସ ରାତିରେ ତାଙ୍କ ଘର ଆଗରେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଥିବା ବେଳେ ୫/୬ଟି କୁକୁର ତାଙ୍କୁ କାମୁଡ଼ି ରକ୍ତାକ୍ତ କରିପକାଇଥିଲେ। ହାଟବଜାର ଅଞ୍ଚଳରେ ଜଣେ ଛାତ୍ରୀ ସନ୍ଧ୍ୟାବେଳେ ଟ୍ୟୁସନ୍କୁ ଯାଉଥିବା ବେଳେ ବୁଲାକୁକୁରମାନେ ତାଙ୍କୁ ଘେରିଯାଇ କାମୁଡ଼ି ପକାଇଥିଲେ। ସୌଭାଗ୍ୟକୁ କିଛି ବାଇକ୍ ଆରୋହୀ ଅଟକି କୁକୁରଙ୍କୁ ଘଉଡ଼ାଇଦେବାରୁ ଛାତ୍ରୀଜଣକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ। ଏମିତି ଉଦାହରଣ ଅନେକ ରହିଛି। ପ୍ରତିଦିନ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ାରେ ଆହତ ଲୋକ ଇଞ୍ଜେକ୍ସନ୍ ନେବାକୁ ଆସୁଛନ୍ତି।
Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ
ସ୍ଥାନୀୟ ବାସିନ୍ଦା ନିହାର ରଞ୍ଜନ ବେହେରା କହିଛନ୍ତି ଯେ ଜଟଣୀରେ ବୁଲାକୁକୁରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସବୁ ଗଳିକନ୍ଦିରେ ପୁଳାପୁଳା କୁକୁର। ଛୋଟ ପିଲାଙ୍କୁ ଘରୁ ଏକାକୀ ବାହାରକୁ ଛାଡ଼ିବା ଲାଗି ଭୟ ଲାଗୁଛି। ବରିଷ୍ଠ ନାଗରିକମାନେ ମଧ୍ୟ ଏକାକୀ ଚଳପ୍ରଚଳ ହୋଇପାରୁନାହାନ୍ତି। ପୌରପାଳିକା ହାତରେ ବନ୍ଧ୍ୟାକରଣ କ୍ଷମତା ନଥିବାରୁ କର୍ତ୍ତୃପକ୍ଷ ଚୁପ୍ ବସୁଛନ୍ତି। ପ୍ରଶାସନର ଏଭଳି ବିଧି ବ୍ୟବସ୍ଥାରେ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ସରକାର ଏ ଦିଗରେ ଚିନ୍ତା କରିବା କଥା। ମହାନଗର ନିଗମ ଭଳି ପୌରପାଳିକା ହାତରେ କୁକୁର ବନ୍ଧ୍ୟାକରଣ କ୍ଷମତା ଦେବା କଥା। ଏନେଇ ପୌର ନିର୍ବାହୀଅଧିକାରୀ ଆକ୍ରିତି ଗୋଏଙ୍କା କହିଛନ୍ତି ଯେ କୁକୁର ବନ୍ଧ୍ୟାକରଣ କିମ୍ବା ନିୟନ୍ତ୍ରଣ ପାଇଁ ପୌରପାଳିକା ପାଖରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ।
Follow Us