ଭୁବନେଶ୍ବର: ଆଜି ରବିବାର ଯୋଗୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଶିଶିର ସରସ ମେଳାରେ ପ୍ରବଳ ଭିଡ଼ ହୋଇଛି। ମନକୁ ପାଇଲା ଭଳି ଜିନିଷ ପାଇଁ ଛୋଟଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ। ରାଜ୍ୟ ତଥା ରାଜ୍ୟ ବାହାର ଓ ଜଙ୍ଗଲଜାତ ଦ୍ରବ୍ୟ ଖରିଦ ପାଇଁ ସବୁ ସମୟରେ ଅପେକ୍ଷା କରି ରହିଥିବା ରାଜଧାନୀବାସୀଙ୍କୁ ଏହି ସୁଯୋଗ ପୁଣିଥରେ ମିଳିଛି। ଶୀତୁଆ ସନ୍ଧ୍ୟାରେ କିଏ ବୁଲାବୁଲି କରି ସାମଗ୍ରୀ କିଣୁଥିଲେ ତ କିଏ ଭଳିକି ଭଳି ଖାଦ୍ୟର ଆନନ୍ଦ ନେଉଥିଲେ। ପୁଣି ଆଉ କିଏ ‘ଆଇ ଲଭ୍ ଶିଶିର ସରସ’ ଆଗରେ ସେଲ୍ଫି ଉଠାଇବାକୁ ଧାଡ଼ିରେ ଅପେକ୍ଷା କରି ରହିଥିଲେ। ମୋଟାମୋଟି ଭାବେ ଆଜି ଶିଶିର ସରସ ଦେଖିବାକୁ ରବିବାରିଆ ଭିଡ଼ ଜମିବା ସହିତ ବିକ୍ରିବଟା ବି ଭଲ ହୋଇଛି। ଆଜି ଅପରାହ୍ଣ ସାଢ଼େ ୪ଟା ପରଠାରୁ ପଡ଼ିଆ ଲୋକାରଣ୍ୟ ହୋଇ ଉଠିଥିଲା। ଶାଢ଼ି, ଚୁଡ଼ି, ଘରକରଣା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ, ଘର ସାଜସଜ୍ଜା ଉପକରଣ, ଖେଳନା, ବ୍ୟାଗ୍ ଆଦି କିଣାକିଣି କରିବାକୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା।
School children: ବିଧାନସଭା ଚାଲିଥିବା ବେଳେ ସ୍କୁଲ୍ ପିଲା ବାରଣ୍ଡାରେ ବୁଲି ଦେଖୁଥିଲେ
ବୋହି ନେଉଛନ୍ତି ଜଙ୍ଗଲଜାତ ଦ୍ରବ୍ୟ
ମଲ୍, ବଜାର ଭିତରେ ଯେତେ ମିଳିଲେ ବି ମେଳାରୁ କିଣିବାର ଆନନ୍ଦ ଅଲଗା। ଶିଶିର ସରସରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସମାଗ୍ରୀ ମଧ୍ୟରେ ରହିଛି ଜଙ୍ଗଲଜାତ ଦ୍ରବ୍ୟ। ଝୁଣା, ମହୁ, ତ୍ରିଫଳା, ମୁଲତାନି ମାଟି, ଚନ୍ଦନଗୁଣ୍ଡ, ଗୋଲମରିଚ, ଡାଳଚିନି, ଅଶ୍ବଗନ୍ଧା, ରିଠା, ମେଥି, ଜୁଆଣି ଆଦି ଭଳିକି ଭଳି ଗୋଟା ଓ ଚୂର୍ଣ୍ଣ ଦ୍ରବ୍ୟ କିଣିବାକୁ ଗ୍ରାହକମାନେ ଷ୍ଟଲ୍ ସମ୍ମୁଖରେ ଭିଡ଼ ଜମାଉଛନ୍ତି। କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବରଗଡ଼ ଆଦି ଜିଲ୍ଲା ସହିତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଓ ତାମିଲନାଡ଼ୁରୁ ଆସିଥିବା ବାଜରା, ମାଣ୍ଡିଆରେ ପ୍ରସ୍ତୁତ ଚିପ୍ସ, ମିସ୍ଚର୍, ସାବୁନ, ତେଲ ଆଦି ଗ୍ରାହକଙ୍କ ମନକୁ ପାଇଛି।
ସମ୍ବଲପୁରୀ ଓ ସୋନପୁରୀ ଶାଢ଼ିର ଚାହିଦା
ମହିଳା ଗ୍ରାହକଙ୍କ ଆଦର ସାଉଁଟିଛି ସମ୍ବଲପୁରୀ ଶାଢ଼ି ଓ ଡ୍ରେସ୍ କପଡ଼ା। ରଙ୍ଗବେରଙ୍ଗର ମୋଟା ଓ ସରୁ ଧଡ଼ି ଥିବା ଶାଢ଼ି ଦେଖିବାକୁ ଭିଡ଼ ବଢ଼ୁଛି। କିଏ ମନ ପାଇଲେ କିଣୁଛି ତ କିଏ ମନ ବୁଝେଇ ଫେରୁଛି। ସେହିଭଳି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ ଓ ବିହାର ଭଳି ରାଜ୍ୟର ଶାଢ଼ି, ଡ୍ରେସ୍ କପଡ଼ା ଓ ଷ୍ଟ୍ରଲ୍ ପ୍ରଶଂସିତ ହେଉଛି।
ମନଜିଣୁଛି ଲାଖଚୁଡ଼ି ଓ କତା ଘୋଡ଼ା
ଆଜି ମେଳାରେ ଲାଖଚୁଡ଼ି କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ମନ ମୁତାବକ ରଙ୍ଗର ଚୁଡ଼ି ବରାଦ କରିବାର ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯାଉଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ଅଞ୍ଚଳର ନୀଳଗିରି ଲାଖ ଉତ୍ପାଦକ ସଂଘର ମହିଳାମାନେ ଗ୍ରାହକଙ୍କ ଚାହିଦା ଅନୁଯାୟୀ ଚୁଡ଼ି କରି ଦେଉଛନ୍ତି। ଅନୁରୂପ ଭାବେ ସାକ୍ଷୀଗୋପାଳ ଅଞ୍ଚଳର ଏକ ସଂଘର ମହିଳା କତାରେ ଘୋଡ଼ା, ଝୁମର, କଇଁଛ, କଣ୍ଢେଇ ଆଦି ପ୍ରସ୍ତୁତ କରୁଛନ୍ତି। ସେମାନଙ୍କର ତିଆରି କରିବା ଶୈଳୀ ଦେଖିବାକୁ ଦର୍ଶକମାନେ ଦଣ୍ଡିଏ ଅଟକି ଯାଉଛନ୍ତି। ସେହିପରି ପଟ୍ଟଚିତ୍ର ବ୍ୟାଗ୍, ଷ୍ଟ୍ରଲ୍, ଓଢ଼ଣୀ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଲୁହା କଡ଼େଇ, ସଣ୍ଢୁଆଶି, କୋରଣା
ଘରକରଣା ସାମଗ୍ରୀ କିଣିବାକୁ ଶିଶିର ସରସ ଏକ ଉପଯୁକ୍ତ ସ୍ଥାନ ବୋଲି ପୁଣିଥରେ ପ୍ରମାଣିତ ହୋଇଛି। ବିଶେଷ କରି ଲୁହା ଜିନିଷ ଯଥା ପନିକି, କୋରଣା, କଡ଼େଇ, ଖଡ଼ିକା, ସଣ୍ଡୁଆଶି ଆଦି କିଣିବାକୁ ଗ୍ରାହକଙ୍କ ଭିଡ଼ ଜମୁଛି। ଦର କମ୍ ଥବାରୁ ଏହା ଗ୍ରାହକଙ୍କ ପସନ୍ଦ ପାଲଟିଛି। ସେହିଭଳି ଯାନ୍ତ୍ରିକ ଯୁଗରେ ମଧ୍ୟ ପଥର ଘୋରଣା, ଚକି, ହେମଦସ୍ତା, ଖଲପୁଆ ପାଇଁ ଲୋକଙ୍କ ମନରେ ଥିବା ଆଗ୍ରହ ବାରି ହୋଇପଡ଼ିଛି।
Follow Us