ଭୁବନେଶ୍ବର: ରାତି ପାହିଲେ ୮୩ତମ ପ୍ରତିଷ୍ଠା ଦିବସ ପାଳନ କରିବ ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶା ଶିକ୍ଷା ବ୍ୟବସ୍ଥାର କାୟାକଳ୍ପରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି ଉତ୍କଳ ବିଶ୍ବବିଦ୍ୟାଳୟ। ୮ ଦଶନ୍ଧି ଭିତରେ ଏହା ଓଡ଼ିଶା ଶୈକ୍ଷିକ ପରିମଣ୍ଡଳରେ ବୃହତ୍ ଜ୍ଞାନଭଣ୍ଡାର ଭାବେ ଉଭା ହୋଇଛି। କଳା, ବିଜ୍ଞାନ, ଆଇନ ଓ ଶିକ୍ଷା ବିଭାଗକୁ ନେଇ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଅଧିକ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହା ଅଧୀନରେ ୧୦ଟି ଉତ୍କର୍ଷ କେନ୍ଦ୍ର, ଦୁଇଟି ସହବନ୍ଧିତ ଆଇନ ମହାବିଦ୍ୟାଳୟ, ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ(ଡିଡିସିଇ), ୧୫ଟି ସ୍ୱୟଂଶାସିତ ମହାବିଦ୍ୟାଳୟ, ୩୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ରହିଛି। କ୍ୟାମ୍ପସ୍ରେ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଏହା ଅଧୀନ ମହାବିଦ୍ୟାଳୟରେ ୨.୭ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସ୍ ରୁମ୍ର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରି ବ୍ୟବସ୍ଥା ହୋଇଛି। ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଲ୍ୟାବ୍, ଉଚ୍ଚସ୍ତରୀୟ-ଯନ୍ତ୍ରପାତି ଓ କମ୍ପ୍ୟୁଟିଂ ସୁବିଧା ଥିବା ‘କେନ୍ଦ୍ରୀୟ ଯନ୍ତ୍ରପାତି ସୁବିଧା କେନ୍ଦ୍ର(ସିଆଇଆଇ) ଓ ଉଦ୍ୟୋଗୀକ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ସିଆଇଆଇ ସ୍ଥାପନ ହୋଇଛି। ଇ-ଅଫିସ୍ ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସହଜ ଓ ଶୀଘ୍ର କରାଯାଉଛି। ବହୁ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ସହିତ ଚୁକ୍ତିପତ୍ର ସ୍ୱାକ୍ଷର ଜାରି ରହିଛି। ବିଦେଶର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ୱତନ୍ତ୍ର ଭାବେ ‘ଆନ୍ତର୍ଜାର୍ତିକ କକ୍ଷ’ ପ୍ରତିଷ୍ଠା ହୋଇଛି।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଯାନ
ନୂତନ ଅଧ୍ୟୟନ କେନ୍ଦ୍ର ସ୍ଥାପନ ପ୍ରସ୍ତାବ
Assembly from today: ଆଜିଠାରୁ ବିଧାନସଭା: ୨୮ରେ ଅତିରିକ୍ତ ବଜେଟ
ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ
ବିଶ୍ବବିଦ୍ୟାଳୟ ପରିବେଶର ଉନ୍ନତି ପାଇଁ ସବୁଜ ଶକ୍ତି ଓ ଅଙ୍ଗାରକ ହ୍ରାସ ଦିଗରେ ପଦକ୍ଷେପ ନିଆଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଯାନର ବ୍ୟବସ୍ଥା ହୋଇଛି। ଭାରତୀୟ ଜ୍ଞାନ, ପରମ୍ପରା, ସ୍ନାୟୂବିଜ୍ଞାନ, ସାମଗ୍ରିକ ସ୍ବାସ୍ଥ୍ୟ-ସୁସ୍ଥ୍ତତା ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ବୋଷ୍ଟନ ନର୍ଥ ଇଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟ ସହାୟତାରେ ‘ଉଦ୍ୟୋଗ ଆବିଷ୍କାର ପାଠ୍ୟକ୍ରମ’ ପ୍ରଚଳିତ ହୋଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ପାଠ୍ୟକ୍ରମ ପ୍ରଚଳନ, ଦକ୍ଷତା ବିକାଶ, ପ୍ରୟୋଗିକ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦିଆଯାଉଛି। ବିଶ୍ବବିଦ୍ୟାଳୟ ଆବାସିକ ପରିବେଶର ଉନ୍ନତି ଆଣିବାକୁ ପଦକ୍ଷେପ ନିଆଯାଉଛି। ରୁରାଲ ଟେକ୍ନୋଲୋଜି ପାର୍କ ମାଧ୍ୟମରେ କମ୍ ପୁଞ୍ଜି ବିନିଯୋଗରେ ଉନ୍ନତ କୃଷି ପ୍ରଣାଳୀର ଅଧ୍ୟୟନ ଓ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ହୋଇଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ କହିଛନ୍ତି।
ସଜେଇ ହୋଇଛି କ୍ୟାମ୍ପସ୍
ପ୍ରତିଷ୍ଠା ଦିବସ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି। ଏହି ଦିନ ପ୍ରଭାତରୁ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ତରଫରୁ କ୍ୟାମ୍ପସରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ପୂର୍ବାହ୍ନ ୧୧ଟାରେ ବିଶ୍ୱବିଦ୍ୟାଳୟ ଏମ୍କେସିଜି ପ୍ରେକ୍ଷାଳୟରେ ପ୍ରତିଷ୍ଠା ଦିବସ ପାଳିତ ହେବ। ଏଥିରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି ପ୍ରକାଶ ବାବୁ ମୁଖ୍ୟଅତିଥି, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱରର ବୈଜ୍ଞାନିକ ପ୍ରଫେସର ବେଦାଙ୍ଗଦାସ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେବେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ସଭାପତିତ୍ୱ କରିବେ। କୁଳସଚିବ ଡ. ସ୍ବାତୀ ମିଶ୍ର ସ୍ବାଗତ ଭାଷଣ ଦେବେ। ଉତ୍ସବରେ ୪୧ ଜଣ ଗବେଷକ ଓ ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣପଦକ ଓ ପୁରସ୍କାର ପ୍ରଦାନ କରାଯିବ।
Follow Us