ଭୁବନେଶ୍ୱର: ନବଜାତ ଯୀଶୁଙ୍କ ପ୍ରଶଂସାରେ ରଚିତ ସଙ୍ଗୀତରେ ଆଜି ରାଜଧାନୀର ଚର୍ଚ୍ଚ ସବୁ ଗୁଞ୍ଜରିତ ହେଉଥିଲା। ପ୍ରଭୁ ଯୀଶୁଙ୍କ ଗୀତଗୁଡ଼ିକ ଚର୍ଚ୍ଚ ପରିବେଶରେ ଆଧ୍ୟାତ୍ମିକ ଭାବ ଖେଳାଇ ଦେଇଥିଲା। ପାଗ ଅନୁକୂଳ ଥିବାରୁ ସକାଳୁ ସକାଳୁ ସବୁ ଚର୍ଚ୍ଚ ସମ୍ମୁଖରେ ଖ୍ରୀଷ୍ଟ ଧର୍ମର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବଡ଼ଦିନ ପାଇଁ କିଏ କ୍ୟାଣ୍ଡେଲ ଜାଳୁଥିଲା ତ କିଏ ଗୋଲାପ ଫୁଲ ଅର୍ପଣ କରି ପ୍ରାର୍ଥନା କରୁଥିଲା। ଏହି ଅବସରରେ ଅନେକ ଖ୍ରୀଷ୍ଟମାସ ହ୍ୟାଟ୍ ପିନ୍ଧି ଫଟୋ ଓ ଭିଡିଓ କରିବାରେ ବ୍ୟସ୍ତ ଥିଲେ। ପବିତ୍ର ବଡ଼ଦିନରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ‘ମେରି ଖ୍ରୀଷ୍ଟମାସ’ କହି ଆଲିଙ୍ଗନ କରୁଥିଲେ। ରାଜଧାନୀର ଅଧିକାଂଶ ଚର୍ଚ୍ଚରେ ଆଜି ଏଭଳି ଉତ୍ସାହମୁଖର ମାହୋଲ ଦେଖିବାକୁ ମିଳିଥିଲା। ସେହିପରି ଘରେ ଘରେ ଆଜି ବିଭିନ୍ନ ପ୍ରକାର ପିଠା ସହିତ ରୋଜ୍ କେକ୍, ପ୍ଲମ୍ କେକ୍, ମଫିନ୍ ଆଦି ଖାଇବା ଦେଖିବାକୁ ମିଳିଥିଲା। ସବୁ ଘରେ ଏମିତି ଥିଲା ମିଠା ମିଠା ଖ୍ରୀଷ୍ଟମାସ ପାଳନ।
ISKCON : ଇସ୍କନ ଉପାଧ୍ୟକ୍ଷଙ୍କ ଅଭିଯୋଗ, ବାଂଲାଦେଶରେ ହିନ୍ଦୁଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦିଆଯାଇଥିଲା
ଉତ୍ସବମୁଖର ଜଟଣୀ ଚର୍ଚ୍ଚ
ଭାଇଚାରାର ସହର ଜଟଣୀରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଆଜି ବଡ଼ଦିନ ତଥା ଖ୍ରୀଷ୍ଟମାସ୍ ଅବସରରେ ଜଟଣୀରେ ଖ୍ରୀଷ୍ଟଧର୍ମ ସମ୍ପ୍ରଦାୟ ପକ୍ଷରୁ ସମସ୍ତ ଚର୍ଚ୍ଚରେ ଗହଳି ଦେଖାଯାଇଥିଲା। ୨୪ ତାରିଖ ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଗୁରୁବାର ଜଟଣୀ ସହରରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ବଡ଼ଦିନ ପାଳନ କରାଯାଇଥିଲା। ପ୍ରଭୁ ଯୀଶୁ ଧରାବତରଣ କରିବା ଏକ ସପ୍ତାହ ପୂର୍ବରୁ ପ୍ରତି ଶ୍ରଦ୍ଧାଳୁଙ୍କ ଘରେ ଏହି ଖୁସି ଖବର ଜଣାଇ ଦିଆଯାଇଥାଏ। ସେହିଦିନଠାରୁ ପ୍ରତି ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି ମହାଆଡ଼ମ୍ବରରେ ବଡ଼ଦିନ ପାଳନ କରାଯାଇଛି। ଜଟଣୀ ସହରରେ ଥିବା ସେଣ୍ଟ ଜନ୍ ଚର୍ଚ୍ଚ, ଓଡ଼ିଆ ବାପିଷ୍ଟ ଚର୍ଚ୍ଚ, ଏଭାଞ୍ଜିକଲ୍ ୟୁନିୟନ୍ ବାପିଷ୍ଟ ଚର୍ଚ୍ଚ, ପେଣ୍ଟିକୋଷ୍ଟଲ ଚର୍ଚ୍ଚ, ବ୍ୟାଥେଲ ଚାପେଲ ଚର୍ଚ୍ଚ ଓ ଲାଇଫ୍ ଲାଇନ୍ ଚର୍ଚ୍ଚ ଆଦିରେ ଏହି କାର୍ଯ୍ୟକ୍ରମ ଧୁମ ଧାମ୍ ରେ ପାଳନ ହୋଇଛି। ଚର୍ଚ୍ଚ ଫାଦର୍ ମାନଙ୍କ ଦ୍ୱାରା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମବିଧି ପାରମ୍ପରିକ ବିଧି ବିଧାନ ସହିତ ସମ୍ପନ୍ନ ହୋଇଥିଲା।
Hasina slams: ଖ୍ରୀଷ୍ଟମାସ ଉଦ୍ବୋଧନରେ ୟୁନୁସ୍ ସରକାର ଉପରେ ବର୍ଷିଲେ ହସିନା
ସାଣ୍ଟାକ୍ଲସ୍ଙ୍କ ‘ଗଛ ଉପହାର’
ଖ୍ରୀଷ୍ଟମାସରେ ଛୋଟ ପିଲାମାନେ ଉପହାର ପାଇବା ପାଇଁ ସାଣ୍ଟାକୁ ଖୋଜୁଥିଲେ। ହଠାତ୍ ସତ୍ୟନଗର ଚର୍ଚ୍ଚ ବାହାରେ ସାନ୍ତାଙ୍କୁ ସେମାନେ ଭେଟିଥିଲେ। ସାନ୍ତା ପିଲାମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଗଛ ଉପହାର ପ୍ରଦାନ କରିଥିଲା। ଗଛକୁ ଯତ୍ନର ସହ ବଡ଼ କରିବା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରିଥିଲା। ଏହିଭଳି କିଛି ଦୃଶ୍ୟ ଆଜି ବକୁଳ ଫାଉଣ୍ଡେସନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପ୍ରୟାସ ‘ସାଣ୍ଟା ଟର୍ଣ୍ଣ ଗ୍ରିନ’ରେ ଦେଖିବାକୁ ମିଳିଥିଲା। କେବଳ ସାଣ୍ଟା ନୁହେଁ, ଟ୍ରି ମ୍ୟାନ୍ ଡେଡିଲୋକୁ ମଧ୍ୟ ପ୍ରମୁଖ ଆକର୍ଷଣ ସାଜିଥିଲା। ଫାଉଣ୍ଡେସନ ପକ୍ଷରୁ ଆଜି ପ୍ରାୟ ୩୦୦ଟି ଗଛ ଉପହାରସ୍ୱରୁପ ଲୋକମାନଙ୍କୁ ବଣ୍ଟା ଯାଇଛି। ଏକ ବେସରକାରୀ ନର୍ସରିର ମାଲିକ ସନକ ମହାପାତ୍ର ବକୁଳକୁ ଏହି ବୃକ୍ଷ ପ୍ରଦାନ କରିଥିଲେ। ୧୫ ଜଣ ସ୍ବେଚ୍ଛାସେବୀ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ରଙ୍କ କହିବା କଥା ପରିବେଶ ସହିତ ପର୍ବପର୍ବାଣୀ ତଥା ଅନ୍ୟାନ୍ୟ ଉତ୍ସବ ଯୋଡ଼ିଲେ, ଏହାର ମହତ୍ତ୍ୱ ବଢ଼ିଯାଏ।
ଚର୍ଚ୍ଚରେ ଈଶ୍ୱରଙ୍କ ବାଣୀ
ୟୁନିଟ୍-୪ ସ୍ଥିତ ୟୁନିୟନ୍ ଚର୍ଚ୍ଚରେ ଆଜି ଈଶ୍ୱରଙ୍କ ଆରାଧନାରେ ଶ୍ରଦ୍ଧାଳୁମାନେ ନିଜକୁ ହଜାଇ ଦେଇଥିଲେ। ପୂର୍ବାହ୍ଣରେ ଇଂରାଜୀରେ ବାଇବେଲ୍ ପାଠ କରାଯାଇଥିଲା ଏବଂ ଅପରାହ୍ଣରେ ଫାଦର୍ ଓଡ଼ିଆରେ ବାଇବେଲ୍ ପାଠ କରିଥିଲେ। କୋଲକାତାର ରେଭରେଣ୍ଡ୍ ସୁଶାନ୍ତ ପାତ୍ର ଅତିଥି ଭାବେ ଯୋଗଦେଇ ବାଇବେଲ୍ ପାଠ କରିଥିଲେ। ସେହିପରି ୟୁନିଟ୍-୮ ସ୍ଥିତ ସିଏନ୍ଆଇ ଚ୍ୟାପେଲ୍ରେ ଗତକାଲି ମଧ୍ୟରାତ୍ରିରେ ଇଂରାଜୀରେ ଅଦିତ୍ୟଦର୍ଶୀ ବେହେରା ଉପସନା ପରିଚାଳନା କରିଥିବା ବେଳେ ଅଙ୍କିତ ପ୍ରତୀକ ବେହେରା ଯୀଶୁଙ୍କ ବୃତ୍ତାନ୍ତ ବଖାଣିଥିଲେ। ପୂର୍ବାହ୍ରେନ ରେଭରେଣ୍ଡ୍ ମାନସ ରାଜ ଇଂରାଜୀରେ ଉପାସନା ପରିଚାଳନା କରିଥିଲେ। ସଞ୍ଜୁପ୍ରଭା ପାଣି ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ କହିଥିଲେ।
ଆକର୍ଷଣର କେନ୍ଦ୍ରବିନ୍ଦୁ ପ୍ରଭୁଙ୍କ ଅନ୍ତୁଡ଼ିଶାଳ
ସତ୍ୟନଗର ସ୍ଥିତ ‘ଭିନ୍ସେଣ୍ଟ କ୍ୟାଥ୍ଲିକ୍’ ଚର୍ଚ୍ଚରେ ବଡ଼ଦିନର ଚିତ୍ର ବେଶ୍ ଆକର୍ଷଣୀୟ ଥିଲା। ଚର୍ଚ୍ଚ ପରିସରରେ ନିର୍ମିତ ଅନ୍ତୁଡ଼ିଶାଳ ପ୍ରଭୁଙ୍କ ଜନ୍ମ ବୃତ୍ତାନ୍ତ କହୁଥିଲା। ବହୁ ଶ୍ରଦ୍ଧାଳୁ ତାହାକୁ ଦେଖିବା ସହିତ ଫଟୋ ଓ ଭିଡିଓ କରୁଥିଲେ। ଆଜି ସକାଳୁ ପ୍ରଭୁଙ୍କ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
Follow Us