କଳାଯାଦୁ ପ୍ରଭାବରେ ମଣିଷ ପାଲଟେ ପଶୁ, ଆସନ୍ତୁ ଜାଣିବା କଳାଯାଦୁର ରାଜଧାନୀ ସମ୍ପର୍କରେ

ଆଧୁନିକ ଭାରତରେ ଆଜି ବି ଏଭଳି ଆଶ୍ଚର୍ଯ୍ୟମୟ ସ୍ଥାନ ରହିଛି ଯାହାକୁ ଥରେ ନ ଦେଖିଲେ ହୁଏତ ବିଶ୍ୱାସ କରି ହେବ ନାହିଁ। ମାୟୋଙ୍ଗ ଏମିତି ଏକ ସ୍ଥାନ ମଧ୍ୟରୁ ଗୋଟିଏ। ଯାହାକୁ କଳାଯାଦୁର ଘର ବୋଲି କୁହାଯାଇଥାଏ। ଯେଉଁଠି ଘରେ ଘରେ କଳାଯାଦୁ ବା ଗୁଣିଟୁଣି କରାଯାଇଥାଏ। କୁହାଯାଏ ଯେ କଳାଯାଦୁ ମାଧ୍ୟମରେ କୌଣସି ଏକ କଣ୍ଢେଇ ଦ୍ୱାରା ଛୁଞ୍ଚିକୁ ଫୋଡ଼ାଯାଇ ଜଣେ ମଣିଷକୁ ଆଘାତ ଦିଆଯାଇଥାଏ। ଖାଲି ସେତିକି ନୁହେଁ ଗୋଟିଏ ମଣିଷକୁ ବଶୀଭୂତ କରି ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥାଏ। ଏମିତିକି ଜଣେ ମଣିଷକୁ ପଶୁ ମଧ୍ୟ କରାଯାଇପାରେ। ଏହି କାରଣ ଯୋଗୁ ଆଜି ବି କଳାଯାଦୁର ନାଁ ଶୁଣିବା ମାତ୍ରେ ଲୋକମାନଙ୍କ ମନରେ ପ୍ରଥମେ ଲେମ୍ବୁ, ଲଙ୍କା ଓ କଣ୍ଢେଇର ଚିତ୍ର ଚାଲିଆସେ। ଏହାର ନାଁ ଶୁଣିବା କ୍ଷଣି ଲୋକମାନଙ୍କ ମନରେ ଏକ ଅଦ୍ଭୁତ ପ୍ରକାରର ଭୟ ମଧ୍ୟ ସୃଷ୍ଟି ହୋଇଥାଏ।

ଦେଖିବାକୁ ଗଲେ ଭାରତରେ କଳାଯାଦୁର ପ୍ରଚଳନ ବହୁ ପୂର୍ବରୁ ରହି ଆସିଛି। ଏଇ ଭାରତରେ ଏବେ ବି ଏଭଳି ସ୍ଥାନ ରହିଛି ଯାହାର ନାଁ ଶୁଣିଲା ମାତ୍ରେ ଲୋକେ ଭୟଭୀତ ହୋଇଯାଆନ୍ତି। ଆସାମର ମାୟୋଙ୍ଗ ଗାଁ କଳାଯାଦୁ ପାଇଁ ବେଶ୍‌ ପ୍ରସିଦ୍ଧ। ଏହି ଗାଁର ନାଁ ଶୁଣିଲା ମାତ୍ରେ ଏବେ ବି ଆଖପାଖ ଲୋକେ ଡରିଥାନ୍ତି। ଏଠାର ପ୍ରତ୍ୟେକ ଘରେ କଳାଯାଦୁ କରାଯାଇଥାଏ। ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ, ସାରା ବିଶ୍ୱରେ କଳାଯାଦୁର ଆରମ୍ଭ ଏହି ଗାଁରୁ ହିଁ ହୋଇଥିଲା। ଆସାମର ଏହି ଛୋଟ ଗାଁ ଗୌହାଟୀଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ମାୟୋଙ୍ଗ ଗାଁ ନିଜର ବନ୍ୟଜନ୍ତୁ ସମ୍ପଦ ଯୋଗୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ମଧ୍ୟ ବେଶ୍‌ ପରିଚିତ। ମାୟୋଙ୍ଗ ସଂସ୍କୃତ ଶବ୍ଦ ‘‘ମାୟା’’ରୁ ଆସିଛି। ମହାଭାରତରେ ମଧ୍ୟ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଇଛି। ପୌରାଣିକ କଥା ଅନୁଯାୟୀ ଭୀମଙ୍କର ମାୟାବୀ ପୁତ୍ର ଘଟୋତ୍କଚ ମାୟୋଙ୍ଗର ରାଜା ଥିଲେ। କୁହାଯାଏ ପ୍ରାୟ ୧୩୩୨ ମସିହାରେ ଆସାମରେ ମୋଗଲ୍‌ର ରାଜା ମହମ୍ମଦ ଶାହ ଏକଲକ୍ଷ ସୈନ୍ୟଙ୍କ ସହ ଆକ୍ରମଣ କରିଥିଲେ। ସେତେବେଳେ ଏଠାରେ ହଜାରେରୁ ଅଧିକ ତାନ୍ତ୍ରିକ ରହୁଥିଲେ। ସେମାନେ ମାୟୋଙ୍ଗକୁ ମୋଗଲ୍‌ ରାଜାଙ୍କ କବଳରୁ ରକ୍ଷା କରିବା ପାଇଁ ଏକ ବିରାଟ ପାଚେରି ନିର୍ମାଣ କରିଥିଲେ। ଯେତେବେଳେ ସୈନ୍ୟମାନେ ଏହାକୁ ପାର କରି ଆସିବାକୁ ଚେଷ୍ଟା କରୁଥିଲେ ସାଙ୍ଗେ ସାଙ୍ଗେ କୁଆଡ଼େ ଉଭେଇ ଯାଉଥିଲେ। ବିଶ୍ୱର ପ୍ରାୟ ଲୋକ କଳାଯାଦୁ ଶିଖିବା ପାଇଁ ଓ ଏହା ଉପରେ ଗବେଷଣା କରିବା ପାଇଁ ମାୟୋଙ୍ଗକୁ ଆସିଥାନ୍ତି। ଅଧିକାଂଶ ଲୋକ କଳାଯାଦୁ ସାହାଯ୍ୟରେ ରୋଗବ୍ୟାଧି ଦୂର କରିବା ପାଇଁ ଏଠାକୁ ଆସିଥାନ୍ତି। ଖାଲି ସେତିକି ନୁହେଁ ଏଥି ସହିତ ଅନ୍ୟ ଉପରେ କଳାଯାଦୁ ପ୍ରୟୋଗ କରିବା ପାଇଁ ମଧ୍ୟ ଲୋକମାନଙ୍କର ସୁଅ ଛୁଟିଥାଏ। କୁହାଯାଏ ଏଠାରେ ଦୁଇ ଧର୍ମର ଲୋକ ସାଧନା କରୁଥିଲେ। ବୌଦ୍ଧ ଓ ହିନ୍ଦୁ ଧର୍ମାବଲମ୍ବୀ ଦୁଇଟି ଅଲଗା ଅଲଗା କୁଣ୍ଡରେ ଏହି ଯଜ୍ଞ କରୁଥିଲେ। ବୌଦ୍ଧ ଧର୍ମର ଲୋକମାନେ ଅଷ୍ଟଦଳ କୁଣ୍ଡରେ ଓ ହିନ୍ଦୁ ଧର୍ମର ଲୋକମାନେ ଯୋନି କୁଣ୍ଡରେ ଯଜ୍ଞ କରୁଥିଲେ। ଏଠାରେ ପ୍ରାୟ ୧୨୦୦ ଶତାବ୍ଦୀ ବେଳର ବହୁତ ଗୁଡ଼ିଏ ପାଣ୍ଡୁଲିପି ମଧ୍ୟ ରହିଛି। ଏହି ପାଣ୍ଡୁଲିପି ଏକ ଏପରି ଭାଷାରେ ଲିଖିତ ହୋଇ ରହିଛି ଯାହା ଜଣେ ସାଧାରଣ ବ୍ୟକ୍ତି ପକ୍ଷେ ବୁଝିବା ଅସମ୍ଭବ। ସେହି ଭାଷାକୁ ବୁଝିପାରୁଥିବା ଲୋକ ହିଁ ଏହାର ପ୍ରକୃତ ଅର୍ଥ ବୁଝିପାରିବ।

ମାୟୋଙ୍ଗଠାରେ ବୁଢ଼ା ମାୟୋଙ୍ଗ ନାମରେ ଏକ ସ୍ଥାନ ରହିଛି। ଯାହାକୁ କଳାଯାଦୁର କେନ୍ଦ୍ର କୁହାଯାଇଥାଏ। ଏଠାରେ ଶିବ, ପାର୍ବତୀ ଓ ଗଣେଶଙ୍କର ତାନ୍ତ୍ରିକ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଯେଉଁଠି ଶତାବ୍ଦୀ ଶତାବ୍ଦୀ ଧରି ନରବଳି ଦିଆଯାଉଥିଲା। ଏଠାରେ ଏକ ଯୋନି କୁଣ୍ଡ ଉପରେ ବିଭିନ୍ନ ପ୍ରକାରର ମନ୍ତ୍ର ମଧ୍ୟ ଲିଖିତ ଆକାରରେ ରହିଛି। ଲୋକକଥା ଅନୁଯାୟୀ ମନ୍ତ୍ର ଶକ୍ତି ଯୋଗୁ ଏହି କୁଣ୍ଡରେ ସର୍ବଦା ପାଣି ଭରି ହୋଇ ରହିଥାଏ। ଏଠାକୁ ଆସି ଲୋକମାନେ ଉଭେଇ ଯିବା ଓ ପଶୁ ରୂପରେ ବଦଳିଯିବାର ମଧ୍ୟ ଶୁଣିବାକୁ ମିଳିଥାଏ। ପ୍ରାୟ ଲୋକ ଏଠାକୁ ଆସିବାକୁ କୁଣ୍ଠାବୋଧ କରିଥାନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳିଥାଏ ସେଠାକାର ଲୋକମାନେ ଜଙ୍ଗଲି ପଶୁମାନଙ୍କୁ ଗୁଣିଟୁଣି ମାଧ୍ୟମରେ ପୋଷା ମନାଇଥାନ୍ତି। ଏହି ଗାଁରେ କଳାଯାଦୁର ପରମ୍ପରା ଯୁଗ ଯୁଗ ଧରି ଚାଲି ଆସୁଛି। ଏହି ପରମ୍ପରାକୁ ଆଗକୁ ନେବା ପାଇଁ ଆଗାମୀ ପିଢ଼ିିକୁ ଆବଶ୍ୟକ ଅନୁଯାୟୀ ଶିକ୍ଷା ମଧ୍ୟ ଦିଆଯାଇଥାଏ। ମାୟୋଙ୍ଗବାସୀଙ୍କ କହିବା ଅନୁଯାୟୀ ସେମାନେ କଳାଯାଦୁର ଉପଯୋଗ କେବଳ ସମାଜର ମଙ୍ଗଳ ନିମନ୍ତେ କରିଥାନ୍ତି। ବହୁତ ପ୍ରକାରର ଶୈଳୀ ଜାଣିଥିବା ସତ୍ତ୍ୱେ ବି ଏହାର ବ୍ୟବହାର କେବଳ ଲୋକମାନଙ୍କ ରୋଗ ଠିକ୍‌ କରିବା ଓ ଚୋର ଧରିବା ପାଇଁ କରିଥାନ୍ତି। ବର୍ତ୍ତମାନ ସମୟରେ ଭାରତୀୟ ସମାଜରେ ଏହା ଗ୍ରହଣଯୋଗ୍ୟ ହୋଇ ନ ଥିଲେ ମଧ୍ୟ ଆସାମର ଏକ ଛୋଟ ଗାଁ ମାୟୋଙ୍ଗର ଅଧିବାସୀମାନେ ଏହାକୁ ଗ୍ରହଣ କରି ନେଇଛନ୍ତି।

କଳାଯାଦୁର ବ୍ୟବହାର: ଏହା ଏକ ପ୍ରକାରର ଦୁର୍ଲଭ ପ୍ରକ୍ରିୟା, କିଛି ଲୋକ ଏହାକୁ ପ୍ରୟୋଗ କରିବାରେ ସକ୍ଷମ ହୋଇଥାନ୍ତି। ଏଥିରେ ବେସନ ଓ ବିରି ଚୁନାରେ ତିଆରି ହୋଇଥିବା ଏକ କଣ୍ଢେଇର ବ୍ୟବହର କରାଯାଇଥାଏ। ଯାହା ଉପରେ ଯାଦୁ କରାଯାଇଥାଏ ତା’ର ନାଁ ନେଇ ସେହି କଣ୍ଢେଇଟିକୁ ଜାଗ୍ରତ କରାଯାଏ। କେବଳ ଭାରତରେ ନୁହେଁ, ଆଫ୍ରିକାରେ ମଧ୍ୟ ଏହି କଳାଯାଦୁର ବେଶ୍‌ ପ୍ରଚଳନ ରହିଛି। ୧୮୪୭ରେ ଆଫ୍ରିକାରେ ଡେଣ୍ଟର୍‌ ନାମକ ଜଣେ ବ୍ୟକ୍ତି ଯିଏକି ଭୁଡୁୁ ଦେବୀ (ମନ୍ତ୍ରତନ୍ତ୍ରର ଦେବୀ) ଭାବେ ପରିଚିତ, ସେ କୌଣସି ଏକ ବୃକ୍ଷରୁ ଅବତରଣ କରିଥିବା କଥା ଶୁଣାଯାଏ। ସେ ନିଜର ଯାଦୁ ବଳରେ ଅନେକ ଲୋକଙ୍କର ଦୁଃଖକଷ୍ଟ ଓ ରୋଗବ୍ୟାଧିକୁ ଦୂର କରିଥିଲେ। ବାସ୍‌ ସେବେଠାରୁ ହିଁ ସେଠାରେ ଭୁଡୁର ପ୍ରଚଳନ ଆରମ୍ଭ ହୋଇଥିଲା। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ କଳାଯାଦୁ ଅନ୍ୟ କିଛି ନୁହେଁ ଏହା ଏକ ଶକ୍ତିର ସମଷ୍ଟି। ଯାହାକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପଠା ଯାଇପାରେ ବା ଗୋଟିଏ ମଣିଷ ମାଧ୍ୟମରେ ଅନ୍ୟ ଏକ ମଣିଷ ପାଖକୁ ପଠାଯାଇଥାଏ। ଏହାକୁ ‘ଶକ୍ତି ସଂରକ୍ଷଣ’ ନିୟମ ଦ୍ୱାରା ବେଶ୍‌ ଭଲ ଭାବେ ବୁଝାଯାଇପାରେ। ଏହି ନିୟମ ଅନୁଯାୟୀ ଶକ୍ତିକୁ କେବେ ବି ସୃଷ୍ଟି କରାଯାଇ ପାରିବ ନାହିଁ କି ଏହାକୁ ଅଦୃଶ୍ୟ କରାଯାଇ ପାରିବନାହିଁ, ଏହାକୁ କେବଳ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ପ୍ରେରିତ କରାଯାଇପାରେ। କଳାଯାଦୁକୁ ନେଇ ଏକ ପୌରାଣିକ କଥା ମଧ୍ୟ ରହିଛି। ଅର୍ଜ୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ ଯେ ଆପଣଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ବସ୍ତୁ ଗୋଟିଏ ହିଁ ଶକ୍ତିରୁ ତିଆରି ହୋଇଥାଏ ଓ ପ୍ରତ୍ୟେକ ବସ୍ତୁ ଦିବ୍ୟ। ଯଦି ଏହି ଦିବ୍ୟତା ଦୁର୍ଯ୍ୟୋଧନ ଭିତରେ ଅଛି ତେବେ ସେ ଏପରି କାର୍ଯ୍ୟ କ’ଣ ପାଇଁ କରୁଛନ୍ତି? ଶ୍ରୀକୃଷ୍ଣ ତାଙ୍କୁ ଉତ୍ତରରେ କହିଥିଲେ, ଈଶ୍ୱର ନିର୍ଗୁଣ ଓ ଦିବ୍ୟତା ମଧ୍ୟ ନିର୍ଗୁଣ। ଏହାର ଅର୍ଥ ଏହା କେବଳ ଏକ ବିଶୁଦ୍ଧ ଶକ୍ତି। ଯେତେବେଳେ ଗୋଟିଏ ବାଘ ନିଜ ଆହାର ପାଇଁ ତୁମଆଡ଼କୁ ମାଡ଼ି ଆସିଥାଏ ତା’ ଭିତରେ ବି ସେହି ଶକ୍ତି ରହିଥାଏ ଯେଉଁଶକ୍ତି ଈଶ୍ୱରଙ୍କ ଭିତରେ ତୁମକୁ ରକ୍ଷା କଲାବେଳେ ରହିଥାଏ। ବାସ୍‌ ଫରକ ଖାଲି ଏତିକି ଯେ ଏହା କେତେବେଳେ ସକାରାତ୍ମକ ଓ କେତେବେଳେ ନକାରାତ୍ମକ ରୂପରେ କାର୍ଯ୍ୟ କରିଥାଏ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏକ କଣ୍ଢେଇ ସାହାଯ୍ୟରେ ମଣିଷକୁ କଷ୍ଟଦେବା ଏହି ଯାଦୁବିଦ୍ୟାର ଉଦ୍ଦେଶ୍ୟ ନୁହେଁ। ସାଧାରଣତଃ ଏହା ଏକ ତନ୍ତ୍ରବିଦ୍ୟା। ଯାହାକୁ ଭଗବାନ ଶିବ ନିଜ ଭକ୍ତମାନଙ୍କୁ ଦେଇଥିଲେ। ପୁରାତନ କାଳରେ ଏଭଳି କଣ୍ଢେଇ ତିଆରି କରି ଦୂରରେ ଥିବା ରୋଗୀର ଉପଚାର ଓ ଲୋକମାନଙ୍କ ଦୁଃଖକଷ୍ଟ ଦୂର କରାଯାଉଥିଲା। ସେହି କଣ୍ଢେଇରେ ରୋଗୀର କେଶ ବାନ୍ଧି ବିଶେଷ ମନ୍ତ୍ର ସହିତ ତା’ର ନାମ ଉଚ୍ଚାରଣ କରି ସେହି କଣ୍ଢେଇଟିକୁ ଜାଗ୍ରତ କରାଯାଉଥିଲା। ପରେ ରେଗୀର ଯେଉଁ ଅଙ୍ଗରେ ସମସ୍ୟା ହେଉଥିଲା କଣ୍ଢେଇର ଠିକ୍‌ ସେହି ଅଙ୍ଗକୁ ଛୁଞ୍ଚିରେ ଫୋଡ଼ାଯାଉଥିଲା। କିଛି ସମୟ ଧରି ଏମିତି କରିବା ଫଳରେ କଷ୍ଟ ଧୀରେ ଧୀରେ ଉଭେଇ ଯାଉଥିଲା। ଯେଉଁଠି ନିଜର ଆଧ୍ୟାତ୍ମିକ ଶକ୍ତିର ସହାୟତା ବଳରେ ଜଣଙ୍କୁ ନୂଆ ଜୀବନ ମଧ୍ୟ ଦିଆଯାଇପାରେ।

କଳାଯାଦୁର ଅପବ୍ୟବହାର: ଅନେକ ସ୍ୱାର୍ଥୀ ଲୋକ ଏହି ପ୍ରାଚୀନ ବିଦ୍ୟାକୁ ସମାଜ ସାମ୍ନାରେ ଏକ ଭୁଲ୍‌ ବାଟରେ ଉପସ୍ଥାପିତ କରିଛନ୍ତି। ସେବେଠାରୁ ହିଁ ଏହାକୁ କଳାଯାଦୁର ନାଁ ଦିଆଯାଇଛି। ପ୍ରକୃତରେ କିଛି ଲୋକ ନିଜ ଶକ୍ତିର ଉପଯୋଗ ସମାଜକୁ କ୍ଷତି ପହଞ୍ଚାଇବା ପାଇଁ କରୁଛନ୍ତି। କଳାଯାଦୁ ସାହାଯ୍ୟରେ ଯେପରି ଜଣଙ୍କର ରୋଗବ୍ୟାଧିକୁ ଦୂର କରାଯାଇପାରେ ଠିକ୍‌ ସେହିପରି ଛୁଞ୍ଚି ମାଧ୍ୟମରେ ଜଣଙ୍କୁ ନକାରାତ୍ମକ ଶକ୍ତି ସାହାଯ୍ୟରେ କଷ୍ଟ ମଧ୍ୟ ଦିଆଯାଇପାରେ।

ସମ୍ବନ୍ଧିତ ଖବର