Advertisment

Literature: ଅନେକ ପୁସ୍ତକର ସଫଳ ସ୍ରଷ୍ଟା କବି ଅକ୍ଷୟ ବେହେରାଙ୍କୁ ଆସନ୍ତୁ ଭେଟିବା ଏଥର ‘ସୃଜନ ସପ୍ତପଦୀ’ରେ...

Advertisment

‘ଯେତେସବୁ ଗୋପନୀୟ’, ‘ମାଟି ମନ୍ତ୍ର’, ‘ପଥେ ପଥେ ପଥଚାରୀ’, ‘ଏ କୂଳ ସେ କୂଳ’ ଓ ‘ସେଇ ସବୁ ଦିନ’ ପରି ଅନେକ କବିତା ପୁସ୍ତକର ସଫଳ ସ୍ରଷ୍ଟା କବି ଅକ୍ଷୟ ବେହେରାଙ୍କୁ ଆସନ୍ତୁ ଭେଟିବା ‘ସୃଜନ ସପ୍ତପଦୀ’ରେ...

‘ଯେତେସବୁ ଗୋପନୀୟ’, ‘ମାଟି ମନ୍ତ୍ର’, ‘ପଥେ ପଥେ ପଥଚାରୀ’, ‘ଏ କୂଳ ସେ କୂଳ’ ଓ ‘ସେଇ ସବୁ ଦିନ’ ପରି ଅନେକ କବିତା ପୁସ୍ତକର ସଫଳ ସ୍ରଷ୍ଟା କବି ଅକ୍ଷୟ ବେହେରାଙ୍କୁ ଆସନ୍ତୁ ଭେଟିବା ‘ସୃଜନ ସପ୍ତପଦୀ’ରେ...

Srujana Saptapadi

Photograph: (sambad.in)

ସ୍ରଷ୍ଟାର ଦୂରଦୃଷ୍ଟିରେ ସମୟକୁ ଅତିକ୍ରମ କରିପାରେ ସାହିତ୍ୟ

ସୃଜନ ସପ୍ତପଦୀ

ଲେଖିବସିବା ବେଳେ ଆପଣଙ୍କୁ କଲମ ଚଳାଇ ନିଏ ନା ଆପଣ କଲମ ଚଳାନ୍ତି? 

ମନ ହିଁ ଚଳେଇ ନିଏ କଲମ। ମନ ବିନା, ଚିନ୍ତନ ବିନା, ବାସ୍ତବ ଅନୁଭବ ବିନା କିପରି ଫୁଟିବ ଶବ୍ଦର କଇଁଫୁଲ? ଯିଏ କବିତାକୁ ଧାରଣ କରେ ଚେତନାରେ। କବିତା ପାଇଁ କବିଟିଏ ହିଁ ସାଧନା କରେ, ‘ମାଟିମନ୍ତ୍ର’ର ଗୀତ ଶୁଣେଇ ‘ଯେତେସବୁ ଗୋପନୀୟ’ର ଯନ୍ତ୍ରଣାକୁ ଛାତିରେ ସାଇତି, ସେ ‘ପଥେ ପଥେ ପଥଚାରୀ’ଟିଏ, ‘ବଡ଼ଭାଇ’ର ସନ୍ଧାନରେ ଦ୍ୱାର ଦ୍ୱାର ବୁଲୁଥାଏ ତ ଶୁଣେଇ ଚାଲିଥାଏ ବୋଉର ଶେଷ ଦୃଶ୍ୟ ‘ବୋଉ ଯାହା ଜାଣେ ନାହିଁ’। ଏଥିରେ କଲମ ଅାଗୁଆ ହେବ କହିବି। କବି ଆଗେ, ସୃଷ୍ଟି ପଛେ। ଯେବେ ସୃଷ୍ଟି ମାନ୍ୟତା ପାଏ, ସେବେ କବିତା ରହେ, କବି ରହେନା।

କେଉଁ ବହିସବୁ ଆପଣ ଏକାଧିକ‌ବାର ପଢ଼ିଛନ୍ତି ଆଉ କାହିଁକି? 

ଛାତ୍ର ଜୀବନରେ ‘ଅମାବାସ୍ୟାର ଚନ୍ଦ୍ର’ ବହୁବାର ପଢ଼ିଛି। ପରେ ଯେତେ ବହି ପଢ଼ିଛି ସେସବୁ ଉପରେ ସମାଲୋଚନା ଲେଖିଛି ସିନା ଆଉ ଦ୍ବିତୀୟ ବାର ପଢ଼ିପାରିନି। ତେବେ କରୋନା କାଳରେ ସମୟର ବନ୍ଦୀ ଭିତରେ ଚିତ୍ତରଞ୍ଜନ ଦାସଙ୍କ ହିମାଳୟ ଯାତ୍ରାର ଏକ ବିରଳ ଜୀବନ୍ତ ଗ୍ରନ୍ଥ ‘ଶିଳାତୀର୍ଥ’ ଗୋଟେ ଦିନ‌େର ପଢ଼ା ସରିଲା ପରେ ବି ତା’ର ହ୍ୟ‌ାଙ୍ଗ୍‌ଓଭର୍‌ ରହେ, ସେଠି ଆଉ ଚିତ୍ତ ରଞ୍ଜନ ଦାସ ନ ଥାନ୍ତି, ଥାଏ ସେ ବଣ ପାହାଡ଼ର ଦୁର୍ଗମ ପଥ।

କୁହାଯାଏ, ଲେଖକଟିଏ ହେବା ସହଜ କଥା ନୁ‌େହଁ। ଆପଣ କ’ଣ ଭାବନ୍ତି? 

କଥାଟି ସତ। କାରଣ ସୃଜଶୀଳତା ଏକ ସାଧନା ଆଉ ନିଷ୍ଠାର କଥା କହେ, ଯାହା ସାମ୍ପ୍ରତିକ ସମୟରେ ଗୌଣ ହେଇପଡ଼ିଛି। ଏବର ନୂଆପିଢ଼ି ପାଖରେ ସେ ନିଷ୍ଠା କି ଧୈର୍ଯ୍ୟ ନାହିଁ। ଏବେ ତତ୍କାଳ ସଫଳତାର କାମନା ଏତେ ମାତ୍ରାରେ ବଢ଼ିଯାଇଛି ଯେ ସେମାନଙ୍କ ପାଇଁ ସାଧନାର ମାନେ କିଛି ନାହିଁ। ଆଜିର ସାମାଜିକ ଗଣମାଧ୍ୟମ ଜରିଆରେ ସେମାନେ ନିଜକୁ ସଫଳ ବା ପ୍ରତିଷ୍ଠିତ ମନେକରୁଛନ୍ତି।

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 February 24: କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ; ଏବେ ବି ଜଳୁଛି ସୁପରମାର୍ଟ

ସାହିତ୍ୟ ନିଜେ ବଞ୍ଚୁଥିବା ସମୟର ପ୍ରତିଫଳନ ନା ସମୟକୁ ଅତିକ୍ରମ କରିଯିବା ତା’ର ଧର୍ମ ବୋଲି ଆପଣ ବିଚାର କରନ୍ତି? 

ସାହିତ୍ୟର ଧର୍ମ ଉଭୟ। ନିଜେ ଜିଉଁଥିବା ସମୟର କ‌ଥା ସହ ଅତୀତକୁ ବି କାଳଗର୍ଭରୁ ଟାଣିଆଣେ ସୃଜନ ପୁରୁଷ। ହଁ, କେବେକେବେ ଭବିଷ୍ୟତକୁ ବି ସେ ଆଙ୍କିପାରେ, ଏଣୁ ସାହିତ୍ୟ ବି ସ୍ରଷ୍ଟାର ଦୂରଦୃଷ୍ଟିରେ ସମୟକୁ ଅତିକ୍ରମ କରିପାରେ।

କେଉଁ ଗଳ୍ପ, କବିତା ବା ପୁସ୍ତକକୁ ଆପଣଙ୍କ ସଫଳତମ କୃତି ବୋଲି କହିବେ? 

ଆଦ୍ୟ ସୃଜନ କାଳରେ ଗପ କବିତା ଲେଖୁଲେଖୁ କବିତାରେ ସମ୍ପୂର୍ଣ୍ଣ ରହିଗଲି। ତଥାପି ତିରିଶରୁ ଊର୍ଦ୍ଧ୍ବ ଗପ ବିଭିନ୍ନ ପ‌ତ୍ରପ‌ତ୍ରିକାରେ ପ୍ରକାଶ ପାଇଛି। ଏଯାବତ୍‌ ଆଠଟି କବିତା ସଂକଳନ ପ୍ରକାଶ ପାଇଛି। ସବୁ ସଂକଳନ ମୋତେ ସନ୍ତୁଷ୍ଟି ଦେଇଛି। ତେବେ ସଫଳତା ତ କବିର କଥା ନୁହେଁ, ତାହା ସମାଲୋଚନାର କଥା।  

ଆହୁରି ପଢ଼ନ୍ତୁ- Dead: ଦଂପତିଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର: ସନ୍ଦେହ ଘେରରେ ମୃତ୍ୟୁର କାରଣ

ସାମାଜିକ ଗଣମାଧ୍ୟମ ସାହିତ୍ୟର ଶତ୍ରୁ ବୋଲି ଆପଣ ଭାବୁଛନ୍ତି କି?

ଆଜିକାଲିର ସାମାଜିକ ଗଣମାଧ୍ୟମ କୋଳାହଳରେ ପରିପୂର୍ଣ୍ଣ। କିଛି ଚୟନ ନାହିଁ କି କିଛି ପ୍ରତିବନ୍ଧକ ନାହିଁ, ଯିଏ ଯାହା ଚାହୁଛି ତାହା ପୋଷ୍ଟ୍‌ କରି କେତୋଟି ଲାଇକ ଓ କମେଣ୍ଟରେ ସନ୍ତୁଷ୍ଟ ହୋଇଯାଉଛି। କିଛି ଭଲ ସୃଷ୍ଟି ତ ସ୍ବାଗତଯୋଗ୍ୟ କିନ୍ତୁ ବହୁ ଅଦରକାରୀ ପୋଷ୍ଟିଂ ହିଁ ସମୟର ଅପଚୟ। ସେଥିରୁ ପାଠକ କିଛି ବି ପାଏନାହିଁ।

ଓଡ଼ିଆ ସାହିତ୍ୟର ପାଣିପାଗକୁ ନେଇ ଆପଣଙ୍କର କିଛି ଅଭିଯୋଗ ବା ପରାମର୍ଶ ରହିଛି କି? 

ସମ୍ପ୍ରତି ଓଡ଼ିଆ ସାହିତ୍ୟର ପାଣିପାଗ ଗୋଳିଆ ହେଇଯାଇଛି, କେଉଁଥିରେ କିଛି ସ୍ପଷ୍ଟତା ରହୁନି। ସାହିତ୍ୟର ହିତ ପାଇଁ, ସାହିତ୍ୟର ଉନ୍ନତି ପାଇଁ ସାମୂହିକ ଇଚ୍ଛାଶକ୍ତି ପୋଷ୍ଟରଟିଏ ମାତ୍ର। 

ମୋ: ୭୦୭୭୩୬୮୮୭୦                          

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe