Poem by Pratap Kumar Panda: କବିତା ‘ପାଳିତ ଗରଳ’: ପ୍ରତାପ କୁମାର ପଣ୍ଡାଙ୍କ କଲମରୁ...

Advertisment

କବି ପ୍ରତାପ କୁମାର ପଣ୍ଡାଙ୍କ ଏହି କବିତା ‘ପାଳିତ ଗରଳ’ରେ ଗଭୀର ଦୁଃଖ, ଯନ୍ତ୍ରଣା ଓ ଅନ୍ୟାୟର ଅଭିବ୍ୟକ୍ତିକୁ ଜାହିର କରାଯାଇଛି। କବି ଏଠି ପ୍ରକୃତିର ସହଯୋଗକୁ ସମ୍ମାନ ଦେଉଛନ୍ତି। ରାତିରେ ଉଜାଗର ନୀଳ ଆଖି ତଳେ ଭାଙ୍ଗୁଥିବା ସେହି ଆଶା ଓ ବିଶ୍ୱାସର ଦୁଃଖଦ ଚିତ୍ରକୁ କବି ଚିତ୍ରିତ କରିଛନ୍ତି।

କବି ପ୍ରତାପ କୁମାର ପଣ୍ଡାଙ୍କ ଏହି କବିତା ‘ପାଳିତ ଗରଳ’ରେ ଗଭୀର ଦୁଃଖ, ଯନ୍ତ୍ରଣା ଓ ଅନ୍ୟାୟର ଅଭିବ୍ୟକ୍ତିକୁ ଜାହିର କରାଯାଇଛି। କବି ଏଠି ପ୍ରକୃତିର ସହଯୋଗକୁ ସମ୍ମାନ ଦେଉଛନ୍ତି। ରାତିରେ ଉଜାଗର ନୀଳ ଆଖି ତଳେ ଭାଙ୍ଗୁଥିବା ସେହି ଆଶା ଓ ବିଶ୍ୱାସର ଦୁଃଖଦ ଚିତ୍ରକୁ କବି ଚିତ୍ରିତ କରିଛନ୍ତି।

_103869099_gettyimages-525600229

Photograph: (internet)

ପାଳିତ ଗରଳ

ପ୍ରତାପ କୁମାର ପଣ୍ଡା 

ରକ୍ତହୀନ ଆକୁଞ୍ଚିତ
ସ୍ଥାଣୁପ୍ରାୟ ଶୁଷ୍କ ଦେହେ
ଯନ୍ତ୍ରଣାର ଶେଷ ଶବ୍ଦ ଅପେକ୍ଷାରେ
ବସିଥିବା  ଥୁଣ୍ଟା ସେହି ବରଗଛ ମୂଳେ,

ଜାକିଜୁକି ଶୋଇଥିଲା
ଆଶା ସିକ୍ତ ସପନରେ
ରାତି ରାତି ଉଜାଗର  ନୀଳ ଆଖି
ବିସ୍ତୀର୍ଣ୍ଣ ସେ ବିଶ୍ବାସର ଧ୍ବଂସସ୍ତୁପ ତଳେ ।

ସୁବିଶାଳ ବକ୍ଷେ ତା’ର
ସେଦିନ ଯେ ଶିଖୁଥିଲା
ନିଶ୍ଚିନ୍ତରେ ନାନାବାୟା ଗୀତଗାଇ
ନଭତଳେ ଭରିବାକୁ ସୁଦୀର୍ଘ ଉଡା଼ଣ,

ଆଜି ସେହି ଅହଂକାରୀ
ଅନ୍ଧ ପଥେ ବାଟବଣା
ଭୁଲିଯାଇ ଅତୀତର ନଗ୍ନ ସତ୍ୟଆବରଣ 
ଆବୋରିଛି ଦୂର ତାଳବଣ ।

ଆହୁରି ପଢ଼ନ୍ତୁ- Examination: ଏଏନ୍‌ଏନ୍‌ଏମ୍‌, ଜିଏନ୍‌ଏମ୍‌ ପରୀକ୍ଷା ବାତିଲ, ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ

ନିଦାଘରେ ସିଝି ସିଝି
ବରଷାରେ ଭିଜି ଭିଜି
ସମ୍ପର୍କର ସନ୍ଧିସ୍ଥଳୁ ଅଙ୍କୁରିତ
ପ୍ରାଣ ଦେହେ ଭରିଲା ଯେ  ଇନ୍ଦ୍ରଧନୁ ରଙ୍ଗ,

ଜୀବନର ପଥଧାରେ
ଶୂନ୍ୟତାର ଅନ୍ଧକାରେ
ଆଜି ସିଏ ଶ୍ରାନ୍ତ କ୍ଳାନ୍ତ ପଥିକ ଟେ
ଭାବନାର ବହୁଦୂରେ  ନୀରବ ନିଃସଙ୍ଗ ।

ଆହୁରି ପଢ଼ନ୍ତୁ- Flight Fare Hike in India: ମଥାରେ ହାତ ଦେଲେ ଯାତ୍ରୀ: ଦିଲ୍ଲୀରୁ ଲଣ୍ଡନ ୨୫ ହଜାର କିନ୍ତୁ ବେଙ୍ଗାଲୁରୁକୁ ପଡ଼ୁଛି ୭୦ ହଜାର ଟଙ୍କା…

ଚେତନାର ସରସୀରେ
ଫୁଟିବ କି ଆଉଥରେ
ଭରସାର ଭଗ୍ନାଂଶକୁ  ଦେହେ ବୋହି
ସୁକୋମଳ ଶତଦଳେ ସଜ୍ଜିତ କମଳ ?

ମୃଦୁ ମୁଗ୍ଧ ସ୍ପର୍ଶେ ଯା’ର
ସୁଖ ନିଦ୍ରା ଯିବ ସିଏ
ଆଶ୍ବସ୍ତିର ଅନ୍ତିମ ଶେଯରେ
ପିଇଯାଇ ତିକ୍ତ ଯେତେ ପାଳିତ ଗରଳ ।।

QR no-D/ 9 
Sector -9
ROURKELA -9
M-9861059709

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe