“ବୁଢ଼ୀଟେ ହେଲଣି ଅଥଚ କୌଣସି କାମ ତୁମ ଦେଇ ହେଲାନି, ଏଇ ସାଧାରଣ ଗୋଡ଼ ମୋଡ଼ାଟି ମଧ୍ୟ ନୁହେଁ’’ ନିରଞ୍ଜନ କଡ଼ ଲେଉଟାଇ କହିଲେ ନିର୍ମଳାଙ୍କୁ। ନିର୍ମଳା ସେତେବେଳକୁ ଗୋଡ଼ ମୋଡ଼ିବା ଅବସ୍ଥାରେ ହିଁ ଢୋଳାଉଥିଲେ, ତରକେଇ ଉଠି ବଲ ବଲ କରି ଚାହିଁଲେ ଆଉ ମୁଚୁକୁନ୍ଦିଆ ହସଟିଏ ଦେଇ କହିଲେ, “୬୨ ବର୍ଷ ହେଲା ଚେଷ୍ଟା କଲି ହେଲାନି, ଆଉ କ’ଣ ଏଇ ଜନ୍ମରେ ହେବ! ଆରଜନ୍ମରେ ସବୁ ସାଂସାରିକ କାମ ଭଲକରି ଶିଖିବି ତୁମକୁ ବାହାହେବା ପୂର୍ବରୁ”। ନିରଞ୍ଜନଙ୍କୁ କ୍ଷୀର ଗ୍ଲାସଟା ବଢ଼େଇଦେଇ ଖଟ ସେପାଖରେ ଶୋଇବାକୁ ଚାଲିଗଲେ ନିର୍ମଳା। କାଲି ସକାଳୁ ଜଲଦି ଉଠିବାର ଅଛି, ଅନେକ କାମ ଅଛି ସାବିତ୍ରୀ ପୂଜା ପାଇଁ। ନିରଞ୍ଜନଙ୍କର ତ ଦିନସାରା ଅଳି ଅର୍ଦ୍ଦଳି ସରେନି, ଘଡ଼ିକୁ ଘଡ଼ି ଡାକି ହେଉଥିବେ ନିର୍ମଳା.. ନିର୍ମଳା.., କେତେବେଳେ ଚା’ ଦରକାର ତ କେତେବେଳେ ସାଧା ପାନଟା ଭାଙ୍ଗି ଦିଅ। ବୋହୂ ଯଦି ଦେବ କିଛି ନକହି ନେବେ, କିନ୍ତୁ କିଛି ସମୟ ପରେ ନିର୍ମଳାଙ୍କୁ ଠାରି ହେବେ ଆଉ କପେ ଚା’ କି ଖଣ୍ଡେ ପାନ ପାଇଁ। ନିର୍ମଳାଙ୍କ ହାତରୁ ସବୁ ଦରକାର କିନ୍ତୁ ସବୁଥିରେ ନିହାତି ଟିପ୍ପଣୀଟିଏ ମଧ୍ୟ ଦେବେ, କେତେବେଳେ କହିବେ ଚା’ ପାଣିଚିଆ ହେଇଗଲା ତ କେବେ ପୁଣି ପାନଟା ସଠିକ୍ ଭାଙ୍ଗି ହେଲାନି। ଏମିତି ଖୁପୁରେଇ ହେଉଥିବେ ନିର୍ମଳାଙ୍କ ସହ ଅହଃନିଶୀ। ଆଉ ଏଇ ଗୋଡ଼ ମୋଡ଼ା ଉପାଖ୍ୟାନ ତ ନକହିଲେ ଭଲ, ନିର୍ମଳା ନିଜେ ବିହାଇଛନ୍ତି ସେ କର୍ମ। ବାହାଘର ପରେ ବୋଉ ଶିଖାଇଥିଲା ଶାଶୁ, ଶ୍ୱଶୁରଙ୍କ ସହ ସ୍ୱାମୀ ଦେବତାଙ୍କ ଦେହମୁଣ୍ଡର ସେବା କରିବାକୁ। ସେଥିରୁ ଆରମ୍ଭ ହେଲା ଏଇ ନିତିଦିନିଆ ଗୋଡ଼ ମୋଡ଼ିବା ପର୍ବ। ନିର୍ମଳା ଅଭ୍ୟାସରେ ତ ପକାଇଦେଲେ, କିନ୍ତୁ ମନ ତୋଷି ନପାରିଲେ। ଯେତେ ଭଲ ଚେଷ୍ଟା କଲେ ବି ସ୍ୱାମୀ ଚିଡ଼ାଇ କହିବେ, ସେ କି ମୋଡ଼ା ଯୋଉଥିରେ ମଶା ମରିବନି! ପରନ୍ତୁ ରାତି ପହରକୁ ନିଦ ଲାଗୁଥିବ, ଢୋଳାଉଥିବେ କିନ୍ତୁ ଗୋଡ଼ମୋଡ଼ାକୁ ଅନେଇଥିବେ। ବୋହୁ ତ ହସି ହସି ଥଟ୍ଟା କରି କହେ, ବାପାଙ୍କୁ ସନ୍ତୁଷ୍ଟି ଦେବା ପାଇଁ ଗୋଡ଼ ମୋଡ଼ା ଟ୍ରେନିଂଟେ ନେବାକୁ, ନିର୍ମଳା ସେଥିରେ ଲାଜେଇ ଯାଆନ୍ତି। ଏମିତି ନିର୍ମଳା ଆଉ ନିରଞ୍ଜନଙ୍କ ସଂସାର.. ମିଠା ଟାହି ଟାପର, କୁତୁ କୁତୁର ଚାଳିଶ ବର୍ଷର ଯୁଗ୍ମଜୀବନ।
ଆହୁରି ପଢ଼ନ୍ତୁ- Human Nature is Encoded In a Handshake: ହ୍ୟାଣ୍ଡ୍ସେକ୍ ବା କରମର୍ଦ୍ଦନରେ ସଂଗୁପ୍ତ ଅଛି ମଣିଷ ସ୍ବଭାବର କିଛି ଗୂଢ଼ ରହସ୍ୟ
ସକାଳ ୭ ବାଜିଲାଣି, ନିରଞ୍ଜନ ପ୍ରାତଃ ଭ୍ରମଣରୁ ଫେରିଛନ୍ତି ତ ଡାକ ପକାଇଲେ ନିର୍ମଳା.. ନିର୍ମଳା.. ଚା’ ଟା ମିଳିବନି କି ଆଜି? କିଛି ସମୟ ପରେ ବୋହୂ ଆସି କପଟା ହାତରେ ଧରେଇଲା, କହିଲା ନିର୍ମଳା ବୋଧେ ଠାକୁର ଘରେ ବ୍ୟସ୍ତ ଅଛନ୍ତି! ବୋହୂ ବି ଆଜି ବ୍ୟସ୍ତ, କେମିତି ସ୍ୱାମୀ, ଶ୍ୱଶୁରଙ୍କୁ ଜଳଖିଆ ଦେଇ ଶାଶୂଙ୍କୁ ପୂଜାରେ ଯୋଗଦେବ। ନିରଞ୍ଜନ ସମ୍ବାଦପତ୍ରଟା ସିନା ଧରିଥାନ୍ତି, କିନ୍ତୁ ବାରମ୍ବାର ଅନାଉଥାନ୍ତି କେତେବେଳେ ନିର୍ମଳା ବାହାରିବେ। କି ପୂଜା ଚାଲିଛି ହେ? ଆଗ ଜୀବନ୍ତ ସତ୍ୟବାନଙ୍କୁ ସନ୍ତୁଷ୍ଟ କରନ୍ତୁ, ଆପେ ଆପେ ଠାକୁରେ ଆଶୀର୍ବାଦ ଦେବେ। ବହୁତ ସମୟ ହେଇଗଲାଣି, ନିରଞ୍ଜନ ପୁଣି ଡାକଦେଲେ, ନିର୍ମଳା... ନିର୍ମଳା...। ସେପଟୁ କିଛି ଉତ୍ତର ନାହିଁ, ନିର୍ମଳା ସବୁବେଳେ ଏମିତି ପୂଜାରେ ଲାଗିଥିବେ ତ ସବୁ ଭୁଲିଯିବେ। ନା ଆଉ ବସିପାରିଲେନି ନିରଞ୍ଜନ, ଚାଲିଲେ ଉପର ମହଲାରେ ଥିବା ଠାକୁର ଘରକୁ। ପହଂଚିକି ଦେଖନ୍ତି ତ ନିର୍ମଳା ଗୋଟେ କାନ୍ଥକୁ ଆଉଜେଇ ନିସ୍ତେଜ ହେଇ ଶୋଇଛନ୍ତି। ନିରଞ୍ଜନଙ୍କ ଛାତିରେ ଧଡ଼ କି କିଛି ଯେମିତି ପଶିଗଲା, ଅଗାଧୁଆ ପଶିଗଲେ ଠାକୁର ଘରକୁ ପତ୍ନୀଙ୍କ ପାଖକୁ, ଆଉ ବ୍ୟସ୍ତ ହେଇ ଡାକ ପକାଇଲେ ପୁଅ ବୋହୂଙ୍କୁ। ବିବ୍ରତ ହେଇପଡୁଥାନ୍ତି ନିରଞ୍ଜନ, ଏମିତି ତ କେବେ ହୁଅନ୍ତିନି ନିର୍ମଳା, ସବୁବେଳେ କାର୍ଯ୍ୟ ବ୍ୟସ୍ତ। ଜର ଥଣ୍ଡା ହେଲେବି ନିରନ୍ତର ଚାଲିଥାନ୍ତି ସେ! କିଛି ଶାରୀରିକ ଅସନ୍ତୋଷ ତ କାହିଁ ପ୍ରକାଶ କରୁନଥିଲେ କେବେ! ସେତେବେଳକୁ ପୁଅ ପଡ଼ୋଶୀ ଡାକ୍ତର ସଂଜୀବଙ୍କୁ ଡାକିଆଣିଲାଣି। ସେ ପ୍ରାରମ୍ଭିକ ପରୀକ୍ଷା କରି କହୁଛନ୍ତି ଉଚ୍ଚ ରକ୍ତଚାପ, କିଛି ସାମୟିକ ଉପଚାର ଆରମ୍ଭ କରି କହିଛନ୍ତି ନିର୍ମଳାଙ୍କୁ କିଛି ସମୟ ପରେ ହୋସ୍ ଆସିଯିବ; କିନ୍ତୁ କିଛି ଦିନ ବିଶ୍ରାମ ଦରକାର ଆଉ ତା ସହ ନିୟମିତ ଔଷଧ। ଟିକେ ଆଶ୍ୱସ୍ତ ହେଲେ ସମସ୍ତେ, କିନ୍ତୁ ନିରଞ୍ଜନଙ୍କୁ ଲାଗୁଥାଏ ତାଙ୍କ ନିଜ ରକ୍ତଚାପ ଯେମିତି ବଢ଼ିଯାଇଛି। ସେମିତି ନିଶ୍ଚଳ ହେଇ ବସିଥାନ୍ତି ନିର୍ମଳାଙ୍କ ମୁଣ୍ଡ ପାଖରେ, କେତେବେଳ ଉଠିବେ ସେ, ସମୟର ପ୍ରତି ମୁହୂର୍ତ୍ତ ଯେମିତି ମାଡ଼ି ବସୁଥାଏ। ନିର୍ମଳାଙ୍କ ବିନା ଘର ଟା ଖାଁ ଖାଁ। କାହା ସହ ସେ ଝଗଡ଼ା କରିବେ, କିଏ ତାଙ୍କ ପ୍ରତି ଟିପ୍ପଣୀର ପ୍ରତ୍ୟୁତ୍ତର ଦେବ। ଖାଇବା ପିଇବାକୁ ମନ ନଥାଏ, ବୋହୂ ଯେତେ ଯାଚିଲେ ବି ମନା କରିଦେଲେ, କହିଲେ ‘ବୋଉ ଉଠୁ ଦେବ’। ବୋହୁ ସାବିତ୍ରୀ ପୂଜା ସାରିଦେଇ ଶଙ୍ଖା ସିନ୍ଦୁର ଧରେଇ ଦେଇ ଗଲା ନିର୍ମଳାଙ୍କୁ ପିନ୍ଧେଇଦେବା ପାଇଁ। ସୀମନ୍ତରେ ସିନ୍ଦୂର ଭରୁ ଭରୁ ଆଖିରେ ଲୁହ ଜକେଇ ଆସିଲା ନିରଞ୍ଜନଙ୍କର। ମନେ ମନେ ଭାବିଲେ, ସ୍ତ୍ରୀ ଟିଏ ସିନା ସଧବା ହେଇ ମରିବାକୁ ପୂଜା କରେ.. କିନ୍ତୁ ପୁରୁଷଟା କେତେ ଅସହାୟ, କେତେ ଏକା ଅନୁଭବ କରେ ତା ଜୀବନସାଥୀ ବିନା। ସେ ତ ଭାବିପାରିବେନି ନିର୍ମଳାଙ୍କ ବିନା ବଂଚିବା! ବରଂ ଠାକୁରେ ତାଙ୍କୁ ଏକାଠି ନିଅନ୍ତୁ ସେପୁରକୁ, ପରସ୍ପରକୁ ଛାଡ଼ି ଆଉ ବଂଚିବା ସମ୍ଭବ ନୁହେଁ।
ଆହୁରି ପଢ଼ନ୍ତୁ- Tribute From Pakistan: ସେ ଲିଜେଣ୍ଡ ଥିଲେ; ଏଭଳି କହି ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପାକିସ୍ତାନ କ୍ରିକେଟର
ସନ୍ଧ୍ୟା ଘଡ଼ିଏକୁ ନିର୍ମଳା ଟିକେ ସାଷ୍ଟାମ ହେଲେ, ଉଠିବସନ୍ତି ତ ଦେଖିଲେ ନିରଞ୍ଜନ ତାଙ୍କ ଗୋଡ଼ ଆଉଁସୁଛନ୍ତି। ଗୋଡ଼ଟା ଛଡ଼େଇନେଲେ ନିର୍ମଳା, “ଆରେ ଇଏ କ’ଣ ସ୍ୱାମୀ ହେଇ ଗୋଡ଼ ଧରୁଛ.. ପୁଣି ଆଜି ଭଳିଆ ଦିନଟାରେ! କ’ଣ ପାପ ମୁଣ୍ଡେଇ ନର୍କକୁ ପଠେଇବାର ଚିନ୍ତାଧାରା ଅଛି ନା କ’ଣ”। ନିରଞ୍ଜନ ବଙ୍କା ହସଟିଏ ଦେଇ ନିର୍ମଳାଙ୍କ ଗୋଡ଼ ଦୁଇଟିକୁ ନିଜ କୋଳକୁ ଟାଣିନେଇ କହିଲେ, “ଡାକ୍ତର ଯା ହେଉ ଗୋଟେ ମଉକା ଦେଇଛନ୍ତି ମୋତେ.. ଏଇ ଯଉ କିଛିଦିନ ତୁମେ ବିଶ୍ରାମ ନେବ ମୁଁ ତୁମକୁ ଶିଖାଇବି କେମିତି ଭଲ ଗୋଡ଼ ମୋଡ଼ା ହୁଏ। ଆଉ ତା’ ପରେ ଯଦି ତୁମେ ଠିକ୍ ସେ ମୋଡ଼ିବନି ମୋତେ, ତାହେଲେ ତୁମର କ୍ଷମାନାହିଁ!!”
ସେତବେଳକୁ ପୁଅ-ବୋହୂ, ନିର୍ମଳା ଆଉ ନିରଞ୍ଜନଙ୍କ ବାର୍ତ୍ତାଳାପ ଶୁଣି ଅଟକିଯାଇଥିଲେ ଦୁଆରବନ୍ଧ ପାଖରେ। ପରସ୍ପରକୁ ଦେଖି ଭାବୁଥିଲେ, ସତ୍ୟବାନ ସାବିତ୍ରୀ କେବଳ ପୌରାଣିକ ଚରିତ୍ର ନୁହେଁ, ତାଙ୍କ ବାପାମା’ଙ୍କ ଭଳି ଜୀବନ୍ତ ଚରିତ୍ର ଆଜିର ଯୁଗରେ ମଧ୍ୟ। ସମ୍ପର୍କର ଅବୟବ କେବଳ ଏଇ ଦିନିକିଆ ସାବିତ୍ରୀ ପୂଜା କି କୌଣସି ଶାଢ଼ୀ, ଗହଣା, ଚୁଡ଼ି, ସିନ୍ଦୂର ମଧ୍ୟରେ ସହପ୍ରେରିତ ହେଇ ରହେନି। ଅନେକ ସମୟରେ ଦାମ୍ପତ୍ୟ ପ୍ରେମର ପରିପ୍ରକାଶ ହୁଏ ମିଠା ମିଠା କଳି କତରାଳରେ ତ କେତେବେଳେ ପୁଣି ନିଶବ୍ଦରେ ଲୁକ୍କାୟିତ ହେଇ ରହେ ଏଇ ଗୋଡ଼ ମୋଡ଼ା ସ୍ପର୍ଶରେ।
Follow Us