Literature: ବିରଜା ରାଉତରାୟଙ୍କ କଲମରୁ ନିସୃତ ଏକ ଆବେଗଭରା ଗଳ୍ପ ‘ସବୁଜ ଆଶ୍ରୟ’....

Advertisment

ନିଶୀଥ ପଠାଇଥିବା ତା’ର ଶେଷ ହାତଲେଖା ଚିଠିଟିକୁ ଆଜିବି ସାଇତି ରଖିଛି ସୁକନ୍ୟା। ଯଦିଓ ଏହି ସଂରକ୍ଷିତ ଦୁର୍ମୂଲ୍ୟ ସ୍ମୃତିଟି ଭାଙ୍ଗକରା କାଗଜରେ ଗଢ଼ା, ଖଣ୍ଡେ ମଳିଚିଆ ଦିଶୁଥିବା ଈଷତ୍ ହଳଦିଆ ଲଫାପାର ଆବରଣ ଭିତରେ ଲୁଚିହୋଇ ରହିଯାଇଛି ହେଲେ ସୁକନ୍ୟା ପାଇଁ ଏହା ଖାଣ୍ଟି କୋହିନୁର ହୀରା।

ନିଶୀଥ ପଠାଇଥିବା ତା’ର ଶେଷ ହାତଲେଖା ଚିଠିଟିକୁ ଆଜିବି ସାଇତି ରଖିଛି ସୁକନ୍ୟା। ଯଦିଓ ଏହି ସଂରକ୍ଷିତ ଦୁର୍ମୂଲ୍ୟ ସ୍ମୃତିଟି ଭାଙ୍ଗକରା କାଗଜରେ ଗଢ଼ା, ଖଣ୍ଡେ ମଳିଚିଆ ଦିଶୁଥିବା ଈଷତ୍ ହଳଦିଆ ଲଫାପାର ଆବରଣ ଭିତରେ ଲୁଚିହୋଇ ରହିଯାଇଛି ହେଲେ ସୁକନ୍ୟା ପାଇଁ ଏହା ଖାଣ୍ଟି କୋହିନୁର ହୀରା।

rrr5

Photograph: (Tanuj Mallick. Sambad)

ସବୁଜ ଆଶ୍ରୟ

ବିରଜା ରାଉତରାୟ

ଏଇଟା ବୋଧେ ନିଶୀଥର ତା’ ପାଖକୁ ପଠାଇଥିବା ଶେଷ ହାତଲେଖା ଚିଠି
ଯଦିଓ ଏହି ସଂରକ୍ଷିତ ଦୁର୍ମୂଲ୍ୟ ସ୍ମୃତିଟି ଭାଙ୍ଗକରା କାଗଜରେ ଗଢ଼ା! ଖଣ୍ଡେ ମଳିଚିଆ ଦିଶୁଥିବା ଈଷତ୍ ହଳଦିଆ ଲଫାପାର ଆବରଣ ଭିତରେ ଲୁକ୍କାୟିତ ରହିଯାଇଛି! ହେଲେ, ତା’ ପାଇଁ ତ ଏଇଟା ଯେପରି ଖାଣ୍ଟି କୋହିନୁର ହୀରା! 

ଖୋଲା ଆଲମିରାର ମଝି ଥାକ ପାଖରେ ଅଟକିଯାଇଥିଲା ମନଟା ସୁକନ୍ୟାର। 
ଯଦି ଛୁଟିଦିନ ଥାଏ, ତେଜରାତି ଦୋକାନର ଚିଠା ପରି ତଳକୁ ତଳ ବାକି କାମ ଝୁଲିରହିଥିଲେ ସୁଦ୍ଧା ଫୁରୁସତ ଟିକେ କାଢ଼ି ତା’ର ଏହି ଆଲମିରା ପାଖକୁ ଚାଲିଆସିବାଟା ଥିଲା ଥୟ। ଥାକରୁ ଚାବି ଆଣି ବନ୍ଦ ପଡ଼ିଥିବା ଏହାର ଦରଜାକୁ ଦୁଇପଟକୁ ମେଲାଇ ଠିକ୍ ଏହି ମଝି ଥାକରେ ହିଁ ହାତ ତା’ର ଛାଏଁ ଲାଖିଯାଏ। ଯେପରି ଅଦୃଶ୍ୟ ବୁଢ଼ିଆଣୀ ଜାଲରେ ବାନ୍ଧି ହୋଇଯାଏ ତା’ ନିବୁଜ ମନର ଆଙ୍ଗୁଠି। 

କପଡ଼ାରେ ଗୁଡ଼ା ଆବରଣ ଭିତରୁ ଖୁବ୍ ସଯତ୍ନରେ ଖଣ୍ଡେ ପୁରୁଣା ଡାଏରି ଉଦ୍ଧାର କରିଆଣେ। ସେଥିରୁ ମୟୂର ପର ଚିହ୍ନିତ ପୃଷ୍ଠାକୁ ଖୋଲି କାଢ଼ି ଆଣିଥାଏ ଏହି ଲଫାପାଟିକୁ। ଭିତରୁ ବାହାର କରିଆଣେ ଏହି ଚାରିଭାଙ୍ଗ କରା ଦୁଇପୃଷ୍ଠିଆ କାଗଜର ଚିଠି। ତା’ପରେ ସକଳ ଅନୁରାଗ ସହ ପଢ଼ି ବସେ ଆରମ୍ଭରୁ ଶେଷ। ପୁଣି ଦୋହରାଏ ଶେଷରୁ ଆରମ୍ଭ ଯାଏ। 

ଯେମିତି ଏଇନା ଏଇନା ଡାକବାଲା ଆସି ତା’ ହାତକୁ ବଢ଼େଇ ଦେଇଯାଇଛି ଏହି ଚିଠି। ତା’ର ଶେଷ ଛବିଳ ସନ୍ତକ। କୋଡ଼ିଏ ବର୍ଷ ଭିତରେ କେତେ ନା କେତେଥର ଚିଠିକୁ ପଢ଼ିସାରିବା ସତ୍ତ୍ବେ ସବୁଥର ସେଥିରେ ଖୋଜି ପାଇଥାଏ କିଛି ନୂଆପଣ! କିଛି ଅଚିହ୍ନା ପୁଲକ! କିଛି ଛିଟା ଛିଟା ଇନ୍ଦ୍ରଧନୁ ପରି...! ପେନ୍ଥାଏ ଫୁଲ ପରି ଝୁଲିପଡ଼ିଥିବା ସ୍ୱପ୍ନମାନଙ୍କ ଠିକଣା! 

ଆହୁରି ପଢ଼ନ୍ତୁ- Trump Threatened Canada: କାନାଡାକୁ ନାଲିଆଖି ଦେଖାଇଲେ ଟ୍ରମ୍ପ: ସେତୁ ଖୋଲିବାକୁ ମନା କଲେ

ବାସ୍‌, ସେଇଠୁ ହିଁ ତାକୁ ଆକ୍ରାନ୍ତ କରିପକାଏ ଏକ ଅଦ୍ଭୁତ ଅନ୍ୟମନସ୍କତା। ଅନାବିଳ ବିଭୋରପଣ। 

ହଁ, ସେ ଚାହେ ଫେରିଯିବାକୁ ସେଇ ଦୋଳାୟିତ ସ୍ୱପ୍ନମାନଙ୍କ ଆବେଶଭରା ଆମନ୍ତ୍ରଣର ପତ୍ରକୁ ପଢ଼ି ପଢ଼ି! ଗୋଟେ ଅନାହତ ମଧୁର ସଂଗୀତର ମୂର୍ଚ୍ଛନା ପରି ସେହି ଆମନ୍ତ୍ରଣ! ଯେଉଁଠି ହୃଦୟର ଅକ୍ଷର ସବୁ ପ୍ରଜାପତିର ଚିତ୍ରିତ ଡେଣାରେ ଉଡ଼ି ବୁଲନ୍ତି ବେପରୁଆ ହୋଇ। ଉଷ୍ଣ ଆବେଗରେ ଭରପୂର ସେହି ସ୍ପନ୍ଦନର ପୃଥିବୀ। କଥାକୁହା ପୃଥିବୀ। 
ଧେତ୍‌! ପୃଥିବୀ କଥା ପଶୁ ପଶୁ ଧୂମିଳ ଧୂସର ପରଦାଟିଏ ଯେପରି ଝୁଲିପଡ଼ିଲା ଆସି ସୁକନ୍ୟାର ସମ୍ମୋହିତ ନୟନ ପଟଳରେ। ଏମିତି ଗୋଟେ ସଜୀବ ସବୁଜ ପୃଥିବୀକୁ ନିଶୀଥ ଯେ ଏପରି ବାଏ ବାଏ କରିଦେଲା ସବୁଦିନ ପାଇଁ, ତାହା ଥିଲା ସୁକନ୍ୟାର ବିସ୍ମୟର ସୀମାନ୍ତ ବାହାରେ! 
ମାଳରେ ଫୁଲ ଗୁନ୍ଥିବା ପରି ଯିଏ କେବେ ନିଖୁଣ ହୃଦୟର ନିପୁଣ ବ୍ୟାଖ୍ୟାକାର ଥିଲା, ସେ ପୁଣି ଆଜି ଏଇ ଧୂସର ଜୀବନଯାତ୍ରାର ଜୈତ୍ର ପତାକାଧାରୀ! ମୂକ ପୃଥିବୀର ସ୍ତୁତିକାର!ଘୁମନ୍ତ ସମୟ କ’ଣ ମଣିଷର ପ୍ରକୃତିକୁ ଏତେ ବଦଳାଇପାରେ! ଏତେ ଦାରୁଣ ଭାବରେ ପ୍ରଭାବିତ କରିପାରେ! ରସସିକ୍ତ ମଣିଷର ଛାତିଟାକୁ କାଠ ପଥର ସୁଦ୍ଧା କରିଦେଇପାରେ! ଏକଥା ଭାବି ଆଚମ୍ବିତ ହୋଇ ଉଠୁଥିଲା। 

ସୁକନ୍ୟା ମନେ ପକାଉଥିଲା, ସେହି ବିଗତ ଦିନର ନିଶୀଥକୁ। ଯିଏ କଥା କହିଲେ, ଲାଗେ ଇଏ ଚିତ୍ରକର! କାନ୍‌ଭାସ୍ ଉପରେ ଭାବର ରଙ୍ଗ ବିଛାଇପାରେ। ପୁଣି ଲାଗେ, ଇଏ ନିଶ୍ଚୟ ଘନକୃଷ୍ଣ ରାଇଜର ବାବଦୂକ! ଯାହାର କଥାରେ ଧ୍ୱନିତ ହୁଏ ରାଗ ମେଘ ମହ୍ଲାର। ଏମିତି ତ ସବୁବେଳେ ଲାଗେ, ନିର୍ଜନ ଦ୍ୱିପ୍ରହରର ବଂଶୀବାଦକ! ଶବ୍ଦରେ ଶବ୍ଦରେ ପଦ୍ମତୋଳା ପଢ଼େ। 

ନିଶୀଥ କବିଟିଏ ଥିଲା। ବେଶ୍ ମାନୁଥିଲା। ନିଜେ ଭାବରେ ଭେଦୁଥିଲା। ଆଉ ଅନ୍ୟମାନଙ୍କୁ ବି କିଛି କିଛି ଭେଦାଉଥିଲା। ନ ହେଲେ ତା’ ପରି ରସାୟନ ବିଜ୍ଞାନର ଛାତ୍ରୀ ସାହିତ୍ୟ ପ୍ରେମରେ ପଡ଼ିଥାନ୍ତା ବା କାହିଁକି? ପିପେଟ୍‌ରେ ଏସିଡ୍ ଟାଣିବା ପରି ଥିଲା ନିଶୀଥର ମାଧ୍ୟାକର୍ଷଣୀୟ ବନ୍ଧୁତା। ଧୀରେ ଧୀରେ ତା’ ସହ ବନ୍ଧୁତା ଯେତେ ବଢ଼ିଥିଲା, ସୁକନ୍ୟା ଅନୁଭବ କରୁଥିଲା, କିଛି କିଛି କିମିଆ! କେମିଷ୍ଟ୍ରି ଲାବ୍ରୋଟୋରିର ରସାୟନ ସବୁ ଧୀରେ ଧୀରେ ବାଷ୍ଫୀଭୂତ ହୋଇ ପ୍ରତିବଦଳରେ ସାହିତ୍ୟର ନବରସରେ ପରିପୂର୍ଣ୍ଣ ହୋଇ ଉଠୁଥିଲା। ପାଣିକୁ ଏଚ୍‌ଟୁଓ ବଦଳରେ ମନର ନିର୍ଝର ରୂପେ ଦେଖିବାକୁ ଲାଗିଲା। ସମୁଦ୍ର କୂଳକୁ ଗଲେ ତା’ର ବିସ୍ତୀର୍ଣ୍ଣ ନୀଳ ଜଳରାଶିକୁ ରମଣ ଇଫେକ୍ଟ ବଦଳରେ ଘନୀଭୂତ ଆକାଶର ଭାବପୁଞ୍ଜର ଛାଇ ପରି ଦିଶିବାକୁ ଲାଗିଲା। ସତକୁ ସତ ନିଶୀଥ ଯେପରି ବଦଳେଇ ଦେଇଥିଲା ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ। 

ଏବେ ନିଜେ ହିଁ ଏକଥା ଭାବି ଆଶ୍ଚର୍ଯ୍ୟ ହେଉଥିଲା  ଯେ, ଇଏ ସେହି ନିଶୀଥ! ପୁଣି ତା’ ସହ ଦୂରତା କଥା ଚିନ୍ତାକରି!

ଦୁହିଁଙ୍କ ଭିତରେ ବିରାଜି ସାରିଥିଲା ଯେପରି ଦିଗ୍‌ବଳୟ ପରି ଏକ ପ୍ରଲମ୍ବିତ ଦୂରତା। ଯେଉଁପଟରେ ସୁକନ୍ୟା ଛିଡ଼ା ହୋଇଥିଲା, ସେଠି ତଥାପି ମୁଣ୍ଡ ଉପରେ ଝୁଲିରହିଥିଲା, ଭାବ ଓ ପ୍ରେମର ଚେନାଏ ଆକାଶ। ସେଇ ଚିହ୍ନା ଚିହ୍ନା ଚାହାଣିରେ ଭରା ଚାରିପଟର ପୃଥିବୀ। ଯାହାକୁ ପୁଣି ଫେରି ପାଇଥାଏ, ଏହି ସାଇତା ଚିଠିଟିକୁ ପଢ଼ିବା ମାତ୍ରେ। 
ହେଲେ, ନିଶୀଥ ଯେ ଏବେ ପୂରା ଆରପଟରେ! 

ଆହୁରି ପଢ଼ନ୍ତୁ-Us Teachers Strike San Francisco News : ଆମେରିକାରେ ୫୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଧର୍ମଘଟ, ରାଜରାସ୍ତାକୁ ଓହ୍ଲାଇଲେ ୬ ହଜାର ଶିକ୍ଷକ

ୟାର ମାନେ ନୁହେଁ, ଯେ ତା’ ସହିତ ସମ୍ପର୍କ ପୂରା ରଟ୍ କରି କଟିସାରିଛି। ଭାବର ଗୋଲକରେ ଯଦିଓ ଦୁହେଁ ଦୁଇଟି ଗୋଲାର୍ଦ୍ଧ ପରି ବାସ କରୁଛନ୍ତି, ତଥାପି ତା’ ସହ କେବେ କେବେ ଭେଟହୁଏ ବାହାଘର, ପାର୍ଟି କି ଫଙ୍କ୍‌ସନ୍‌ରେ। ତା’ଛଡ଼ା କାଁ ଭାଁ ସେ ଫୋନ୍‌ରେ କଥାହୁଏ। ଗୋଟିଏ ଧାଡ଼ିରେ ସାରେ। ନ ହେଲେ, ଅତିବେଶିରେ ଦୁଇଧାଡ଼ିରେ। କଥା ବଦଳରେ, ମେସେଞ୍ଜର କି ହ୍ବାଟ୍‌ସଆପ୍‌ରେ ଯୋଡ଼ିହୋଇ ରହିବାକୁ ପସନ୍ଦ କରେ। ପୂଜାପାର୍ବଣ କି ଜନ୍ମଦିନରେ ବାଛିକରି କଷ୍ଟୋମାଇଜିଡ୍‌ ମେସେଜ୍‌ଟାକୁ ଛାଡ଼ିଥାଏ। 
ହଁ, ଥରେଅଧେ ଦେଖାରେ କହି ବି ସାରିଛି, ତା’ର ପ୍ରାଚୁର୍ଯ୍ୟର ଫଣ୍ଡା। କହେ, ଏ ସମୟ ବତୁରା ଶବ୍ଦମାନଙ୍କ ସରଣୀ ହୋଇ ଆଉ ରହିନାହିଁ! କ୍ଷିପ୍ର... ଦ୍ରୁତ... ପୁଣି ସଂକ୍ଷିପ୍ତ! ଶବ୍ଦ କମ୍ ଓ ସଂକେତ ବେଶି ହିଁ ଏଇ ନୂଆ ପୃଥିବୀର ମନ୍ତ୍ର। ତାଳ ଦେବାକୁ ହେଲେ, ଛନ୍ଦ ପକାଇବାକୁ ହେଲେ, ଯେତେକ ଗହନ ଶବ୍ଦ ଅଲୋଡ଼ା ବୋଲି ଜାଣ ସୁକନ୍ୟା! ଏହା ଭିତରେ ଆମତମ ଭାବର ବୃକ୍ଷକୁ ଆଚ୍ଛାଦିତ ଯେ କରିସାରିଲାଣି ଡିଜିଟାଲ୍ ଉଇର ହୁଙ୍କା। କୋଉଠି ଅଟକି ରହିଛ ଏଯାଏ ତମେ ସୁକନ୍ୟା! ପୁରୁଣା ଅଭ୍ୟାସକୁ ଛାଡ଼! ନିଜକୁ ଅନ୍ କର! ଚଳନ୍ତି ସମୟର ନାଡ଼ିକୁ ପଢ଼! ନ ହେଲେ, ତମ ଦୃଷ୍ଟିବଳୟର ସ୍କ୍ରିନ୍‌ଟା କେବେ ବି ବ୍ଲୁ ଟିକ୍ ହେବ ନାହିଁ!

ଆଲମିରା ପାଖରେ ସେହିପରି ଭାବମନସ୍କ ହୋଇ ଅଟକି ରହିଥାଏ ସୁକନ୍ୟା। ଚିଠିଟିକୁ ହାତରେ ଧରି ସେଥିରୁ ଅଦୃଶ୍ୟ ଭାବର ରସଦକୁ ଟାଣି ନେଉଥାଏ ଶିରାକୁ। ଶିରାରୁ ଧମନୀକୁ। ଧମନୀରୁ ହୃଦୟକୁ। ସେ ଜାଣେ, ତା’ ପାଦତଳୁ ଉଠି ଆସୁଛି ନିଶୀଥ ସଙ୍କେତ ଦେଇସାରିଥିବା ସେଇସବୁ ଉଇମାନଙ୍କ ଉପରମୁହାଁ ଧାଡ଼ି। ପଛକୁ ପଛ ଲାଗିରହିଥିବ ସେହି ଧାଡ଼ି। 

କିନ୍ତୁ ସେ ପରାସ୍ତ ହେବନାହିଁ। କଦାପି ନିଜକୁ ହୁଙ୍କାରେ ଆବୃତ୍ତ ହେବାକୁ ଦେବନାହିଁ। ଏହି ସାଇତା ଚିଠି ଖଣ୍ଡିକ ହିଁ ତାକୁ ଦେଉଥିବ ସବୁଜ ଆଶ୍ରୟ। ସେ ନିଜ ଭିତରେ ବେଶିରୁ ବେଶି ଭେଦାଇ ଚାଲିଥିବ ଏହି କ୍ଷର ଶବ୍ଦସବୁକୁ ଆସନ୍ତାକାଲିର ପୃଥିବୀ ନିମନ୍ତେ ବତୁରା ଭାବଟିଏ ପାଇଁ। 

ମୋ: ୯୬୫୮୮୧୦୨୪୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe