କମିଗଲାଣି ଡାକବାଲାର ଆଦର, ସୀମିତ ସେବାରେ ବଞ୍ଚିଛି ଡାକ

ଭୁବନେଶ୍ୱର: ଦିନ ଥିଲା ଡାକବାଲା ଥିଲା ସବୁରି ପ୍ରିୟ ଓ ପ୍ରତୀକ୍ଷାର ବ୍ୟକ୍ତି। ପ୍ରବାସୀ ପୁଅର ଖବର ଜାଣିବା ପାଇଁ ବାପା ମା’ ଡାକବାଲାକୁ ଚାହିଁ ବସୁଥିଲେ। ପ୍ରବାସୀ ସ୍ବାମୀର ଚିଠି ପାଇବା ପାଇଁ ପତ୍ନୀ ବଡ଼ ବ୍ୟାକୁଳ ହୋଇ ଅପେକ୍ଷା କରୁଥିଲା ଡାକବାଲାକୁ। ପୁଅ ପଠାଇଥିବା ମନିଅର୍ଡର ପାଇଁ ଅସହାୟ ବୃଦ୍ଧ ବାପାମା’ ଚାତକ ଭଳି ଅନେଇ ବସୁଥିଲେ ଡାକବାଲାକୁ। ସେମିତି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ ଯୁବକମାନଙ୍କ ପାଇଁ ଡାକବାଲା ଥିଲା ବଡ଼ ଆଦରର ବ୍ୟକ୍ତି। କିନ୍ତୁ ଆଜି ସମୟ ବଦଳି ଯାଇଛି। ଡାକବାଲାକୁ ଲୋକେ ଭୁଲି ଗଲେଣି। ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଆସିବା ପରେ ଡାକସେବା ଯେମିତି ପ୍ରଭାବ ହରାଇଛି, ଡାକବାଲାଙ୍କର ଆଦର ବି ସେମିତି କମିଯାଇଛି। କେବଳ ସେତିକି ନୁହେଁ, ଅତ୍ୟାଧୁନିକ ‌ଯୋଗାଯୋଗ ବ୍ୟବସ୍ଥାର ଉତ୍‌ଥାନ ସହିତ ହଜିଯାଇଛି ସେଦିନର ଜୀବନଯାପନ ଶୈଳୀ। ଚିଠି ସହିତ ଜଡ଼ିତ ଥିବା ସ୍ମୃତି ଓ ଆବେଗ ଆଜି ଆଉ ନାହିଁ। ଚିଠିର ମଧୁର ଭାଷା ବି ମରିଯାଇଛି। ମୋବାଇଲ୍‌ ଫୋନ୍, ଲାପଟପ୍‌, କମ୍ପ୍ୟୁଟର ସହ ଯୋଡ଼ି ହୋଇଥିବା ଇଣ୍ଟରନେଟ୍‌ ବ୍ୟବସ୍ଥା ପୁରୁଣା ଡାକ ଯୋଗାଯୋଗ ବ୍ୟବସ୍ଥାକୁ ଆମ ଜୀବନଚର୍ଯ୍ୟାର କେଉଁ ଅଜଣା କୋଣକୁ ଠେଲି ଦେଇଛି। ପୋଷ୍ଟକାର୍ଡ, ଇନ୍‌ଲାଣ୍ଡ ଲେଟର, ଏନ୍‌ଭଲପ(ଲଫାପା) ଓ ଡାକ ଟିକେଟ୍‌ ଆଦି ଆଜିର ନୂଆ ପିଢ଼ି ପାଇଁ ଅଚିହ୍ନା ବସ୍ତୁ ହୋଇଯାଇଛି। ତେବେ ଡାକସେବା ମରିନାହିଁ। ସୀମିତ ସେବାରେ ଡାକ ଏବେ ବି ବଞ୍ଚିଛି।

ଭୁବନେଶ୍ବର ଜିପିଓ ଅଫିସ ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଅନ୍ତର୍ଦ୍ଦେଶୀୟ ପତ୍ର(ଇନ୍‌ଲାଣ୍ଡ ଲେଟର) ପ୍ରାୟ ୧୧,୫୪୪ଟି ବିକ୍ରୟ ହୋଇଥିଲା। ୨୦୨୦-୨୧ରେ ୯୦୦୦ ଓ ୨୦୨୧-୨୨ ରେ ୧୦,୯୦୦ଟି ଇନ୍‌ଲାଣ୍ଡ ଲେଟର ବିକ୍ରି ହୋଇଛି। ସେହିଭଳି ୨୦୧୯-୨୦ରେ ୨୫,୨୬୧ଟି ଲଫାପା ବିକ୍ରି ହୋଇଥିବା ବେଳେ ୨୦୨୦-୨୧ରେ ୨୪,୦୧୫ଟି ଓ ୨୦୨୧-୨୨ ୨୪,୯୫୦ ଲଫାପା ବିକ୍ରି ହୋଇଛି। ସେହିପରି ୨୦୧୯-୨୦ରେ ୧, ୩୭,୦୩୦ ପୋଷ୍ଟକାର୍ଡ ବିକ୍ରି ହୋଇଥିବା ଜଣାପଡ଼ିଛି। ୨୦୨୦-୨୧ରେ ୧,୦୦, ୦୫୦ଟି ଓ ୨୦୨୧-୨୨ ରେ ୧,୩୨,୪୦୦ ପୋଷ୍ଟକାର୍ଡ ବିକ୍ରି ହୋଇଛି। ରାଜଧାନୀ ଓ ତା’ର ଉପକଣ୍ଠରେ ପ୍ରାୟ ୧୫ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ବେଳେ ନଗଣ୍ୟ ସଂଖ୍ୟାରେ ପୋଷ୍ଟକାର୍ଡ, ଇନ୍‌ଲାଣ୍ଡ ଲେଟର ଓ ଏନ୍‌ଭେଲପ ବିକ୍ରି ଡାକସେବାର ଦ୍ରୁତ ଅବନତି ଦର୍ଶାଉଛି ବୋଲି ଜିପିଓ ଅଫିସ୍‌ ତଥ୍ୟରୁ ସହଜରେ ଅନୁମେୟ। ବଡ଼ କଥା ହେଉଛି, ବିକ୍ରି ହୋଇଥିବା ଏସବୁ ଡାକ କାର୍ଡ ଅଧିକ ପରିମା‌ଣରେ ସରକାରୀ ବ୍ୟବହାର ହୋଇଛି। ତେଣୁ ଡାକସେବାକୁ ବଞ୍ଚାଇ ରଖିବାକୁ ସରକାର କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରଖିଥିବା କୁହାଯାଉଛି। ନଚେତ ବ୍ୟକ୍ତିଗତ ଜୀବନଯାପନରେ ଆଉ ଡାକସେବାର ଚାହିଦା ପ୍ରାୟ ନାହିଁ।

ବରମୁଣ୍ଡାସ୍ଥିତ ପୋଷ୍ଟ ଅଫିସ୍‌ର ସୂଚନା ଅନୁଯାୟୀ ବିକ୍ରି ନଥିବାରୁ ସେଠାରେ ଆଉ ବେଶି ଡାକ କାର୍ଡ ରହୁନାହିଁ। ମାତ୍ର ୩୦୦ ଅନ୍ତର୍ଦ୍ଦେଶୀୟ ପତ୍ର ଓ ୫୦ଟି ଲପାଫା ଉପଲବ୍ଧ ହେଉଛି। ସ୍ପିଡ୍ ପୋଷ୍ଟ ଓ ରେଜିଷ୍ଟ୍ରି ଚିଠି ପାଇଁ ଯାହା ଲୋକେ ଡାକଘରକୁ ଆସୁଛନ୍ତି। ଗ୍ରାମାଞ୍ଚଳର ଡାକଘର ସ୍ଥିତି ବଡ଼ ଦୟନୀୟ। ଡାକ ଘରଟିଏ ଅଛି ବୋଲି ଅନେକ ଲୋକ ଜାଣୁନାହାନ୍ତି। ବହୁ ସ୍ଥାନରେ ଡାକଘର କ୍ଲବ ଘରରେ ପରିଣତ ହୋଇଗଲାଣି। ଦିନକୁ ମାତ୍ର ଦୁଇ ଘଣ୍ଟା ପାଇଁ ଏହି ସରକାରୀ କାର୍ଯ୍ୟାଳୟ ଖୋଲାରହିବା ପରେ ବନ୍ଦ ହୋଇଯାଉଛି। ସହରାଞ୍ଚଳରେ ବି ସମାନ ଅବସ୍ଥା। ବରମୁଣ୍ଡା ଡେଲ୍‌ଟା କଲୋନିସ୍ଥିତ ଶାଖା ପୋଷ୍ଟ ଅଫିସ ଉପରେ ବିଏମ୍‌ସିର ୪୭, ୪୮, ୫୦ନମ୍ବର ୱାର୍ଡର ଲୋକେ ନିର୍ଭର କରୁଥିଲେ। କିନ୍ତୁ କାଳକ୍ରମେ ଏହା ବନ୍ଦ ହୋଇଗଲା। ଏବେ ଲୋକମାନଙ୍କୁ ବରମୁଣ୍ଡା କାର୍ଯ୍ୟାଳୟ ଯିବାକୁ ପଡ଼ୁଛି।

ଦୀର୍ଘ କୋଡ଼ିଏ ବର୍ଷ ଧରି ରାଜଧାନୀରେ ଡାକବାଲା ଭାବେ କାର୍ଯ୍ୟରତ ରତ୍ନାକର ନାୟକଙ୍କ କହିବା କଥା, ମୋବାଇଲ୍‌ ଫୋନ୍‌ ଆସିବା ପରଠୁ ଡାକସେବାର ଆଦର ବୁଡ଼ିଗଲା। ଆଙ୍ଗୁଠିରେ ଲେଖିଦେଲେ କ୍ଷଣିକ ଭିତରେ ସାତ ସମୁଦ୍ର ଡେଇଁ ବାର୍ତ୍ତା ଆମେରିକାରେ ପହଞ୍ଚି ଯାଉଛି। ସେମିତି ଟଙ୍କା ପଇସା ବି ମୋବାଇଲ୍‌ ଫୋନ୍‌ରେ ବିଦେଶ ପଳାଉଛି, ବିଦେଶରୁ ପଳାଇଆସୁଛି। ତେଣୁ ଲୋକେ ଡାକବାଲାକୁ ଆଉ କାହିଁକି ପଚାରିବେ! ସେମିତି ପାର୍ସଲ କଥା। ବିଭିନ୍ନ କୋରିୟର୍‌ବାଲା ବଜାରକୁ ଆସିବା ପ‌ରେ ତ୍ବରିତ ସେବା ଦେଉଛନ୍ତି। ସେମାନେ ଅଧିକ ପଇସା ନେଉଥିଲେ ବି ଲୋକେ ସେମାନଙ୍କୁ ଖୋଜୁଛନ୍ତି। କେବଳ ସରକାର କିଛି ସରକାରୀ କାଗଜପତ୍ର ଡାକରେ ପଠାଇବାକୁ ବାଧ୍ୟ କରିଛନ୍ତି ବୋଲି ଆଜି ଡାକ ବ୍ୟବସ୍ଥା ବଞ୍ଚିଛି।

ସମ୍ବନ୍ଧିତ ଖବର