ଠାକୁର ଦର୍ଶନ ଓ ପିଲାଙ୍କ ମେଳରେ ଜନ୍ମଦିନ ପାଳିଲେ ରାଜ୍ୟପାଳ

ମେଣ୍ଢାଶାଳ/ପୁରୁଣାଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସ ଆଜି ନିଜ ଜନ୍ମଦିନ ଏସ୍‌ଓଏସ୍ ଚିଲଡ୍ରେନ୍‌ସ ଭିଲେଜ୍‌ର ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜ୍ୟପାଳ ଏସ୍‌ଓଏସ୍ ଭିଲେଜରେ ପହଞ୍ଚିବା ପରେ ପିଲାମାନଙ୍କ ସହ ମିଶି କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ସେ ପିଲାଙ୍କ ସହିତ କିଛି ସମୟ ବିତାଇବା ମଧ୍ୟରେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଏସ୍‌ଓଏସ୍ ଚିଲଡ୍ରେନ୍‌ସ ଭିଲେଜର ପ୍ରତ୍ୟେକ ପିଲାଙ୍କୁ ନୂତନ ପୋଷାକ ନିମନ୍ତେ ୨,୦୦୦ ଟଙ୍କା ଓ ପିଲାମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ୟେକ ‘ଯଶୋଦା ମା’ଙ୍କୁ ୫,୦୦୦ ଟଙ୍କା ଉପହାର ସଦୃଶ ପ୍ରଦାନ କରିଥିଲେ। ଏସ୍‌ଓଏସ୍ ଭିଲେଜର ନିର୍ଦ୍ଦେଶକ ଅବିନାଶ ହୋତା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସେହିପରି ରାଜ୍ୟପାଳ ଅପରାହ୍ନରେ ଭଗବତୀପୁର ସ୍ଥିତ ଆଦୃତା ଶିଶୁ ସଦନକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହିତ ସମୟ ବିତାଇଥିଲେ। ସେ ସେଠାକାର ପାଠଶାଳା, ପ୍ରାର୍ଥନା ଗୃହ କୃପାସଦନ ଭବନ ଉଦ୍‌ଘାଟନ କରିଥିଲେ। ସେ ଅନ୍ତେବାସୀଙ୍କ ମେଳରେ କେକ୍‌ କାଟିଥିଲେ। ଉପହାର ସ୍ୱରୂପ ରାଜ୍ୟପାଳ ୧୦ ଲକ୍ଷ ଟଙ୍କା ଅନୁଷ୍ଠାନର ଲାଇବ୍ରେରି ପାଇଁ ପ୍ରଦାନ କରିଥିଲେ। ଅନ୍ତେବାସୀଙ୍କ ସହିତ ତାଙ୍କର ମନଖୋଲା ମଧୁର ଆଳାପ ପିଲାଙ୍କୁ ବେଶ୍‌ ଆନନ୍ଦିତ କରିଥିଲା। ଏହି ଅବସରରେ ଆଦୃତା ଶିଶୁସଦନର ସଂପାଦକ ଆଦିତ୍ୟ କୁମାର ମହାନ୍ତି, ନଟବର ମହାନ୍ତି ଓ ଭାବଗ୍ରାହୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ଶିକ୍ଷାବିତ୍, ସମାଜସେବୀ ଓ ଆଖପାଖ ଅଞ୍ଚଳ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

ସକାଳେ ରାଜ୍ୟପାଳ ଶ୍ରୀ ଦାସ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ପୂଜାର୍ଚନା କରିଥିଲେ। ସକାଳ ୯ଟାରେ ସେ ପରିବାର ଲୋକଙ୍କ ସହ ମନ୍ଦିରରେ ପହଞ୍ଚି ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଖକୁ ଯାଇଥିଲେ। ସେଠାରେ ଶ୍ରୀଜିଉଙ୍କୁ ଜଳଲାଗି କରିବା ପରେ ନଡ଼ିଆ ଅର୍ପଣ କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ବଡ଼ ଗଣେଶ, ମା’ ପାର୍ବତୀ, ମା’ ଭୁବନେଶ୍ବରୀଙ୍କ ପାଖରେ ପୂଜା କରିବା ପରେ ନନ୍ଦୀ ଦର୍ଶନ କରି ମନ୍ଦିରରୁ ବାହାରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ତହସିଲଦାର ମାନସ ରଞ୍ଜନ ସ୍ବାଇଁ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର