କ୍ରାଇମିଆ ସେତୁ ବିସ୍ଫୋରଣର ପ୍ରତିଶୋଧ: ୟୁକ୍ରେନ୍‌ର ରାଜଧାନୀ ଓ ଅନ୍ୟାନ୍ୟ ସହର ଉପରେ କ୍ଷେପଣାସ୍ତ୍ର ବୃଷ୍ଟିକଲା ରୁଷ୍‌

ନୂଆଦିଲ୍ଲୀ: ରୁଷ୍‌ ଓ କ୍ରାଇମିଆକୁ ସ‌ଂଯୋଗ କରୁଥିବା କ୍ରଚ୍‌ ସେତୁରେ ଘଟିଥିବା ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କରି ସୋମବାର ଦିନ ରୁଷ୍‌ ରାଜଧାନୀ କିବ୍‌ ସମେତ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷଣ କରିଛି।

ୟୁକ୍ରେନ୍‌ ସେନା କହିଛି ଯେ, ରୁଷ୍‌ ସେମାନଙ୍କ ଉପରକୁ ୮୪ଟି କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରୁଷ୍‌ ବହୁସଂଖ୍ୟକ କ୍ଷେପଣାସ୍ତ୍ର ଓ ଇରାନ୍‌ ନିର୍ମିତ ଡ୍ରୋନ୍‌ ନିକ୍ଷେପ କରିଛି।

ୟୁକ୍ରେନ୍‌ ଅଭ୍ୟନ୍ତର ମନ୍ତ୍ରାଳୟର ଉପଦେଷ୍ଟା ରୋସ୍ତିସ୍ଲାଭ୍‌ ସ୍ମିର୍‌ନୋଭ୍‌ଙ୍କ କହିବା ଅନୁସାରେ, କିଭ୍‌ ଉପ‌ରେ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ‌ କ୍ଷେପଣାସ୍ତ୍ର ମାଡ଼ରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୨୪ଜଣ ଆହତ ହୋଇଛନ୍ତି।

ୟୁକ୍ରେନୀୟ ଜେନେରାଲ୍‌ ଭାଲେରି ଜାଲୁଝ୍‌ନି କହିଛନ୍ତି, ଆତଙ୍କବାଦୀ ଦେଶ ରୁଷ୍‌ ୟୁକ୍ରେନ୍‌ ଭିତରେ ବ୍ୟାପକ କ୍ଷେପଣାସ୍ତ୍ର, ବିମାନ ଓ ଡ୍ରୋନ୍‌ ଆକ୍ରମଣ କରିଛି। ସେଥିରୁ ୪୧ଟିକୁ ଆମ ‘ଏୟାର୍‌ ଡିଫେନ୍‌ସ୍‌’ଦ୍ବାରା ଖସାଇ ଦିଆଯାଇଛି।

Image Courtesy of India Today

ୟୁକ୍ରେନ୍‌ର ଜରୁରୀ ସେବା କହିଛି, ପଶ୍ଚିମର ଲିଭିଭ୍‌ରୁ ଆରମ୍ଭ କରି ପୂର୍ବରେ ଖାର୍କିଭ୍‌ ପର୍ଯ୍ୟନ୍ତ ଅନ୍ୟୂନ ୧୪ଟି ଅଞ୍ଚଳ ଉପରେ ଜଳ, ସ୍ଥଳ ଓ ଆକାଶରୁ ରୁଷ୍‌ କରିଥିବା ଆକ୍ରମଣରେ ସକାଳ ବେଳା ପ୍ରାୟ ୧୦୦ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ୟୁକ୍ରେନ୍‌ର ଆଇନ ପ୍ରବର୍ତ୍ତନର ମୁଖ୍ୟ କହିଛନ୍ତି, ରୁଷୀୟ ଆକ୍ରମଣରେ ୭୦ଟି ଭିତ୍ତିଭୂମି ନ‌ଷ୍ଟ ହୋଇଛି। ସେଥିରୁ ୨୯ଟି ହେଉଛି ଗୁରୁତ୍ବପୂର୍ଣ୍ଣ।

Image Courtesy of CBS News

ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ, ରୁଷ୍‌ ୮୪ଟି କ୍ରୁଜ୍‌ କ୍ଷେପଣାସ୍ତ୍ର ଓ ୨୪ଟି ଡ୍ରୋନ୍‌ ନି‌କ୍ଷେପ କରିଛି। ସେଥିରୁ ୟୁକ୍ରେନୀୟ ସେନା ୫୬ଟି ଖସାଇ ଦେଇଛନ୍ତି।

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ମଧ୍ୟ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ଓ ଜେନେରାଲ୍‌ ଷ୍ଟାଫ୍‌ଙ୍କ ଯୋଜନା ଅନୁସାରେ, ଆଜି ସକାଳେ ୟୁକ୍ରେନ୍‌ର ଶକ୍ତି, ସେନା କମାଣ୍ଡ୍‌ ଏବଂ ଯୋଗାଯୋଗ ବ୍ୟବସ୍ଥା ଉପରେ ଲକ୍ଷ୍ୟଭେଦୀ ଓ ଦୂରଗାମୀ ଅସ୍ତ୍ରଦ୍ବାରା ଆକ୍ରମଣ କରାଯାଇଛି।

ସମ୍ବନ୍ଧିତ ଖବର