ଭୁବନେଶ୍ବର: ବସ୍ଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ଅବା କୌଣସି ସରକାରୀ ଅନୁଷ୍ଠାନ, କେଉଁଠି ବି ବୁଲା କୁକୁର ରହିବେନି। ଯେଉଁଠି ବି ବୁଲା କୁକୁର ଦେଖା ଯାଉଛନ୍ତି, ସେମାନଙ୍କୁ ଧରି ଆଶ୍ରୟସ୍ଥଳୀରେ ଛାଡ଼। ଟିକାକରଣ ଓ ବନ୍ଧ୍ୟାକରଣକୁ ବ୍ୟାପକ କର। ବୁଲା କୁକୁର କାମୁଡ଼ା ସଂଖ୍ୟାର ଚିନ୍ତାଜନକ ସ୍ଥିତିକୁ ଦେଖି ଚଳିତ ମାସ ପ୍ରଥମ ସପ୍ତାହରେ ଏଭଳି କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍କୋର୍ଟ। କିନ୍ତୁ ରାଜ୍ୟ ସରକାର ଅଦ୍ୟାବଧି ସୁପ୍ରିମ୍କୋର୍ଟଙ୍କ ଆଦେଶକୁ କଡ଼ାକଡ଼ି ଅନୁପାଳନ କରିନାହାନ୍ତି। ରାଜଧାନୀ ଭୁବନେଶ୍ବର ଏହାର ଜ୍ବଳନ୍ତ ଉଦାହରଣ। ଭୁବନେଶ୍ବରରେ ଯେଉଁ ଅନୁଷ୍ଠାନମାନେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି, ଅଦ୍ୟାବଧି ସେମାନଙ୍କୁ ଚିହ୍ନଟ କରାଯାଇନି। ସରକାରୀ ଅନୁଷ୍ଠାନ ଆଜି ସୁଦ୍ଧା ବୁଲା କୁକୁରମୁକ୍ତ ହୋଇପାରିନି। ଲୋକଙ୍କୁ ଦେଖିଲେ ବୁଲା କୁକୁର କାମୁଡ଼ି ଗୋଡ଼ାଉଛନ୍ତି।
ସେପଟେ ବିଏମ୍ସି କୁକୁର ବନ୍ଧ୍ୟାକରଣ ଓ ଟୀକାକରଣ କ୍ଷେତ୍ରରେ ବି ଆଶାଜନକ ସଫଳତା ପାଇନି। ସମାନ ସ୍ଥିତି ଅନ୍ୟ ମହାନଗର ଓ ପୌରାଞ୍ଚଳରେ। କେହି ବି ସୁପ୍ରିମ୍କୋର୍ଟଙ୍କ ଆଦେଶକୁ ଗୁରୁତ୍ବ ଦେଉନାହାନ୍ତି। ଏଣୁ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ କଡ଼ା ଭର୍ତ୍ସନାର ଶିକାର ହେବା ଜଳଜଳ ଦିଶିଲାଣି। ଦେଶର ସହରାଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ସବୁଠୁ ବଡ଼ ଚିନ୍ତାର ବିଷୟ। ରାସ୍ତାରେ ଗଲେ, ଏମାନେ କାମୁଡ଼ି ଗୋଡ଼ାଉଛନ୍ତି। ଯେଉଁଥିପାଇଁ କୁକୁର କାମୁଡ଼ା ସଂଖ୍ୟା ତ ବଢ଼ୁଛି, ଏଥିସହ ଦୁର୍ଘଟଣାବି ବଢ଼ିଚାଲିଛି। ଏଣୁ ସୁପ୍ରିମ୍କୋର୍ଟ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣେତେଣେ ବୁଲା କୁକୁରଙ୍କୁ ଖାଇବାକୁ ଦେବାରେ କଟକଣା ଲଗାଇଥିଲେ।
Jihad: ଅତ୍ୟାଚାର ହେଲେ ଜିହାଦ ହେବ
ଆଶ୍ରୟସ୍ଥଳରେ ଛାଡ଼ିବା ପରେ ବୁଲା କୁକୁର ଯେପରି ପୁନର୍ବାର ନିଜ ସ୍ଥାନକୁ ନ ଫେରନ୍ତି, ସେ ଦିଗରେ ଦୃଷ୍ଟି ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଯେଉଁ ସରକାରୀ ଅନୁଷ୍ଠାନ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆଯାଉଛି, ଦୁଇ ସପ୍ତାହ ଭିତରେ ଚିହ୍ନଟ କରି ତାକୁ ବୁଲା କୁକୁରମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ। ସମସ୍ତ ସରକାରୀ ଅନୁଷ୍ଠାନ ସହ ଘରୋଇ ସ୍ପୋର୍ଟସ କମ୍ପ୍ଲେକ୍ସ, ହସ୍ପିଟାଲ, ବସ୍ଷ୍ଟାଣ୍ଡ, ଡିପୋ, ରେଳଷ୍ଟେସନକୁ ବୁଲା କୁକୁରମୁକ୍ତ କରିବାକୁ କହିଥିଲେ। ୮ ସପ୍ତାହ ଭିତରେ ସ୍ଥିତାବସ୍ଥା ଜଣାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପାଇବା ପରେ ବିଏମ୍ସି ବନ୍ଧ୍ୟାକରଣ ଓ ଟୀକାକରଣକୁ ବ୍ୟାପକ କରିବାକୁ ପ୍ରଥମ କରି ରାଜ୍ୟରେ କୁକୁର ଗଣତି କରିଥିଲା। ଗଣତି ପରେ ୪୭ହଜାର ୧୨୬ଟି ବୁଲା କୁକୁର ବିଏମ୍ସି ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଯେଉଁଥିରୁ ୨୭ହଜାର ୧୧୫ଟି ଅଣ୍ଡିରା ଓ ୧୮ହଜାର ୮୮୭ଟି ମାଈ ଥିଲେ। ଏଥିରେ ୧ହଜାର ୧୨୪ଟି ଛୁଆ କୁକୁର ଥିଲେ। ଜନସଂଖ୍ୟା ଓ ବୁଲା କୁକୁରଙ୍କ ଅନୁପାତ ୩.୬୨ ପ୍ରତିଶତ ଥିଲା। କିନ୍ତୁ ସେହି ଅନୁସାରେ ବନ୍ଧ୍ୟାକରଣ ହୋଇନଥିବା ଜଣାପଡ଼ିଥିଲା। ମାତ୍ର ୭,୪୦୩ଟି କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିବା ଜଣାପଡ଼ିଥିଲା। ଯେଉଁଥିରୁ ୪ହଜାର ୬୮ଟି ଅଣ୍ଡିରା ଓ ୩ହଜାର ୩୩୫ଟି ମାଈ ଥିଲେ। ଆହୁରି ୩୯ହଜାର ୭୨୩ଟି କୁକୁରଙ୍କ ବନ୍ଧ୍ୟାକରଣ ବାକି ଥିଲା। ଯେଉଁଥିରେ ୨୩ହଜାର ୪୭ଟି ଅଣ୍ଡିରା ଓ ୧୫ହଜାର ୫୫୨ଟି ମାଈ ଥିଲେ। ହାଇଦ୍ରାବାଦ୍ର ଭେଟ୍ସ ସୋସାଇଟି ଫର୍ ଆନିମଲ୍ ୱେଲ୍ଫେୟାର ଆଣ୍ଡ୍ ରୁରାଲ୍ ଡେଭ୍ଲପ୍ମେଣ୍ଟ ସଂସ୍ଥା ଏହି ଦାୟିତ୍ବ ନେଇଛି। ଚଳିତ ବର୍ଷ ମେ ମାସରୁବିଏମ୍ସି ସହ ଏହି ସଂସ୍ଥା ଚୁକ୍ତି କଲାଣି। ଏହା ପରେ ସମସ୍ତେ ହାତବାନ୍ଧି ବସିଛନ୍ତି।
Software issue on Airbus A320: ଏ୩୨୦ ବିମାନରେ ସଫ୍ଟୱେର ସମସ୍ୟା: ୬ ହଜାର ବିମାନ ପ୍ରଭାବିତ
ବିଏମ୍ସି ଅତିରିକ୍ତ କମିସନର୍ ରତ୍ନାକର ସାହୁ କହିଛନ୍ତି ଯେ ବିଏମ୍ସି ଅଞ୍ଚଳରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଅନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟକୁ ୩/୪ ଦିନ ତଳେ ଆମେ ଚିଠି କରିଛୁ। ଏହି ଅନୁଷ୍ଠାନରୁ ଆମକୁ ଜଣେ ନୋଡାଲ୍ ଅଧିକାରୀ ଦେବାକୁ କୁହାଯାଇଛି। ସିକ୍ୟୁରିଟି ଗାର୍ଡ ଓ ଅନ୍ୟମାନଙ୍କ ନମ୍ବର ଦେବାକୁ କୁହାଯାଇଛି। ମେଡିକାଲ୍ ଓ ଶିକ୍ଷାନୁଷ୍ଠାନରେ ଯେଭଳି ବୁଲା କୁକୁର ପଶି ପାରିବେନି, ସେଥିପାଇଁ ସେମାନଙ୍କ ଫେନ୍ସିଂକୁ ଆହୁରି ସଶକ୍ତ କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ଅଧୀନରେ ଥିବା ଅଞ୍ଚଳକୁ ଜିଲ୍ଲାପାଳଙ୍କ ତରଫରୁ ଓ ଆମ ଅଧୀନରେ ଥିବା ଅଞ୍ଚଳକୁ ଆମ ତରଫରୁ ଚିଠି ଯାଇଛି। ବୁଲା କୁକୁର ବନ୍ଧ୍ୟାକରଣ କାମ ବି ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/30/untitled-16-2025-11-30-05-53-53.jpg)