Importance Of Jhoti: କ’ଣ ରହିଛି ଝୋଟିର ମାହାତ୍ମ୍ୟ, ଆସନ୍ତୁ ଜାଣିବା ଝୋଟି ପକାଇଲେ କ’ଣ ଲାଭ ମିଳୁଛି?

ଓଡ଼ିଶା ସଂସ୍କୃତିର ଭଣ୍ଡାର ତଥା ପରମ୍ପରାର ପରିଚୟ ହେଉଛି ଝୋଟି, ଚିତା ଓ ମୁରୁଜ। ଓଡ଼ିଆ ଘରର ପ୍ରତି ପର୍ବପର୍ବାଣୀ, ବିବାହବ୍ରତ ଓ ଶ୍ରାଦ୍ଧରେ ଚିତା କିମ୍ବା ମୁରୁଜ ପଡ଼େ। ଏହା ବିନା ଯେକୌଣସି ଶୁଭ କାମ ଯେମିତି ଅସମ୍ପୂର୍ଣ୍ଣ।

jhoti

Photograph: (google)

ଓଡ଼ିଶା ସଂସ୍କୃତିର ଭଣ୍ଡାର ତଥା ପରମ୍ପରାର ପରିଚୟ ହେଉଛି ଝୋଟି, ଚିତା ଓ ମୁରୁଜ। ଓଡ଼ିଆ ଘରର ପ୍ରତି ପର୍ବପର୍ବାଣୀ, ବିବାହବ୍ରତ ଓ ଶ୍ରାଦ୍ଧରେ ଚିତା କିମ୍ବା ମୁରୁଜ ପଡ଼େ। ଏହା ବିନା ଯେକୌଣସି ଶୁଭ କାମ ଯେମିତି ଅସମ୍ପୂର୍ଣ୍ଣ। କାରଣ ଏଥିରେ ଲୁଚି ରହିଛି ଆମର ରୁଦ୍ଧିମନ୍ତ ସଂସ୍କୃତି, ପରମ୍ପରା ଓ ଧାର୍ମିକ ତତ୍ତ୍ବ। ଏଥିସହ ଏହି ଝୋଟି, ଚିତା ଓ ମୁରୁଜ ଓଡ଼ିଆଣୀଙ୍କ ଭାବାବେଗର ପରିଚୟ ଦିଏ।
ମାର୍ଗଶିର ମାସ ଗୁରୁବାର ତଥା ମାଣବସାରେ ଘର ଲିପାପୋଛା କରି ଘରେଘରେ ଝୋଟି ପକେଇବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି ବୋଲି ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି। ସେହିଭଳି ବିବାହ, ବ୍ରତ, ବିଭିନ୍ନ ହୋମ, ଯଜ୍ଞ, ସତ୍ୟନାରାୟଣ ପୂଜା, କାର୍ତ୍ତିକ ପଞ୍ଚୁକ ପର୍ବ ଆଦିରେ ମୁରୁଜରେ ଝୋଟି ପକେଇବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ଯାହାକୁ ଶୁଭ ବୋଲି ଗ୍ରହଣ କରାଯାଏ।

ଆହୁରି ପଢ଼ନ୍ତୁ: ବେସରକାରୀ ଡାକ୍ତର ବି କରିପାରିବେ ସରକାରୀ ଡ୍ୟୁଟି!

ଝୋଟି ଦ୍ବାରା ଲାଭ:

ପ୍ରତ୍ୟେକ ଝୋଟି ହେଉଛି ଗୋଟିଏ ଲେଖାଏଁ ସ୍ବତନ୍ତ୍ର ରେଖାଚିତ୍ର। ଅନେକ ରେଖା ସମ୍ବଳିତ ଏହି ରେଖାଚିତ୍ର ବା ଝୋଟିକୁ ଦେଖିଲେ ଆମ ମସ୍ତିଷ୍କରେ ଥିବା ନ୍ୟୁରନ୍‌ଗୁଡ଼ିକ ସକ୍ରିୟ ହୋଇଉଠନ୍ତି, ଯାହା ଯୋଗୁ ମନରେ ଶାନ୍ତି ଆସେ। ଠିକ୍‌ ସେହିପରି ପ୍ରତ୍ୟେକ ଦେବଦେବୀଙ୍କ ନିମନ୍ତେ ମଧ୍ୟ ଏକ ସ୍ବତନ୍ତ୍ର ରେଖାଚିତ୍ର ବା ମଣ୍ଡଳ ଅଛି, ଯଦ୍ଦ୍ବାରା ଉକ୍ତ ଦେବୀ ବା ଦେବତା ସହଜରେ ଆକର୍ଷିତ ହୋଇଥା’ନ୍ତି ଏବଂ ପୂଜା ସଫଳ ହେବାର ଆଶା କରାଯାଏ। ଝୋଟିର ସନ୍ଦର୍ଶନ ଦ୍ୱାରା ଯେ ମନ ଶାନ୍ତ ରୁହେ ବା ପୂଜାପାଠ ସଫଳ ହୁଏ ତା’ ନୁହେଁ, ଏହା ମଧ୍ୟ ଗୃହର ସୌଭାଗ୍ୟ ବଢ଼ାଏ। ଘର ଭିତରେ ଥିବା ନକାରାତ୍ମକ ଶକ୍ତିକୁ ଦୂରେଇ କେବଳ ସକାରାତ୍ମକ ଶକ୍ତିକୁ ଗୃହ ମଧ୍ୟକୁ ଆକର୍ଷଣ କରି ଆଣିପାରିବାର ଶକ୍ତି ଝୋଟିର ଅଛି।

ଭିନ୍ନ ରାଜ୍ୟର ସ୍ବତନ୍ତ୍ର ନାଁ:  

ସେଥିପାଇଁ ଆନ୍ଧ୍ର, ତାମିଲନାଡ଼ୁ, ମହାରାଷ୍ଟ୍ର ଆଦି ରାଜ୍ୟର ପ୍ରାୟ ଗୃହସ୍ଥମାନେ ପ୍ରତିଦିନ ନିଜ ଅଗଣା ବା ଦାଣ୍ଡଦୁଆରେ ମୁରୁଜରେ ଝୋଟି ପକାଇଥା’ନ୍ତି। ବିଭିନ୍ନ ରାଜ୍ୟରେ ଏହାର ସ୍ବତନ୍ତ୍ର ନାଁ ରହିଛି ଯେପରି ତାମିଲନାଡୁରେ ‘କୋଲମ୍‌’, ଝାରଖଣ୍ଡରେ ‘ମଣ୍ଡନା’, ମହାରାଷ୍ଟ୍ରରେ ‘ରଙ୍ଗ୍‌ଭାଲି’, ଆନ୍ଧ୍ରପ୍ରଦେଶରେ ‘ମୁଗ୍ଗୁ’, ରାଜସ୍ଥାନରେ ‘ମାଣ୍ଡନା’, ପଶ୍ଟିମବଙ୍ଗରେ ‘ଆଲ୍‌ପନା’, ବିହାରରେ ‘ଆରିପନା’, ମଧ୍ୟପ୍ରଦେଶରେ ‘ଚୌକପୂର୍ଣ୍ଣା’, ଉତ୍ତରାଖଣ୍ଡରେ ‘ଆଇପନ୍‌’, ଉତ୍ତରପ୍ରଦେଶରେ ‘ସୋନା ରଖନା’ ଇତ୍ୟାଦି।

ଆହୁରି ପଢ଼ନ୍ତୁ: ଡିସେମ୍ବର ୫ ପରେ ପୁଣି ଓଡ଼ିଶାରେ ଶୀତ ଲହରି

ଭିନ୍ନ ଜନଜାତିଙ୍କ ଚିତ୍ରକଳା:

ଝୋଟି ପକାଇବା, ମୁରୁଜ ଦେବା, ଚିତା ପକାଇବା ଆମ ସଂସ୍କୃତିର ଏକ ମହନୀୟ ବିଭବ ଯାହା କେଉଁ ଆଦିମ କାଳରୁ ରହି ଆସିଛି। ଆମ ସାଂସ୍କୃତିକ ଜୀବନରେ ଯେମିତି ପ୍ରତିଟି କ୍ଷେତ୍ରରେ ଝୋଟିର ସ୍ବାତନ୍ତ୍ର୍ୟ ରହିଛି ଆଦିବାସୀ ପରମ୍ପରା ଓ ଚଳଣିରେ ମଧ୍ୟ ଏହା ବେଶ୍‌ ଗୁରୁତ୍ୱ ରଖେ। ଓଡ଼ିଶାରେ ୨୨ ପ୍ରକାର ଜନଜାତି ରହିଛନ୍ତି। ପ୍ରତ୍ୟେକ ଜନଜାତିର ଚିତ୍ରକଳା ସ୍ବତନ୍ତ୍ର। ଏମାନଙ୍କ ଭିତରେ ଶଉରା ଜନଜାତି ଏକ ବଡ଼ ଗୋଷ୍ଠୀ। ସେମାନଙ୍କ ଭିତରେ ଲାଞ୍ଜିଆ ଶଉରା ହେଉଛନ୍ତି ଆଦିମ ଜନଜାତି। ତାଙ୍କର ଚିତ୍ରକଳା ତାଙ୍କ ସାଂସ୍କୃତିକ ଜୀବନର ପ୍ରଧାନ ଅଙ୍ଗ। ଆମେ ଯେମିତି ବାହାଘରରେ ଚିତ୍ର ଆଙ୍କିଥାଉ, ସେମାନେ ସେମିତି ନୂଆଘର କଲେ ଘର ଭିତର କାନ୍ଥରେ ବିଧି ମୁତାବକ ଚିତ୍ର ଆଙ୍କି ବହୁବର୍ଷ ରଖିଥା’ନ୍ତି, ଯାହାକୁ ‘ଇଡିତାଲ’ ବୋଲି କୁହାଯାଏ। ଶଉରା ଭାଷାରେ ଏହାର ଅର୍ଥ କାନ୍ଥଚିତ୍ର।

ଆମେ ଯେମିତି ଚାଉଳକୁ ବାଟି ଝୋଟି ପକାଇବାରେ ବ୍ୟବହାର କରୁ, ସେମାନେ ମଧ୍ୟ ସେମିତି ବ୍ୟବହାର କରନ୍ତି। ଶଉରା ଗୋଷ୍ଠୀର ମୁଖ୍ୟ ପୂଜକ ହେଉଛନ୍ତି ‘କୁଡ଼ାଙ୍ଗା’। ସେମାନେ ଚିତ୍ରଶିଳ୍ପୀ ଭାବେ କାମ କରନ୍ତି। ସେମାନେ ଏହି ଇଡିତାଲ ଚିତ୍ର ଆଙ୍କିଥାଆନ୍ତି। ଇଡିତାଲକୁ ନେଇ ଅନେକ ପ୍ରଥା, ଗାଥା, କଥା ରହିଛି। ଆମେ ଯେମିତି ମାଣବସାରେ ଲକ୍ଷ୍ମୀଙ୍କର ପାଦପଦ୍ମ ଚିତା ପୂଜା କରୁ, ଶଉରାମାନେ ମଧ୍ୟ ଇଡିତାଲକୁ ଇଷ୍ଟଦେବ ରୂପେ ପୂଜା କରନ୍ତି। ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ କନ୍ଧ ଜନଜାତି ମଧ୍ୟ ଓଡ଼ିଶାରେ ସର୍ବାଧିକ। ଏମାନଙ୍କର ଚିତ୍ରକଳା ଝୋଟିକୁ ‘ମାଞ୍ଜିଗୁଣ୍ଡା’ କହନ୍ତି। ଏମାନେ ମଧ୍ୟ ଲକ୍ଷ୍ମୀପୂଜା, ଦଶହରା ଏବଂ ଅନ୍ୟାନ୍ୟ ପର୍ବପର୍ବାଣିମାନଙ୍କରେ ଚାଉଳଚୂନାରେ ପିଠଉ କରି ଝୋଟି ପକାଇଥା’ନ୍ତି। ଆଦିମ ଜନଜାତିମାନଙ୍କ ଭିତରେ କୁଟିଆ କନ୍ଧ ଅନ୍ୟତମ। ସେମାନଙ୍କର ଝୋଟିକୁ ‘ଟିକାଙ୍ଗକୁଡ଼ା’ କୁହାଯାଏ।

ଏମାନେ କେବଳ ହାତରେ ଅଙ୍ଗୁଳିଛିଟା ଓ ଟୋପି ଦ୍ବାରା ଝୋଟି ଆଙ୍କିଥା’ନ୍ତି। କୁଟିଆ କନ୍ଧମାନଙ୍କ ଚିତ୍ରର ଆଉ ଏକ ନମୁନା ହେଉଛି ଦେହରେ ଚିତା କୁଟାଇବା, ଯାହାକୁ ଅଙ୍ଗ ଆଲେଖନ କୁହାଯାଏ। ଦେହର ବିଭିନ୍ନ ଅଂଶରେ ଚିତା କୁଟାଇ ଏମାନେ ଖୁବ୍‌ ଆନନ୍ଦ ପାଆନ୍ତି। ଚିତା କୁଟାଇବା ସେମାନଙ୍କର ପ୍ରଧାନ କଳା ନିଦର୍ଶନ। ଆଦିବାସୀମାନଙ୍କର ଚିତାକୁଟା ବର୍ତ୍ତମାନର ଟାଟୁ ବୋଲି କୁହାଯାଇପାରେ। ସୁନ୍ଦରଗଡ଼ ଜିଲାରେ ବାସ କରୁଥିବା କିଷାନ ଗୋଷ୍ଠୀର ଆଦିବାସୀମାନେ ସ୍ବତନ୍ତ୍ର ଚିତ୍ରକଳା କରିଥାଆନ୍ତି, ଯାହା ତାଙ୍କ ଧାର୍ମିକ ବିଶ୍ୱାସର ପ୍ରତୀକ। ଚିତ୍ର ମାଧ୍ୟମରେ ଆରାଧ୍ୟା ଦେବଦେବୀ ମାନଙ୍କର ରୂପକୁ ପ୍ରତୀକ ଭାବେ ପୂଜା କରନ୍ତି। ପାଉଡ଼ିଭୂୟାଁ ଜନଜାତି ଆଦିବାସୀମାନଙ୍କ ଭିତରେ ଏକ ଆଦିମ ଗୋଷ୍ଠୀ। ଏମାନଙ୍କ ଚିତ୍ରକଳାକୁ ‘ଝାଂଜରା’ ବୋଲି କୁହାଯାଏ। ସାନ୍ତାଳ ଜନଜାତି ଓଡ଼ିଶାରେ ବହୁଳ ଭାବେ ବାସ କରନ୍ତି। ଏମାନଙ୍କ ଚିତ୍ରକଳାକୁ ‘ଚିଇତା’ ବୋଲି କୁହାଯାଏ, ଯାହାକୁ ଆମେ ଚିତା ବୋଲି କହୁ। ଏମାନେ ଘରକୁ ସୁନ୍ଦର ଭାବେ ଲିପା ପୋଛା କରି ଖୁବ୍‌ ସହଜ ଓ ସଂକ୍ଷିପ୍ତ ଢଙ୍ଗରେ ଝୋଟି ଆଙ୍କନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe