Photograph: (google)
ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଶକ୍ତି, ସ୍ଫୁର୍ତ୍ତି, ତେଜ ଓ ଉର୍ଜ୍ଜା ପ୍ରଦାନକାରୀ, ଋତୁ ମାନଙ୍କର ନିୟାମକ ତଥା ନାନାଦି ଧାର୍ମିକ କିମ୍ବଦନ୍ତୀର ଜୀବନ୍ତ ଦେବତା। ସୌରମାସର ଗଣନାରେ ସୂର୍ଯ୍ୟ ବାରଟି ରାଶିଚକ୍ରକୁ ବାରମାସରେ ପରିକ୍ରମା କରନ୍ତି। ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଆସିବା ଦିବସଟିକୁ ‘ମକର ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ସେ ସୂର୍ଯ୍ୟଙ୍କର ପୁତ୍ର ଭାବରେ କଳ୍ପିତ। ଏହିଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ତିଳଜଳ ବା ରାଶି ପଡ଼ିଥିବା ପାଣିରେ ସ୍ନାନ କରି କଳାବସ୍ତ୍ର ପିନ୍ଧନ୍ତି ଏବଂ ଅନ୍ନ, ବସ୍ତ୍ର, ଘୃତ, କମ୍ବଳ ଇତ୍ୟାଦି ଦାନ କରନ୍ତି। ଏପରି କଲେ ଦଶଗୁଣା ଅଧିକ ଫଳ ମିଳେ ବୋଲି କଥିତ ଅଛି।
“ମାଘ ମାସେ ମହାଦେଵଃ ୟୋ ଦାସ୍ୟତି ଘୃତକମ୍ବଳମ୍ସ
ଭୁକ୍ତ୍ଵା ସକଳାନ୍ ଭୋଗାନ୍ ଅନ୍ତେ ମୋକ୍ଷଂ ପ୍ରାପ୍ୟତି”
ଆହୁରି ପଢ଼ନ୍ତୁ: ପିତାମାତାଙ୍କ ପ୍ରତି ଅବହେଳା କଲେ ଦରମା କଟିବ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ
ଭିନ୍ନ ରାଜ୍ୟରେ ଭିନ୍ନ ନାମରେ ଜଣା ଏହି ଦିନ
ମକରସଂକ୍ରାନ୍ତି ଠାରୁ ଶୀତର ପ୍ରକୋପ କମେ, ଦିନ ବଡ଼ ହୁଏ ଏବଂ ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଏ। ତେଣୁ ଖାଦ୍ୟ ତାଲିକା ମଧ୍ୟ ବଦଳେ। ଭାରତର ବିଭିନ୍ନ ରାଜ୍ୟରେ ଏହି ପର୍ବଟିକୁ ଭିନ୍ନ ଭିନ୍ନ ନାମ ଦିଆଯାଇଛି। ଜାମ୍ମୁରେ ଉତ୍ତରେନ ବା ମାଘୀ ସଙ୍ଗରାଦ କୁହାଯାଏ। ପଞ୍ଜାବରେ ଲୋହଡ଼ି, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟଣ, ଡୋଗ୍ରୀ ଏବଂ ହିମାଚଳପ୍ରଦେଶରେ ଖିଚ୍ଡ଼ି ପର୍ବ, ଉତ୍ତରାଖଣ୍ଡରେ ଘୁଘୁତୀୟା ପର୍ବ, ଆସାମରେ ମାଘ ବିହୁ ବା ଭୋଗାଲୀ ବିହୁ, ବିହାରରେ ଦହିଚୁରା, ମିଥିଳାରେ ତିଲସଂକ୍ରାନ୍ତି, ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା (ଏହିଦିନ ଗଙ୍ଗା ଅବତରଣ ହୋଇଥିଲେ ବୋଲି ବିଶ୍ୱାସ ରହିଛି), ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହିଦିନ ଠାରୁ ମାଘମେଳା ଆରମ୍ଭ ହୁଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକରେ ସୁଗଗୀ ହବ୍ବା, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରାନ୍ତି ତଥା ଆମ ଓଡ଼ିଶାରେ ‘ମକର ସଂକ୍ରାନ୍ତି’ ଭାବରେ ପ୍ରସିଦ୍ଧ। ଦକ୍ଷିଣପଶ୍ଚିମ ପଶ୍ଚିମବଙ୍ଗ, ଦକ୍ଷିଣପୂର୍ବ ଝାଡ଼ଖଣ୍ଡ, ପୂର୍ବୋତ୍ତର ଓଡ଼ିଶାରେ ଆଦିବାସୀ ଜନଜାତିର ଭାଇଭଉଣୀମାନେ ଏହି ଦିନଟିକୁ ‘ଟୁସୁ ପର୍ବ’ ଭାବରେ ପାଳନ କରନ୍ତି। ଚାଉଳ ବାହାର କରିବା ସମୟରେ ଯେଉଁ ଧାନକୁଣ୍ଡା ବାହାରେ ତାକୁ ‘ଟସ୍’ କୁହାଯାଏ। ଏହି ଶବ୍ଦରୁ ଟୁସୁପର୍ବର କଳ୍ପନା ହୋଇଛି। ଫସଲକଟାର ଖୁସିରେ ‘ଟୁସୁ’ ପ୍ରତିମା ତିଆରି କରି ତାକୁ ପୂଜା କରାଯାଏ ଏବଂ ବାଜା ନାଚ ସହ ତାକୁ ନଦୀଜଳରେ ବିସର୍ଜନ କରାହୁଏ। ଟୁସୁଗୀତ ମକରସଂକ୍ରାନ୍ତିର କ୍ଷେତ୍ରୀୟ ବିଳାସ।
ଆହୁରି ପଢ଼ନ୍ତୁ: ଜି-୭ ଅର୍ଥମନ୍ତ୍ରୀ ବୈଠକରେ ଯୋଗଦେଲେ ଅଶ୍ବିନୀ ବୈଷ୍ଣବ
ମା’ ଲକ୍ଷ୍ମୀ ବାପଘର ବରୁଣଆଳୟରୁ ଫେରନ୍ତି
ପୁରୀ ଶ୍ରୀମନ୍ଦିରରେ ଏହି ଦିନଟିରେ ମା’ ଲକ୍ଷ୍ମୀ ବାପଘର ବରୁଣଆଳୟରୁ ଫେରନ୍ତି। ବରୁଣରାଜ ନିଜ ଝିଅକୁ ଲୁଣ, ମକରଚାଉଳ ଓ ଦକ୍ଷିଣାବର୍ତ୍ତ ଶଙ୍ଖଟିଏ ଦେଇ ବିଦା କରାନ୍ତି ବୋଲି ଲୋକକଥା ରହିଛି। ମହାପ୍ରଭୁଙ୍କଠାରେ ନୂଆ ଅରୁଆଚାଉଳ, କ୍ଷୀର, ଗୁଡ଼, ଛେନା, ଘିଅ, କଦଳୀ, ନଡ଼ିଆ, ଗୋଲମରିଚ ଗୁଣ୍ଡ ଦିଆ ମକର ଚାଉଳ ଭୋଗ ଲାଗେ। ଘରେ ଘରେ ଖେଚୁଡ଼ି, ରାଶିଜାଉ, ବାଦାମଜାଉ, ମଣ୍ଡାକାକେରା, କ୍ଷୀରି ଇତ୍ୟାଦି ସହ ମକରଚାଉଳ ପ୍ରସ୍ତୁତ ହୁଏ। ଲୋକମାନେ ପରସ୍ପରକୁ ମକରଚାଉଳ ଖୁଆଇ ମକରମିତ ବସନ୍ତି। ଶନିଦେବଙ୍କ ପ୍ରିୟ ରାଶି ଓ ଗୁଡ଼ରେ ରାଶିଲଡୁ ବା ଖସାଲଡୁ ଏହି ପର୍ବର ବିଶେଷ ଭୋଗ ଅଟେ। ଖେଚେଡ଼ି ଖିଆ ଓ ଗୁଡ଼ିଉଡ଼ା ଏହି ପର୍ବର ଅନ୍ୟଏକ ସୁଖଦ ଅନୁଭୂତି। ଓଡ଼ିଆ ସିନେମାର ପ୍ରସିଦ୍ଧ ଗୁଡ଼ି ଗୀତ ‘ଉଡ଼ି ଉଡ଼ି ଉଡ଼ି, ଯା’ ରେ ଉଡ଼ି ଏ ମୋର ଗୁଡ଼ି, ଖା’ ନା ଖା’ ନା ତୁ କାନି’ ସହ କଟକର ମହାନଦୀ ଓ ଭୁବନେଶ୍ୱରର କାଠଯୋଡ଼ି ପଠାରେ ଗୁଡ଼ିଉଡ଼ାର ମହୋତ୍ସବ ଲାଗିଥାଏ। ସାହିତ୍ୟ ଜଗତର ସଂକ୍ରାନ୍ତିପୁରୁଷ ବ୍ୟାସକବି ଫକୀରମୋହନ ସେନାପତି ମକର ସଂକ୍ରାନ୍ତିରେ ଜନ୍ମ ନେଇଥିଲେ।
ଆହୁରି ପଢ଼ନ୍ତୁ: ସମ୍ପର୍କରେ ମତାନ୍ତର ଦେଖାଯାଉଛି କି? ମଧୁରତା ଆଣିବା ପାଇଁ କ’ଣ ରହିଛି ବାସ୍ତୁ ନିୟମ, ଆସନ୍ତୁ ଜାଣିବା...
-
Follow Us