ଜଠରରୁ ଜୁଇ ପର୍ଯ୍ୟନ୍ତ ଯାତ୍ରାରେ ସବୁଠି ଥାଏ ତା’ର ଉପସ୍ଥିତି। ବହୁବିଧ ଭୂମିକାରେ ଅବତୀର୍ଣ୍ଣ ହୋଇ ଜୀବନଯାତ୍ରାକୁ ସହଜ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରେ ସିଏ। ଏଣୁ କେବଳ ଗୋଟିଏ ଦିନ ବା ସପ୍ତାହ ନୁହେଁ, ବର୍ଷର ୩୬୫ ଦିନ ତା’ର... ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ନାରୀମାନଙ୍କୁ ନେଇ ନିଜ ଅଭିମତ ରଖିଛନ୍ତି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଆମ ସମୟର କେତେଜଣ ବିଶିଷ୍ଟ ବ୍ୟକ୍ତି...
ଉପସ୍ଥାପନା: ଶୁଭଶ୍ରୀ ଲେଙ୍କା
ନାରୀ ପୁରୁଷର ଅନୁପୂରକ ପାଲଟି ଯାଇଛି
ସୃଷ୍ଟି ଆରମ୍ଭରେ ଈଶ୍ୱରଙ୍କ କଳ୍ପନାରେ ଥିଲା ଏକ ସୁନ୍ଦର ପୃଥିବୀ, ଯେଉଁଠି ସ୍ନିଗ୍ଧ ସହାବସ୍ଥାନ ଥିବ ପୁରୁଷ ଓ ନାରୀର; ପରସ୍ପରର ପରିପୂରକ ହିସାବରେ। ସେହି ସମ୍ପର୍କ ଏବେ ବି ରହିଛି ପଶୁପକ୍ଷୀଙ୍କ ଜୀବନରେ, ସେହି ସମତା। ଉତ୍ପୀଡ଼ନ-ବିହୀନ ସମ୍ପର୍କ। କିନ୍ତୁ ମଣିଷ ଜୀବନରେ ତାହା ନାହିଁ। ନାରୀ ପରିପୂରକ ନ ହୋଇ ପୁରୁଷର ଅନୁପୂରକ ପାଲଟି ଯାଇଛି। କୁହାଯାଏ, ମଣିଷ ଗଢ଼ିଥିବା ସମାଜ ନାରୀର ଅଧିକାର ଓ ଅସ୍ମିତାକୁ କ୍ଷୁଣ୍ଣ କରିଛି। କିନ୍ତୁ ସମାଜ ତ ଏକ ଅଦୃଶ୍ୟ ଅନୁଷ୍ଠାନ, ଥିବା ନ ଥିବା ସମାନ। ମଣିଷର ଜନ୍ମ-ମୃତ୍ୟୁ ପରିବାର ଭିତରେ। ପରିବାର ହିଁ ଜୀବନ। ନାରୀ ଓ ପୁରୁଷ ଭିତରର ବୈଷମ୍ୟ ଓ ଶୋଷଣକୁ ପରିବାର ହିଁ ପ୍ରଶ୍ରୟ ଦେଇଥାଏ। ପରିବାର ଯଦି ନାରୀତ୍ବର ସମ୍ମାନ ଦିଏ, ଉଚ୍ଚାରଣ ଓ ଆଚରଣରେ, ତେବେ ଲିଙ୍ଗ-ଭେଦ ନିଶ୍ଚିହ୍ନ ହୋଇପାରିବ। ସମତା ଆସିପାରିବ। ସମାଜର ନାମ ନେଇ ଯେଉଁ ପୁରୁଷ-ଗୋଷ୍ଠୀ ନାରୀ ସୁରକ୍ଷା ଓ ସ୍ଥାନ-ସଂରକ୍ଷଣ ଆଦି ସ୍ଲୋଗାନ୍ ଦେଉଛନ୍ତି, ତାହା ନାରୀକୁ କେବଳ ବାଟବଣା କରିବା ପାଇଁ, ଶୋଷଣକୁ ପରିପୁଷ୍ଟ କରିବା ପାଇଁ।
-ତରୁଣକାନ୍ତି ମିଶ୍ର, ସୁସାହିତ୍ୟିକ
ସମାଜରେ ଲିଙ୍ଗଗତ ସମୀକରଣ ବଦଳୁଛି
‘ପୁଅମାନେ ରୋଷେଇ ଶିଖନ୍ତୁ’ କହି କେତେକ ପୁରୁଷବାଦୀ ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହୋଇଥିଲି। ମହିଳାମାନେ ନିଜର କାର୍ଯ୍ୟ ପରିସୀମାକୁ ବଢ଼େଇ ଚାଲିଛନ୍ତି; ଏଭଳି କୌଣସି କ୍ଷେତ୍ର ନାହିଁ ଯାହା ମହିଳାଙ୍କ ପାଇଁ ଅସ୍ପୃଶ୍ୟ ହୋଇ ରହିଛି। ନିଜର ପାରମ୍ପରିକ ଦାୟିତ୍ୱ ଭାବେ ପରିବାରର ଯତ୍ନ ନେବା ସଙ୍ଗେ ସଙ୍ଗେ ଘର ବାହାରେ ଉପାର୍ଜନ କରୁଛନ୍ତି। ପୁରୁଷମାନେ କିନ୍ତୁ ମହିଳାଙ୍କ ପାରମ୍ପରିକ କାମ କରିବାକୁ ଏବେ ବି ଅମଙ୍ଗ। ତେଣୁ ସେମାନେ ନିଜ କାର୍ଯ୍ୟ ପରିସର ବୃଦ୍ଧି କରି ପାରିନାହାନ୍ତି। ଝିଅମାନେ ପାଠରେ ପୁଅଙ୍କଠାରୁ ଭଲ କରୁଛନ୍ତି। ଅନ୍ୟପକ୍ଷରେ ପୁରୁଷମାନେ ଏବେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ବହୁ ଆଗରେ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ନଆଣିଲେ ପୁଅମାନେ ପାଠରେ ପଛରେ ରହିବେ ଏବଂ ଅନେକ ହତାଶ ପୁରୁଷ ସୃଷ୍ଟି ହେବେ, ଯାହା ସମାଜରେ ଅସଙ୍ଗତି ସୃଷ୍ଟି କରିବ। ସେହିଭଳି କାର୍ଯ୍ୟକ୍ଷେତ୍ର ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ନଆସିଲେ ମହିଳାମାନେ ପୁରୁଷଙ୍କଠାରୁ ରାଜନୀତି, ବ୍ୟବସାୟ, ଗବେଷଣା, ସାହିତ୍ୟ, କଳା, ସାମ୍ବାଦିକତା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପଛରେ ରହିଯିବେ। ଏ ପ୍ରସଙ୍ଗଗୁଡ଼ିକରେ ନୂଆ ବିତର୍କର ଆବଶ୍ୟକତା ଅଛି। ଅନେକ ଲୋକ ଏବେବି ଏହି ପରିବର୍ତ୍ତିତ ପରିସ୍ଥିତି ବୁଝୁନାହାନ୍ତି। ତେଣୁ ଏ ପ୍ରସଙ୍ଗଗୁଡ଼ିକରେ ଆଲୋଚନା ଦିଗହରା ହେଉଛି।
-ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ପୁଲିସ ପ୍ରଶାସକ
/filters:format(webp)/sambad/media/media_files/2026/03/09/dagaddzvc-2026-03-09-02-19-12.jpg)
ମହିଳାମାନେ ସକ୍ରିୟ ହେଲେ ଗ୍ରାମସଭା ସାର୍ଥକ ହୁଏ
ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ ଓଡ଼ିଶାର ସମସ୍ତ ମହିଳା ପଞ୍ଚାୟତ ନେତୃତ୍ୱଙ୍କୁ ମୋର ଅଭିନନ୍ଦନ ଓ ଗଭୀର ସମ୍ମାନ। ଆପଣମାନଙ୍କ ସକ୍ରିୟ ନେତୃତ୍ୱ ଗ୍ରାମୀଣ ଲୋକତନ୍ତ୍ରକୁ ସଶକ୍ତ କରୁଛି। ମହିଳାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କଲେ ଗ୍ରାମସଭା ସାର୍ଥକ ହୁଏ ଏବଂ ଏହା ମହିଳା ସଭାର ଶକ୍ତିରେ ପରିଣତ ହୁଏ। ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ସହ କ୍ଲାଇମେଟ୍ ସ୍ମାର୍ଟ ପଞ୍ଚାୟତ ଗଢ଼ି ଆପଣମାନେ ପଞ୍ଚାୟତ ବିକାଶର ନୂଆ ପରିଭାଷା ସୃଷ୍ଟି କରୁଛନ୍ତି। ମହିଳା ନେତୃତ୍ୱରେ ଗ୍ରାମ ଉନ୍ନତି, ନ୍ୟାୟ ଓ ସମୃଦ୍ଧିର ନୂଆ ପଥ ଖୋଲିଥାଏ।
-ଜଗଦ୍ଦାନନ୍ଦ, ମାର୍ଗଦର୍ଶକ, ସିୱାଇଏସ୍ଡି
Mamata calls in special forces: ପଶ୍ଚିମବଙ୍ଗରୁ ଦିଲ୍ଲୀକୁ ସ୍ୱତନ୍ତ୍ର ବାହିନୀ ଡକାଇଲେ ମମତା
ନାରୀ ହେଉଛନ୍ତି ଶକ୍ତିର ଅନ୍ୟନାମ
ନାରୀ ହେଉଛନ୍ତି ଘରର ଆଲୋକ। ସେ ମା’ ଭାବେ ସ୍ନେହ ଦିଅନ୍ତି, ଭଉଣୀ ଭାବେ ସାଥୀ ହୁଅନ୍ତି, ସ୍ତ୍ରୀ ଭାବେ ଶକ୍ତି ଦିଅନ୍ତି, କନ୍ୟା ଭାବେ ସ୍ୱପ୍ନ ଦେଖାନ୍ତି। ସେମାନଙ୍କ ତ୍ୟାଗ, ସହନଶୀଳତା ଓ ନିରବ ପରିଶ୍ରମ ଆମ ଜୀବନକୁ ସୁନ୍ଦର କରେ। ଆଜି ଆମ ଦେଶର ଅନେକ ନାରୀ ନିଜ ପରିଶ୍ରମ ଓ ସାହସରେ ବିଶ୍ୱମଞ୍ଚରେ ଭାରତର ପତାକାକୁ ଉଚ୍ଚ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ପି. ଭି. ସିନ୍ଧୁ ଓ ମ୍ୟାରି େକାମ୍ ଦେଶକୁ ଗର୍ବିତ କରିଛନ୍ତି। ବିଜ୍ଞାନ ଓ ଅନ୍ତରୀକ୍ଷରେ କଳ୍ପନା ଚାୱଲା ଅସୀମ ଆକାଶକୁ ଛୁଇଁ ନୂଆ ସ୍ୱପ୍ନ ଦେଖାଇଥିଲେ। ନେତୃତ୍ୱ ନେବାରେ ଇନ୍ଦିରା ଗାନ୍ଧୀ ଓ ଆମ ଓଡ଼ିଶାର ଗର୍ବ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ସଙ୍କଳ୍ପ ଓ ସାହସର ଉଦାହରଣ। ଆମ ଓଡ଼ିଶାର କ୍ରୀଡ଼ା ଜଗତରେ ମଧ୍ୟ ଅନେକ ନାରୀ ନିଜ ପ୍ରତିଭାରେ ରାଜ୍ୟକୁ ଗର୍ବିତ କରିଛନ୍ତି। ହକିରେ ଦୀପ୍ଗ୍ରେସ୍ ଏକା ଓ ଲିଲିମା ମିଞ୍ଜ, ଆଥ୍ଲେଟିକ୍ସରେ ଶ୍ରାବଣୀ ନନ୍ଦ ଏବଂ ଅନ୍ୟାନ୍ୟ ପ୍ରତିଭାଶାଳୀ ଖେଳାଳି ଯଥା ସୁନେଲିତା ଟପ୍ପୋ ଓ ପଦ୍ମିନୀ ରାଉତ ନିଜ ସଂଘର୍ଷ ଓ ସଫଳତାରେ ଯୁବତୀମାନଙ୍କୁ ପ୍ରେରଣା ଦେଉଛନ୍ତି। ପ୍ରତ୍ୟେକ ଘରର ମା’, ଭଉଣୀ ଓ କନ୍ୟା ମଧ୍ୟ ନିଜ ଜୀବନରେ ଏକ ନାୟିକା। ସେମାନଙ୍କ ତ୍ୟାଗ, ସ୍ନେହ ଓ ଅଦମ୍ୟ ସାହସ ଆମ ସମାଜକୁ ଆଗକୁ ନେଉଛି। ଆସନ୍ତୁ, ଆମେ ସମସ୍ତେ ନାରୀଙ୍କୁ ସମ୍ମାନ କରିବା, ସେମାନଙ୍କ ସ୍ୱପ୍ନକୁ ବୁଝିବା ଓ ସାଥୀ ହେବା। ନାରୀ ହେଉଛନ୍ତି ଶକ୍ତି, ନାରୀ ହେଉଛନ୍ତି ପ୍ରେମ, ନାରୀ ହେଉଛନ୍ତି ଜୀବନର ଆଧାର। ସମସ୍ତ ନାରୀଙ୍କୁ ଶତ ଶତ ପ୍ରଣାମ।
-ଦିଲ୍ଲୀପ ତିର୍କୀ, ପୂର୍ବତନ ସାଂସଦ ଓ କ୍ରୀଡ଼ାବିତ୍
ପରମ୍ପରା ଓ ପରିବର୍ତ୍ତନର ପରିବାହକ ହେଉଛି ନାରୀ
ମୋ ଦୃଷ୍ଟିରେ ନାରୀ ଈଶ୍ୱରୀୟ ଗୁପ୍ତ ଶକ୍ତିର ଅଫୁରନ୍ତ ଉତ୍ସ। ପ୍ରତି ପୁରୁଷର ଜୀବନ କାହାଣୀରେ ନାରୀ କେବଳ ଚରିତ୍ରଟିଏ ନୁହେଁ ବରଂ କାହାଣୀ ସ୍ୱରୂପର ସେ ଆଧାର ଓ ଶକ୍ତି। ଆମ ସମାଜର ପରମ୍ପରା ଓ ପରିବର୍ତ୍ତନର ପରିବାହକ ହେଉଛି ନାରୀ। ଭାରତୀୟ ପରିବାରରେ ନାରୀର ସହନଶୀଳତା ଓ ତ୍ୟାଗର ସୁବିସ୍ତୃତ କାହାଣୀ ରହିଛି। କିନ୍ତୁ ଅଧିକାଂଶ ସଦସ୍ୟ ସେ କାହାଣୀକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅଥଚ ପରିବାରର ସଂସ୍କାର ଓ ନୈତିକତାର ଭୂମି ହେଉଛି ସେହି କାହାଣୀ। ମୁଁ ମୋର ଚଳଚ୍ଚିତ୍ରରେ ନାରୀର ସହନଶୀଳତା ଓ ତ୍ୟାଗର କାହାଣୀକୁ ଚିତ୍ରିତ କରିଛି। ତାହା ‘ସବୁ ମାୟାରେ ବାୟା’ ହେଉ ବା ‘ବୋଉ’ ବା ନିକଟରେ ମୁକ୍ତିଲାଭ କରିଥିବା ‘ଅନନ୍ତା’। ମୁଁ ମୋ ଚଳଚ୍ଚିତ୍ରରେ ନାରୀକୁ ଅଳଙ୍କାରରେ ସୀମିତ ରଖି ତା’ର ନିରବତାକୁ ସ୍ୱରରେ ରୂପାନ୍ତରିତ କରିଛି। ନାରୀର ସଂଘର୍ଷ ଓ ମାନସିକତାକୁ ଦୃଶ୍ୟାୟିତ କରିଛି। ମୋର ମନେହୁଏ ନାରୀ ନିଜେ ହିଁ ସଂଘର୍ଷ, ସହନଶୀଳତା, ତ୍ୟାଗ, ଉତ୍ସବ ଓ ନିରବତାର ଦୃଶ୍ୟ ଏବଂ ସେ ଦୃଶ୍ୟସବୁକୁ ମୁଁ ମୋର ଚଳଚ୍ଚିତ୍ରରେ ପର୍ଦ୍ଦାୟିତ କରିଛି।
-ସବ୍ୟସାଚୀ ମହାପାତ୍ର, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ
/filters:format(webp)/sambad/media/media_files/2026/03/09/dagdagdzcv-2026-03-09-02-19-25.jpg)
ମାତୃସୁଲଭ ଗୁଣ ଈଶ୍ୱରଦତ୍ତ
ମୋର ବୁଦ୍ଧି ହେବା ଦିନରୁ ଯାହା ସହିତ ମୋର ପରିଚୟ ସେ ମୋ ବୋଉ। ତା’ କୋଳରେ ବଢ଼ିଲା ଦିନୁ ମୁଁ ଅନୁଭବ କରିଛି ବୋଉର ଅଭିଧାନରେ ଅସମ୍ଭବ ନାମକ ଶବ୍ଦଟିଏ ନାହିଁ। ଆଈ, ଜେଜେମା’ଙ୍କଠୁ ଆରମ୍ଭ କରି ମାଉସୀ, ପିଉସୀନାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିରୁତା ସ୍ନେହ ଅଜାଡ଼ି ଦେବାରେ ସିଦ୍ଧହସ୍ତ। ମୋ ଦୃଷ୍ଟିରେ ନାରୀ ସ୍ନେହ ପରଷିଦେବାରେ ଅତି କୋମଳ, ତ୍ୟାଗ ଓ ସହିବାରେ ସେ ଅତୁଳନୀୟ; ପୁଣି ସଭିଙ୍କର କଲ୍ୟାଣ ସାଧନ ପାଇଁ ତା’ର ଅଙ୍ଗୀକାରବଦ୍ଧତା ବଜ୍ର ପରି ଅତି କଠିନ। ନିକଟରେ ଏକ ପୁତ୍ର ସନ୍ତାନ ପ୍ରାପ୍ତିର ଅବସର ମତେ ଆହୁରି ନିକଟତର କରିଦେଇଚି ମାତୃତ୍ୱର ଯାତ୍ରାକୁ ଉପଲବ୍ଧି କରିବାପାଇଁ। ଦେଖିବାକୁ ଗଲେ ନାରୀ ଅଛି ବୋଲି ସୃଷ୍ଟି ଅଛି। ଭଗବାନ ଅବତାର ନେଇ ମର୍ତ୍ତ୍ୟକୁ ଆସିବାପାଇଁ ଚାହିଲେ ମା’ ହିଁ ହୁଏ ମାଧ୍ୟମ। ପରିବାରକୁ ସଜାଡ଼ିବା ଦ୍ବାରା ନାରୀମାନେ ସମାଜକୁ ସଜାଡ଼ିପାରନ୍ତି। ଆଜି ପୁରୁଷ ନାରୀଙ୍କର ଯେଉଁ ସାମ୍ୟର ପ୍ରଶ୍ନ ଉଠୁଛି ତାହା ଆମ ମାଟିର ନିଜସ୍ବ କଥା ନୁହେଁ। ନାରୀର ସ୍ଥାନ ସବୁକାଳରେ ସବୁ ଦ୍ୱନ୍ଦ୍ବରୁ ଊର୍ଦ୍ଧ୍ୱରେ। ତେବେ ସାମାଜିକ ସ୍ଥିତିକୁ ଭିତ୍ତି କରି ନାରୀମାନେ ଏବେବି ଯେଉଁ ଶୋଷଣ କଷଣର ଶିକାର ହେଉଛନ୍ତି ତାହା କ’ଣ କେବଳ ନାରୀଜାତିର ସମସ୍ୟା? ବରଂ ଏହା ହେଉଛି ସମଗ୍ର ମାନବଜାତିର ସମସ୍ୟା। ସକଳ ନାରୀସତ୍ତା କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେହି ଦିଗରେ କି ନାରୀ କି ପୁରୁଷ ସମସ୍ତେ ସଚେତନ ହେବା ସ୍ପୃହଣୀୟ।
- ସବ୍ୟସାଚୀ ମିଶ୍ର, ସୁଖ୍ୟାତ ଅଭିନେତା
ନାରୀ ସୃଜନର ପ୍ରତୀକ
ନାରୀ ହିଁ ସୃଜନର ପ୍ରତୀକ। ଯେକୌଣସି ସୃଜନଶୀଳ ବ୍ୟକ୍ତି ନାରୀଙ୍କୁ ଆବହମାନ କାଳରୁ ଅଗ୍ରାଧିକାର ଦେଇ ଆସିଛନ୍ତି। ଦେବୀ ସରସ୍ବତୀଙ୍କ ବିନା କୃପାରେ କୌଣସି କବି, କଳାକାର କେବେ ବି ସୃଷ୍ଟି ହୋଇପାରିନାହାନ୍ତି, ସେଥିରୁ ମୁଁ ବା ବାଦ୍ ପଡ଼ନ୍ତି କେମିତି? କୌଣସି ବିଜ୍ଞାପନ, ଚଳଚ୍ଚିତ୍ର ବା ପ୍ରେମ ସଂଗୀତ ବିନା ନାରୀର ସହଯୋଗ ଅସଂପୂର୍ଣ୍ଣ। ବିଶେଷକରି ଯେତେବେଳେ ମୁଁ ସଂଗୀତ କଥା ଭାବେ ବିନା ନାରୀ ଚରିତ୍ରରେ ପ୍ରେମ ସଂଗୀତ ଅସମ୍ଭବ, ସେ ଲେଖାରେ ହେଉ ବା ସ୍ବରରେ ହେଉ। ନାରୀ ବିବିଧବର୍ଣ୍ଣା, ଜନନୀ, ଭଗିନୀ, ଜାୟା ଭାବରେ ଅନେକ ସ୍ଥାନରେ ବିସ୍ମୃତ ଭାବରେ ଆଲୋଚିତା। ଶାସ୍ତ୍ରୀୟ ମତରେ ଶିବଙ୍କର ଅର୍ଦ୍ଧନାରୀଶ୍ବର, ବିଷ୍ଣୁଙ୍କର ମୋହିନୀ ରୂପ ସର୍ବଜନବିଦିତ। ନିଜେ ନାରୀ ହିଁ ସ୍ବୟଂସମ୍ପୂର୍ଣ୍ଣା ଯିଏକି ପୁରୁଷକୁ ଜନ୍ମଦିଏ। ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସରେ ମୋର ସମସ୍ତ ନାରୀ-ଜଗତକୁ ଭକ୍ତି ଓ ପ୍ରେମପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ।
-ଓମ୍ପ୍ରକାଶ ମହାନ୍ତି, ବିଶିଷ୍ଟ ସଂଗୀତଜ୍ଞ
Rajinikanth Birthday Special: ଓଟିଟିରେ ରଜନୀକାନ୍ତଙ୍କ ସିନେମା: ଜନ୍ମଦିନ ସ୍ପେଶାଲ୍
ସବୁକିଛି ସଜାଡ଼ିଦେବା ଝିଅମାନଙ୍କ ଅଭ୍ୟାସ
“ଦେଇଥିଲେ ପାଇ!”: ନାରୀ ହିଁ ଆମ ଜୀବନର ଉତ୍ସ। ନାରୀଟିଏ ଅତି ନିଃସ୍ୱାର୍ଥପର ଭାବେ ସବୁକିଛି ଦେଇଚାଲେ। ତା’ର ସେବା, ଭଲପାଇବା, ଅନ୍ୟ ପ୍ରତି କର୍ତ୍ତବ୍ୟ, ତା’ର ରୋଜଗାର, ଏମିତିକି ତା’ର ନିଦ, ସ୍ୱପ୍ନ ଆଉ ତା’ର ଗହଣାକୁ ବି ସିଏ ବନ୍ଧା ପକେଇଦିଏ; ଅନ୍ୟକୁ ସୁଖରେ ଦେଖିବା ପାଇଁ। ଆଜି ଯାଏ ଆମେ ଯାହାବି ହେଇଚୁ, ସେଥିପାଇଁ ଆମ ମା’, ଖୁଡ଼ୀ, ଭଉଣୀ, ପିଉସୀ, ସ୍ତ୍ରୀ, ପ୍ରେମିକା, ଏମିତିକି ଯୋଉ ସ୍ତ୍ରୀ ଲୋକଟି ଆସି ପିଲାଟିକୁ ତେଲ ଘଷିଦିଏ, ତାକୁ କାଖ କରି ବୁଲାଏ, ତା’ ସାଙ୍ଗେ ଖେଳଣା ହେଇ ଖେଳେ, ସେମାନଙ୍କ ଅବଦାନ ଆମ ପାଇଁ ନିରନ୍ତର ରହିଛି। ଆମେ ଦେଖିଛୁ ନାରୀଟିଏ ଅନ୍ୟକୁ ଖାଇବା ବାଢ଼ିଦେଇ ନିଜେ ଉପାସ ରହିବାର। ସବୁକିଛି ସଜାଡ଼ିଦେବା ଝିଅମାନଙ୍କ ଅଭ୍ୟାସ। ସେମାନେ ଆମ ଜୀବନକୁ ସଜାଡ଼ି ଦିଅନ୍ତି। ହେଲେ ସମାଜ ନାରୀକୁ ସଦାବେଳେ ତା’ କର୍ତ୍ତବ୍ୟ ବାବଦରେ ସଚେତନ କରିଥାଏ, ତା’ ଅଧିକାର ବାବଦରେ ନୁହେଁ। ସମସ୍ତେ ନାରୀକୁ ଆଉଟିକେ ଅଧିକ ସମ୍ମାନ ଦେବାର ଅଭ୍ୟାସ ବଢ଼େଇ ପାରିଲେ, ଏ ସମାଜ ଆଉଟିକେ ସୁନ୍ଦର ହେଇପାରିବ, ଆମେ ଆଉଟିକେ ଅଧିକ ମଣିଷ ହେଇପାରିବା। ଗୋଟିଏ କଥା ମନେ ପଡୁଛି, ଆମେ ରୁଟି ଖାଇଲା ବେଳେ ରୁଟି ସାଙ୍ଗେ ମିଶିଥିବା ଚୁଡ଼ିର ରୁଣୁଝୁଣୁ ଆମକୁ ଶୁଭୁଛି ନା ନାଇଁ!
-ଡଃ ଶକ୍ତି ମହାନ୍ତି, କବି ଓ କଥାକାର
Follow Us