ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ହକି ସେଣ୍ଟର ଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପୁରୁଷ ହକି ମ୍ୟାଚ୍ରେ ଭାରତୀୟ ଦଳ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ପୁଲ ବି ରେ ଥିବା ଭାରତ ତାର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ୨-୨ ଗୋଲରେ ଖେଳକୁ ଡ୍ର ରଖିଥିଲା। ପରେ େଓ୍ଵଲ୍ସକୁ ୪-୩ ଗୋଲରେ ପରାସ୍ତ କରିଥିବା ଭାରତ ଆଜି ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲ ପାଇଁ ନିଜକୁ ସୁରକ୍ଷିତ ରଖିଛି। ଏହି ପୁଲରେ ଭାରତ ଶେଷରେ ଇଂଲଣ୍ଡକୁ ଭେଟିବ।
ଖେଳା ଆରମ୍ଭ ତୃତୀୟ ମିନିଟ୍ରେ ହରମନପ୍ରୀତ ସିଂହଙ୍କ ସୁନ୍ଦର ଡ୍ରାଗ୍ ପ୍ଲିକ୍ ଜରିଆରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧର ଆରମ୍ଭରେ ମାଲେସିଆର ଫୈଜଲ ସାରି ଫିଲଡ ଗୋଲ ଜରିଆରେ ସ୍ଥିତି ବରାବର କରି ଦେଇଥିଲେ। ତେବେ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହିତ ମାଲେସିଆର ସୁରକ୍ଷା ବଳୟକୁ ବାରମ୍ବାର ଭାଙ୍ଗିବାର ସଫଳ ହୋଇଥିଲା। ଭାରତ ଏଥିପାଇଁ ୭ଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ତେବେ ଖେଳର ୪୩ ତମ ମିନିଟରେ ହରମିନପ୍ରୀତ ସିଂହ ପୁଣି ଥରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୨-୧ ଗୋଲରେ ବିଜୟୀ କରିଥିଲେ।