ବ୍ରହ୍ମପୁର/ଛତ୍ରପୁର: ଆସନ୍ତା ଜୁନ୍ ମାସରେ ରାଜ୍ୟ ଦେଖିବ ପୌର ନିର୍ବାଚନ। ନୂତନ ଘୋଷିତ ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ। ନିୟମାନୁସାରେ, ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା। ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୪ଟି ନୂଆ ଏନ୍ଏସି ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେଣୁ ଆସନ୍ତା ଜୁନ୍ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ଚିଠି ଲେଖି ଅବଗତ କରିଛନ୍ତି।
ଆଜି ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ। ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଓ ନିର୍ବାଚନ କମିସନରଙ୍କ ସଚିବ ସନ୍ତୋଷ ଦାସଙ୍କ ସମେତ ଡିଭିଜନ୍ ଅନ୍ତର୍ଗତ ସମସ୍ତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମ କମିସନର ଉପସ୍ଥିତ ଥିଲେ। ନୂତନ ଏନ୍ଏସି ଓ ପୌରପାଳିକାରେ ଆସନ୍ତା ଜୁନ୍ ସୁଦ୍ଧା ନିର୍ବାଚନ ସରିବ ବୋଲି ଶ୍ରୀ ପାଢ଼ୀ ସଙ୍କେତ ଦେଇଛନ୍ତି। ୧୪ଟି ଜିଲ୍ଲାର ଘୋଷିତ ୨୪ଟି ଏନ୍ଏସିରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ। ଏହାପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଭୋଟର ତାଲିକା ପ୍ରସ୍ତୁତି ଲାଗି ୪୫ ଦିନ ଓ ଭୋଟ୍ ପ୍ରକ୍ରିୟା ଲାଗି ୩୫ ଦିନ ଲାଗିବ। ଫଳରେ ଜୁନ୍ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ଡିସେମ୍ବର ମାସରେ ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଳି ଓ ବୀରମହାରାଜପୁରକୁ ରାଜ୍ୟ ସରକାର ଏନ୍ଏସି ମାନ୍ୟତା ପ୍ରଦାନ କରିଛନ୍ତି।
ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି
ଡିସେମ୍ବରରେ ଘୋଷଣା ହୋଇଛି ୨୪ ଏନ୍ଏସି
୨୦୨୭ ଫେବ୍ରୁଆରି ସୁଦ୍ଧା ପଞ୍ଚାୟତ ନିର୍ବାଚନ
ମହାନଗର ନିଗମ ନିର୍ବାଚନ ଏପ୍ରିଲ୍ରେ ସରିବ
ଡିସେମ୍ବରରେ ଘୋଷଣା ହୋଇଛି ୨୪ ଏନ୍ଏସି
୨୦୨୭ ଫେବ୍ରୁଆରି ସୁଦ୍ଧା ପଞ୍ଚାୟତ ନିର୍ବାଚନ
ମହାନଗର ନିଗମ ନିର୍ବାଚନ ଏପ୍ରିଲ୍ରେ ସରିବ
ଅନ୍ୟପକ୍ଷରେ ଆସନ୍ତାବର୍ଷ ମାର୍ଚ୍ଚରେ ପଞ୍ଚାୟତ ସମିତି ଓ ଏପ୍ରିଲ୍ରେ ପୌର ପରିଷଦ କାର୍ଯ୍ୟକାଳ ଶେଷ ହେଉଛି। ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର। ୨୦୨୭ ଫେବ୍ରୁଆରି ସୁଦ୍ଧା ପଞ୍ଚାୟତ ନିର୍ବାଚନ, ମାର୍ଚ୍ଚ ସୁଦ୍ଧା ପୌର ନିର୍ବାଚନ ଏବଂ ଏପ୍ରିଲରେ ମହାନଗର ନିଗମର ନିର୍ବାଚନ ସରିବ। ସମସ୍ତ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ଲାଗି ପଦକ୍ଷେପ ନେବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗତ ନିର୍ବାଚନରେ ହୋଇଥିବା ତ୍ରୁଟି ଓ ଆଗାମୀ ଦିନର ଆହ୍ବାନକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଘରକୁ ଘର ଯାଇ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବୁଥ୍ସ୍ତରରେ ସର୍ଭେ, ବାଲଟ୍ ବାକ୍ସ ଓ ଇଭିଏମ୍ର ଅବସ୍ଥିତି ଯାଞ୍ଚ ସହ ଟେମ୍ପୋରାରି ବୁଥ୍ ବନ୍ଦ ଲାଗି ଏଥିରେ ନିଷ୍ପତ୍ତି ହୋଇଛି। ନିର୍ବାଚନରେ ବିଏଲ୍ଓମାନଙ୍କ ଭୂମିକା, ବ୍ୟବହୃତ ବିଭିନ୍ନ ଫର୍ମର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଛି। ପ୍ରାକ୍ ପ୍ରସ୍ତୁତି ଭଲ ରହିଲେ ନିର୍ବାଚନ ପରିଚାଳନା ସହଜ ହେବ ବୋଲି କମିସନର ଶ୍ରୀ ପାଢ଼ୀ କହିଥିଲେ।
Follow Us