An insult: ମହାପୁରୁଷଙ୍କ ଦାୟାଦଙ୍କୁ ଅପମାନ!

Advertisment

ମହାପୁରୁଷଙ୍କ ଦାୟାଦଙ୍କୁ ଅପମାନ ! ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ‘ଜୟ ହିନ୍ଦ୍‌’ ନାରାର ଉଦ୍‌ଗାତା ଆବିଦ ହସନ ସଫ୍ରାନିଙ୍କ ଦାୟାଦମାନେ ନେତାଜୀ ସଂଗ୍ରହାଳୟକୁ ଆସିଲେ, ଅଥଚ....

ମହାପୁରୁଷଙ୍କ ଦାୟାଦଙ୍କୁ ଅପମାନ ! ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ‘ଜୟ ହିନ୍ଦ୍‌’ ନାରାର ଉଦ୍‌ଗାତା ଆବିଦ ହସନ ସଫ୍ରାନିଙ୍କ ଦାୟାଦମାନେ ନେତାଜୀ ସଂଗ୍ରହାଳୟକୁ ଆସିଲେ, ଅଥଚ....

Untitled-11
ପୁରୀ : ମହାପୁରୁଷଙ୍କ ଦାୟାଦଙ୍କୁ ଅପମାନ ! ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ‘ଜୟ ହିନ୍ଦ୍‌’ ନାରାର ଉଦ୍‌ଗାତା ଆବିଦ ହସନ ସଫ୍ରାନିଙ୍କ ଦାୟାଦମାନେ ନେତାଜୀ ସଂଗ୍ରହାଳୟକୁ ଆସିଲେ, ଅଥଚ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଳଟିଏ ବି ପକାଇପାରିଲେ ନାହିଁ। ସଂଗ୍ରହାଳୟ ଫାଟକରେ ତାଲା ଝୁଲୁଥିବାରୁ ସେଇ ଫାଟକରେ ଫୁଲମାଳ ଅର୍ପଣ କରିଦେଇ ଦୁଃଖରେ ଲେଉଟିଛନ୍ତି। ଏନେଇ ଉତ୍କଳ ବିକାଶ ଯୁବ ପରିଷଦର ଆବାହକ ଦେବୀ ପୃଷ୍ଟି ପୁରୀର ସଂସ୍କୃତି ଦପ୍ତର ଅଧିକାରୀ ଓ କାର୍ଯ୍ୟକର୍ତ୍ତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
 
ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ପୁରୀରେ ‘ନେତାଜୀ ଉତ୍ସବ’ ପାଳନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏହା ଆବିଦ ହସନ ଓ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଉତ୍ସର୍ଗ ଥିଲା। ଏହି ଉତ୍ସବକୁ ଉଭୟ ମହାପୁରୁଷଙ୍କ ଦାୟାଦଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିପାଇଁ ରାଜସ୍ବ ମନ୍ତ୍ରୀଙ୍କ ସହଯୋଗରେ ଦାୟାଦଙ୍କ ଆତିଥ୍ୟ ପାଇଁ ସର୍କିଟ ହାଉସରେ ରୁମ୍‌ ନିଆଯାଇଥିଲା। ଅର୍ଥାତ୍‌ ଗତକାଲିଠାରୁ ଆସି ଅତିଥିମାନେ ଆଜିର କାର୍ଯ୍ୟକ୍ରମ ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ। ସକାଳ ୯ଟା ୧୫ରେ ଗୋପାଳବଲ୍ଲଭ ରୋଡ୍‌ସ୍ଥିତ ନେତାଜୀ ସଂଗ୍ରହାଳୟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ‘ସଦ୍‌ଭାବନା ଯାତ୍ରା’ର ଶୁଭାରମ୍ଭ କରାଯିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ନେତାଜୀ ସୁଭାଷଙ୍କ ବଂଶଜ ଅଭିଜିତ ବୋଷ ରାୟ ଏବଂ ଜୟ ହିନ୍ଦ୍‌ ନାରାର ଉଦ୍‌ଗାତା ତଥା ନେତାଜୀଙ୍କ ସହ ଜର୍ମାନୀରୁ ଜାପାନ ପର୍ଯ୍ୟନ୍ତ ଜଳଯାତ୍ରା କରିଥିବା ଆବିଦ ହସନ ସଫ୍ରାନିଙ୍କ ଅଣନାତି ସାଜିଦ ମହମ୍ମଦ ଅନ୍ୟ ବଂଶଧରଙ୍କ ସମେତ ଶତାଧିକ ବ୍ୟକ୍ତିବିଶେଷ ପହଞ୍ଚିଥିଲେ। ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ସଂଗ୍ରହାଳୟର ଫାଟକ ଖୋଲାଯାଇନଥିଲା। ଶେଷରେ ବାଧ୍ୟ ହୋଇ ଦାୟାଦମାନେ ବାହାରୁ ଝୁରା ଫୁଲ ନେତାଜୀଙ୍କ ଉପରକୁ ପକାଇଥିଲେ। ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିନପାରି, ସେଇ ଫାଟକ ସଂଲଗ୍ନ ଗେଟ୍‌ରେ ଫୁଲମାଳ ଅର୍ପଣ କରି ସଦ୍‌ଭାବନା ଯାତ୍ରାରେ ବାହାରି ଯାଇଥିଲେ।
 
ଏନେଇ ପରିଷଦର ଆବାହକ ଦେବୀ ପୃଷ୍ଟି କହିଛନ୍ତି, ଆମେ ଆଜିର ନେତାଜୀ ଉତ୍ସବ ସଂକ୍ରାନ୍ତରେ ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କୁ କାର୍ଡ ମାଧ୍ୟମରେ ପୂର୍ବରୁ ଅବଗତ କରିଥିଲୁ। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଦ୍‌ଭାବନା ଯାତ୍ରା କରିବା ନେଇ ଜଣାଇଥିଲୁ। ସକାଳ ୯ଟା ୧୫ରେ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଥିଲା। ହେଲେ ସାଢ଼େ ୧୦ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀ ସଂଗ୍ରହାଳୟର ଫାଟକ ଖୋଲିବାକୁ ଆସି ନ ଥିଲେ। ଏନେଇ ସଂସ୍କୃତି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ୩୦ ମିନିଟ୍‌ ଭିତରେ ଖୋଲାଯିବ ବୋଲି କହିଲେ, ତଥାପି ଖୋଲାଗଲା ନାହିଁ। ତେଣୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶତାଧିକ ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସମ୍ବଳିତ ଚିଠି ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ ବୋଲି ସେ କହିଛନ୍ତି। ପରିଷଦର ପୁରୀ ଆବାହକ ଅବିନାଶ ମିଶ୍ର କହିଛନ୍ତି, ଯଦି ଅଧିକାରୀଙ୍କର କିଛି ସମସ୍ୟା ଥିଲା ତେବେ ତାଲା ଖୋଲିବା ପାଇଁ କୌଣସି କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟରେ ପଠାଇ ପାରିଥାନ୍ତେ। ଆଜିର ଏହି ଘଟଣା ପରେ ନେତାଜୀ ଓ ଆବିଦଙ୍କ ଭଳି ମହାପୁରୁଷଙ୍କ ଦାୟାଦମାନେ ଖାଲି ଅପମାନିତ ହୋଇ ନାହାନ୍ତି, ପୁରୀ ଓ ଓଡ଼ିଶା ପ୍ରଶାସନ ମଧ୍ୟ ଅପମାନିତ ହୋଇଛି। ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe