ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୦୨୪ ଜୁଲାଇ ୪। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ କାମ ଆରମ୍ଭ କଲେ। ଓଡ଼ିଆ ଭାଷାରେ ସବୁ ନଥିପତ୍ର କରିବା ପାଇଁ ନିର୍ଦ୍ଦେଶ ଜାରି କଲେ। ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନର ସଂଶୋଧନ କରିବାକୁ କହିଲେ। ଦିନକ ପରେ ଅର୍ଥାତ ଜୁଲାଇ ୫ ତାରିଖରେ ସବୁ ସଚିବମାନଙ୍କର ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଦେଶକୁ ଦୋହରାଇଲେ। ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡ଼ିଆ ଭାଷାରେ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଗଲା।
ଦେଢ଼ ବର୍ଷ ପରେ ଅର୍ଥାତ ୨୦୨୬ ଜାନୁଆରି ୧ ତାରିଖ। ନୂଆ ମୁଖ୍ୟ ଶାସନ ସଚିବଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାୟିତ୍ବ ଦେଲେ। ଓଡ଼ିଆ ଭାଷା ହିଁ ସରକାରୀ ଭାଷା ବୋଲି ମନେ ପକାଇଦେଲେ। ଗତ ଦେଢ଼ ବର୍ଷ ଭିତରେ ସରକାରୀ କଳରେ ଓଡ଼ିଆ ଭାଷା ବ୍ୟବହାର କରାଯାଉନାହିଁ ବୋଲି ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କର ହୃଦ୍ବୋଧ ହୋଇଛି। ସେଥିପାଇଁ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଥରେ ସମାନ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରୁ ଇଙ୍ଗିତ ମିଳୁଛି ଯେ ଓଡ଼ିଆ ଭାଷା ଏବେ ବି ଶାସନ ଓ ପ୍ରଶାସନର ଭାଷା ହୋଇପାରିନି। ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ବାବୁମାନଙ୍କର ହାତ ଯାଉନି। ଓଡ଼ିଆରେ ଫାଇଲ୍ କରିବାକୁ, ବିଜ୍ଞପ୍ତି ଜାରି କରିବାକୁ ଓ ନିର୍ଦ୍ଦେଶନାମା ପ୍ରକାଶ ଲାଗି ସେମାନେ କୁନ୍ଥକୁନ୍ଥ ହେଉଛନ୍ତି। ପୂର୍ବ ସରକାରରେ ସେମାନଙ୍କ ଆଭିମୁଖ୍ୟ ଯାହା ଥିଲା, ବର୍ତ୍ତମାନ ତାହା ରହିଛି। ବାସ୍ତବ କଥା ହେଲା, ପ୍ରଶାସନର ସର୍ବୋଚ୍ଚ ସ୍ତରରେ ଥିବା ଅଧିକାଂଶ ଆଇଏଏସ୍ ଅଧିକାରୀ ଓଡ଼ିଆରେ ସରକାରୀ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯାହାର ପ୍ରଭାବ ତଳ ସ୍ତରରେ ପଡ଼ୁଛି।
Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର
ଓଡ଼ିଆ ଭାଷାକୁ ନେଇ ଛଳନା ଏବର ନୁହେଁ। ପ୍ରଶାସନିକ ବ୍ୟବସ୍ଥାରେ ବର୍ଷ ବର୍ଷ ଧରି ଓଡ଼ିଆ ଭାଷା ଚରମ ଅବହେଳାର ଶିକାର ହୋଇ ଆସୁଛି। ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଓଡ଼ିଆ ଭାଷାରେ ଲେଖାପଢ଼ା କରୁ ନଥିବାରୁ ତାହା ପ୍ରାଶାସନିକ ଅଧିକାରୀଙ୍କୁ ସୁହାଉଥିଲା। ଶାସନର ମୁଖ୍ୟ ଓଡ଼ିଆ ଶିଖି ନଥିବାରୁ ଅନ୍ୟମାନେ ଓଡ଼ିଆ ପ୍ରତି ଅନାଗ୍ରହ ଦେଖାଇବା ସ୍ବାଭାବିକ ଥିଲା। ଯଦିଓ ଓଡ଼ିଆରେ ସରକାରୀ କାର୍ଯ୍ୟ କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଉଥିଲେ, କିନ୍ତୁ ତାହା ପ୍ରଭାବହୀନ ଥିଲା। ହେଲେ ପୂର୍ବ ସରକାର ସମୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ବଡ଼ ଆକାରରେ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀର ନିଷ୍କର୍ଷ କ’ଣ ବାହାରିଲା ଓ ପରବର୍ତ୍ତୀ ସମୟରେ ଭାଷାର ବିକାଶରେ କି କାମରେ ଲାଗିଲା, ତାହା ଓଡ଼ିଆ ଜାଣିପାରିଲେ ନାହିଁ। ଏବର ମୁଖ୍ୟମନ୍ତ୍ରୀ ଓଡ଼ିଆରେ ସରକାରୀ କାମ କରୁଛନ୍ତି। ତଥାପି ଓଡ଼ିଆ ଭାଷା ପ୍ରତି ନକାରାତ୍ମକ ଭାବନା ଯାଉ ନାହିଁ।
ଭାଷା କମିସନ ଗଠନ ମଧ୍ୟ ପ୍ରହେଳିକା ପାଲଟିଛି। ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ଯାଞ୍ଚ ପାଇଁ କମିସନ ଗଠନ ନିମନ୍ତେ ବହୁ ଦିନରୁ ଦାବି ହୋଇ ଆସୁଛି। ପୂର୍ବ ସରକାରରେ ଏହି ଦାବିକୁ ଟାଳି ଦିଆଯାଇଥିଲା। ଗତ ବର୍ଷ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଷା କମିସନ ଗଠନ ପାଇଁ ଘୋଷଣା କରିଥିଲେ। କିନ୍ତୁ ଏ ନେଇ ତତ୍ପରତା ପ୍ରକାଶ ପାଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବି ଚତୁରତାର ସହ ଚାପି ଦିଆଯାଇଛି। କେବଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଅଧିକାଂଶ ଚିଠି ଆଦାନପ୍ରଦାନ ଓଡ଼ିଆ ଭାଷାରେ ହେଉଛି। ଅନ୍ୟ ବିଭାଗଗୁଡ଼ିକରେ କାଁଭାଁ ଚିଠି ଓଡ଼ିଆ ଭାଷାରେ କରାଯାଉଛି। ଓଡ଼ିଆ ଭାଷା ପ୍ରତି ଏପରି ନକାରାତ୍ମକ ମନୋଭାବକୁ ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଭୀଷଣ ଅସନ୍ତୋଷ ପ୍ରକାଶ କଲେଣି।
Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ
ଓଡ଼ିଶା ପ୍ରଥମ ରାଜ୍ୟ, ଯାହା ଭାଷାକୁ ଭିତ୍ତି କରି ଗଠନ ହୋଇଥିଲା। ଏବେ ସମ୍ଭବତଃ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ଶାସନ-ପ୍ରଶାସନରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ବାରମ୍ବାର ଚେତାଇବାକୁ ପଡ଼ୁଛି। ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାର ୯୦ ବର୍ଷ ପରେ ଏହି ବିଡ଼ମ୍ବନା ଭାଷାପ୍ରେମୀ ଓ ସଚେତନ ଓଡ଼ିଆଙ୍କୁ ବ୍ୟଥିତ କରୁଛି। ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ନ ଲଗାଇଲେ ଜରିମାନାର ବ୍ୟବସ୍ଥା ରହିଛି। ଏଥିପାଇଁ ଶ୍ରମ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରୁଛି। ଏହା ସ୍ବାଗତଯୋଗ୍ୟ। ତେବେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କରୁ ନଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କାହିଁକି ଏପରି ଦଣ୍ଡବିଧାନ ହେବ ନାହିଁ ବୋଲି ପ୍ରଶ୍ନ ଉଠୁଛି।
Follow Us