Photograph: (The New Indian Express)
ଖୋର୍ଦ୍ଧା: ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି। ଦୁଇ ମାସ ତଳେ ୧୮ରୋଗୀ ଚିହ୍ନଟ ହୋଇଥିଲେ। ଏ ରୋଗ ଗତବର୍ଷ ନଭେମ୍ବରରୁ ଆରମ୍ଭ ହେଲାଣି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଗଲା ଅକ୍ଟୋବର ବେଳକୁ ପିଲାମାନେ ଛୁଟିରେ ଘରକୁ ଯାଇ ଫେରିଥିଲେ। ସେଥିରୁ କିଛି ପିଲା ଜଣ୍ଡିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଲା। ଫଳରେ ଧୀରେ ଧୀରେ ରୋଗ ବ୍ୟାପକ ରୂପ ନେଲା। ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା। ତା’ ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହେଲେ। ଗଲା ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ। କିନ୍ତୁ, ଚଳିତ ଜାନୁଆରି ସୁଦ୍ଧା ରୋଗୀସଂଖ୍ୟା ୪୦କୁ ଛୁଇଁଛି ବୋଲି ବିଦ୍ୟାଳୟର ଷ୍ଟାଫ୍ ନର୍ସ ଶାନ୍ତିଲତା ବସ୍ତିଆ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦ରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି।
Cricket: ଜୟ ମା’ ପଞ୍ଚଖଣ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସାମସିଙ୍ଗା ଚାମ୍ପିଅନ୍
ଆକ୍ରାନ୍ତ ପିଲାଙ୍କୁ ଜ୍ବର ହେଉଛି, ତା’ ସହିତ ମୁହଁ ହାତ ହଳଦିଆ ପଡ଼ୁଛି। ଲକ୍ଷଣ ଦେଖା ଦେବା କ୍ଷଣି ଡାକ୍ତରଙ୍କର ପରାମର୍ଶ କରାଯାଉଛି ବୋଲି ଶ୍ରୀମତୀ ବସ୍ତିଆ ପ୍ରକାଶ କରିଛନ୍ତି। ପିଲାଙ୍କ ସହିତ ଜଣେ ଷ୍ଟାଫ୍ ମଧ୍ୟ ଜଣ୍ଡିସ୍ରେ ପୀଡ଼ିତ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ରୋଗର କାରଣ ଖୋଜିବା ଆରମ୍ଭ କରିଛନ୍ତି। ବିଦ୍ୟାଳୟରେ ଥିବା ୧୩ଟି ପାଣିଟାଙ୍କି ସଫେଇ କରାଯାଇଛି। ତା’ ସହିତ ଖାଦ୍ୟ ନମୁନା ବି ପରୀକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ସମସ୍ତ ନମୁନା ରିପୋର୍ଟ ଠିକ୍ ଆସିଛି ବୋଲି ସେ ପ୍ରକାଶ କରିଛନ୍ତି। ଯେହେତୁ, ଏହି ରୋଗ ଜଳ ଦ୍ବାରା ସଂକ୍ରମଣ ହେଉଛି, ତେଣୁ ପିଲାଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ଆରମ୍ଭ କରାଯାଇଛି। ବିଦ୍ୟାଳୟର ପାଇଖାନାରୁ ରୀତିମତ ସଫେଇ କରାଯିବା ସହିତ ଜଣେ ଅନ୍ୟ ଜଣଙ୍କ ଟ୍ରେରେ କିମ୍ବା ପାଣି ବୋତଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ସପ୍ତାହରେ ଡାକ୍ତର ବିଦ୍ୟାଳୟରେ ଆସି ପରାମର୍ଶ ଦେଉଛନ୍ତି। ମେଡିକାଲ୍ କ୍ୟାମ୍ପ ବି ଆରମ୍ଭ ହୋଇଛି। ତା’ ସହିତ ବିଦ୍ୟାଳୟକୁ ଆସି ଅନୁଧ୍ୟାନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଆଜି ଚିଠି କରାଯାଇଛି ବୋଲି ସ୍କୁଲର ଉପାଧ୍ୟକ୍ଷ ନୃସିଂହଚରଣ ଚକ୍ର ପ୍ରକାଶ କରିଛନ୍ତି।
T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?
ଅନ୍ୟପଟେ ରୋଗ ବ୍ୟାପକ ହେବା ଭୟରେ ଅଭିଭାବକମାନେ ପିଲାଙ୍କୁ ଘରକୁ ନେଇ ଯାଉଛନ୍ତି। ବିଦ୍ୟାଳୟରେ ମୋଟ ୫୬୦ ପିଲା ପାଠ ପଢ଼ୁଛନ୍ତି। ସେଥିରୁ ୧୫୦ଜଣ ଘରକୁ ପଳାଇ ସାରିଲେଣି। ଘରକୁ ଯେଉଁ ପିଲାମାନେ ଯାଉଛନ୍ତି, ସେଥିରୁ ମଧ୍ୟ କିଛି ପିଲାଙ୍କ ରକ୍ତ ନମୁନା ପଜିଟିଭ୍ ବାହାରୁଛି ବୋଲି ଷ୍ଟାଫ୍ ନର୍ସ ଶ୍ରୀମତୀ ବସ୍ତିଆ ପ୍ରକାଶ କରିଛନ୍ତି। ଜଣ୍ଡିସ୍ ବ୍ୟାପକ ହେବା ଘଟଣାକୁ ସ୍କୁଲ୍ ଅଧ୍ୟକ୍ଷ କବିତା କର ସ୍ବୀକାର କରିଛନ୍ତି। ରୋଗର କାରଣ ଜାଣିବା ପାଇଁ ଜଳ ନମୁନା ପରୀକ୍ଷା କରାଯାଇଛି। ଡାକ୍ତରୀ ଟିମ୍ ବି ଆସୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ଫେବ୍ରୁଆରି ୧୬ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଚିନ୍ତା ବଢ଼ିଛି।
Follow Us