ଭୁବନେଶ୍ୱର: ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ…’ ସାହିତ୍ୟ ମଞ୍ଚରେ ଶବ୍ଦ-ସୁରର ଅପୂର୍ବ ମିଳନ। ଝୁମାଝୁମା ପରିବେଶ, ସଙ୍ଗୀତମୟ ସଞ୍ଜର ପବନ। ‘ଗୀତି ଓ ସିନେ ସାହିତ୍ୟ’ ପ୍ରସଙ୍ଗରେ ଗୀତିମୟ ହୋଇଥିଲା ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ତ୍ରୟୋଦଶ ସନ୍ଧ୍ୟା। ଆଜିର ମଞ୍ଚ ମହାନ ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କୁ ସମର୍ପିତ ହୋଇଥିଲା। କାର୍ଯ୍ୟକ୍ରମକୁ  ଉଦ୍‌ଘାଟନ କରି ଆଶୀର୍ବଚନ ପ୍ରଦାନ କରିଥିଲେ ବିଶିଷ୍ଟ ସଂଳାପକାର ତଥା ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ। ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍‌ଗୋ କହିଥିଲେ, କୃଷ୍ଣ-ଶୁକ୍ଳ ପକ୍ଷ ପରେ ‘ସମ୍ବାଦ’ ସାହିତ୍ୟ ପକ୍ଷ କରିଛି। ସାହିତ୍ୟିକମାନେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ଆଶୀର୍ବାଦ କରନ୍ତୁ। ଗୀତ-ସାହିତ୍ୟର ସମ୍ପର୍କ ନିବିଡ଼। 
ଆଳାପ ଅଧିବେଶନରେ ‘ଗୀତରେ ସାହିତ୍ୟ କେତେ, ଗଣିତ କେତେ’ ପ୍ରସଙ୍ଗରେ ବିଶିଷ୍ଟ ଗୀତିକାର ଅଲେଖ ବିଶ୍ୱାଳ ଓ ସଚ୍ଚି ମହାନ୍ତି ଆଳାପ କରିଥିଲେ। ଗଣିତରୁ ସୃଷ୍ଟିର ଆରମ୍ଭ। ଗଣିତ ନଥିଲେ ସାହିତ୍ୟ ସଂସାରର କିଛି ନଥାଏ। ସେମିତି ବିନା ସାହିତ୍ୟରେ ଗୀତ ନାହିଁ, ସାହିତ୍ୟ ସହ ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯାହା ପଢ଼ିଲେ ସାହିତ୍ୟ, ଗାଇଲେ ଗୀତ, ତାହା ହିଁ ସଙ୍ଗୀତ। ତେବେ ବର୍ତ୍ତମାନ ସଙ୍ଗୀତରେ ଆଉ ସାହିତ୍ୟ ନାହିଁ ବୋଲି ଏଥିରେ ମତପ୍ରକାଶ ପାଇଥିଲା।

Advertisment

Former: ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କା

 
ଆଜିର ମଞ୍ଚରେ ‘ଗୀତଟିଏ ଜନ୍ମ ହୁଏ ନା କବିତାଟିଏ ମରେ?’ ପ୍ରସଙ୍ଗରେ ଗୀତିକାର ଦେବୀଦତ୍ତ ମହାନ୍ତି, ବସନ୍ତରାଜ ସାମଲ ଓ ଯତୀନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ। ଆଲୋଚନାକୁ ସଂଯୋଜନା କରିଥିଲେ ଆର.ଜେ ସମିତ ପଟ୍ଟନାୟକ। କଳ୍ପନାରୁ ଗୀତ ଓ କବିତା ଜନ୍ମନିଏ। ଗୀତ ମରେ ନାହିଁ। ଗୀତର ଗୀତିକାର ମାଆ, ସଂଗୀତ ନିର୍ଦ୍ଦେଶକ ବାପା। ଗୀତିକାର ବି ଭାବନାର ଗର୍ଭଯନ୍ତ୍ରଣା ସହେ। କବିତା ସଁବାଳୁଆ ନୁହେଁ ଯେ ତାର ମୃତ୍ୟୁରେ ଗୀତ ପ୍ରଜାପତି ହୋଇ ଜନ୍ମ ନେବ ବୋଲି ଏଥିରେ ମତପ୍ରକାଶ ପାଇଥିଲା। କବି ବିପିନ ମହାନ୍ତି, କବି ଶର୍ମିଷ୍ଠା ସାହୁ ଓ ଗାଳ୍ପିକା ପଦ୍ମାଳୟା ସାମଲଙ୍କ ଆବୃତ୍ତିରେ ଆହୁରି ମତୁଆଲା ହୋଇଥିଲା ଗୀତି ସାହିତ୍ୟର ସନ୍ଧ୍ୟା।

Poor: ଆହାର କେନ୍ଦ୍ରରେ ଗରିବଙ୍କୁ ପ୍ରହାର


ମଞ୍ଚରେ ଆଜି ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ରଙ୍କ ମନଛୁଆଁ ଗୀତରେ ଝୁମିଥିଲେ ଦର୍ଶକ। ‘ଏକାମ୍ର ଶିଶୁ ସାହିତ୍ୟ ସଂସଦ’, ‘ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟ’ ଓ ‘ସାଧନା ପରିବାର’ ସମେତ ଅନ୍ୟ ଗୀତିକାର ଓ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ। ମଞ୍ଚ ପରିଚାଳନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ। ଧନ୍ୟବାଦ ଅର୍ପଣ କରିଥିଲେ ଆର.ଜେ କେ.କେ। ଆଜି ଅତିଥି ଓ ଦର୍ଶକମାନଙ୍କୁ ଓଡ଼ିଆ ଖାଦ୍ୟ ଛଣାମଣ୍ଡା-ଡାଲମା ପରଷା ଯାଇଥିଲା।