ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ପାଇଁ ହାତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସାମଗ୍ରିକ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍‌ସ ବର୍ଣ୍ଣ ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ ସେବା ଆରମ୍ଭ ହୋଇଛି। ଜାତୀୟ ହ୍ୟାଣ୍ଡ ସର୍ଜରି ଦିବସ ଅବସରରେ ଅର୍ଥୋପେଡିକ୍ ଏବଂ ପିଏମଆର ବିଭାଗର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ଉଦ୍‌ଘାଟିତ ହୋଇଛି। ଏହା ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରି ଓପିଡିରେ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ। ସବୁ ବର୍ଗର ବ୍ୟକ୍ତିଙ୍କ ହାତ ସହିତ ଜଡ଼ିତ ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ଭୂମିକା ଗ୍ରହଣ କରିବ।

Advertisment

ଆଜିର ବ୍ୟସ୍ତବହୁଳ ଜୀବନରେ ହାତର ଭୂମିକା ଅନସ୍ବୀକାର୍ଯ୍ୟ। ତେଣୁ ସଠିକ ଢଙ୍ଗରେ ଏହାର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଲିନିକ ଉପରୋକ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ସହାୟକ ହେବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ଏମ୍‌ସ ଭୁବନେଶ୍ୱର ସର୍ବଦା ଅଭିନବ ଉପାୟ ମାଧ୍ୟମରେ ଲୋକଙ୍କୁ ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. ଆଶୁତୋଷ ବିଶ୍ୱାସ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡା. ଏସ୍ ଏନ ମହାନ୍ତି ଉପସ୍ଥିତ ଥିଲେ। ବର୍ଣ୍ଣ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରି ବିଭାଗ ମୁଖ୍ୟ ଡା. ସଞ୍ଜୟ ଗିରି, ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ଡା. ବିଷ୍ଣୁ ପାତ୍ର ଏବଂ ପିଏମଆର ବିଭାଗ ମୁଖ୍ୟ ଡା. ଜଗନ୍ନାଥ ସାହୁ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରିଥିଲେ। ପ୍ଲାଷ୍ଟିକ୍ ସର୍ଜରି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ଶାନ୍ତନୁ ସୁବା ଏହି କ୍ଲିନିକର ମୁଖ୍ୟ ଭାବେ କାର୍ଯ୍ୟ କରିବେ।