ନୂଆଦିଲ୍ଲୀ: ଆଧାରରେ ଥିବା ଠିକଣାକୁ ଅନ୍‌ଲାଇନ୍‌ରେ ଅପ୍‌ଡେଟ୍‌ କର‌ିହେବ। ତେବେ ଏଥିପାଇଁ ପରିବାର ମୁଖ୍ୟଙ୍କ ଅନୁମତି ନେବାକୁ ପଡ଼ିବ। ଅନ୍‌ଲାଇନ୍‌ରେ ଠିକଣା ଅପ୍‌ଡେଟ୍ କରିବା ଲାଗି ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଅନୁମତି ପ୍ରଦାନ କରିଛି। ଏହି ସୁବିଧା ପାଇବା ପାଇଁ ‘ମାଇଁ ଆଧାର’ ପୋର୍ଟାଲ୍‌ ପରିଦର୍ଶନ କରିବାକୁ ପଡ଼ିବ। ଏହା ପରେ ପରିବାର ମୁଖ୍ୟଙ୍କ ଆଧାର ନମ୍ବର ଦେଇ ଆଗକୁ ବଢ଼ିବାକୁ ହେବ। ତାଙ୍କ ଆଧାର ନମ୍ବର ସ୍ପଷ୍ଟ ହେବା ପରେ ସମ୍ପର୍କର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହି ସେବା ଲାଗି ୫୦ ଟଙ୍କା ଫି’ ଦେବାକୁ ପଡ଼ିବ। ଠିକଣା ଅପ୍‌ଡେଟ୍ ପାଇଁ ପରିବାର ମୁଖ୍ୟଙ୍କ ଅନୁମତି ଦରକାର। ଅନ୍ୟଥା ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ। ଫି’ ଦାଖଲର ୩୦ ଦିନ ଭିତରେ ଯଦି ପରିବାର ମୁଖ୍ୟ ଅନୁମତି ନଦେବେ ତେବେ ଆବେଦନ ଖାରଜ ହୋଇଯିବ ଏବଂ ଫି’ ରାଶି ଫେରସ୍ତ ମିଳିବ ନାହିଁ।

Advertisment

ଠିକଣା ଅପ୍‌ଡେଟ୍ କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ନିଜ ସମ୍ପର୍କର ପ୍ରମାଣ ଦେଖାଇବା ପାଇଁ ରାସନ କାର୍ଡ, ମାର୍କ ସିଟ୍, ବିବାହ ସାର୍ଟିଫିକେଟ୍, ପାସ୍‌ପୋର୍ଟ ଭଳି ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। ସେହି ଦସ୍ତାବିଜରେ ଉଭୟ ପରିବାର ମୁଖ୍ୟ ଏବଂ ନିଜ ନାମ ଥିବା ଦରକାର। ଓଟିପି ଜରିଆରେ ପରିବାର ମୁଖ୍ୟ ତାହାକୁ ସ୍ପଷ୍ଟ କରିବେ। ଯେଉଁମାନଙ୍କ ପାଖରେ ସମ୍ପର୍କକୁ ସ୍ପଷ୍ଟ କରିବା ଲାଗି କିଛି ଦସ୍ତାବିଜ ନଥିବ ସେମାନେ ୟୁଆଇଡିଏଆଇ ଦ୍ବାରା ପ୍ରସ୍ତୁତ ଫର୍ମାଟ୍‌ରେ ଏକ ସ୍ବ-ଘୋଷଣା ଦାଖଲ କରିପାରିବେ। ଯେହେତୁ ବହୁ ଲୋକ ବିଭିନ୍ନ କାରଣ ପାଇଁ ନିଜ ଘର ଛାଡ଼ି ସହର ଏବଂ ଦୂରଦୂରାନ୍ତ ସ୍ଥାନକୁ ଯାଉଛନ୍ତି। ଅନଲାଇନ୍‌ରେ ଠିକଣା ଅପ୍‌ଡେଟ୍‌ କରିବା ସୁବିଧା ସେଭଳି କୋଟି କୋଟି ଲୋକଙ୍କ ବିଶେଷ ସହାୟକ ହେବ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ୧୮ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କୁ ପରିବାର ମୁଖ୍ୟ ଭାବେ ଗ୍ରହଣ କରାଯାଇପାରିବ।