ନୂଆଦିଲ୍ଲୀ: ଅଲବର ଜିଲ୍ଲାର ଭିବାଡ଼ିରେ ବସବାସ କରୁଥିବା ନାବାଳିକା ୨୦୨୦ ମଇ ମାସରେ ଦୁଷ୍କର୍ମର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ ଦୁଷ୍କର୍ମକାରୀ ଏହି ଘଟଣାର ଭିଡିଓ ବି କରିଥିଲେ। ଏହି ଘଟଣା ପରେ ପୀଡ଼ିତ ଗର୍ଭବତୀ ହେବାରୁ ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ।
ଏହି କାରଣରୁ ଗତ ତିନିବର୍ଷ ହେବ ଦୁଷ୍କର୍ମ ପୀଡିତା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଡ଼ି ରହିଛନ୍ତି। ହସ୍ପିଟାଲରେ ପୀଡିତଙ୍କ ହାତଗୋଡ଼ ବାନ୍ଧି ଡାକ୍ତର ଚିକିତ୍ସା କରୁଛନ୍ତି। କାରଣ ସେ ଦୁଷ୍କର୍ମ ଘଟଣା ପରେ କାହାକୁ ନିଜ ଶରୀର ସ୍ପର୍ଶ କରିବାକୁ ଦେଉ ନାହାନ୍ତି। ଏଭଳି ପରିସ୍ଥିତିରେ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ଅସୁବିଧା ହେଉଥିବାରୁ ସେମାନେ ପୀଡ଼ିତାଙ୍କ ହାତଗୋଡ଼ ବାନ୍ଧି ଦେଇଛନ୍ତି। ପୀଡ଼ିତାଙ୍କ ପରିବାର ତିନିବର୍ଷ ହେବ ହସ୍ପିଟାଲ ଦୌଡ଼ୁଛନ୍ତି। ପାଖରେ ଥିବା ସମସ୍ତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରି ଦେଇଥିବା ପୀଡିତଙ୍କ ବାପା ହାତ ଯୋଡ଼ି ସରକାରଙ୍କୁ ନ୍ୟାୟ ଭିକ୍ଷା କରି ଝିଅକୁ ସୁସ୍ଥ କରିବା ପାଇଁ ଗୁହାରି କରିଛନ୍ତି।
୨୦୨୦ ମଇ ୧୦ ତାରିଖରେ ପୀଡ଼ିତାଙ୍କ ବାପା ଥାନାରେ ମାମଲା ରୁଜୁ କରି ଅଭିଯୋଗ କରିଥିଲେ କି, ‘ମୋର ନାବାଳିକା ଝିଅ ସହିତ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିଲେ। ଏହି ଦୁଷ୍କର୍ମ ଘଟଣାର ଭିଡିଓ ବି କରିଥିଲେ ଦୁଷ୍କର୍ମକାରୀ। ’
ପୀଡ଼ିତ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ଦୁଇ ଦୁଷ୍କର୍ମକାରୀଙ୍କୁ ଜେଲ ହୋଇଯାଇଥିଲା। କିନ୍ତୁ ସେବେଠାରୁ ପୀଡିତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଏହି ଘଟଣାକୁ ୩ବର୍ଷ ବିତିଥିଲେ ବି ପୀଡିତାଙ୍କ ପରିବାର ଗୋଟିଏ ରାତିବି ଶାନ୍ତିରେ ଶୋଇ ପାରି ନାହାନ୍ତି। କେମିତି ଝିଅ ସୁସ୍ଥ ହେବ ସେ ଚିନ୍ତାରେ ବୃଦ୍ଧ ବାପା ଓ ମା’ ଦିନ କାଟୁଛନ୍ତି।