ନୂଆଦିଲ୍ଲୀ : ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ମୋକା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୧୩ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ମୋକା ଦ୍ରୁତ ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବ ଶୁକ୍ରବାର ରାତିରୁ ଦେଖିବାକୁ ମିଳିବ। ଏଭଳି ସ୍ଥିତିରେ ପାଣିପାଗ ବିଭାଗ ୩ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଆସାମ ଓ ମଣିପୁରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ଜୀବନ ହାନିକୁ ରୋକିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

Advertisment

ଏହି ବାତ୍ୟା ବାଂଲାଦେଶ-ମିଆଁମାର ଉପକୂଳ ଆଡ଼କୁ ଗତି କରିବ। ପଶ୍ଚିମବଙ୍ଗ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତଳିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ପୂର୍ବ ମେଦିନୀପୁର, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା, ସୁନ୍ଦରବନ ଆଦି ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ମୋକା' ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏବେ ଏହା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ।