ଭୁବନେଶ୍ବର: ଅପରାହ୍ଣ ୨ଟା ୫୬। ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ(ଏକ୍ୟୁଆଇ) ୩୬୬ରେ ପହଞ୍ଚିଥିଲା। ରିଜିଓନାଲ ପ୍ଲାଣ୍ଟ୍ ସେଣ୍ଟର୍ ଅଞ୍ଚଳରେ ୩୨୯, ଲିଙ୍ଗରାଜ ମନ୍ଦିର ନିକଟରେ ୩୪୮, ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ୩୨୬, ରବୀନ୍ଦ୍ରମଣ୍ଡପ ଛକରେ ବାୟୁର ଏକ୍ୟୁଆଇ ୩୨୧ ରହିଥିଲା। ଅର୍ଥାତ୍ ଅପରାହ୍ଣ ବେଳକୁ ରାଜଧାନୀର ବାୟୁମଣ୍ଡଳରେ କେବଳ ବିଷ ହିଁ ଭରିରହିଥିଲା। ଯୁଆଡ଼େ ଚାହିଁଲେ ଖାଲି ଧୂଆଁ ଧୂଆଁ ପରିବେଶ ଦେଖିବାକୁ ମିଳୁଥିଲା। ଦିନରେ କୁହୁଡ଼ି ନଥିଲେ ଦୃଶ୍ୟମାନ ଦୂରତା ୫୦୦ ମିଟରରୁ କମ୍ ରହିଥିଲା। ଅତ୍ୟନ୍ତ ଖରାପ ସ୍ତର ଦେଇ ବାୟୁମଣ୍ଡଳ ଗତି କରୁଥିବାରୁ ବାହ୍ୟ କାର୍ଯ୍ୟକଳାପଠାରୁ ଦୂରେଇ ରହିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଥିଲେ। ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥିତି ଉପରେ କୌଣସି ପ୍ରକାର ସମୀକ୍ଷା କରି ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ସକ୍ରିୟ ହୋଇନାହାନ୍ତି। ବରଂ ସମସ୍ତେ ନିଜ ନିଜ ବାଟରେ ରହିବା ସହ ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି।
Tusk elephant: ଦନ୍ତାର ଚିକିତ୍ସା, ଗୁଳି ବାଜିନି କି ଆକ୍ରମଣ ହୋଇନି
ଭୁବନେଶ୍ବରର ବାୟୁ ଆଜି ଯେ କେବଳ ଖରାପ ହୋଇଛି ତାହା ନୁହେଁ, ବରଂ ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଲାଗିରହିଛି। ଭୁବନେଶ୍ବରର ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ କରିବାକୁ ବୋର୍ଡ ପକ୍ଷରୁ ପ୍ରତିବର୍ଷ ଭୁବନେଶ୍ବର ସହରର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ଜଙ୍ଗଲ ବିଭାଗ ସଚିବ, ରାଜ୍ୟ ପରିବହନ ବିଭାଗ କମିସନର ଓ ଅଧ୍ୟକ୍ଷ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଏବଂ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିୟମିତ ଭାବେ ଅବଗତ କରାଯାଉଥିବା କହି ଅଧିକାରୀମାନେ ଚୁପ୍ ବସିପଡ଼ୁଛନ୍ତି। ଗାଡ଼ି ଚଳାଚଳ ଉପରେ କୌଣସି ରୋକ୍ ଲଗାଯାଉ ନାହିଁ କିମ୍ବା ନିୟମ ଉଲ୍ଲଂଘନ କରି କୋଠା ନିର୍ମାଣ କରୁଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। କେବଳ ନାଁକୁ ମାତ୍ର ଯାଞ୍ଚ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଉଛି। ଖୋଦ୍ ଜଙ୍ଗଲ ମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ ବର୍ଷକ ୧୨ ମାସ ମଧ୍ୟରୁ ୪ ମାସ ଅର୍ଥାତ୍ ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ବାୟୁର ମାନ ମଧ୍ୟମ କିମ୍ବା ଖରାପ ସ୍ତରରେ ରହୁଛି। ଏବେ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଥିଲେ ମଧ୍ୟ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପର୍ଟିକୁଲେଟ୍ ମ୍ୟାଟର୍(ପିଏମ୍)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମନଇଚ୍ଛା କୋଠା ନିର୍ମାଣ, ଗାଡିମୋଟର ସଂଖ୍ୟା ବୃଦ୍ଧି ବାୟୁ ପ୍ରଦୂଷଣକୁ ଆହୁରି ବଳ ଦେଉଛି। ନିର୍ମାଣ ସ୍ଥଳରେ ପ୍ରତିକାର ବ୍ୟବସ୍ଥା ନଥିବାରୁ ପ୍ରଶ୍ବାସରେ ପ୍ରଦୂଷିତ ଧୂଳିକଣା ଯାଉଥିବାରୁ ହୃଦ୍ଘାତ, ଶ୍ବାସକ୍ରିୟାଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା, ଆଜ୍ମା ପରି ରୋଗୀଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ତଥାପି ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛନ୍ତି। ଏବେଠୁ ନ ଚେତିଲେ ଦିଲ୍ଲୀ ଭଳି ଭୁବନେଶ୍ବର ଦଶା ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
Follow Us