Advertisment

Cruel history: ନିଷ୍ଠୁର ଇତିହାସର ମୁକସାକ୍ଷୀ ବୁଦ୍ଧକେଶ୍ବର ଓ ମଧୁକେଶ୍ବର ମନ୍ଦିର

Advertisment

ସେଦିନ କଳାପାହାଡ଼ର ନିର୍ଦ୍ଦେଶକ୍ରମେ ଦୁର୍ଦ୍ଦର୍ଷ ମୋଗଲ ସୈନ୍ୟବାହିନୀ ଉତ୍କଳର ସୂକ୍ଷ୍ମ କାରୁକାର୍ଯ୍ୟଭରା ମନ୍ଦିରଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥାଏ। ବହୁ ମନ୍ଦିର ମାଟିରେ ମିଶିଯାଉଥାଏ...

ସେଦିନ କଳାପାହାଡ଼ର ନିର୍ଦ୍ଦେଶକ୍ରମେ ଦୁର୍ଦ୍ଦର୍ଷ ମୋଗଲ ସୈନ୍ୟବାହିନୀ ଉତ୍କଳର ସୂକ୍ଷ୍ମ କାରୁକାର୍ଯ୍ୟଭରା ମନ୍ଦିରଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥାଏ। ବହୁ ମନ୍ଦିର ମାଟିରେ ମିଶିଯାଉଥାଏ...

Untitled-14

ବାଲିପାଟଣା: ସେଦିନ କଳାପାହାଡ଼ର ନିର୍ଦ୍ଦେଶକ୍ରମେ ଦୁର୍ଦ୍ଦର୍ଷ ମୋଗଲ ସୈନ୍ୟବାହିନୀ ଉତ୍କଳର ସୂକ୍ଷ୍ମ କାରୁକାର୍ଯ୍ୟଭରା ମନ୍ଦିରଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥାଏ। ବହୁ ମନ୍ଦିର ମାଟିରେ ମିଶିଯାଉଥାଏ ଏବଂ କିଛି ମନ୍ଦିରର ମୁଖ୍ୟ ଆକର୍ଷଣ ସବୁକୁ ଭାଙ୍ଗି ଦିଆଯାଉଥାଏ। ଏହି ସମୟରେ କଳାପାହାଡ଼ର କ୍ରୁର ନଜର ପଡ଼େ ବୁଦ୍ଧକେଶ୍ବର ଓ ମଧୁକେଶ୍ବର ମନ୍ଦିର ଉପରେ। ମନ୍ଦିରଦ୍ବୟର କାରୁକାର୍ଯ୍ୟ ଯେତିକି ସୂକ୍ଷ୍ମ ଓ ସୁନ୍ଦର, ପୂଜା ପାଉଥିବା ପାତାଳଫୁଟା ଶିବଲିଙ୍ଗଦ୍ବୟର ମହାତ୍ମ୍ୟ ସେତିକି ବିଶାଳ। ପୁଣ୍ୟତୋୟା ପ୍ରାଚୀ ନଦୀ ଓ କୁଶଭଦ୍ରା ନଦୀର ମଧ୍ୟ ଭାଗରେ ଥିବା ଏହି ଦୁଇ ପ୍ରସିଦ୍ଧ ମନ୍ଦିରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଏ କଳାପାହାଡ଼। ମାତ୍ର ପୂରା ଭାଙ୍ଗିପାରେନି। ମନ୍ଦିରର ସୁନ୍ଦର କଳାମୁଗୁନି ପଥରର ଗଣେଶ ଓ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗି ଫେରିଯାଏ। କଳାପାହାଡ଼ ଆକ୍ରମଣରୁ କିଭଳି ମନ୍ଦିରଦ୍ବୟ ବର୍ତ୍ତିଗଲା, ସେନେଇ କିଂବଦନ୍ତିରେ ସ୍ପଷ୍ଟ ବର୍ଣ୍ଣନା ନାହିଁ। ପୂଜା ପାଉଥିବା ଶିବଲିଙ୍ଗଙ୍କ ମହିମା ହେଉ କିମ୍ବା ଉତ୍କଳୀୟ ବୀର ଯୋଦ୍ଧାମାନଙ୍କ ଦୃଢ଼ ପ୍ରତିରୋଧ କାରଣରୁ ହେଉ, ଆଜି ବି ମନ୍ଦିରଦ୍ବୟ ମୁଣ୍ଡ ଟେକି ଠିଆହୋଇଛି। ଦ୍ବାଦଶ ଶତାବ୍ଦୀର ପ୍ରାଚୀନ ମନ୍ଦିରଦ୍ବୟର କାରୁକାର୍ଯ୍ୟ ସେମିତି ଅକ୍ଷୁଣ୍ଣ ରହିଛି। ସେଦିନ ଓଡ଼ିଆ ଶିଳ୍ପୀର ନିହଣମୁନର ଆଘାତରେ ନିର୍ଜୀବ ପାଷାଣ ଦେହରେ ଆଙ୍କି ହୋଇଯାଇଥିବ‌ା ଚିତ୍ର ଆଜି ବି ଲିଭିନାହିଁ। ମନ୍ଦିରଦ୍ବୟ ଅବହେଳିତ ଅବସ୍ଥାରେ ରହିଛି ଏବଂ ଦେବୋତ୍ତର ବିଭାଗ ଅଧୀନରେ ଥାଇ ବି କୌଣସି ଉନ୍ନତିମୂଳକ କାମ ହୋଇପାରୁନାହିଁ। କିନ୍ତୁ ନିଷ୍ଠୁର ଇତିହାସର ମୁକସାକ୍ଷୀ ହୋଇ ରହିଛି।     
ଉତ୍କଳର ପ୍ରାଚୀନ କଳା କେତେ ମନଲୋଭା ଓ ବିସ୍ମୟଭରା, ତାହାର ପ୍ରକୃଷ୍ଟ ପ୍ରମାଣ ହେଉଛି ଏହି ଦୁଇ ପ୍ରାଚୀନ ମନ୍ଦିର। ଦୁଇଟିଯାକ ମନ୍ଦିର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ଦେଉଳିଧରପୁରରେ ଅବସ୍ଥିତ। ଦେଉଳିଧରପୁରରେ ବୁଦ୍ଧକେଶ୍ୱର ଓ  ଭଅଁରା ନିଜିଗଡ଼ ମୌଜାରେ ମଧୁକେଶ୍ୱର ମହାଦେବଙ୍କ ପୀଠ ରହିଛି। ଦୁଇ ମନ୍ଦିର ମଧ୍ୟରେ ମାତ୍ର ଏକ କିଲୋମିଟର ଦୂରତା। ଲୋକଙ୍କ ବିଶ୍ବାସ ଅନୁସାରେ ବଡ଼ଭାଇ ମଧୁକେଶ୍ବର ମହାଦେବଙ୍କ ମନ୍ଦିର ପୂର୍ବମୂହାଁ ଓ ସାନଭାଇ ବୁଦ୍ଧକେଶ୍ବର ମହାଦେବଙ୍କ ମନ୍ଦିର ପଶ୍ଚିମମୁଖୀ। ମଧୁକେଶ୍ବର ମନ୍ଦିରକୁ ଲାଗି ରହିଛି ବାଣେଶ୍ବର ମହାଦେବଙ୍କ ମନ୍ଦିର। ସମସ୍ତ ମନ୍ଦିରର କାରୁକାର୍ଯ୍ୟ ପ୍ରାୟ ସମାନ। କୁହାଯାଏ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମ‌ାଣ ସମୟରେ ଏହି ମନ୍ଦିରଦ୍ବୟ ତିଆରି ହୋଇଥିଲା। ସୂର୍ଯ୍ୟମନ୍ଦିର ପାଇଁ ପ୍ରାଚୀ ନଦୀ ଦେଇ ଜଳପଥରେ ବୁହା ହେଉଥିବା ପଥରରୁ କିଛି ରଖି ଏହି ମନ୍ଦିର ଗଢ଼ାହୋଇଥିବ‌ା ଲୋକକଥା ରହିଛି। ମଧୁକେଶ୍ୱର ମନ୍ଦିର ପରିସରରେ ପ୍ରାଚୀନ ଶିଳାଲିପିର ଭଗ୍ନାବଶେଷ ରହିଛି।

Utkal sangeet College: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ବନ୍ଧାହେଲେ ଡ୍ରାମା ଅଧ୍ୟାପକ

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ମନ୍ଦିରର କାରୁକାର୍ଯ୍ୟ ଓ ଗଠନଶୈଳୀ ସହ ଏହି ମନ୍ଦିରଦ୍ବୟର ବହୁ ସାମଞ୍ଜସ୍ୟ ରହିଛି। ଉଚ୍ଚତା ଓ ପରିଧି ଦୃଷ୍ଟିରୁ ଭିନ୍ନ ହୋଇଥିଲେ ହେଁ ମନ୍ଦିରର ପାଷାଣ କାନ୍ଥର ଖୋଦିତ ଚିତ୍ର ଓ କଳାରେ ବହୁ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଜାଗର ଅମାବାସ୍ୟା, ଶିବପାର୍ବତୀଙ୍କ ବିବାହ ଉତ୍ସବ, ପଞ୍ଚୁଦୋଳ ଭୋଗଖିଆ ମେଳଣ, ଶ୍ରାବଣୀ ଜଳଲାଗି ଓ ସଂକ୍ରାନ୍ତି ଆଦି ବିଭିନ୍ନ ପର୍ବପର୍ବାଣୀରେ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି। ଉଲ୍ଲେଖନୀୟ କଥା ହେଉଛି ମଧୁକେଶ୍ୱର ମହାଦେବଙ୍କ ପୀଠରେ ଆଶ୍ୱିନ ମାସ ମହାଷ୍ଟମୀ ପୂଜା କରାଯାଇଥାଏ। ଭଅଁରା ନିଜିଗଡ଼ ଗ୍ରାମର କ୍ଷତ୍ରୀୟ ପରିବାର ତରଫରୁ ଏଠାରେ ମହାଷ୍ଟମୀ ପୂଜା ହୋଇଥାଏ। ବୁଦ୍ଧକେଶ୍ୱର ମନ୍ଦିରରେ ରାମ ନବମୀରେ ୫ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ। ପ୍ରତିବର୍ଷ ପ୍ରାଚୀ ପରିକ୍ରମାରେ ଆସୁଥିବା ସାଧୁ, ସନ୍ଥ ଓ ସନ୍ୟାସୀମାନେ ଏହି ପୀଠରେ ରାତ୍ରିଯାପନ କରନ୍ତି।

Ramu skeleton: ୮ରେ ବାହାରିବ ରାମୁ କଙ୍କାଳ

ମନ୍ଦିରଦ୍ବୟ ବହୁ ପ୍ରାଚୀନ ହୋଇଥିବାରୁ ଅବକ୍ଷୟମୁଖୀ ହେଲାଣି। ଦଧିନଉତି ଓ ଚୂଡ଼ାରେ ଫାଟ ହୋଇଥିବା ଯୋଗୁ ମନ୍ଦିରଦ୍ବୟର ଗର୍ଭଗୃହ ଓ ମୁଖଶାଳାରେ ବର୍ଷା ପାଣି ଝରୁଛି। ମନ୍ଦିର ଉପରେ ଗଛ ଉଠି ଫାଟ ସୃଷ୍ଟି କଲାଣି। ପଥରରେ ଶିଉଳି ଲାଗି କାରୁକାର୍ଯ୍ୟ ନଷ୍ଟ ହେବାକୁ ବସିଛି। କଳାପାହାଡ଼ ଆକ୍ରମଣ ସମୟର ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଗଣେଶ ଓ ହନୁମାନଙ୍କ ମୂର୍ତ୍ତି ଖୋଲାମେଲାରେ ଅବହେଳିତ ଅବସ୍ଥାରେ ଅଛି। ଗୋପ ବ୍ରାଞ୍ଚ କେନାଲ ବନ୍ଧ ହଂସପାଳ ନିମାପଡ଼ା ରାସ୍ତାର ବିକାଶ ହେଲେ ବାହାରର ପର୍ଯ୍ୟଟକମାନେ ଏଠାକୁ ଆସିପାରନ୍ତେ ବୋଲି କୁହାଯାଉଛି। ନଦୀ କୂଳରେ ଥିବା ଏହି ମନ୍ଦିରଦ୍ବୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇବାକୁ ସମସ୍ତ ଯୋଗ୍ୟତା ରଖିଛି ଏବଂ ଏଥିପାଇଁ ସ୍ଥାନୀୟ ଲୋକେ ବାରମ୍ବାର ସରକାରଙ୍କୁ ଗୁହାରି କରିଆସୁଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe