ଭୁବନେଶ୍ବର: ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ପଡ଼ିଥିଲା ପୂରା ସହର। ସମସ୍ତ ଦେବାଳୟ ସମ୍ମୁଖରେ ଥିଲା ଅସମ୍ଭାଳ ଭିଡ଼। ଘରୁ ଘରୁ ଭାସି ଆସୁଥିଲା ଖେଚୁଡ଼ି ଓ ଡାଲ୍ମାର ମହମହ ବାସ୍ନା। ମକର ଚାଉଳ ପ୍ରସ୍ତୁତିରେ ନିମଗ୍ନ ଥିଲେ ଗୃହିଣୀ, ପୂଜାରୀଙ୍କଠାରୁ ଆରମ୍ଭ କରି ବିିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ। ଆବାସିକ କଲୋନି, ହଷ୍ଟେଲ ଓ ଆପାର୍ଟମେଣ୍ଟଗୁଡ଼ିକରେ ଜମିଥିଲା ମକର ଚକଡ଼ା ଖୁଆଖୋଇ ଓ ଗୁଡ଼ିଉଡ଼ା ପର୍ବ। ମୋଟ୍ ଉପରେ ମକର ସଂକ୍ରାନ୍ତିକୁ ଧୁମ୍ଧାମ୍ରେ ପାଳିଛି ଆଜି ପୂରା ସହର। ସୌରମାସର ଗଣନାରେ ସୂର୍ଯ୍ୟ ବାରଟି ରାଶିଚକ୍ରକୁ ବାରମାସରେ ପରିକ୍ରମା କରନ୍ତି। ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଆସିବା ଦିବସଟିକୁ ‘ମକର ସଂକ୍ରାନ୍ତି’ ଭାବରେ ପାଳନ କରାଯାଏ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ଏହିଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଲୋକେ ଚାହୁଁଥିବା ବେଳେ ଆଜି ରାଜଧାନୀର ବିିଭିନ୍ନ ଶନିମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ଲୋକମାନେ ଅନ୍ନ, ବସ୍ତ୍ର, ଘୃତ ଓ କମ୍ବଳ ଇତ୍ୟାଦି ଦାନ କରୁଥିବା ଦେଖାଯାଇଥିଲା।
ସେପଟେ ଘରେ ଘରେ ଚହଟିଥିଲା ମକର ଚକଡ଼ା। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ଏଣୁ ଆଜି ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଓ ଗୋଲ୍ମରିଚ ଗୁଣ୍ଡ ଇତ୍ୟାଦି ଚକଟା ହୋଇ ଏକ ସୁମିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଏହି ଚକଟାକୁ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଇଥିଲା। ଏହି ମକର ଚକଟାକୁ ପରସ୍ପରକୁ ଖୁଆଖୋଇ ହୋଇ ପୁଅ/ଝିଅମାନେ ଆଜି ‘ମକର’ ବସିଥିବା ଦେଖିବାକୁ ମିଳିଥିଲା। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ଏଥିସହ ଦିନର ଅବଦ୍ଧି କ୍ରମଶଃ ବଢ଼ିବା ସହ ରାତି ଛୋଟ ହେବା ଆରମ୍ଭ ହୋଇଥାଏ। ମକରଠାରୁ ଶୀତର ପ୍ରକୋପ କମେ, ଦିନ ବଡ଼ ହୁଏ ଏବଂ ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଏ। ତେଣୁ ଏହି ଅନୁସାରେ ଖାଦ୍ୟ ତାଲିକା ମଧ୍ୟ ବଦଳେ।
Gadget in Focus: Smartphone with keyboard: ଫୋକସ୍ରେ ଗ୍ୟାଜେଟ୍: କିବୋର୍ଡ ସହ ସ୍ମାର୍ଟଫୋନ୍
ବାଦି ଭଜନ ଓ ଘୋଡ଼ା ନାଚରେ ଜମିଲା ମକର ମେଳା
ଆଜି ପବିତ୍ର ମକର ସଂକ୍ରାନ୍ତି ପାଇଁ ବାଲିପାଟଣାର ବିଭିନ୍ନ ମନ୍ଦିରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ପୂଜାର୍ଚ୍ଚନା, ହୋମ ଯଜ୍ଞ, ନାମ ସଂକୀର୍ତ୍ତନ ସାଙ୍ଗକୁ ବାଦି ଭଜନ ଓ ଘୋଡ଼ା ନାଚ ମକର ମେଳାକୁ ଜମାଇଥିଲା। ସବୁ ଦେବାଳୟରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ହୋଇଥିଲା ଏବଂ ମକର ଚାଉଳ ଲାଗି କରାଯାଇଥିଲା। କିନ୍ତୁ ମକର ମେଳା ପାଇଁ ଆଜି ବିଭିନ୍ନ ତ୍ରିନାଥ ମନ୍ଦିରର ମାହୋଲ ନିଆରା ଥିଲା। ଚଣାହଟ୍ଟା ଗ୍ରାମର ତ୍ରିନାଥ ମନ୍ଦିରରେ ଦିନ ସାରା ବାଦି ଭଜନ ଖୁବ୍ ଜମିଥିଲା। ସେହିଭଳି ସନ୍ଧ୍ୟାରେ ମହୁରୀ ଓ ଢୋଲ ବାଜା ସାଙ୍ଗରେ ଘୋଡ଼ା ନାଚ ଆହୁରି ଜମିଯାଇଥିଲା। ସେହିପରି ଗୋବିନ୍ଦପୁର ଗ୍ରାମରେ ତ୍ରିନାଥ ଗୋସେଇଁଙ୍କ ପୀଠରେ ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ସରାଟଶାସନ ସଙ୍କଟମୋଚନ ମହାବୀରଙ୍କ ପୀଠରେ ମକର ମେଳା ଆୟୋଜିତ ହୋଇଥିଲା।
ବ୍ୟାସକବିଙ୍କ ଜୟନ୍ତୀ ଓ ମକର ଚାଉଳ ବଣ୍ଟନ
ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାସକବି ଫକିରମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆଜି ମକରସଂକ୍ରାନ୍ତି ଅବସରରେ ପଥଚାରୀଙ୍କୁ ମକର ଚାଉଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକାରୀ ରାଧାନାଥ ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନମଙ୍ଗଳ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ଯୁବ ସଦସ୍ୟ ନିରଞ୍ଜନ ସାହୁ, ସଞ୍ଜୟ ପରିଡ଼ା, ମାନି ପଣ୍ଡା, ମନୋରଞ୍ଜନ ମିଶ୍ର, ନରସିଂହ ପରିଡ଼ା, ରୁତୁରାଜ ପଟ୍ଟନାୟକ, ସୁମିତ୍ରା ସାହୁ, ବୈଲୋଚନ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଭୀମ ଭୋଇ ଭଜନରେ କମ୍ପିଲା ମକରମେଳା
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବାରଙ୍ଗ ଫୁଲପୋଖରୀସ୍ଥିତ ମା’ ଫୁଲବତୀ ଠାକୁରାଣୀଙ୍କ ପୀଠରେ ମକରମେଳା ଅନୁଷ୍ଠିତ ହୋଇଯାଇଛି। ସକାଳୁ ମା’ଙ୍କ ପୂଜାର୍ଚ୍ଚନା ପରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ରଚିତ ଭଜନଗୁଡ଼ିକ ଗାନ କରାଯାଇଥିଲା। ଆଜିର ଦିନରେ ସନ୍ଥକବିଙ୍କ ଭଜନଗୁଡ଼ିକର ଗୁରୁତ୍ବ ସମ୍ପର୍କରେ ଗୁରୁ ରମାକାନ୍ତ ଭୋଇ ଓ ରଘୁନାଥ ଭୋଇ କହିଥିଲେ। ସାମ୍ପ୍ରତିକ ଓ ତତ୍କାଳୀନ ସମାଜର ଉଦାହରଣ ମାଧ୍ୟମରେ ସେମାନେ ଭୀମ ଭୋଇଙ୍କ ଗାଥା ବୁଝାଇଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳର ବହୁ ଭଜନପ୍ରେମୀ ଯୋଗ ଦେଇଥିଲେ। ସୁରେନ୍ଦ୍ର ଭୋଇ, ଜ୍ଞାନ ରଞ୍ଜନ କାଣ୍ଡି, ବଟକୃଷ୍ଣ ଭୋଇ, ରାଜେନ୍ଦ୍ର ଭୋଇ, ପ୍ରଶାନ୍ତ ଭୋଇ, କାହ୍ନା ଭୋଇ, ପବିତ୍ର ଭୋଇ, ସନ୍ତୋଷ ଭୋଇ, ଆକାଶ ଭୋଇ ଓ କୀର୍ତନ ଭୋଇ ପ୍ରମୁଖ ଏଭଳି ଭବ୍ୟ ଭଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Follow Us