ଭୁବନେଶ୍ୱର:  ମୋଟର ଯାନ ଆଇନ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍‌। ତରବରିଆ ଭାବେ ପରିବହନ ବିଭାଗର ଏଭଳି ନିୟମ ଲାଗୁ ନେଇ ସାରା ରାଜ୍ୟରେ ଜନଅସନ୍ତୋଷ ଦେଖାଦେଇଛି। କାରଣ ଏହି ନିୟମ ଲାଗୁ ପରେ ପ୍ରଦୂଷଣ ଯାଞ୍ଚ ସଂସ୍ଥା ନିକଟରେ ନାହିଁ ନଥିବା ଭିଡ଼ ଜମୁଛି। ଅନେକଙ୍କ ସର୍ଭର କାମ କରୁନି। ଫଳରେ ଲୋକ ସମସ୍ୟାରେ ପଡ଼ୁଛନ୍ତି। ଜନ ଅସନ୍ତୋଷ ତେଜିବା ପରେ ପରିବହନ ବିଭାଗର ଚେତା ପଶିଛି। ନିୟମକୁ କୋହଳ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭୁବନେଶ୍ୱର-୧ ସମ୍ମିଳନୀ କକ୍ଷରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତୈଳ ସଂସ୍ଥା ଓ ଡିଲର ଆସୋସିଏନ ପ୍ରତିନିଧି ଯୋଗଦେଇ ସମାଧାନ ଦିଗରେ ଆଲୋଚନା କରିଥିଲେ।

Advertisment

Environmental Warrior: ପରିବେଶ ଯୋଦ୍ଧା: ବର୍ଜ୍ୟ ସାମଗ୍ରୀରୁ ପରିବେଶ ଅନୁକୂଳ କଳାକୃତି


ନିଷ୍ପତ୍ତି ମୁତାବକ ଆସନ୍ତା ୧୫ ଦିନ ଧରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସଚେତନାତା କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କଠାରୁ ଆରମ୍ଭ କରି ପରିବହନ ବିଭାଗର କର୍ମଚାରୀ ସାମିଲ ହେବେ। ଲୋକମାନେ କିଭଳି ପ୍ରମାଣପତ୍ର ପାଇବେ? କିଭଳି ପେଟ୍ରୋଲ୍‌ ପମ୍ପରେ ଗାଡ଼ିର ପ୍ରଦୂଷଣ ବୈଧତା ସମ୍ପର୍କରେ ଜଣାପଡ଼ିବ? ସମସ୍ତ ଦିଗକୁ ନେଇ ସଚେତନ କରାଇବେ। ସଚେତନତାର ୧୫ଦିନ ପରେ ଏହି ନିୟମକୁ କଡ଼ାକଡ଼ି ଭାବେ  ଲାଗୁକରାଯିବ। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକ ଯେଉଁଗାଡ଼ିର ଯାଞ୍ଚ କରିବେ ସେହି ଗାଡ଼ିରେ ଏକ ଯାଞ୍ଚ ଷ୍ଟିକର ଲଗାଇବେ। ଯେଉଁଥିରେ ପ୍ରଦୂଷଣ ବୈଧତାର ତାରିଖ ଲେଖାଯାଇଥିବ। ଫଳରେ ପେଟ୍ରୋଲ୍‌ ପମ୍ପ କର୍ମଚାରୀ ଜାଣିପାରିବେ ଯେ ଗାଡ଼ିର ପ୍ରଦୂଷଣ ବୈଧତା ଅଛି ନା ନାହିଁ। ଯଦି ବୈଧତା ନଥିବ, ପେଟ୍ରୋଲ ବା ଡିଜେଲ୍‌ ଦେବେ ନାହିଁ।

Bangladesh: ଭିସା ସେବା ବନ୍ଦ କଲା ବାଂଲାଦେଶ

 
ତେବେ ବିଏସ୍‌-୪ ଜାନ ପାଇଁ ପ୍ରତି ୬ମାସ ଓ ବିଏସ୍‌-୬ ପାଇଁ ବର୍ଷକରେ ଥରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ୟକ। ମୋଟର ଯାନ ଆଇନ ଅନୁଯାୟୀ ଏହାର ବୈଧତା ନିର୍ଦ୍ଧାରିତ ହୋଇଛି। ଏହି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପାଇଁ ରାଜ୍ୟର ସମସ୍ତ ଟୋଲ୍ଗେ‌ଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁଗାଡ଼ିର ପ୍ରମାଣପତ୍ର ନଥିବ ସ୍ବୟଂଚାଳିତ ଭାବେ  ନମ୍ବରରେ  ଚାଲାଣ କଟିବ ବୋଲି କୁହାଯାଇଛି। ଆଜିର ଏହି  ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଅଏଲ ସିଜିଏମ୍ କମଲ୍ ଶିଲ୍, ଏଚ୍ପି‌ସିଏଲ୍ ରୁ ସିଆର୍ ବିଜୟ କୁମାର, ଉତ୍କଳ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଞ୍ଜୟ ଲାଠ ପ୍ରମୁଖ ଯୋଗ ଦେଇଥିଲେ।