ଭୁବନେଶ୍ବର: କୌଣସି ନାମୀଦାମୀ ଡିଜାଇନର୍ଙ୍କ ଅତ୍ୟାଧୁନିକ ପୋଷାକ ନୁହେଁ, ଆଦିବାସୀ ବେଶଭୂଷାରେ ଭୂଷିତ ପରିପାଟୀ ତାଙ୍କୁ ଦେଇଛି ଜାତୀୟ ପରିଚୟ। ସୌନ୍ଦର୍ଯ୍ୟ ଯେ କେବଳ ଆଧୁନିକତାରେ ଥାଏ, ତାହାକୁ ଜାତୀୟ ମଞ୍ଚରେ ଭୁଲ୍ ପ୍ରମାଣିତ କରି ପରମ୍ପରା ଓ ସଂସ୍କୃତିର ପରାକାଷ୍ଠାରେ ସେ ଆଣିଛନ୍ତି ରାଜ୍ୟ ପାଇଁ ଗର୍ବ ଓ ଗୌରବ। ସୁନ୍ଦରୀ ପ୍ରତିଯୋଗିତା ‘ଜୁନିଅର ମିସ୍ ଇଣ୍ଡିଆ’ ସିଜିନ୍-୪ରେ ଶ୍ରେୟା ସମ୍ହିତା କୁଣ୍ଡୁ ଓଡ଼ିଶାର ପ୍ରତିନିଧିତ୍ବ କରି ‘ସାଂସ୍କୃତିକ ବର୍ଗ’ ଓ ‘ମିସ୍ ଟ୍ୟାଲେଣ୍ଟେଡ୍’ ବର୍ଗରେ ବିଜୟୀ ହୋଇ ଶିଖାଇ ଦେଇଛନ୍ତି ଯେ ଯୁଗ ସହ ତାଳ ଦେଇ ସଂସ୍କୃତି ଓ ପରମ୍ପରାକୁ ସାଙ୍ଗରେ ନେଇ ଜିତିହେବ ଫ୍ୟାସନ୍ର ସବୁଠାରୁ ବଡ଼ ପ୍ରତିଯୋଗିତା। ରାଜସ୍ଥାନର ଜୟପୁରସ୍ଥିତ ‘ହୋଟେଲ୍ କ୍ଲାର୍କ ଆମେର’ରେ ଜାନୁଆରି ୬ରୁ ୮ତାରିଖ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଶ୍ରେୟା ୧୭୧ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୃତିତ୍ବ ହାସଲ କରିଛନ୍ତି। ଏଥିରେ ସେ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉପସ୍ଥାପନ କରି ଜାତୀୟ ତଥା ଅନ୍ତର୍ଜାତୀୟ ଫ୍ୟାସନ୍ ଡିଜାଇନର୍ଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ବାପା ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପ୍ରଫେସର ସନ୍ଦୀପ କୁଣ୍ଡୁ ଓ ମା’ ପ୍ରିୟଙ୍କାଙ୍କ ମାର୍ଗଦର୍ଶନରେ ମାତ୍ର ୧୫ ବର୍ଷ ବୟସରେ ଶ୍ରେୟା ଏହି ସଫଳତା ପାଇପାରିଛନ୍ତି। ପିଲାଦିନୁ ମାଲେସିଆରେ ବଢ଼ିଥିବା ଶ୍ରେୟା ବର୍ତ୍ତମାନ ‘ଦି ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ’ରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ସହ ଆଜି ଏହି ଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି ‘ସମ୍ବାଦ’ ପ୍ରତିନିଧି ଦେବଦଳନ ରଥ।
Air pollution: ୪୪% ସହରରେ ସ୍ଥାୟୀ ବାୟୁ ପ୍ରଦୂଷଣ
ଭାରତୀୟଙ୍କ ପାଇଁ ସାଂସ୍କୃତିକ ରାଉଣ୍ଡ୍ ସହଜ ବୋଲି ଅନେକ ଭାବନ୍ତି, କ’ଣ କହିବେ?
ପ୍ରତିଯୋଗିତା କେବେ ବି ସହଜ ନୁହେଁ। ଆଜିକା ସମୟରେ ତ’ ବିଲ୍କୁଲ ନୁହେଁ। ଏଥିପାଇଁ କେବଳ ପରିଶ୍ରମ ନୁହେଁ ନିରନ୍ତର ସାଧନା କରିବାକୁ ପଡ଼େ। ପିଲାଦିନୁ ମୋର ଫ୍ୟାସନ୍ ପ୍ରତି ଦୁର୍ବଳତା ଥିଲା। ବର୍ତ୍ତମାନ ଗୋଟିଏ ସୁଯୋଗ ମିଳିଲା। ପ୍ରତିଯୋଗିତା ପୂର୍ବରୁ ମୁଁ ପ୍ରାୟ ଦୁଇମାସ ଧରି ଅନ୍ଲାଇନ୍ରେ ପ୍ରଶିକ୍ଷଣ ନେଇଥିଲି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ସାଂସ୍କୃତିକ ବର୍ଗ। ଭାରତୀୟଙ୍କ ପାଇଁ ଏହା ଯେତେ ସହଜ ଲୋକେ ଭାବନ୍ତି, ବାସ୍ତବରେ ଏହା ସବୁଠାରୁ ଆହ୍ବାନପୂର୍ଣ୍ଣ। କାରଣ ଏଥିରେ ଆମକୁ ଶ୍ରେଷ୍ଠରୁ ସର୍ବଶ୍ରେଷ୍ଠ ଦେବାକୁ ପଡ଼ିଥାଏ। ସାଂସ୍କୃତିକ ବର୍ଗରେ ମୁଁ ଓଜନିଆ ପରିଧାନ ସହିତ ଖାଲିପାଦରେ ଚାଲିଥିଲି। ବିଳମ୍ବିତ ରାତିରେ ରାଜସ୍ଥାନରେ ମାତ୍ର ୫ ଡିଗ୍ରି ତାପମାତ୍ରାରେ ଫାଇନାଲ୍ ରାଉଣ୍ଡ୍ ବହୁତ କଷ୍ଟକର ଥିଲା। ସେହିଭଳି ଗାଉନ୍ ରାଉଣ୍ଡରେ କମ୍ ସମୟ ମଧ୍ୟରେ ପୋଷାକ ପ୍ରସ୍ତୁତ କରି ପ୍ରଦର୍ଶନ କରିବା ମଧ୍ୟ ଆହ୍ବାନପୂର୍ଣ୍ଣ ଥିଲା। ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହେବା ପରେ ମଧ୍ୟ ବିଶ୍ବାସ ହୋଇ ନ ଥିଲା। ସହପ୍ରତିଦ୍ବନ୍ଦ୍ବୀମାନେ ଅଭିନନ୍ଦନ ଜଣାଇବା ପରେ ପ୍ରକୃତିସ୍ଥ ହୋଇଥିଲି।
War in the middle east: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା: ଯେକୌଣସିି ସମୟରେ ଅାକ୍ରମଣ କରିପାରେ ଆମେରିକା
ଏହି ପ୍ରତିଯୋଗିତା ଜିତିବାରେ ସବୁଠାରୁ ବଡ଼ ଭୂମିକା କାହାର ଥିଲା?
ନିଜେ ବହୁ ପରିଶ୍ରମ କରିଛି। କିନ୍ତୁ ମୁଁ ସିଙ୍ଗାପୁରରେ ପଢ଼ିବା ସମୟରେ ସ୍କୁଲରେ ମିଳିଥିବା ବାକ୍ ବିନିମୟ ଶିକ୍ଷା, କଥାକୁହା ଶୈଳୀ ଓ ଚକ୍ଷୁରେ ଚକ୍ଷୁ ମିଶାଇବାର ଶୈଳୀ ମୋତେ ବହୁତ ଆତ୍ମବିଶ୍ବାସ ଦେଇଥିଲା। ମୋ ବାପା ଓ ମାଆ ମୋତେ ଏନେଇ ଯୋଗ୍ୟ କରିବା ସହ ମୋତେ ସବୁବେଳେ ପ୍ରୋତ୍ସାହିତ କରିଛନ୍ତି। ସେମାନଙ୍କ ସମର୍ଥନ ଯୋଗୁ ଆଗକୁ ବଢ଼ିଛି। ସେହିଭଳି ‘ଉତ୍କଳିକା’ର ସହଯୋଗ ମୋତେ ଆଗକୁ ବଢ଼ିବାର ସୁଯୋଗ ମିଳିଥିଲା। ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଜାତୀୟସ୍ତରରେ ଲୋକଲୋଚନକୁ ଆଣିଥିବାରୁ ଗର୍ବ ଲାଗୁଛି।
ଫ୍ୟାସନ୍ ପାଇଁ କ’ଣ କେବଳ ସୁନ୍ଦର ହେବା ଜରୁରି?
ନା। ସୁନ୍ଦରୀ ପ୍ରତିଯୋଗିତା ଜିତିବାକୁ ହେଲେ ନିଜକୁ ସବୁ କ୍ଷେତ୍ରରେ ଯୋଗ୍ୟ କରିବାକୁ ପଡ଼ିବ। ପ୍ରତିଭା ସୌନ୍ଦର୍ଯ୍ୟର ଅନ୍ୟ ଏକ ପରିଭାଷା। ଏଣୁ ମୁଁ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରଶିକ୍ଷିତ କରାଉଛି। ମୁଁ ୧୧ବର୍ଷ ହେଲା ଓଡ଼ିଶୀ ନୃତ୍ୟ ଶିଖୁଛି। ମଡେଲିଂ କରୁଛି। ଭଲିବଲ୍ ଓ କୁକିଂରେ ମଧ୍ୟ ରୁଚି ରହିଛି। କବିତା ଲେଖିବାକୁ ମୋତେ ଭଲ ଲାଗେ। ‘ସାଇଲେନ୍ସ୍ଡ୍ ଇଙ୍କ୍ସ୍: ଫ୍ରାଗ୍ମେଣ୍ଟ୍ସ୍ ଅଫ୍ ଏ ଲଷ୍ଟ ଏଣ୍ଟିଟି’ ନାମରେ ଏକ ଇଂରାଜୀ କବିତା ପୁସ୍ତକ ମଧ୍ୟ ମୁଁ ରଚନା କରିଛି।
ଜଣେ ମଡେଲ ହେବାର ସ୍ବପ୍ନ ନେଇ ଆଗକୁ ବଢ଼ିବେ କି?
ନା। କେବଳ ମଡେଲ ନୁହେଁ, ଫ୍ୟାସନ୍ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ଉଦ୍ୟମ ଜାରି ରଖିବି। ଏଥିସହ ଭବିଷ୍ୟତରେ ଜଣେ ମନସ୍ତତ୍ତ୍ବବିତ୍ ହେବାକୁ ଲକ୍ଷ୍ୟ ରଖିଛି। ମନସ୍ତତ୍ତ୍ବ ଗବେଷଣାକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ପାଇଁ କାମ କରିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/untitled-17-2026-01-13-07-10-09.jpg)