Sri lingaraj: ଶ୍ରୀଲିଙ୍ଗରାଜଙ୍କ କଣ୍ଠରେ ଫାଟ, ବିନା କରାଳରେ ବିତିଲାଣି ୩୦ବର୍ଷ

Advertisment

ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥାନକୁ କଣ୍ଠ କୁହାଯାଏ। ଉଦ୍‌ବେଗର ବିଷୟ ଯତ୍ନ ଅଭାବରୁ ଏହି କଣ୍ଠରେ ଫାଟ ସୃଷ୍ଟି ହୋଇଛି। ଦୀର୍ଘ....

ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥାନକୁ କଣ୍ଠ କୁହାଯାଏ। ଉଦ୍‌ବେଗର ବିଷୟ ଯତ୍ନ ଅଭାବରୁ ଏହି କଣ୍ଠରେ ଫାଟ ସୃଷ୍ଟି ହୋଇଛି। ଦୀର୍ଘ....

Untitled-26

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥାନକୁ କଣ୍ଠ କୁହାଯାଏ। ଉଦ୍‌ବେଗର ବିଷୟ ଯତ୍ନ ଅଭାବରୁ ଏହି କଣ୍ଠରେ ଫାଟ ସୃଷ୍ଟି ହୋଇଛି। ଦୀର୍ଘ ୩୦ ବର୍ଷ ହେଲା ଏଥିରେ କରାଳ ଦିଆଯାଇ ନଥିବାରୁ ଏହି ଫାଟ ଦେଖାଯାଇଛି। ପ୍ରାୟ ୧୪ ଇଞ୍ଚ ପର୍ଯ୍ୟନ୍ତ ଫାଟ ହୋଇଥିବା ଦେଖାଗଲାଣି। ଏପରିକି ଏହି ଫାଟରେ ପ୍ରାୟ ୪ ଆଙ୍ଗୁଳି ଗଳିଯିବା ଭଳି ଅବସ୍ଥା ହୋଇଥିବାରୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି।  ତୁରନ୍ତ ଫାଟ ମରାମତି ନ ହେଲେ ମୁଖ୍ୟଲିଙ୍ଗ କ୍ଷୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

Ahamikar Storm: ପରିବାର ମହତ୍ତ୍ୱର ବାର୍ତ୍ତାଦେଲା ‘ଅହମିକାର ଝଡ଼’

ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଜଳଲାଗି କରିବାଠାରୁ ଆରମ୍ଭ କରି କ୍ଷୀର ଢାଳିବା, ରୁଦ୍ରାଭିଷେକ କରିବା, ମାଜଣା କରିବା ସହ ଶ୍ରୀଲିଙ୍ଗରେ ଘର୍ଷଣ କରିଥା’ନ୍ତି। ମାନସିକ ପୂରଣ ପାଇଁ ଭକ୍ତମାନେ ଶ୍ରୀଲିଙ୍ଗ ଓ ଶକ୍ତିରେ ନୈବେଦ୍ୟ ଅର୍ପଣ କରନ୍ତି। ଫଳରେ ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗସ୍ଥଳ କଣ୍ଠରେ ବିଭିନ୍ନ ଭୋଗସାମଗ୍ରୀ ଲାଗିରହିଯାଏ। ଶକ୍ତିର ସୁରକ୍ଷା ପାଇଁ ରୁପା ଆବରଣ ଦିଆଯାଇଛି। କିନ୍ତୁ ଏହା ମଝିରେ ଥିବା ଖାଲି ସ୍ଥାନରେ ଲହୁଣି, ନବାତ ଭଳି ଭୋଗ ପଦାର୍ଥ ଜମି ରହୁଛି। ଶକ୍ତି ଓ ଶ୍ରୀଲିଙ୍ଗର ଏହି ସଂଯୋଗସ୍ଥାନରେ ଏହି ଫାଟ ବହୁ ପୁରୁଣା କାଳରୁ ରହିଛି ବୋଲି ମନ୍ଦିର ଟ୍ରଷ୍ଟି ଅଗାଧୁ ପୂଜାପଣ୍ଡା କହିଛନ୍ତି। ତେବେ ଏହି ଫାଟକୁ କରାଳ ଲଗାଯାଇ ବନ୍ଦ କରାଯାଏ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଳ ଯୋଗାଇଦିଆଯାଏ ଏବଂ ସେବାୟତମାନେ କରାଳ ଲେପ ଦେଇ ଫାଟକୁ ବନ୍ଦ କରିଦିଅନ୍ତି। କରାଳ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ପଦ୍ଧତି ଓ ବିଧିବିଧାନ ରହିଛି। ନୂଆ ଗାମୁଛା, ଝୁଣା, ଲାଖ, ଗୁଡ଼, ରାଶି ତେଲ, କର୍ପୂର ମିଶ୍ରଣରେ କରାଳ ପ୍ରସ୍ତୁତ କରାଯାଇଥାଏ। ମାତ୍ର ପ୍ରାୟ ୩୦ ବର୍ଷ ହେଲା କରାଳ ଦିଆଯାଉନାହିଁ। ଫଳରେ କଣ୍ଠରେ ଫାଙ୍କା ବା ଫାଟ ଦେଖାଯାଉଛି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏହି ଫାଙ୍କରେ ବେଳେବେଳେ ପାଦୁକ ଜମି ରହି ଦୁର୍ଗନ୍ଧ ସୃଷ୍ଟି ହେଉଛି। ଫଳମୂଳ, ପଞ୍ଚାମୃତ, ଘିଅ, କ୍ଷୀର ଆଦି ଭୋଗ ସେଠାରେ ଜମି ରହିବା ଦ୍ବାରା ଫାଟ ଦିନକୁ ଦିନ ବୃଦ୍ଧିପାଉଛି। ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆ ନଗଲେ, ଆଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜଙ୍କ ଶ୍ରୀଲିଙ୍ଗ ଦର୍ଶନରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Old Man Lives Toilet ବିଦ୍ୟାଳୟର ପରିତ୍ୟକ୍ତ ଶୌଚାଳୟ ଘରେ ବିତୁଛି ବୃଦ୍ଧଙ୍କ ଜୀବନ, ୬୫ ବର୍ଷ ବୟସରେ ବି ମିଳୁନି ଭତ୍ତା କି ରାସନ.

 ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯେ ସେମାନେ ପିଲାବେଳୁ ଦେଖିଆସିଛନ୍ତି ଯେ ବରିଷ୍ଠ ବଡ଼ୁ ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କ କଣ୍ଠରେ କରାଳ ଦେଇଥାନ୍ତି। ମାତ୍ର ବହୁ ବର୍ଷ ହେଲା ଶ୍ରୀଲିଙ୍ଗର କଣ୍ଠ ବିନା କରାଳରେ ରହିଛି। ଫଳରେ ପ୍ରାୟ ଏକ ଫୁଟ୍‌ରୁ ଉର୍ଦ୍ଧ ଫାଟ ସୃଷ୍ଟି ହେଲାଣି। ଏଥିପାଇଁ ଶକ୍ତି ଅସୁରକ୍ଷିତ ହୋଇପଡ଼ୁଛି। ପ୍ରଶାସନ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ। ବଡ଼ୁ ସେବାୟତମାନେ ଏହାକୁ ଶୀଘ୍ର ଅଭିଜ୍ଞ ସେବାୟତଙ୍କ ମତ ନେଇ କରାଳ କରିବା ଆବଶ୍ୟକ ହୋଇପଡ଼ିଛି। ସୂଚନାଯୋଗ୍ୟ ଯେ କରାଳ ଲଗାଇବା ପ‌ାଇଁ ଏଏସ୍ଆଇ ଓ ମନ୍ଦିର ପ୍ରାଶସନ ପକ୍ଷରୁ ବର୍ଷେ ହେଲା ଅନୁମତି ଦିଆଯାଇଛି ଏବଂ ଏହା ଟ୍ରଷ୍ଟ ବୋର୍ଡର ଅନୁମୋଦନ ଲାଭ କରିଛି। ଏହା ପୂର୍ବରୁ ୧୯୯୮ମସିହାରେ କରାଳ ଦିଆଯାଇଥିଲା। ଏହାପରଠୁ ଆଉ କରାଳ ଦିଆଯାଇନାହିଁ। ଖୁବ୍‌ ଶୀଘ୍ର ଶ୍ରୀଲିଙ୍ଗଙ୍କ କଣ୍ଠ‌‌ରେ କରାଳ ଦିଆଯିବ ଏବଂ ମନ୍ଦିର ପ୍ରଶାସନ ସବୁ ଯୋଗାଇବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି କହିଛନ୍ତି।   ଘୋଡ଼ଣି ଉଠାଇ ଶକ୍ତିଙ୍କ ଦର୍ଶନ ଅଭିଯୋଗ   ଶ୍ରୀଲିଙ୍ଗରାଜଙ୍କ ଶକ୍ତି ଉପରେ ରୁପା ଘୋଡ଼ଣି ଲାଗିଛଇ। ଶକ୍ତିର ସୁରକ୍ଷା ଓ କଣ୍ଠର ସୁରକ୍ଷା ପାଇଁ ରୁପା ଘୋଡ଼ଣି ଲାଗିଛି। ପରିତାପର ବିଷୟ କିଛି ବଡ଼ୁ ସେବାୟତମାନେ ତାଙ୍କ ଯଜମାନଙ୍କୁ ଶକ୍ତି ଦର୍ଶନ କରାଇବା ପାଇଁ ଘୋଡ଼ଣିକୁ ଉଠାଇବା ଅଭିଯୋଗ ହେଉଛି। ବ୍ରାହ୍ମଣ କିମ୍ବା ପୂଜାପଣ୍ଡା ସେବାୟତମାନେ ତାଙ୍କ ଯଜମାନଙ୍କୁ ଶକ୍ତି ଦର୍ଶନ କରାଇବା ପାଇଁ ଘୋଡ଼ଣି ଉଠାଇବା ଲାଗି ପାଳିଆ ବଡ଼ୁମାନେ ୫ଶହ ଟଙ୍କା ଦାବି କରୁଛନ୍ତି। ଏପରି ବାରମ୍ବାର ଘୋଡ଼ଣି ଉଠାଇବା ନେଇ କୌଣସି ନିମୟ ନାହିଁ। ମାତ୍ର ବଡ଼ୁ ସେବାୟତମାନେ ଏପରି କରୁଥିବା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏଭଳି ହେଲେ ଶକ୍ତି ଅସୁରକ୍ଷିତ ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏହି ଅଭିଯୋଗକୁ ନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe