ବାରଙ୍ଗ: ଆରମ୍ଭ ହୋଇଯାଇଛି ବଣଭୋଜି ଋତୁ। ଶୀତର ରାଜୁତି ଭିତରେ ବନ୍ଧୁପରିଜନଙ୍କ ସହ ବୁଲାବୁଲି ଓ ଭୋଜିରେ ମତୁଆଲା ରାଜ୍ୟ ତଥା ରାଜଧାନୀବାସୀ ଚଳିତ ଶୀତକୁ ଭଲରେ କାଟିବାକୁ ରମଣୀୟ ସ୍ଥାନଟିଏ ଖୋଜୁଛନ୍ତି। ଯେଉଁଠାରେ ବୁଲାବୁଲି, ଫଟୋ ଆଉ ରିଲ୍ର ସେସନ୍ ସହ ଜମିପାରିବ ଭୋଜିଭାତର ଆସର। ରାଜଧାନୀରେ ହାତଗଣତି କିଛି ସ୍ଥାନରେ ବୁଲାବୁଲି ଓ ଭୋଜିଭାତ ପାଇଁ ପ୍ରକୃଷ୍ଟ ସ୍ଥଳ ଥିବା ବେଳେ ନନ୍ଦନକାନନସ୍ଥିତ ‘ରାଜ୍ୟ ଉଦ୍ଭିଦ ଉଦ୍ୟାନ’ କିନ୍ତୁ ଚଳିତ ବର୍ଷ ବି ଆଗନ୍ତୁକଙ୍କୁ ନିରାଶ କରୁଛି। କାରଣ ପ୍ରାକୃତିକ ଆଭାରେ ଭରପୂର ଏହି ଉଦ୍ୟାନକୁ ବୁଲି ହେବ ସତ, କିନ୍ତୁ ଦରି ପାରି, ଚୁଲି ଲଗାଇ ଏଠାରେ ଜମିପାରୁନି ଭୋଜିର ଆସର। ହ୍ରଦର ସୁରକ୍ଷା ପାଇଁ ୨୦୨୩ ମସିହାରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ଭୋଜି ବନ୍ଦ କରି ଦିଆଯାଇଛି। ହ୍ରଦର ସୁରକ୍ଷା ଅତ୍ୟନ୍ତ ଜରୁରି, କିନ୍ତୁ ସମୁଚିତ ପଦକ୍ଷେପ ଗ୍ରହଣ କରି ଏଠାରେ ପୁଣି ଥରେ ବଣଭୋଜି ଆରମ୍ଭ କରାଯାଉନଥିବାରୁ ଆଗନ୍ତୁକ ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି।
/filters:format(webp)/sambad/media/media_files/2025/12/16/untitled-20-2025-12-16-08-38-09.jpg)
Devendra: ପାଷାଣରେ ପ୍ରାଣ ସଞ୍ଚାର କରୁଛନ୍ତି ଦେବେନ୍ଦ୍ର
୧୯୬୩ ମସିହାରେ ପ୍ରାକୃତିକ କାଞ୍ଜିଆ ହ୍ରଦ ଓ କିଆଖଣି ହ୍ରଦର ମଧ୍ୟବର୍ତ୍ତୀ ୭୫ ହେକ୍ଟର ପାହାଡ଼ିଆ ଜାଗାରେ ପ୍ରତିଷ୍ଠା ହୋଇଥିଲା ଏହି ଉଦ୍ୟାନ। ଶୀତ ଦିନେ କାଞ୍ଜିଆ ହ୍ରଦରେ ବିଦେଶାଗତ ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିମୋହିତ କରେ। ଏହାସହ ପ୍ରାକୃତିକ ଜଙ୍ଗଲିଆ ପରିବେଶ ଭିତରେ ଭଳିକି ଭଳି ପୁଷ୍ପଉଦ୍ୟାନ ପର୍ଯ୍ୟଟକଙ୍କୁ ବେଶ୍ ଆନମନା କରେ। ମନୋରମ ବାଟିକା ସବୁକୁ ବୁଲି ଦେଖିବା ସହ ଏଠାରେ ବଣଭୋଜି କରିବା ପାଇଁ ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଛୁଟି ଆସିଥାଆନ୍ତି। ଭୋଜି ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଥିବାରୁ ଏଠାରେ ବିଭିନ୍ନ ପ୍ରକାର କଟେଜ୍ ସହ ବଣଭୋଜିସ୍ଥଳ ନିର୍ମାଣ କରାଯାଇଥିଲା। ପରେ ୨୦୧୬ରୁ ୨୦୨୦ ମସିହା ମଧ୍ୟରେ ସ୍ୱତନ୍ତ୍ର ପିଣ୍ଡି ନିର୍ମାଣ କରାଯାଇଥିଲା। ଅପରାଧ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଲାଗି ସୁରକ୍ଷା କର୍ମଚାରୀମାନେ ମୁତୟନ ରହୁଥିଲେ। ପର୍ଯ୍ୟଟନ ଋତୁ ଓ ଛୁଟି ଦିନରେ ଏତେ ଭିଡ଼ ହେଉଥିଲା ଯେ ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରୁ ନନ୍ଦନକାନନ ଛକ ଓ ବାରଙ୍ଗ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ଭିଡ଼ ରହୁଥିଲା। ଉଦ୍ଭିଦ ଉଦ୍ୟାନର ଟିକଟ ବିକ୍ରି ବାବଦକୁ ବେଶ୍ ଭଲ ରାଜସ୍ୱ ମଧ୍ୟ ଆଦାୟ ହେଉଥିଲା।
/filters:format(webp)/sambad/media/media_files/2025/12/16/untitled-18-2025-12-16-08-36-27.jpg)
Ramu: ‘ରାମୁ’ର ମୁଣ୍ଡରେ ଥିଲା ଗଭୀର କ୍ଷତ
ହେଲେ ସବୁ ଭିତରେ ଭୋଜିର ବଳକା ଖାଦ୍ୟ ଓ ବର୍ଜ୍ୟ ବସ୍ତୁ, ପ୍ଲାଷ୍ଟିକ ବୋତଲ ଆଦି କାଞ୍ଜିଆ ହ୍ରଦ ଓ କିଆଖଣି ହ୍ରଦକୁ ଫିଙ୍ଗିବା ବା ପଡ଼ିରହିବା ଫଳରେ ପାଣି ଦୂଷିତ ହେଲା। ପ୍ରାକୃତିକ ହ୍ରଦର ସୁରକ୍ଷା ପାଇଁ ୨୦୨୩ ମସିହାରେ ଉଦ୍ଭିଦ ଉଦ୍ୟାନ ପରିସରରେ ଭୋଜି ବନ୍ଦ କରି ଦିଆଗଲା। ଫଳରେ ଦୁଇ ବର୍ଷ ହେଲା ଏଠାରେ ବଣଭୋଜି ବନ୍ଦ ରହିଛି। ଏବେ ବି ଭୋଜି ବନ୍ଦ ଜାଣି ନଥିବା କିଛି ପର୍ଯ୍ୟଟକ ସାଙ୍ଗରେ ଭୋଜି ସାମଗ୍ରୀ ଧରି ଆସି ଏଣେତେଣେ ରାସ୍ତାକଡ଼ରେ ଭୋଜି କରି ଫେରୁଛନ୍ତି।
ପ୍ରାକୃତିକ ହ୍ରଦର ସୁରକ୍ଷାକୁ ଦୃଷ୍ଟିରେ ରଖି, ସମସ୍ତ ପ୍ରକାର ବନ୍ଦୋବସ୍ତ କରି ପୁଣି ଥରେ ନିର୍ଦ୍ଦିଷ୍ଟ ପରିମାଣର ସ୍ଥାନରେ ଭୋଜି କରିବା ଲାଗି ଅନୁମତି ପ୍ରଦାନ କରିବାକୁ ମତ ପ୍ରକାଶ ପାଇଛି। ହ୍ରଦର ସୁରକ୍ଷା ପାଇଁ ଭୋଜିସ୍ଥଳୀରେ କର୍ମଚାରୀମାନେ ସଜାଗ ରହିବା ସହ ପରିସର ମଧ୍ୟରେ ସରକାରଙ୍କ ତରଫରୁ ପତ୍ର ନିର୍ମିତ ଥାଳି ଓ ଠୋଲା, ଜାଳେଣି ଓ ରୋଷେଇ ସାମଗ୍ରୀର ବ୍ୟବସ୍ଥା କରି ମୂଲ୍ୟ ଧାର୍ଯ୍ୟ କରିବା ଏବଂ ବର୍ଜ୍ୟବସ୍ତୁ ପରିଚାଳନାର ବ୍ୟାପକ ବନ୍ଦୋବସ୍ତ କରିବା ପରେ ପୁନର୍ବାର ଭୋଜିକୁ ଅନୁମତି ଦିଆଯିବାକୁ ସାଧାରଣରେ ଦାବି ହେଉଛି। ଏହା କରାଯାଇ ପାରିଲେ ରାଜସ୍ୱ ଆଦାୟ ସହିତ ପରିବେଶ ସୁରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।
/filters:format(webp)/sambad/media/media_files/2025/12/16/untitled-19-2025-12-16-08-37-15.jpg)
Follow Us