ଭୁବନେଶ୍ୱର: ଛାତ ଉପରେ ଭଳି ଭଳିକା ପନିପରିବା ଫଳିଛି। ଅମୃତଭଣ୍ଡାଠାରୁ ଆରମ୍ଭ କରି ସବୁଜ ସତେଜ ଫୁଲ କୋବି, ମୂଳା, ଲଙ୍କା, ଭେଣ୍ଡି, ଛୁଇଁ, ଟମାଟୋ ଗଛରେ ଝୁଲୁଛି। ତା ସାଙ୍ଗକୁ ଖଡ଼ାଶାଗ, ପୋଇ, ଧନିଆପତ୍ର। କେବଳ ପନିପରିବା ନୁହେଁ, ଛାତ ଉପରେ ଟଗର, ମନ୍ଦାର, ଗେଣ୍ଡୁ ସାଙ୍ଗକୁ ଗୋଲାପ ବେଶ୍ ଆକର୍ଷଣୀୟ ହୋଇଛି। ଏହା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ଛାତ ଉପର ନୁହେଁ, ବରଂ ଉତ୍କଳ ବିଶ୍ୱବିଦ୍ୟାଳୟ ଏଗ୍ରି ମ୍ୟାନେଜ୍ମେଣ୍ଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ରୁଫ୍ଟପ୍ ଗାର୍ଡେନର ଦୃଶ୍ୟ। ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଏଭଳି ଏକ ବଗିଚା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଔଷଧୀୟ ଗଛ ଯଥା ତୁଳସୀ, ଲେମନ ଗ୍ରାସ୍, ଭୃଙ୍ଗରାଜ୍, ଅନନ୍ତମୂଳ ପରି ଗଛ ଲଗାଇ ଗବେଷଣା ମଧ୍ୟ ଜାରି ରଖିଛନ୍ତି।
ଜଣେ ଚାଷୀ ଯେଉଁ ଭଳି ଭାବେ ନିଜ ଫସଲର ଯତ୍ନ ନେଇଥାଏ, ଠିକ୍ ସେହିଭଳି ଭାବେ ଏଠାକାର ଛାତ୍ରଛାତ୍ରୀ ପନିପରିବା ଫସଲର ଯତ୍ନ ନେଉଛନ୍ତି। କୌଣସି କୀଟନାଶକ, ରାସାୟନିକ ସାର ବ୍ୟବହାର ନ କରି ତାଜା ଓ ପୁଷ୍ଟିକର ପନିପରିବା ପ୍ରସ୍ତୁତ କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ପ୍ରଫେସର ସନତ ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଏଭଳି ପ୍ରୟାସ କରିଛନ୍ତି। ପ୍ରତିଦିନ ସକାଳୁ ଗଛରେ ପାଣି ଦେବା, ବଗିଚାରୁ ଆବର୍ଜନା ସଫା, ଖତ ପ୍ରସ୍ତୁତ କରିବା ଭଳି କାର୍ଯ୍ୟ କରୁଛନ୍ତି। ଫଳରେ ଏକ ସୁସ୍ଥ ଓ ଆନନ୍ଦଦାୟକ ପରିବେଶ ସୃଷ୍ଟି ହୋଇଛି। ସେମାନଙ୍କ ପରିଶ୍ରମ ବଳରେ କିଛି ନିଆରା ଓ ଉପଯୋଗୀ ସୃଷ୍ଟି ହୋଇପାରିଥିବାରୁ ପିଲାମାନେ ବି ବେଶ୍ ଖୁସ୍। ଛାତ୍ର ସିଦ୍ଧିମୋହନ ପଟ୍ଟନାୟକ କହିଛନ୍ତି ଯେ ପାଠପଢା ସହ ଏଭଳି କାର୍ଯ୍ୟ କରିବା ଦ୍ୱାରା ବହୁତ କିଛି ଶିକ୍ଷା ମିଳୁଛି। ଚାଷୀଙ୍କ ଉପଯୋଗୀ ହେବା ଭଳି ବିଭିନ୍ନ ଗବେଷଣା ମଧ୍ୟ ଜାରି ରହିଛି। ଗୋଟିଏ ଛାତ ଉପରେ ସବୁ ପିଲା ଏକାଠି ହୋଇ ଏଭଳି କାର୍ଯ୍ୟ କରିବା ଆନନ୍ଦ ଦେଉଛି।
Education: ୩୫ ବର୍ଷ ପରେବି ଜମି ଚିହ୍ନଟରେ ସୀମିତ ଛାତ୍ରାବାସ କୋଠା
ଏଗ୍ରି ମ୍ୟାନେଜ୍ମଣ୍ଟ ବିଭାଗ ମୁଖ୍ୟ ଦୀପକ ରାମଙ୍କ କହିବାନୁଯାୟୀ ବିଭାଗୀୟ ବିଲଡିଂ ଛାତର ସଦୁପଯୋଗ କରିବାକୁ ଏହା ଏକ ପ୍ରୟାସ ମାତ୍ର। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଗବେଷଣା ବି ହୋଇପାରୁଛି। ଏବେ ୧୫ରୁ ଅଧିକ କିସମର ପନିପରିବା, ଫୁଲ, ଉଦ୍ୟାନ କୃଷି, ଔଷଧୀୟ ଗଛ ଲଗାଯାଇଛି। କେଉଁ ଫସଲରେ କିଭଳି ଟେକ୍ନୋଲୋଜି ପ୍ରୟୋଗ ହେବ, ବିଭିନ୍ନ କିସମ ଚାରା, ତାହାର ଉପକାରିତା ଆଦି ବିଷୟରେ ପିଲାମାନେ ଅବଗତ ହେଉଛନ୍ତି। ଆଗକୁ ଏହାକୁ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/untitled-15-2025-12-16-08-20-10.jpg)