Literature: ଗଳ୍ପ: ଜୁଲିଆ ଓ ରବର୍ଟ, ଅନୁସୃଜନ: ବିଜୟ କୁମାର ପରିଡ଼ା

Advertisment

ଜୁଲିଆ ତାଙ୍କର ଡାଏରୀ ବନ୍ଦ କରି ସେ ପୁରୁଣା ଦିନଗୁଡ଼ିକୁ ସ୍ମରଣ କରୁଥିଲେ। ଶିଳ୍ପଜଗତରେ ସେ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ। ହେଲେ ଶିକ୍ଷାଦାନ ପ୍ରତି ମୋହ ଯୋଗୁଁ ସେ ଜଣେ ଦକ୍ଷ ଶିକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।

ଜୁଲିଆ ତାଙ୍କର ଡାଏରୀ ବନ୍ଦ କରି ସେ ପୁରୁଣା ଦିନଗୁଡ଼ିକୁ ସ୍ମରଣ କରୁଥିଲେ। ଶିଳ୍ପଜଗତରେ ସେ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିଥିଲେ। ହେଲେ ଶିକ୍ଷାଦାନ ପ୍ରତି ମୋହ ଯୋଗୁଁ ସେ ଜଣେ ଦକ୍ଷ ଶିକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।

cc1

Photograph: (Tanuj Mallick. Sambad)

ଜୁଲିଆ ଓ ରବର୍ଟ 

ଇଂରାଜୀ: ଥମ୍ ୱିଥ୍ ଏନ୍ ଏଚ୍

ଅନୁସୃଜନ: ବିଜୟ କୁମାର ପରିଡ଼ା

ତରବରରେ ସଦ୍ୟତମ ବିବରଣୀ ଲେଖିପକାଇ ଜୁଲିଆ ତାଙ୍କ ଡାଏରି ବନ୍ଦ କରିଦେଲେ ଏବଂ ଚଉକିରେ ଆଉଜି ବସି ପୁରୁଣା କଥା ମନେପକାଇଲେ। 

ନିଜକୁ ଶିଳ୍ପଜଗତର ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ସ୍ୱପ୍ନ ଦେଖି ଆସିଥିବା ଏବଂ ‘ଯାହାର ନାହିଁ ଅନ୍ୟଗତି, ସେ କରେ ଶିକ୍ଷକତା ବୃତ୍ତି’ ରୂପକ ଶସ୍ତା ବକ୍ରୋକ୍ତି ପ୍ରତି ସଚେତନ ଥିବା ଜୁଲିଆ କିନ୍ତୁ ପ୍ରଥମରୁ ଆବିଷ୍କାର କରି ଆଶ୍ୱସ୍ତ ହୋଇଥିଲେ ଯେ ଶିକ୍ଷାଦାନରେ ତାଙ୍କର ଏକ ସ୍ୱଭାବଜାତ ଦକ୍ଷତା ରହିଛି। କଲେଜବେଳର ପ୍ରଫେସରମାନଙ୍କ ନିଦ୍ରା ଉଦ୍ରେକକାରୀ ଘଣ୍ଟିକିଆ ଅବୋଧ୍ୟ ଭାଷଣକୁ ଶୁଦ୍ଧ ଜ୍ଞାନଭରା ଦଶ ମିନିଟିଆ ସାରାଂଶରେ ପରିଣତ କରିବାର ଅପୂର୍ବ ଦକ୍ଷତା ଜୁଲିଆଙ୍କର ଥିଲା। ଶିକ୍ଷାସମାପ୍ତି ପରେ ଶିକ୍ଷାଦାନ କର୍ମକୁ ସାଧାରଣ ପେସା ପରିବର୍ତ୍ତେ ଏକ ଅସାଧାରଣ ଆହ୍ୱାନ ଭାବେ ସେ ଗ୍ରହଣ କରିନେଇ ଅଗ୍ରସର ହେଲେ।

ଅଧ୍ୟାପନା ଆରମ୍ଭରେ ଜୁଲିଆଙ୍କ ବୟସ ଓ ତାଙ୍କ ଛାତ୍ରଛାତ୍ରୀଙ୍କ ବୟସ ମଧ୍ୟରେ ବ୍ୟବଧାନ ପ୍ରାୟ ନଥିଲା। ଦିନେ ତାଙ୍କ ଶ୍ରେଣୀକୁ ରବର୍ଟ ନାମକ ଜଣେ ସାଧାରଣ ଚେହେରାର ଛାତ୍ର ବିଳମ୍ବରେ ଆସିଲା। ଜଣାପଡ଼ିଲା, ଜୁଲିଆଙ୍କ ଶ୍ରେଣୀକୁ ତା’ର ମୂଳରୁ ଆସିବାର ହିଁ ନଥିଲା। ଅନ୍ୟ ଅଧ୍ୟାପକଙ୍କ ପ୍ରାରମ୍ଭିକ ଦର୍ଶନ ପାଠ୍ୟକ୍ରମରେ ସେ ନାମ ଲେଖାଇବାକୁ ଭାବିଥିଲେ ମଧ୍ୟ କେଜାଣି କେମିତି ଜୁଲିଆଙ୍କ ମାର୍କେଟିଂ ୧୦୧ ପାଠ୍ୟକ୍ରମରେ ସେ ଯୋଗଦେବାକୁ ସ୍ଥିର କରିନେଇଥିଲା। ତେବେ ଆରମ୍ଭରୁ ପ୍ରଥମ ଧାଡ଼ିରେ ବସି ଜୁଲିଆଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ହାତ ଟେକିବା ଆଉ ତାଙ୍କ ସହ ଯୁକ୍ତିତର୍କ କରିବା ରବର୍ଟର ଅଭ୍ୟାସଗତ ହୋଇଗଲା। ସେ କିନ୍ତୁ ନିଜର କୌଣସି ଭୁଲ୍ ସ୍ୱୀକାର କରୁନଥିଲା।

ରବର୍ଟ ନିଜର ପ୍ରଥମ ସେମିଷ୍ଟର୍‌ର ପ୍ରଥମ ପେପର୍‌ ଏତେ ନିପୁଣ ଓ ନିଖୁଣ ଭାବେ ପ୍ରସ୍ତୁତ କରିଥିଲା ଯେ ଜଣେ ପ୍ରଥମ ବାର୍ଷିକ ଛାତ୍ର ଏତେ ବିଚକ୍ଷଣତା ଦେଖାଇପାରେ ବୋଲି ଜୁଲିଆ ବିଶ୍ୱାସ କରିପାରୁନଥିଲେ। ରବର୍ଟର ଲିଖନଶୈଳୀ ଥିଲା ଅସାଧାରଣ। ନିଜ ପେପର୍‌ରେ ସେ କିଛି ଭିନ୍ନ ଧରଣର ଉଦାହରଣରୁ ଆରମ୍ଭ କରି ନିଜର ମୁଖ୍ୟ ବକ୍ତବ୍ୟ ସହ ସଂଯୁକ୍ତ କରୁଥିଲା। ଏମିତିକି ରବର୍ଟର ଯୁକ୍ତିର ଧାରା ବୁଝିବା ପାଇଁ ଜୁଲିଆଙ୍କୁ ଇଣ୍ଟରନେଟ୍‌ର ସାହାଯ୍ୟ ନେବାକୁ ପଡୁଥିଲା। ତା’ ପେପର୍‌ର ପ୍ରତିଟି ଶବ୍ଦ ଜୁଲିଆଙ୍କୁ ଚମତ୍କୃତ କରୁଥିଲା। କିନ୍ତୁ ପେପର୍‌ ଶେଷରେ ରେଫରେନ୍‌ସ ନ ଥିବାରୁ ରବର୍ଟର ଗ୍ରେଡ୍ ସେ ଆଂଶିକ ଭାବେ କାଟିଲେ।

ଆହୁରି ପଢ଼ନ୍ତୁ- 🔴 LIVE | News Updates 30th Dec 2025: ଖାଲିଦା ଜିଆଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କଲେ ଶେଖ୍ ହସିନା

ରେଫରେନ୍‌ସ ଅଭାବର କାରଣ ସ୍ୱରୂପ ରବର୍ଟ କହିଲା ଯେ ପେପର୍‌ରେ ସନ୍ନିବିଷ୍ଟ ସମସ୍ତ ବିଚାର ଓ ଭାବନା ତା’ର ନିଜସ୍ୱ। ତଥାପି ଜୁଲିଆ ଆପତ୍ତି କରିବାରୁ ରବର୍ଟର ପ୍ରଥମ ପେପର୍‌ ଭଳି ଉତ୍କୃଷ୍ଟ ଦ୍ୱିତୀୟ ପେପର୍‌ରେ ରେଫରେନ୍‌ସ ସ୍ଥାନ ପାଇଲା, କିନ୍ତୁ ସବୁତକ ରବର୍ଟର ନିଜ ନାମରେ! ନିରୁପାୟ ଜୁଲିଆ ରବର୍ଟକୁ ସେଥିରେ ଏ+ ଗ୍ରେଡ୍ ଦେବାକୁ ବାଧ୍ୟ ହେଲେ।

ସେମିଷ୍ଟର୍‌ ଶେଷବେଳକୁ ଜୁଲିଆ ଗଭୀର ଭାବେ ବିଚଳିତ ହୋଇଉଠିଲେ। ତାଙ୍କର ସବୁ ଆଧାରବାକ୍ୟକୁ ରବର୍ଟ ବିରୋଧ କରି ଏମିତି ସୂକ୍ଷ୍ମତତ୍ତ୍ୱ ଉପସ୍ଥାପନ କରୁଥିଲା ଯାହା ପ୍ରାରମ୍ଭିକ ପାଠ୍ୟକ୍ରମ ପାଇଁ ଆବଶ୍ୟକ ବୋଲି ସେ ନିଜେ ଭାବି ନଥିଲେ। ରବର୍ଟର ଦର୍ଶନଶାସ୍ତ୍ର ପୃଷ୍ଠଭୂମି ପୁରାତନ ଓ ନୂତନକୁ ସଂଯୁକ୍ତ କରି ତା’ର ସବୁ ଯୁକ୍ତିକୁ ଶାଣିତ କରୁଥିଲା। ଅଧ୍ୟାପିକା ଓ ଛାତ୍ର ମଧ୍ୟରେ ଏସବୁକୁ ନେଇ ହେଉଥିବା ଥଟ୍ଟା ପରିହାସକୁ ଅଧ୍ୟାପିକା ବେଶ୍ ଉପଭୋଗ କରୁଥିଲେ ଏବଂ ତାହାର ସକାରାତ୍ମକ ପ୍ରଭାବ ପୂରା ଶ୍ରେଣୀ ଉପରେ ପଡୁଥିଲା, କାରଣ ଜଣେ ମଧ୍ୟ ଛାତ୍ର ତାଙ୍କ ପାଠ୍ୟକ୍ରମରୁ ଓହରି ଯାଉନଥିଲେ କିମ୍ବା କେହି ଅକୃତକାର୍ଯ୍ୟ ହେଉନଥିଲେ।

ଦ୍ୱିତୀୟ ସେମିଷ୍ଟର୍‌ରେ ଜୁଲିଆ ରବର୍ଟଠୁ ନିଷ୍କୃତି ଚାହୁଥିଲେ ମଧ୍ୟ ଲାଭ ହେଲା ନାହିଁ। ଚିରାଚରିତ ଭାବେ ପ୍ରଥମ ଶ୍ରେଣୀରେ ପାଞ୍ଚମିନିଟ୍‌ ବିଳମ୍ବରେ ପ୍ରବେଶ କରି ରବର୍ଟ ପ୍ରଥମ ଧାଡ଼ିରେ ହିଁ ବସିଲା। ଏଥର କିନ୍ତୁ ସେ ସ୍ଥିରମନରେ ଜୁଲିଆଙ୍କ ପାଠ୍ୟକ୍ରମରେ ନାମ ଲେଖାଇଥିଲା।

କ୍ରମେ ରବର୍ଟର ପ୍ରଭାବରେ ଶ୍ରେଣୀର ପ୍ରାୟ ସବୁ ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିବା, ଯୁକ୍ତି କରିବା, ଅସହମତି ଜଣାଇବା ଏବଂ ସ୍ଥଳବିଶେଷରେ ନିଜ ତ୍ରୁଟି ସୁଧାରିବା ପାଇଁ ଆଗେଇ ଆସିବାକୁ ଲାଗିଲେ। ଏସବୁ ମୁହୂର୍ତ୍ତକୁ ଜୁଲିଆ ମନଭରି ଉପଭୋଗ କରୁଥିଲେ। ତାହା ହିଁ ତ ଥିଲା ତାଙ୍କ ଶିକ୍ଷକଜୀବନର ମୌଳିକ ଲକ୍ଷ୍ୟ! 
ଦ୍ୱିତୀୟ ସେମିଷ୍ଟର୍‌ର ଶେଷ ଆଡ଼କୁ ରବର୍ଟର ଅଲକ୍ଷ୍ୟରେ ଜୁଲିଆ ଦେଖିଲେ ରବର୍ଟ ତାଙ୍କ ସହ ପୂର୍ବଭଳି ଆଖି ମିଳାଉନାହିଁ। ସେ ନିଜେ ମଧ୍ୟ ସେଥିରୁ ନିବୃତ୍ତ ରହିବାକୁ ଚେଷ୍ଟା କରୁଥିଲେ। ଅଧ୍ୟାପିକା ଓ ଛାତ୍ର ପ୍ରାୟ ସମବୟସ୍କ ହୋଇଥିଲେ ମଧ୍ୟ ଜଣେ ଉତ୍ତମ ଅଧ୍ୟାପିକାଙ୍କ ନିମନ୍ତେ କିଛି ଆଚରଣ ନିଷିଦ୍ଧ ହୋଇଥାଏ ଏବଂ ଜୁଲିଆ ଥିଲେ ସେହି ଶ୍ରେଣୀର ଅଧ୍ୟାପିକା। 

ଆହୁରି ପଢ଼ନ୍ତୁ- Rourkela Dancer Jyotishree: ଦର୍ଶକଙ୍କ ସ୍ନେହ ଓ କରତାଳି ନୃତ୍ୟଦୁନିଆରେ ଆଗକୁ ବଢ଼ିବାକୁ ଯୋଗାଇ ଦେଇଥିଲା ଇନ୍ଧନ: ଜ୍ୟୋତି

ଦ୍ୱିତୀୟ ସେମିଷ୍ଟର୍‌ର ଅନ୍ତିମଦିନ ଶେଷ ପରୀକ୍ଷାର ଉତ୍ତରପତ୍ର ଦାଖଲ କରି ସମସ୍ତେ ହଲ୍ ଛାଡ଼ିବା ପରେ ସବାଶେଷରେ ଅପେକ୍ଷାରତ ରବର୍ଟ ନିଜର ଉତ୍ତରପତ୍ର ଧରି ଜୁଲିଆଙ୍କ ପାଖରେ ପହଞ୍ଚିଲା। ଉତ୍ତରପତ୍ର ଦେଲାବେଳକୁ ଅଚାନକ ଦୁହିଁଙ୍କ ହାତ ପରସ୍ପରକୁ ସ୍ପର୍ଶ କରିଗଲା ଏବଂ ଜୁଲିଆ ଅନୁଭବ କଲେ ଯେମିତି ଏକ ତଡ଼ିତ୍ ପ୍ରବାହ ମୁହୂର୍ତ୍ତକ ପାଇଁ ତାଙ୍କୁ ଅବଶ କରିପକାଇଲା। ତା’ପରେ କ୍ଷଣକ ପାଇଁ ଜୁଲିଆଙ୍କ ଆଖିକୁ ଅନାଇଦେଇ ରବର୍ଟ ନିରବରେ ହଲ୍ ଛାଡ଼ିବାକୁ ବସିଲା। ତାକୁ ଅଟକାଇବାକୁ ଜୁଲିଆଙ୍କର ଭାରି ଇଚ୍ଛା ହେଲା, ମାତ୍ର ସେଥିପାଇଁ କିଛି ଯୁକ୍ତିଯୁକ୍ତ କାରଣ ସେ ପାଇଲେ ନାହିଁ। ତେବେ ତାଙ୍କ ଭାବନା ପଢ଼ିନେଲା ପରି ରବର୍ଟ ଅଟକିଗଲା ଏବଂ ଜୁଲିଆଙ୍କୁ ଅନାଇ କହିଲା, “ସାଙ୍ଗହୋଇ କପେ କଫି ପିଇବା?” ରବର୍ଟର ନିମନ୍ତ୍ରଣ ଏଡ଼ାଇବା କଷ୍ଟକର ହେଲେ ମଧ୍ୟ ଜୁଲିଆ ନିରୁତ୍ତର ରହିଲେ। ତାଙ୍କ ଦ୍ୱିଧାଭାବ ବୁଝିପାରି ରବର୍ଟ ସାମାନ୍ୟ ହସି ହଲ୍‌ରୁ ବାହାରି ଚାଲିଗଲା।

ତା’ପରେ ବହୁବର୍ଷ ଧରି ଜୁଲିଆ ଏହି ଘଟଣାକୁ ମନେପକାଇ ଭାଳିହେଲେ- ଯଦି ସେ ସେଦିନ ରବର୍ଟର ପ୍ରସ୍ତାବକୁ ହଁ କରିଦେଇଥାନ୍ତେ ତା’ହେଲେ ତାଙ୍କ ଜୀବନରେ କି ପ୍ରକାର ନାଟକୀୟ ପରିବର୍ତ୍ତନ ଘଟିଥାନ୍ତା!

ଜୁଲିଆ ବା ରବର୍ଟ କେହି ବିବାହ କଲେ ନାହିଁ। ଜୁଲିଆ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ବ୍ୟବସାୟ ବାଣିଜ୍ୟର କୌଶଳ ଶିଖାଇବାରେ ଜୀବନ କଟାଇଦେଲେ। ତେଣେ ରବର୍ଟ ନିଜର ଦର୍ଶନଶାସ୍ତ୍ର ଅଧ୍ୟାପନା ଜାରି ରଖିଥିଲେ ସୁଦୂର ଲଣ୍ଡନରେ। ମଝିରେ ମଝିରେ ସେ ଜୁଲିଆଙ୍କୁ ସଂକ୍ଷିପ୍ତ ଚିଠି ପଠାଇ ଛାତ୍ରଟିଏ ତାଙ୍କୁ ଶ୍ରେଣୀରେ ହଇରାଣ କରୁଥିବା କଥା ଲେଖି ସେ ନିଜେ କେମିତି ଜୁଲିଆଙ୍କୁ ବିରକ୍ତ କରୁଥିଲେ ତାହା ସ୍ମରଣ କରାଇଦେଉଥିଲେ। ପ୍ରତିଟି ଚିଠିରେ ଏକ ବିଷଣ୍ଣ ହସ ଛପିରହିଛି ବୋଲି ଜୁଲିଆ ଅନୁଭବ କରୁଥିଲେ।

ଆହୁରି ପଢ଼ନ୍ତୁ- Washes Face Cow Urine: ଗୋମୁତ୍ରରେ ମୁଖମଣ୍ଡଳ ପରିଷ୍କାର କରୁଥିବା ବିଦେଶିନୀଙ୍କ ଭିଡିଓ ଭାଇରାଲ

ରବର୍ଟର ଶେଷ ଚିଠି ଜୁଲିଆଙ୍କୁ ସ୍ତମ୍ଭୀଭୂତ କରିଦେଲା। ଏଇ ଦଶ ପୃଷ୍ଠା-ଦୀର୍ଘ ଚିଠିରେ ରବର୍ଟ ବର୍ଣ୍ଣନା କରିଥିଲେ କେମିତି ଜୁଲିଆଙ୍କ ଶିକ୍ଷାଦାନ ତା’ ଜୀବନରେ ପରିବର୍ତ୍ତନ ଆଣିଛି। ଚିଠି ସହ ସଂଯୁକ୍ତ ଥିବା ଏକ ଛୋଟ ନୋଟ୍‌ରେ ଜଣେ ଆଟର୍ଣ୍ଣି କ୍ଷମାପ୍ରାର୍ଥନା ସହ ଜଣାଇଥିଲେ ଯେ ଲେଖକଙ୍କ ଇଚ୍ଛାନୁସାରେ ତାଙ୍କ ମୃତ୍ୟୁପରେ ହିଁ ସେ ଚିଠିଟି ପଠାଇଛନ୍ତି। 

ଚିଠିଟି ପଢ଼ି ଜୁଲିଆ କୋହରେ ଭାଙ୍ଗିପଡ଼ିଲେ। ଧାରଧାର ଲୁହ ଭିତରେ ଡାଏରିର ଶେଷଧାଡ଼ିରେ ଲେଖିଲେ, “ମୋର ଜଣେ ଅତିପ୍ରିୟ ଛାତ୍ରର ମୃତ୍ୟୁ ଖବର ଏଇମାତ୍ର ପାଇଲି। ସେ ଯୁବକଟିକୁ ମୁଁ ଘୃଣା କରୁଥିଲି!” ରବର୍ଟ କିନ୍ତୁ ଶେଷ ପର୍ଯ୍ୟନ୍ତ ରବର୍ଟ ହୋଇ ରହିଥିଲା, କାରଣ ଚିଠି ଶେଷରେ ଥିବା ସବୁତକ ରେଫରେନ୍‌ସ ଥିଲା ରବର୍ଟର ନିଜସ୍ୱ!

ମୋ: ୯୪୩୭୩୦୮୪୨୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe