A Cold Moonlit Night: ଗୋଟେ ଶୀତୁଆ ଜହ୍ନରାତିର କାହାଣୀ

ମହ୍ଲାରର ପିଲାଟି ଦିନରୁ ଶୀତ ଋତୁ ଖୁବ୍ ପ୍ରିୟ। ଘାସ ଗାଲିଚାର କାକର ଟୋପା, ଥଣ୍ଡା ମିଠା ପବନ ତାକୁ ଆନମନା କରେ। ଆହୁରି ଆନମନା କରେ ଶୀତ ଜହ୍ନରାତି। ଶୀତ ପଡି଼ଲେ ଲୋକ ସାଲ୍ ‌ସ୍ବେଟର୍‌ ପିନ୍ଧି ଘରୁ ବାହାରୁନଥିବା ବେଳେ ମହ୍ଲାର ମାଆବାପାଙ୍କ ତାଗିଦ୍ ସତ୍ତ୍ୱେ ଲୁଚି ଚାଲିଆସେ ତାଙ୍କ ଘର ସାମ୍ନା ବଗିଚାକୁ।

couple

ରାଜେଶ ପୂଜାରୀ 

ମହ୍ଲାରର ପିଲାଟି ଦିନରୁ ଶୀତ ଋତୁ ଖୁବ୍ ପ୍ରିୟ। ଘାସ ଗାଲିଚାର କାକର ଟୋପା, ଖୁବ୍ ଥଣ୍ଡା ମିଠା ପବନ ତାକୁ ଆନମନା କରେ। ଆହୁରି ଆନମନା କରେ ଶୀତ ଜହ୍ନରାତି। ଶୀତ ପଡି଼ଲେ ଲୋକ ସାଲ୍ ‌ସ୍ବେଟର୍‌ କେତେ କ’ଣ ପିନ୍ଧି ଘରୁ ଜମା ବାହାରୁନଥିବା ବେଳେ ମହ୍ଲାର ମାଆବାପାଙ୍କ ତାଗିଦ୍ ସତ୍ତ୍ୱେ ଲୁଚି ଲୁଚି ଚାଲିଆସେ ତାଙ୍କ ଘର ସାମ୍ନା ବଗିଚାକୁ। ଘଣ୍ଟା ଘଣ୍ଟା ଧରି ବସିଯାଏ କେବଳ ପତଳା ଜର୍ସିଟେ ପିନ୍ଧି ସେଇଠି ଥିବା ସିମେଣ୍ଟ ବେଞ୍ଚରେ। ଅପଲକେ ଦେଖୁଥାଏ ଜହ୍ନକୁ। ମନଭରି ଭୋଗୁଥାଏ ଶୀତକୁ।
   ତାଙ୍କ ଘର ସାମ୍ନା ବଗିଚା ବି ସ୍ବର୍ଗଠୁ କମ୍ ନୁହଁ ଏଇ ଶୀତ ଦିନରେ। ଗେଣ୍ଡୁ, ସେବତୀ, ଈଶ୍ୱର ଜଟା, ପେଟୁନିଆ, ପାନସୀ, ଜିନିଆ, କାଲେଣ୍ଡୁଲା, ଆଦି ଫୁଲମାନଙ୍କର ମହକରେ ଅହରହ ବାସୁଥାଏ। କେତେ ସୁନ୍ଦର ଭାବରେ ସଜା ଯାଇଛି ସେଇଠି ବିଭିନ୍ନାକୃତିର ଘାସ କାର୍ପେଟ୍‌ ସବୁ। ଦେଖିଲେ ମନ ଭରିଯାଏ। ଲାଗେ ଶୀତ ଜହ୍ନରାତିରେ ଦ୍ବିଗୁଣିତ ସୁନ୍ଦର ହେଇଯାଏ। କାକରସ୍ନାତା
ଫୁଲମାନେ ଜହ୍ନର ଚିକମିକ ଆଲୁଅରେ ଯେମିତି କଥା କୁହନ୍ତି। ମହ୍ଲାରର ସୌନ୍ଦର୍ଯ୍ୟପିପାସୁ ମନ ଏ ଦୃଶ୍ୟରାଜି ଖୁବ୍ ଭୋଗେ। କେବେ ରୁମକୁ ଡେରିରେ ଫେରେ କେବେ ସେଇଠି ହିଁ ଶୋଇଯାଏ।

ଆହୁରି ପଢ଼ନ୍ତୁ-EMIR Decoded: ପାଉଡର ଚିନି ଏବଂ ନେଲପଲିସ୍ ରିମୁଭରରୁ ପ୍ରସ୍ତୁତ ବିସ୍ଫୋରକ: ଦିଲ୍ଲୀ ଆକ୍ରମଣର ଆତଙ୍କବାଦୀ ଉମରଙ୍କ ଅପରେସନ ଇଏମଆଇଆର ଡିକୋଡ୍


   କେଜାଣି କେତେଥର ଗାଳି ଶୁଣିବାକୁ ପଡ଼ିଛି ଏଥିପାଇଁ। ମାଆବାପା କେତେ ଆକଟ କରିଛନ୍ତି। ସେଥିକୁ ସେ କେବେ ଧ୍ୟାନ ଦେଇ ନାହିଁ। ଥରଥର ଥଣ୍ଡା, ଶର୍ଦି ଭୋଗିଛି ସିନା ଏ ସ୍ବଭାବ ଛାଡ଼ି ପାରିନାହିଁ। ଶୀତ ତାକୁ ବାରମ୍ବାର ହାତ ଠାରି ଡାକିଛି। ସ୍କୁଲ, କଲେଜ, କର୍ମକ୍ଷେତ୍ରରେ ଅନେକେ ପଚାରିଛନ୍ତି ଏସବୁ କ’ଣ ପାଇଁ। ସେ ଅଲଗା କଥା କହି ବାଆଁରେଇ ଦେଇଛି ସିନା ଅଜବ ଗୋଟେ ନିରସତାରେ ନିଜେ ବୁଡ଼ି ଯାଇଛି ପ୍ରତିଥର।
   ମହ୍ଲାରର ସ୍ବପ୍ନ ଥିଲା ସେ ଶୀତଋତୁରେ ବରାତି ବାହାରିବ। ଶୀତର ଜହ୍ନ ଅଗଣା ବେଦୀରେ ହେବ ତା’ର ବାହାଘର। ତା’ରି ଇଚ୍ଛାରେ ତିଥି ନିର୍ଘଣ୍ଟ ହେଇଥିଲା। ଯାହା ଯାହା ଇଚ୍ଛା ତା’ରି ହିସାବରେ ଆୟୋଜନ କରାଗଲା। କିନ୍ତୁ ହଠାତ ମୋଡ଼ ବଦଳିଗଲା। ବାହାଘର ସରୁସରୁ ଅଚେତ ହୋଇଗଲା ମହ୍ଲାର। ସେମିତି ବର ବେଶରେ ତାକୁ ପହଞ୍ଚାଗଲା ଡାକ୍ତରଖାନାରେ। ଡାକ୍ତର କହିଲେ କେବେଠୁ ଧୀରେ ଧୀରେ ଆଙ୍କ୍ୟାଲୋସିସ୍ ବସା ବାନ୍ଧୁଥିଲା ମେରୁଦଣ୍ଡରେ। ଏବେ ତୀବ୍ର ହେଇ ଉଠିଛି। ମହ୍ଲାରକୁ କଷ୍ଟ ହେଉଛି ବେଳେବେଳେ ନିଃଶ୍ବାସ ପ୍ରଶ୍ବାସ ନେବାରେ। ଡାକ୍ତର ଅନେକ କଥା ବାରଣ କରୁଥିଲେ। ଯେମିତି, ବେଶି ପାଣି ହେବନି। ଶୀତ ଦିନରେ ତ ଆହୁରି ଜଗିବାକୁ ପଡ଼ିବ। ଗରମ ପାଣିରେ ଗାଧୋଇବ। ଗରମ ପୋଷାକ ପିନ୍ଧି ରହିବ। ରାତିରେ ବାହାରକୁ ବାହାରିବ ନାହିଁ।
ଆହୁରି ସଭିଏଁ  ଘରଲୋକେ ମହ୍ଲାର ଉପରେ ଜଣେ ପରେ ଜଣେ ବର୍ଷି ଯାଉଥିଲେ। ସଭିଏଁ ଶୀତ ପ୍ରତି ତା’ର ଅଜବ ସଉକକୁ ଦୋଷ ଦେଉଥିଲେ। ସଭିଏଁ ଡାକ୍ତର ଭଳି କେତେ କ’ଣ ବାରଣ କରୁଥିଲେ। 

ଆହୁରି ପଢ଼ନ୍ତୁ- RJD Target about Rabri Devi: କ୍ୱାର୍ଟର ଖାଲି ପାଇଁ ରାବଡି ଦେବୀଙ୍କୁ ଆସିଲା ନୋଟିସ: ତାତିଲା ଆରଜେଡି


   ଆଜି ତା’ର ଚଉଠି। କିନ୍ତୁ ମହ୍ଲାରର ମନ ଆଦୌ ଖୁସି ନଥିଲା। ସେ ଶୀତଠୁ ଦୂରରେ ବନ୍ଦ କମରାରେ ନବବିବାହିତା ସ୍ତ୍ରୀର  ଅପେକ୍ଷା କରିଥିଲା। ତା’ ସ୍ତ୍ରୀ ପରୀ ଆସିଲା, ପାଖରେ ବସିଲା। କ’ଣ ହେଲା କେଜାଣି ମହ୍ଲାର ତା’ କୋଳରେ ମୁହଁ ଗୁଞ୍ଜି ଅଚାନକ୍ କାନ୍ଦିବାକୁ ଲାଗିଲା। କହିଲା, “ତୁମେ ବି କ’ଣ ଭାବୁଛ...ମୋର ପ୍ରିୟ ଶୀତ ହିଁ ଭରି ଦେଇଛି ଆଙ୍କ୍ୟାଲୋସିସ୍ ମୋ ଦେହରେ, ଅଣନିଶ୍ବାସୀ କରି ଦୂରେଇ ଦେଇଛି ତା’ ପାଖରୁ ମୋତେ?” “ନା ନା ପ୍ରିୟ! ଶୀତ ବଞ୍ଚେଇବା ଶିଖେଇଛି ତୁମକୁ। ଆଉ ତୁମେ କେଉଁ ଦୂରେଇଛ ଶୀତଠୁ। ଯେବେ ବି ଶୀତ କଥା ଭାବିବ, ଯାହା ଯାହା ଭୋଗିଥିଲ ଶୀତରେ ସେ ସବୁ ହିଁ ବଞ୍ଚିବ।” ଏତିକି କହି ତା’ ସ୍ତ୍ରୀ ପରୀ  ମହ୍ଲାର ଗାଲରେ ଚୁମାଟିଏ ଆଙ୍କିଦେଲା।
  ଏଇ ପଦେକ କଥାରେ ମହ୍ଲାରକୁ ଲାଗିଲା ସବୁ ଦୁଃଖ ସରିଯାଉଛି ଯେମିତି ଜୀବନରୁ।  ଚଉପାଶେ ଖେଳି ଯାଉଛି  ଶୀତର ମୃଦୁଆସର। ତା’ ରୁମ୍ ପାଲଟି ଯାଉଛି ଫୁଲ ଭର୍ତ୍ତି ଗୋଟେ ବଗିଚା। ତା’ ସ୍ତ୍ରୀ ପରୀର ମୁହଁ ଦିଶୁଛି ଅବିକଳ ଶୀତର ଜହ୍ନରାତି ଭଳି।

ଗ୍ରାମ- କୁଶମେଲ, ପୋଷ୍ଟ- କପିଲାପୁର
ଭାୟା- ପଞ୍ଚଗାଁ, ଜିଲ୍ଲା- ଝାରସୁଗୁଡ଼ା
ପିନ୍- ୭୬୮୨୨୬
ସଂପର୍କ: ୮୧୪୪୭୭୯୦୬୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe