୨୦୨୫ ଭୁବ‌ନେଶ୍ବର ମହାନଗର ନିଗମ ପାଇଁ ଥିଲାଏକ ବିବାଦୀୟ ବର୍ଷ । ବର୍ଷ ଆରମ୍ଭରୁ ଆର୍ଥିକ ଅଚଳାବସ୍ଥା ଭୁବନେଶ୍ବର ମହାନଗର ନିଗମକୁ ଦୁରବସ୍ଥା ଭିତରକୁ ଟାଣି ନେଇଥିଲା। ବିକାଶ କାମ ସଂପୂର୍ଣ୍ଣ ଅଟକି ଯାଇଥିଲା। କର୍ପୋରେଟର୍‌, ଠିକାଦାର, ସଫେଇ ଏଜେନ୍ସିଙ୍କ ଅସନ୍ତୋଷର ଶିକାର ହେବାକୁ ପଡ଼ିଥିଲା। ବର୍ଷ ଶେଷ ଆଡ଼କୁ ପ୍ରକଳ୍ପ ସାମାନ୍ୟ ଗତି ଧରିଥିଲେ ବି ଏହା ପୂର୍ବଭଳି ଗତିକୁ ଛୁଇଁ ପାରିନି। ସେପଟେ ଅତିରିକ୍ତ କମିସନର୍‌ଙ୍କୁ କାର୍ଯ୍ୟାଳୟ ଭିତରେ ଘୋଷାଡ଼ି ପିଟିବା ଘଟଣା ପାଇଁ ଭୁବନେଶ୍ବର ମହାନଗର ନିଗମ ଅପବାଦର ବୋଝ ମୁଣ୍ଡାଇଥିଲା। ଏହି ଘଟଣାରେ ଆକ୍ରମଣକାରୀମାନେ ଗିରଫ ହୋଇଥିଲେ ବି ଏହା ଭୁବ‌ନେଶ୍ବର ମହାନଗର ନିଗମ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା। ସେପଟେ ଏକାଧିକ କର୍ପୋରେଟର୍‌ ବି ଏହି ବର୍ଷ ଗିରଫ ହୋଇ ଜେଲ୍ ଯାଇଥିଲେ। ଏହି ବିବାଦ ଭିତରେ ବି କେତେକ କ୍ଷେତ୍ରରେ ପ୍ରଶଂସା ଭୁବନେଶ୍ବର ମହାନଗର ନିଗମ ପାଇଁ ମଲମ ସଦୃଶ ହୋଇଛି। ସ୍ବଚ୍ଛତାରେ ସାରା ଦେଶରେ ସର୍ବଶ୍ରେଷ୍ଠ ୧୦ ସହର ଭିତରେ ଭୁବନେଶ୍ବର ସ୍ଥାନ ପାଇଥିଲା। ସେହିଭଳି ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ବି ଭୁବନେଶ୍ବର ସାରା ଦେଶରେ ଚତୁର୍ଥ ସ୍ଥାନରେ ରହିଥିଲା।

Advertisment

SOG: ଏସ୍ଓଜି ଚନ୍ଦକାର ନୂଆ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ରିସ୍କ ଭତ୍ତା ୨୫ ହଜାର ଟଙ୍କାକୁ ବୃଦ୍ଧି

ଦୁଷ୍କର୍ମ ଅଭିଯୋଗରେ କର୍ପୋରେଟର୍ ବାୟାଁ, ୫ ସହଯୋଗୀ ଗିରଫ 

ରାଜନୈତିକ କାର୍ଯ୍ୟକଳାପକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ଭୁବନେଶ୍ବର ମହାନଗର ନିଗମ ୪୫ ନମ୍ବର ୱାର୍ଡ କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ଯୁବତୀ ଏହି ସଂଗୀନ୍ ଅଭିଯୋଗ ଆଣିଥିଲେ। ନାବାଳିକା(୧୭ ବର୍ଷ) ଥିବା ସମୟରେ ବାୟାଁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ। ୨୦୨୩ ମସିହାରେ ସେ ୧୭ ବର୍ଷ ବୟସର ହୋଇଥିବା ବେଳେ ପୁରୀର ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ପରିଚୟରୁ ବାୟାଁ ତାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରା ୬ରେ ମାମଲା ରୁଜୁ କରିବା ସହ ବାୟାଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ବାୟାଁଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ୫ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବାୟାଁ ଏହାକୁ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ ଆଣିଥିଲେ। ଅଭିଯୋଗକାରୀଙ୍କୁ ସେ ଜାଣି ନ ଥିବା କହିଥିଲେ। ଗିରଫଦାରୀକୁ ବାୟାଁଙ୍କ ସମର୍ଥକମାନେ ଦୃଢ଼ ବିରୋଧ କରିଥିଲେ। ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରାଯାଇଥିବା ଅଭିଯୋଗ କରି ଥାନା ଆଗରେ ହଙ୍ଗାମା କରିଥିଲେ। ତଥାପି ପୁଲିସ ତାଙ୍କୁ ବାନ୍ଧି ଜେଲ୍‌କୁ ପଠାଇ ଦେଇଥିଲା। 

କୁକୁର ଗଣତିରେ ରାଜ୍ୟର ପ୍ରଥମ ସହର 

୪୭ହଜାର ବୁଲାକୁକୁର - ରାଜ୍ୟର ପ୍ରଥମ ସହର ଭାବେ ରାଜଧାନୀ ଭୁବନେଶ୍ବର ବୁଲାକୁକୁର ଗଣତି କରିଥିଲା। ବ୍ୟବସ୍ଥିତ ଢଙ୍ଗରେ କୁକୁର ବନ୍ଧ୍ୟାକରଣ, ଟିକାକରଣ ଆଦିକୁ ବ୍ୟାପକ କରିବା ଲକ୍ଷ୍ୟରେ ଏହି କୁକୁର ଗଣତି କରାଯାଇଥିଲା। ଗଣତି ପରେ ୪୭ହଜାର ୧୨୬ଟି ବୁଲା କୁକୁର ବିଏମ୍‌ସି ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଯେଉଁଥିରୁ ୨୭ହଜାର ୧୧୫ଟି ଅଣ୍ଡିରା ଓ ୧୮ହଜାର ୮୮୭ଟି ମାଈ ଥି‌ଲେ। ଏଥିରେ ୧ହଜାର ୧୨୪ଟି ଛୁଆ କୁକୁର ଥିଲେ। ଜନସଂଖ୍ୟା ତୁଳନାରେ ବୁଲାକୁକୁରଙ୍କ ଅନୁପାତ ୩.୬୨ ପ୍ରତିଶତ ଥିଲା। ମାତ୍ର ୭,୪୦୩ଟି କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିବା ଜଣାପଡ଼ିଥିଲା। କୁକୁର ବନ୍ଧ୍ୟାକରଣକୁ ବ୍ୟାପକ କରିବା ପାଇଁ ଚଳିତବର୍ଷ ବିଏମ୍‌ସି ହାଇଦ୍ରାବାଦ୍‌ର ‘‘ଭେଟ୍‌ସ ସୋସାଇଟି ଫର୍‌ ଆନିମଲ୍‌ ୱେଲ୍‌ଫେୟାର ଆଣ୍ଡ୍‌ ରୁରାଲ୍‌ ଡେଭ୍‌ଲପ୍‌ମେଣ୍ଟ’’ ସଂସ୍ଥା ସହ ଚୁକ୍ତି କରିଛି।

Untitled-2

 ‌

ମାଟିରେ ମିଶିଲା ସାଲିଆସାହିର ୫୫୯ ଘର 

ବହୁବର୍ଷର ବାଦବିବାଦ ପରେ ବହୁ ପ୍ରତୀକ୍ଷିତ ନନ୍ଦନକାନନ-ଆଇଏମ୍ଏ ପର୍ଯ୍ୟନ୍ତ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ପାଇଁ ଥିବା ଜବରଦଖଲକୁ ହଟାଯାଇଛି। ବହୁବର୍ଷର କସରତ ପରେ ବିଡିଏ ଓ ବିଏମ୍‌ସି ମିଶି ପୁଲିସ ପହରା ଭିତରେ ଏହି ରାସ୍ତା ପାଇଁ ବାଧା ସୃଷ୍ଟି କରୁଥିବା ସାଲିଆସାହି ବସ୍ତିର ୫୫୯ ଘର ଉଚ୍ଛେଦ କରିଥିଲେ। ଏଥିପାଇଁ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା। ବସ୍ତିବାସିନ୍ଦାମାନେ ଗାଡ଼ି ଆଗରେ ଶୋଇଥିଲେ, ଉଚ୍ଛେଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ବଳ ସହଯୋଗରେ ଚିହ୍ନଟ ଘର ସବୁ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦ ପରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ବୁଦ୍ଧବିହାର ଆବାସରେ ରଖାଯାଇଛି। ସେପଟେ ପାଠପଢ଼ା ବ୍ୟାହତ ନ ହେବା ପାଇଁ ସମସ୍ତ ପରିବାର ପାଠପଢ଼ା ପିଲାଙ୍କୁ ପାଖ ବିଦ୍ୟାଳୟରେ ନାମ ଲେଖାଯାଇଛି ଓ ପାଠପଢ଼ାର ବ୍ୟବସ୍ଥା କରାଯାଇଛି।

କଳଙ୍କିତ ଇତିହାସ 

୨୦୨୫ ମସିହା ଜୁନ୍‌ ୩୦ ତାରିଖ ଥିଲା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପାଇଁ ଏକ କଳଙ୍କିତ ଦିନ। ବିଜେପିର କିଛି ଆଗଧାଡ଼ିର ନେତା ଓ କର୍ପୋରେଟର୍‌ ବିଏମ୍‌ସି ଅତିରିକ୍ତ କମିସନର୍‌ ରତ୍ନାକର ସାହୁଙ୍କୁ ଘୋ‌ଷାରି ଘୋଷାରି ପିଟିଥି‌ଲେ। ବିଏମ୍‌ସି ଇତିହାସରେ କେବେ ବି ଏଭଳି ଅଘଟଣ ହୋଇ ନଥିଲା। କମିସନର୍‌ ରାଜେଶ ପ୍ରଭାକର ପାଟିଲ ଛୁଟିରେ ଥିବାରୁ ଶ୍ରୀ ସାହୁ କମିସନର୍‌ ଦାୟିତ୍ବରେ ଥିଲେ ଏବଂ ନିଜ କାର୍ଯ୍ୟାଳୟରେ ବସିଥିଲେ। ଏହି ସମୟରେ ବିଜେପି ନେତା ଓ କର୍ପୋରେଟର୍‌ମାନେ ତାଙ୍କ କାର୍ଯ୍ୟାଳୟରେ ଧସେଇ ପଶି ଚେୟାରରେ ବସିଥିବା ଶ୍ରୀ ସାହୁଙ୍କୁ ଧକ୍କା ମାରିଥିଲେ। ସାର୍ଟ ଧରି କାର୍ଯ୍ୟାଳୟ ବାହାରକୁ ଘୋଷାଡ଼ି ଆଣି ବିଧା, ଗୋଇଠା ମାରିଥିଲେ। ଏହି ଘଟଣା ପରେ ବିଏମ୍‌ସି କାର୍ଯ୍ୟାଳୟରେ ୪ ଦିନ ଧରି ଅଚଳାବସ୍ଥା ଦେଖା ଦେଇଥିଲା। ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେବା ସହ କଳାବ୍ୟାଜ୍‌ ପରିଧାନ କରି ଗଣଧାରଣା ଦେଇଥିଲେ। ଓଏଏସ୍‌ ସଂଘ ବି ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଡାକରା ଦେଇଥିଲା। ସମସ୍ତେ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଦାବି ଅନୁସାରେ ସମସ୍ତ ଦୋଷୀ ଗିରଫ ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ସେପଟେ ଏଭଳି ଘଟଣା ପରେ ବିଏମ୍‌ସି ମୁଖ୍ୟାଳୟର ସୁରକ୍ଷା ବଢ଼ାଇ ଦିଆଯାଇଛି। ଅଧିକ ସଂଖ୍ୟକ ଅବସରପ୍ରାପ୍ତ ସେନାଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।

Untitled-3

Kelo River: ଅସ୍ତିତ୍ବ ହରାଉଛି କେଲୋ ନଦୀ: ନର୍ଦ୍ଦମା କରିଦେଲାଣି ଛତିଶଗଡ଼

ସ୍ବଚ୍ଛତା ଆଣିଲା ଗୌରବ

ଦେଶର ୧୦ ଶ୍ରେଷ୍ଠ ସହର ଭିତରେ ଭୁବନେଶ୍ବର ଚଳିତବର୍ଷ ଜୁଲାଇ ମାସରେ ବିବାଦ ଭିତରେ ବି ଗୌରବ ଓ ପ୍ରଶଂସା ସାଉଁଟିଥିଲା ବିଏମ୍‌ସି। ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟର ଜାତୀୟ ରୢାଙ୍କିଙ୍ଗରେ ଦେଶର ୧୦ ଶ୍ରେଷ୍ଠ ସହର ଭିତରେ ରାଜଧାନୀ ଭୁବନେଶ୍ବର ସ୍ଥାନ ପାଇଥିଲା। ୩ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭିତରେ ଜାତୀୟ ରୢାଙ୍କିଙ୍ଗରେ ୯ମ ଓ ରାଜ୍ୟ ରୢାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନରେ ରହିଥିଲା। ସମୁଦାୟ ୧୨ହଜାର ୫୦୦ ମାର୍କରୁ ଭୁବନେଶ୍ବର ମହାନଗର ନିଗମକୁ ୧୦ହଜାର ୫୪୮ ମାର୍କ ମିଳିଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମକୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ୨ କୋଟି ଟଙ୍କାର ପୁରସ୍କାର ରାଶି ଏ ବାବଦରେ ମିଳିଥିଲା। ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମେୟର ସୁଲୋଚନା ଦାସ, କମିସନର୍ ରାଜେଶ ପ୍ରଭାକର ପାଟିଲ୍ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ବଚ୍ଛ ବାୟୁରେ ଦେଶର ଚତୁର୍ଥ ଶ୍ରେଷ୍ଠ ସହର ଦେଶର ବାୟୁ ପ୍ରଦୂଷଣମୁକ୍ତ ସର୍ବଶ୍ରେଷ୍ଠ ସହର ଭିତରେ ରାଜଧାନୀ ଭୁବନେଶ୍ବର ଚଳିତବର୍ଷ ଶ୍ରେୟ ଗୋଟାଇଥିଲା। ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ୩ ଲକ୍ଷରୁ ୧୦ଲକ୍ଷ ବିଶିଷ୍ଟ ସହର ଭିତରେ ଭୁବନେଶ୍ବର ସାରା ଦେଶରେ ୧୯୬.୫ ମାର୍କ ରଖି ଚତୁର୍ଥ ସର୍ବଶ୍ରେଷ୍ଠ ସହର ମାନ୍ୟତା ପାଇବାର ଗୌରବ ଅର୍ଜନ କରିଥିଲା। କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ୍ କ୍ଲିୟର୍ ଏୟାର୍ ପ୍ରୋଗ୍ରାମ(ଏନ୍ଏସିପି) ଅଧୀନରେ ୨୦୨୪ ମସିହା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଦେଶର ୧୩୦ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ପରିବେଶ ସନ୍ତୁଳନ ସହିତ ରାସ୍ତାରେ ପେଭର୍ ବ୍ଲକ୍ ପକାଇବା, ଯନ୍ତ୍ରଚାଳିତ ସଫେଇ, ଆବର୍ଜନାର ଜୈବ ପ୍ରତିକାର, କଠିନ ବର୍ଜ୍ୟ ପରିଚାଳନା ଆଦିକୁ ମାନଦଣ୍ଡ ଆକାରରେ ନିଆଯାଇଥିଲା। ଏଥିରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରକୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ମାନ୍ୟତା ପ୍ରଦାନ କରାଯାଇଥିଲା। 

ସୀମା ଟପିଲା ଆର୍ଥିକ ଅଚଳାବସ୍ଥା 

ଚଳିତବର୍ଷ ବିଏମ୍‌ସିରେ ଆର୍ଥିକ ଅଚଳାବସ୍ଥା ସୀମା ଟପିଥିଲା। ୩୭୫ କୋଟି ଟଙ୍କାର ତଞ୍ଚକତା ଧରା ପଡ଼ିବା ପରେ ଏହି ଅନୁଦାନ ରାଜ୍ୟ ସରକାର ମଞ୍ଜୁର ନ କରିବାରୁ ଏଭଳି ସ୍ଥିତି ଉପୁଜିଥିଲା। ସରକାର ‘ମୁକ୍ତା’, ‘ଜାଗା ମିସନ୍‌’ ଯୋଜନା ବନ୍ଦ କରି ସହରୀ ବିକାଶ ଯୋଜନା ଆରମ୍ଭ କରିବାରୁ ଏହି ଅଡ଼ୁଆ ଆହୁରି ବଢ଼ିଥିଲା। ବର୍ଷ ଶେଷ ପର୍ଯ୍ୟନ୍ତ ବି ଏହି ଆର୍ଥିକ ଅଚଳାବସ୍ଥା ଲାଗି ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୁକ୍ତା ଯୋଜନାରେ ରାଜ୍ୟର ୧୦ ଜିଲ୍ଲାର ୩୭ଟି ସହରାଞ୍ଚଳ ପାଇଁ ୪୨୩.୮୭ କୋଟି ଟଙ୍କା ମଞ୍ଜୁର କରିଥିଲେ। ଭୁବନେଶ୍ବର ମହାନଗର ନିଗମ ସର୍ବାଧିକ ୧୪୫.୦୭ କୋଟି ଟଙ୍କା ପାଇଥିଲା। ୧୩୨୮ଟି ପ୍ରକଳ୍ପ ପାଇଁ ଏହି ଅନୁଦାନ ମଞ୍ଜୁର ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୫୭୫ଟି ମୁକ୍ତା ପ୍ରକଳ୍ପକୁ ବାତିଲ୍‌ କରି ଦେଇଥିଲେ। କିନ୍ତୁ ସରକାରୀ ନିର୍ଦ୍ଦେଶ ଅମାନ୍ୟ କରି ବାତିଲ୍‌ ପ୍ରକଳ୍ପରୁ ୭୮ଟି ପ୍ରକଳ୍ପ ମନଇଛା କରାଯାଇଥିଲା। ଜୋନାଲ୍‌ ଡେପୁଟି କମିସନର୍, ଯନ୍ତ୍ରୀମାନେ ନିଜ ଅଞ୍ଚଳରେ ମନଇଛା କାର୍ଯ୍ୟାଦେଶ ବାଣ୍ଟିଥିଲେ। ଜାଗା ମିସନ୍‌ରେ ବି ମୁକ୍ତା ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେ ପୁଣି ବିନା ଅନୁମୋଦନରେ। ଜାଗା ମିସନ୍‌, ମୁକ୍ତା ଓ କଚ୍ଚା ରାସ୍ତାକୁ ପକ୍କା କରିବା ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ତଞ୍ଚକତା ଧରିବା ପରେ ଏହି ଅନୁଦାନ ଦେବାକୁ ସରକାର ମନା କରି ଦେଇଛନ୍ତି। ହିସାବ ଦେଲେ ଅନୁଦାନ ଦେବୁ ବୋଲି ରୋକ୍‌ଠୋକ୍ କହିଛନ୍ତି। କିନ୍ତୁ ଅଧିକାରୀ, ଯନ୍ତ୍ରୀମାନେ ହିସାବ ଦେଇପାରୁନାହାନ୍ତି। ଫଳସ୍ବରୂପ ଠିକାଦାରମାନେ ଟଙ୍କା ନପାଇ ଧାରଣା ଦେଇଥିଲେ। ସେପଟେ ଟଙ୍କା ନ ଥିବାରୁ ସଫେଇ ଏଜେନ୍ସିମାନଙ୍କୁ ବି ଟଙ୍କା ଦିଆଯାଇ ପାରି ନଥିଲା।  ଏହି ଅଚଳାବସ୍ଥା ନେଇ ବିଜେଡି  କର୍ପୋରେଟର୍‌ମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଗୁହାରି  କରିଥିଲେ।

Untitled-4

ଭିଜିଲାନ୍ସ ଜାଲରେ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ 

ଚଳିତବର୍ଷ ଜୁଲାଇ ମାସରେ ବିଏମ୍‌ସି ଆଉ ଏକ ବଦନାମର ବୋଝ ମୁଣ୍ଡାଇଥିଲା। ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଖୋଳତାଡ଼ ପରେ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଆୟର ଏହା ୧୪୮% ଅଧିକ ବୋଲି ଭିଜିଲାନ୍ସ ଆକଳନ କରିଥିଲା। ଭିଜିଲାନ୍ସର ୪ଟି ଟିମ୍ ଶ୍ରୀ ପଟ୍ଟନାୟକଙ୍କ ବାଲିଅନ୍ତା, ବଡ଼ଗଡ଼ସ୍ଥିତ ଘର ଓ ରାୟଗଡ଼ାସ୍ଥିତ ପୈତୃକ ଘର ଆଦି ସ୍ଥାନରେ ଚଢ଼ଉ ଓ ଯାଞ୍ଚ ବେଳେ ରାଜଧାନୀର ପ୍ରମୁଖ ଅଞ୍ଚଳରେ ୩ଟି ପ୍ଲଟ୍, ବଡ଼ଗଡ଼ ଅଞ୍ଚଳରେ ୪୫୬୦ ବର୍ଗଫୁଟର ୩ ମହଲା କୋଠା, ଗୁଣପୁରରେ ଦୁଇ ମହଲା କୋଠା ଓ ବାଲିଅନ୍ତା ରଣପୁରରେ ଦେଢ଼ ଏକର ଜମିରେ ଫାର୍ମହାଉସ୍ ଠାବ କରିଥିଲେ। ସେହିପରି ୮୦ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା ଓ ବଣ୍ଡ୍ ଜମା, ୪୬୦ ଗ୍ରାମ୍‌ରୁ ଅଧିକ ଓଜନର ସୁନାଗହଣା, ଦାମୀ ଘଣ୍ଟା, ବନ୍ଧୁକ, ରୁପା ଟଙ୍କା ଓ ୭ଲକ୍ଷ ଟଙ୍କାର ଆସବାବପତ୍ର ଠାବ କରାଯାଇଥିଲା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗର ଖୋଳତାଡ଼ ବେଳେ ଶ୍ରୀ ପଟ୍ଟନାୟକଙ୍କ ଘରୁ ହରିଣ ଶିଙ୍ଗ ବାହାରିଥିଲା। ଏନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା। ଏଥିପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ଜଗନ୍ନାଥ ପ୍ରଧାନ, ଜୀବନ ରାଉତ ଗିରଫ 

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ପ୍ରଥମ ଦିନ ୨୯ ନମ୍ବର କର୍ପୋରେଟର୍‌ ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କ ସମେତ ୩ଜଣଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଥିଲା। ତଥାପି ସ୍ଥିତି ଶାନ୍ତ ପଡ଼ି ନ ଥିଲା। କାରଣ ଅତିରିକ୍ତ କମିସନର୍‌ ଶ୍ରୀ ସାହୁଙ୍କ ଅଭିଯୋଗରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ଜଗନ୍ନାଥଙ୍କୁ ଗିରଫ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ଅଡ଼ି ବସିଥିଲେ। ଏଥିପାଇଁ ବିଏମ୍‌ସିରେ ଅଚଳାବସ୍ଥା ଜାରି ରହିଥିଲା। ଜଗନ୍ନାଥ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବା ପରେ ଜୁଲାଇ ୩ ତାରିଖ ରାତିରେ ଜଗନ୍ନାଥ ଆତ୍ମସମର୍ପଣ କରିଥିଲେ। ସେହିଠାରେ ହିଁ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜଗନ୍ନାଥଙ୍କୁ ଛାଡ଼ିବା ଦାବିରେ ସମର୍ଥକମାନେ ବାଣିବିହାର ଛକରେ ରାସ୍ତାରୋକ କରିଥିଲେ। ଜେଲ୍‌ରେ ୭ ଦିନ ରହିବା ପରେ ଜୁଲାଇ ୯ ତାରିଖରେ ଜଗନ୍ନାଥ ଜାମିନ୍‌ରେ ବାହାରିଥିଲେ।

Untitled-5