ନୂଆଦିଲ୍ଲୀ: ବିଶ୍ୱ ବିବାଦ, ଆର୍ଥିକ ସଙ୍କଟ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚନା ମଧ୍ୟରେ ମିଳିତ ଜାତିସଂଘ ୨୦୨୫ ମସିହାରେ ଏହାର ୮୦ତମ ବାର୍ଷିକୀ ପାଳନ କରିଛି। ଏହି ପରିସ୍ଥିତିରେ ଭାରତ ‘ନେତୃତ୍ବ ଓ ଆଶା’ ଉପରେ ଗୁରୁତ୍ବ ଦେବା ସହ ବଡ଼ ଭୂମିକା ପାଇଁ ପ୍ରସ୍ତୁତ ବୋଲି କହିଛି। ୟୁକ୍ରେନ ଓ ଗାଜାରେ ସଂଘର୍ଷ ଏବଂ ସୁଦାନରୁ ମ୍ୟାମାର ପର୍ଯ୍ୟନ୍ତ ଅନେକ ଦେଶରେ ସଂଘର୍ଷ ୨୦୨୫ରେ ବୃଦ୍ଧି ପାଇଥିଲା, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବାରେ ଜାତିସଂଘ ଓ ଏହାର ଶକ୍ତିଶାଳୀ ଅଥଚ ଧ୍ରୁବୀକୃତ ସୁରକ୍ଷା ପରିଷଦର ଅପାରଗତାକୁ ପୁଣି ଥରେ ପଦାରେ ପକାଇଥିଲା।
ଜାତିସଂଘର ପ୍ରାସଙ୍ଗିକତା ଉପରେ ଏବେ ପ୍ରଶ୍ନ ଉଠୁଥିବା ବେଳେ ଏହି ପୃଷ୍ଠଭୂମିରେ ଭାରତ ସଂସ୍କାରିତ ବହୁପକ୍ଷବାଦ ପାଇଁ ଏକ ସ୍ପଷ୍ଟ ଆହ୍ୱାନ ଦେଇଥିଲା। ଗତ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ସଭାର ମଞ୍ଚରୁ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଏକ ‘ଅବ୍ଜେକ୍ଟିଭ୍ ରିପୋର୍ଟ କାର୍ଡ’ ଦର୍ଶାଉଛି ଯେ ଜାତିସଂଘ ସଙ୍କଟଗ୍ରସ୍ତ ଅବସ୍ଥାରେ ଅଛି। ଯେତେବେଳେ ବିବାଦ ଯୋଗୁଁ ଶାନ୍ତି ପ୍ରତି ବିପଦ ସୃଷ୍ଟି ହୁଏ, ସମ୍ବଳ ଅଭାବରୁ ବିକାଶ ପଥଚ୍ୟୁତ ହୁଏ, ଆତଙ୍କବାଦ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନ ହୁଏ, ସେତେବେଳେ ଜାତିସଂଘ ବ୍ୟତିବ୍ୟସ୍ତ ହୋଇପଡ଼େ ବୋଲି ସେ କହିଛନ୍ତି।
ଭାରତ ସ୍ପଷ୍ଟ ଭାବରେ କହିଛି ଯେ, ଜାତିସଂଘର ବିଶ୍ୱସନୀୟତା କ୍ଷୟ ହେବାର କାରଣ ହେଉଛି ସଂସ୍କାରକୁ ପ୍ରତିରୋଧ କରିବା ଏବଂ ଦିଲ୍ଲୀ ଏକ ସମ୍ପ୍ରସାରିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, ଯାହା ବର୍ତ୍ତମାନ ୧୫ ଜଣ ସଦସ୍ୟଙ୍କୁ ନେଇ ୨୦୨୫ର ବିଶ୍ୱକୁ ପ୍ରତିନିଧିତ୍ୱ କରିପାରୁ ନାହିଁ। ପରିଷଦର ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟତା ବୃଦ୍ଧି କରାଯିବା ଆବଶ୍ୟକ। ଏକ ସଂଶୋଧିତ ପରିଷଦ ରହିବା ଆବଶ୍ୟକ ଏବଂ ଭାରତ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବୋଲି ଜୟଶଙ୍କର କହିଛନ୍ତି। ଜାତିସଂଘର ନବମ ଦଶନ୍ଧି ନେତୃତ୍ୱ ଓ ଆଶାର ହେବା ଆବଶ୍ୟକ। ଭାରତ ଏହାର ଯଥାର୍ଥ ଅଂଶ ଓ ଆହୁରି ଅନେକ କିଛି କରିବ ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଜାରି ରଖିଛି। ପହଲଗାମ ଆକ୍ରମଣ ପରେ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ଏହା ବିଶ୍ବକୁ ଜଣାଇଦେଇଛି। ପାକିସ୍ତାନର ଲସ୍କର-ଏ-ତୋଇବାର ପ୍ରତିନିଧି ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ ମଧ୍ୟ ପହଲଗାମ ଆକ୍ରମଣରେ ଏହାର ଭୂମିକା ପାଇଁ ପ୍ରଥମ ଥର ଲାଗି ସୁରକ୍ଷା ପରିଷଦର ରିପୋର୍ଟରେ ଉଲ୍ଲେଖ ପାଇଛି।
Video goes viral: ଭିଡିଓ ଭାଇରାଲ୍: କୁମ୍ଭୀର ମୁହଁରୁ ମାଙ୍କଡ଼କୁ ବଞ୍ଚାଇବାକୁ ସାଥୀ ମାଙ୍କଡ଼ଙ୍କ ଉଦ୍ୟମ
ସୂଚନାଯୋଗ୍ୟ, ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜାତିସଂଘକୁ ‘ଏକ କ୍ଲବ୍’ ବୋଲି ବର୍ଣ୍ଣନା କରିଥିଲେ ଏବଂ ଆମେରିକାର ଅନୁଦାନ ବନ୍ଦ କରିବା ସହ ଏହାର ଜଳବାୟୁ ପୂର୍ବାନୁମାନକୁ ଏକ ଠକାମି ବୋଲି କହିଥିଲେ। ୨୦୨୫ରେ ଆମେରିକା ବିଶ୍ୱ ସଂସ୍ଥାକୁ ୧ ବିଲିୟନ ଡଲାରରୁ ଅଧିକ ପାଣ୍ଠି ସ୍ଥଗିତ ରଖିଛି।
Follow Us