ଭୁବନେଶ୍ବର/ମେଣ୍ଢାଶାଳ: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା। ଛୋଟେଇ ଛୋଟେଇ ଚାଲୁଛି। ଜଙ୍ଗଲ ଭିତରେ ଦୌଡ଼ି ପାରୁନାହିଁ। ହାତୀପଲ ଛାଡ଼ି କୁଆଡ଼େ ଯାଉନି। ବରଂ ଗୁମ୍ ମାରି ଗୋଟିଏ ଜାଗାରେ ଛିଡ଼ା ହୋଇରହୁଛି। ହାତୀପଲ ଜୋରରେ ଯାଉଥିବା ବେଳେ ଅସୁସ୍ଥ ଦନ୍ତା ଧୀରେଧୀରେ ଚାଲୁଛି। ଦୁଇଦିନ ତଳେ ହାତୀ ଅସୁସ୍ଥ ଥିବା ନେଇ ବନ ବିଭାଗ ଅଧିକାରୀ ଜାଣିବା ପରେ ଚିକିତ୍ସା ଦିଗରେ ପଦକ୍ଷେପ ନେଇଛନ୍ତି। ହାତୀର ଉପସ୍ଥିତି ସମ୍ପର୍କରେ ଜାଣିବାକୁ ଗତକାଲିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରେ ବହୁତ ଖୋଜାଖୋଜି ପରେ ଆଜି ପୂର୍ବାହ୍ନରେ ହାତୀଟିକୁ ଭାଲୁକା ଜଙ୍ଗଲରେ ଠାବ କରାଯାଇ ଟ୍ରାଙ୍କୁଲାଇଜ୍ କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ମାତ୍ର ତାହା ସଫଳ ହୋଇପାରି ନଥିଲା। ଟ୍ରାଙ୍କୁଲାଇଜ୍ କରିବାକୁ ଯିବା ସମୟରେ ହାତୀଟି ଗୋଡ଼େଇ ଆସିବାରୁ ବନ କର୍ମଚାରୀମାନେ ଭୟରେ ଦୌଡ଼ିଥିଲେ। ଏହି ସମୟରେ ଫରେଷ୍ଟର ଦୀପକ ନାଏକ ତଳେ ପଡ଼ିଯିବାରୁ ତାଙ୍କ ହାତ ଭାଙ୍ଗିଯାଇଛି। ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଆହୁରି ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆଯାଇଛି। ଏହାପରେ ଆଜିର ଟ୍ରାଙ୍କୁଲାଇଜ୍ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦନ୍ତାର ବାମପାର୍ଶ୍ବ ପଛଗୋଡ଼ରେ ସମସ୍ୟା ହୋଇଛି। ଗୋଡ଼ ଫୁଲି ଯାଇଥିବାରୁ ଠିକ୍ ଭାବେ ଚାଲିପାରୁ ନାହିଁ। ଦିନକୁ ଦିନ ତା’ର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି। ଗତକାଲି ଅପେକ୍ଷା ଆଜି ତାହାର ଗତି କମିଛି। ଅସୁସ୍ଥତା ପଛର କାରଣ ଜଣାପଡ଼ି ନାହିଁ। କେହି କେହି ଗୁଳିମାଡ଼ ହୋଇଥିବା କହୁଥିବା ବେଳେ ଆଉ କିଛି ଜଣ ରୋଗ ହୋଇଥିବା ଦର୍ଶାଉଛନ୍ତି। ତେବେ ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ହାତୀକୁ ଟ୍ରାଙ୍କୁଲାଇଜ୍ କରା ନଯାଇଛି ସେପର୍ଯ୍ୟନ୍ତ ପ୍ରକୃତ କାରଣ ଜଣାପଡ଼ିବ ନାହିଁ। ଆଜି ଅପରାହ୍ଣ ପ୍ରାୟ ଗୋଟାଏ ସମୟରେ ଭାଲୁକା ଜଙ୍ଗଲରେ ହାତୀପଲଙ୍କ ଭିତରେ ଦନ୍ତା ରହିଥିବାରୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ହୋଇଥିଲା। ମାତ୍ର ହଠାତ୍ ଦୌଡ଼ି ଆସିବାରୁ ଫରେଷ୍ଟର୍ ତଳେ ପଡ଼ି ଯାଇଥିଲେ। ଭାଲୁଙ୍କା ଘଞ୍ଚ ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ରହିଥିବାରୁ ଟ୍ରାଙ୍କୁଲାଇଜ୍ କରିବା କଷ୍ଟକର ହେଉଛି। ହାତୀକୁ ଗୁଳି ମାଡ଼ ହୋଇଥିବା ସମ୍ପର୍କରେ ବାହାରକୁ କିଛି ବି ଜଣାପଡ଼ୁ ନାହିଁ। ବାହାରକୁ କୌଣସି ଆଘାତ ଦେଖାଯାଉ ନ ଥିବାରୁ ସେଭଳି ଆକଳନ କରିବା ଭୁଲ୍ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଓୟୁଏଟି, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବନଖଣ୍ଡର କର୍ମଚାରୀଙ୍କୁ ନେଇ ୩ଟି ଟିମ୍ ଗଠନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ପୁଣିଥରେ ଉଦ୍ୟମ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
Greetings: ଗ୍ରିଟିଂସ୍: କାର୍ଡ ନୁହେଁ, ଥିଲା ‘ସ୍ମୃତିପସରା’
ଏସିଏଫ୍ ସଂଗ୍ରାମ ମହାନ୍ତିଙ୍କ ନେତୃତ୍ବରେ ଗଠିତ ଟ୍ରାଙ୍କୁଲାଇଜ୍ ଟିମ୍ ଆଜି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏସିଏଫ୍ ଶ୍ରୀ ମହାନ୍ତି କହିଛନ୍ତି ଯେ ହାତୀଟିର କ’ଣ ହୋଇଛି, ଆମେ ଜାଣିପାରି ନାହୁଁ। ଗୋଡ଼ରେ ଟ୍ୟୁମର ହୋଇଛି କି ସେ ଶିକାରୀଙ୍କ ଦ୍ବାରା ଆହତ ହୋଇଛି ତାହା ଜଣାପଡ଼ିନି। ବାମପାର୍ଶ୍ବ ପଛଗୋଡ଼ ଫୁଲିଛି। ଆଠଗଡ଼ ଓ ଚନ୍ଦକା ଜଙ୍ଗଲ ଲାଗିଥିବାରୁ ଏଠାକାର ହାତୀ ପଲ ନିୟମିତ ବ୍ୟବଧାନରେ ଆଠଗଡ଼ ଯାଇଥାନ୍ତି ଏବଂ ପୁଣି ଫେରି ଆସିଥାନ୍ତି। କେଉଁଠି ଓ କିଭଳି ଅସୁସ୍ଥ ହେଲା ତାହା ଟ୍ରାଙ୍କୁଲାଇଜ୍ ପରେ ଜଣାପଡ଼ିବ। ତେବେ ଚିକିତ୍ସା କରିବାକୁ ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ସେ ସୂଚନା ଦେଇଛନ୍ତି। ଭାଲୁଙ୍କା ଜଙ୍ଗଲ ଉପରେ ଜଙ୍ଗଲ ବିଭାଗ କର୍ମଚାରୀ ଡ୍ରୋନ୍ ଉଡ଼ାଇ ଦନ୍ତାର ଗତିବିଧି ଉପରେ ନଜର ରଖିଛନ୍ତି। କେତେବେଳେ ହାତୀଟି ଗୋଠ ଛଡ଼ା ହେବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ହାତୀଟି ଏକୁଟିଆ ନଜରକୁ ଆସି ନ ଥିଲା।
ବିଶେଷଜ୍ଞ ଇନ୍ଦ୍ରମଣି ନାଥ କହିଛନ୍ତି ଯେ ହାତୀର ଯେଉଁଭଳି ଅବସ୍ଥା ରହିଛି ତାକୁ ସଙ୍ଗେ ସଙ୍ଗେ ଚିକିତ୍ସା କରା ନଗଲେ ଅସୁବିଧା ହେବ। ଗୁଳି ମାଡ଼ର ଚିହ୍ନ ନାହିଁ। ଏମିତିକି ବହୁ ପୂର୍ବରୁ ଟେଣ୍ଟା ମାଡ଼ ମଧ୍ୟ ହୋଇଥାଇପାରେ, ଯାହାକି ଏବେ ବଡ଼ ରୂପ ନେଇଛି। ଶିକାରୀମାନେ ମୁଖ୍ୟତଃ ହାତୀଙ୍କୁ ଏଭଳି ଭାବେ ହତ୍ୟା କରିଥାନ୍ତି। କଡ଼ା ନଜର ରଖିବା ସହ ହାତୀ ଟଳି ପଡ଼ିଲେ ଦାନ୍ତ ନେଇଯାଆନ୍ତି।
Follow Us