ଭୁବନେଶ୍ବର: ୟୁନିଟ୍-୩ସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିବା ମହିଳା ଓଏଫ୍ଏସ୍ ଅଧିକାରୀ ପୁଷ୍ପଲତା ସାମଲଙ୍କ ଘରୁ ପୁଣି ସିନ୍ଧିଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବା ମଉକାରେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇଛନ୍ତି। କିଛି ଗହଣା ସହ ତାଙ୍କ ଝିଅର ଲାପ୍ଟପ୍ ଚୋରି ହୋଇଛି। ଏଥରକୁ ମିଶାଇ ଶ୍ରୀମତୀ ସାମଲଙ୍କ ଘରୁ ୩ଥର ଚୋରି ହେଲାଣି। ମାତ୍ର ଖାରବେଳନଗର ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିପାରିନାହିଁ। ତିନି ତିନି ଥର ତାଙ୍କ ଘରୁ ଚୋରି ହୋଇଥିବାରୁ ସେ ଏବେ ଅସୁରକ୍ଷିତ ମଣୁଛନ୍ତି ଏବଂ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଘରେ ପିଜି ପଢ଼ୁଆ ଝିଅ ଥିବାରୁ ସେ ଆହୁରି ଭୟଭୀତ ହୋଇପଡ଼ିଛନ୍ତି ବୋଲି କହିଛନ୍ତି। ସିସିଟିଭିରେ ଚୋରର କାରନାମା କଏଦ ହୋଇଥିବା ସତ୍ତ୍ବେ ପୁଲିସ ଦୁର୍ବୃତ୍ତକୁ ଧରିପାରୁ ନଥିବାରୁ ସେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଶ୍ରୀମତୀ ସାମଲ ଏଥର ଖାରବେଳନଗର ଥାନାକୁ ଜଣାଇବା ସହ ପୁଲିସ କମିସନରଙ୍କୁ ମଧ୍ୟ ଭେଟି ଗୁହାରି କରିଛନ୍ତି।
ଗତକାଲି ରାତିରେ ଶ୍ରୀମତୀ ସାମଲ ଓ ତାଙ୍କ ଝିଅ ଘରେ ନଥିଲେ। ଆଜି ସକାଳେ ସେ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଆଲ୍ମିରାରୁ କିଛି ଅଳଙ୍କାର ଓ ଝିଅର ଲାପ୍ଟପ୍ ଚୋରି ହୋଇଛି। ଓୟୁଏଟିରେ ପିଜି କରୁଥିବା ଝିଅର ଲାପ୍ଟପ୍ରେ ବହୁ ପ୍ରୋଜେକ୍ଟ ଥିବାରୁ ଏହି ଚୋରି ସମସ୍ୟା ସୃଷ୍ଟି କରିଛି। ଖବର ପାଇ ଖାରବେଳନଗର ଥାନା ପୁଲିସ ତାଙ୍କ ଘରେ ପହଞ୍ଚି ଛାନ୍ଭିନ୍ କରି ଫେରିଛି। ପୁଲିସ ସିସିଟିଭି ଫୁଟେଜ୍ ନେଇ ଚୋରକୁ ଧରିବାକୁ ଉଦ୍ୟମ କରୁଥିବା କହିଛି।
ସୂଚନାଯୋଗ୍ୟ ଯେ ଏଥରକୁ ମିଶାଇ ତାଙ୍କ ଘରୁ ୩ଥର ଚୋରି ହେଲାଣି। ବଡ଼ କଥା ହେଉଛି ସବୁଥର ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ(୨୩ ତାରିଖ)ରେ ଏଭଳି କାଣ୍ଡ ଘଟୁଛି। ପ୍ରଥମ ଚୋରି ଗତବର୍ଷ ଫେବ୍ରୁଆରି ୨୩ରେ ହୋଇଥିଲା। ସେଥର ସିନ୍ଧିଚୋର ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ କିଛି ଟଙ୍କା ଲୁଟି ନେଇଥିଲା। ସେହିପରି ଦ୍ବିତୀୟ ଥର ଲୁଟ୍ ହୋଇଥିଲା ଗତବର୍ଷ ଅକ୍ଟୋବର ୨୩ ତାରିଖରେ। ସେଥର ଦୁର୍ବୃତ୍ତମାନେ ଟ୍ୟାପ୍ ଓ ପିତ୍ତଳ ବାସନ ନେଇଯାଇଥିଲେ। ଏଥର ମଧ୍ୟ ଜୁନ୍ ୨୩ରେ ଚୋରି ହୋଇଛି। ସବୁଥର ଘରେ କେହି ନଥିବା ବେଳେ ଚୋର ପଶୁଛି। ତେଣୁ ଶ୍ରୀମତୀ ସାମଲ ଏହା କୌଣସି ସ୍ଥାନୀୟ ଠାଉକା ଚୋରର କାମ ବୋଲି ସନ୍ଦେହ କରିଛନ୍ତି।
ପୁଣି ମହିଳା ଓଏଫ୍ଏସ୍ଙ୍କ କ୍ବାର୍ଟର୍ସରୁ ସିନ୍ଧିଚୋରି, ୨୩ ତାରିଖରେ ପଶୁଛି ଚୋର
ୟୁନିଟ୍-୩ସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିବା ମହିଳା ଓଏଫ୍ଏସ୍ ଅଧିକାରୀ ପୁଷ୍ପଲତା ସାମଲଙ୍କ ଘରୁ ପୁଣି ସିନ୍ଧିଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବା ମଉକାରେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇଛନ୍ତି। କିଛି ଗହଣା ସହ ତାଙ୍କ ଝିଅର ଲାପ୍ଟପ୍ ଚୋରି ହୋଇଛି।
/sambad/media/media_files/2025/06/25/poiuytr-2025-06-25-06-02-53.jpg)