ଭୁବନେଶ୍ବର: ଗତକାଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଜଣେ ଡାକ୍ତରଙ୍କୁ ହୋଇଥିବା ଆକ୍ରମଣ ମାମଲାକୁ ନେଇ ଆଜି ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡାକ୍ତରମାନେ କଳା ବ୍ୟାଚ୍‌ ପିନ୍ଧି ଅଧିକ ସୁରକ୍ଷା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିଭଳି କନିଷ୍ଠ ଡାକ୍ତରସଂଘ ଆଜି ଭୁବନେଶ୍ବର ଡିସିପିଙ୍କୁ ଭେଟି ଅଧିକ ସୁରକ୍ଷା ଦାବି କରିଥିଲେ ଏବଂ ଓମ୍‌ସା ପକ୍ଷରୁ ଏଭଳି ଘଟଣାକୁ କଡ଼ା ନିନ୍ଦାକରାଯାଇଛି। ଘଟଣା ଘଟିବାର ୨୪ ଘଣ୍ଟା ପରେ ମଧ୍ୟ ଫେରାର ଅଭିଯୁକ୍ତକୁ ଗିରଫ କରାଯାଇନଥିବାରୁ ଡାକ୍ତରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

Unique plant: ଅନନ୍ୟ ଉଦ୍ଭିଦ: ଜୀବନକାଳରେ ଥରେ ଫୁଟେ ସିକ୍କିମ ସୁନ୍ଦରୀ


ଆଜି ଦିନ ତମାମ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ରୋଗୀ ଚିକିତ୍ସା କରିଥିଲେ। ପରେ ହସ୍ପିଟାଲ୍‌ର ଏକ ପ୍ରତିନିଧିମଣ୍ଡଳୀ ଡିସିପି ଜଗମୋହନ ମୀନାଙ୍କ ସହିତ ସାକ୍ଷାତ କରିବା ସହିତ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କନିଷ୍ଠ ଡାକ୍ତର ସଂଘର ସଭାପତି ଡା. ବିଶ୍ବଜିତ ମଲ୍ଲିକ କହିଛନ୍ତି ‌ଯେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ମାମଲା ବଢ଼ିବାରେ ଲାଗିଛି। ଗତକାଲିର ଘଟଣାକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ହସ୍ପିଟାଲ୍‌ ପରିସରରେ ସଶସ୍ତ୍ର ପୁଲିସ ବଳ ମୁତୟନ, ଅଧିକ ସଂଖ୍ୟାରେ ପୁଲିସ ମୁତୟନ ହେବା ଜରୁରି ହୋଇପଡ଼ିଛି। ସେହିଭଳି ଫେରାର ଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେବା ଯାଏ ଡାକ୍ତରମାନେ କଳା ବ୍ୟାଚ ପିନ୍ଧିବେ ଏବଂ ଆବଶ୍ୟକ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଡିସିପି ଜଗମୋହନ ମୀନା କହିଛନ୍ତି ‌ଯେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସୁରକ୍ଷା ସମ୍ପର୍କୀତ ଆଲୋଚନା ହୋଇଛି। ଏବେ ହସ୍ପିଟାଲ ପରିସରରେ ଏକ ଘରୋଇ ସଂସ୍ଥାର ୨୫୦ ସୁରକ୍ଷାକର୍ମୀ ଅଛନ୍ତି। ହସ୍ପିଟାଲ୍‌ ଫାଣ୍ଡିରେ ଅଧିକ ପୁଲିସ କର୍ମଚାରୀ ମୁତୟନ କରାଯାଇଛି ଏବଂ ଆବଶ୍ୟକ ହେଲେ ଅଧିକ କର୍ମଚାରୀ ମୁତୟନ କରାଯିବ ବୋଲି ସେ କହିଛନ୍ତି।

The dead body of a worshipper: ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ: ପୂଜା କରିବାକୁ ଯାଇ ଫେରି ନ ଥିଲେ, ମୁଣ୍ଡରେ ଲାଗିଛି ଆଘାତ

 
ସୂଚନାଯୋଗ୍ୟ ଯେ ଆଜି ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ୍. କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହସ୍ପିଟାଲ୍‌ ଓ ପିଜିଆଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିକ୍ରିୟାରେ ‌ସେ କହିଛନ୍ତି ଯେ ଡାକ୍ତରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ। ଘଟିଥିବା ଅଭାବନୀୟ ଘଟଣା ବାବଦରେ ପୁଲିସ ପ୍ରଶାସନ ସହିତ ଆଲୋଚନା କରାଯାଇଛି ଏବଂ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର‌ାଯିବ।  ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍(ଓମସା) ଏକ ପ୍ରତିନିଧିମଣ୍ଡଳୀ କ୍ୟାପିଟାଲ ହସ୍ପିଟାଲ ଯାଇ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ଘଟଣାକୁ ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଓମସା ରାଜ୍ୟ ସମ୍ପାଦକ ସଞ୍ଜୀବ କୁମାର ପ୍ରଧାନ ଦାବି କରିଛନ୍ତି।